Unknown

 

 

 

 

 

 

 

 

 

୧୫୨ତମ ସଂଖ୍ୟା କୋଣାର୍କ ୨୦୦୯

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

ସମ୍ପାଦକ ମଣ୍ଡଳୀ:

ଡକ୍ଟର ସୁଦର୍ଶନ ଆଚାର୍ଯ୍ୟ

ଶ୍ରୀ ଚନ୍ଦ୍ରଶେଖର ଦାସବର୍ମା

ଡକ୍ଟର ବିଜୟାନନ୍ଦ ସିଂହ

 

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ଭୁବନେଶ୍ୱର-୭୫୧୦୧୪

ଫୋନ୍/ଫ୍ୟାକ୍ସ- ୨୪୩୧୮୪୦

 

ଏକାଡେମୀ କର୍ତ୍ତୃକ ସର୍ବସତ୍ତ୍ୱାଧିକାର ସଂରକ୍ଷିତ । ରଚନାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ୱ ।

 

ସମ୍ପାଦକୀୟ

ସୂଚୀ

୧.

ପ୍ରହଲ୍ଲାଦ ନାଟକ

 

ଲିଙ୍ଗରାଜ ନାହାକ

୨.

ମାନସିଂହଙ୍କ କାବ୍ୟଚେତନାରେ ସାମାଜିକ ଅନ୍ତର୍ଦୃଷ୍ଟି

 

ପ୍ରବାସ ରଞ୍ଜନ ସାହୁ

୩.

ଘୁମୁସର ରାଜବଂଶର ଐତିହ୍ୟ

 

ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡା

୪.

ତୁଳନାତ୍ମକ ପ୍ରସଙ୍ଗ ଭିତ୍ତିରେ ମାଂସର ବିଳାପ ଓ କାଲାପାହାଡ଼

 

ଫକୀର ଚରଣ ନାୟକ

୫.

ବିଶ୍ଵ ସଂସ୍କୃତିର ଅଭ୍ୟୁତ୍‌ଥାନ ଓ ଭାରତବର୍ଷର ଆଦର୍ଶ

 

ଡକ୍ଟର ବାସୁଦେବ ଦାସ

୬.

ଓଡ଼ିଆ ଶିଶୁକବିତାରେ ଶ୍ରୀ ଜଗନ୍ନାଥ ଚିନ୍ତା ଓ ଚିନ୍ତନ

 

ଗୋବିନ୍ଦ ପ୍ରସାଦ ଭଟ୍ଟାଚାର୍ଯ୍ୟ

୭.

ମଧ୍ୟଯୁଗୀୟ କାବ୍ୟ ପରମ୍ପରା ଓ କବି ଦୀନକୃଷ୍ଣଙ୍କ ରସବିନୋଦ

 

ଡକ୍ଟର ଦୁର୍ଗାମାଧବ ପୃଷ୍ଟି

୮..

‘ଶୈଳକଳ୍ପ’ ଏକ ଅନନ୍ୟ କ୍ଲାସିକ ସୃଷ୍ଟି

 

ମନୋଜ ମେହେର

୯.

ମଧ୍ୟଯୁଗୀୟ କାବ୍ୟ ସାହିତ୍ୟରେ ଭକ୍ତି ଭାବନା ଓ କବି ଭକ୍ତଚରଣ ଦାସ

 

ଡକ୍ଟର ପୂର୍ଣ୍ଣଚନ୍ଦ୍ର ପାଢ଼ୀ

 

ସମାଚାର ପଞ୍ଜୀକରଣ (କେନ୍ଦ୍ରୀୟ) ନିୟମ ୧୯୫୬ ଅଷ୍ଟମ ଅଧିନିୟମ ଅନୁଯାୟୀ ମୁଦ୍ରଣ ଓ ପୁସ୍ତକ ଅଧିନିୟମର ୧୯ଡି ଧାରା-ବି ଅନ୍ତର୍ଗତ ‘କୋଣାର୍କ’ ନାମକ ସାରସ୍ୱତ ପତ୍ରିକାର ସ୍ୱତ୍ୱ ଆଦି ସମ୍ୱନ୍ଧୀୟ ବିବରଣୀ ।

 

ଚତୁର୍ଥ ପ୍ରପତ୍ର (ନିୟମ-୮ ଦ୍ରଷ୍ଟବ୍ୟ)

୧.

ପତ୍ରିକାର ନାମ

କୋଣାର୍କ

୨.

ପଞ୍ଜୀକରଣ ସଂଖ୍ୟା

ଆର.ଏନ୍.୪୦୪୭/୫୮

୩.

ଭାଷା

ଓଡ଼ିଆ

୪.

ପ୍ରକାଶନର ଆବର୍ତ୍ତତା

ତ୍ରୈମାସିକ

୫.

ମୂଲ୍ୟ

ଟ ୩୦/-

୬.

ପ୍ରକାଶକଙ୍କ ନାମ

ଡକ୍ଟର ହରପ୍ରସାଦ ପରିଛା ପଟନାୟକ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର

୭.

ମୁଦ୍ରାକରଙ୍କ ନାମ

ଶ୍ରୀ ରାଜକିଶୋର ପାଣିଗ୍ରାହୀ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

କମ୍ପ୍ୟୁଟେକ, ସୂର୍ଯ୍ୟନଗର, ୟୁନିଟ୍-୭, ଭୁବନେଶ୍ୱର

୮.

ସମ୍ପାଦକଙ୍କ ନାମ

ଶ୍ରୀ ଚନ୍ଦ୍ରଶେଖର ଦାସବର୍ମା

ଡକ୍ଟର ସୁଦର୍ଶନ ଆଚାର୍ଯ୍ୟ

ଡକ୍ଟର ବିଜୟାନନ୍ଦ ସିଂହ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଉପ-ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର-୧୪

୯.

ମୁଦ୍ରଣ ସ୍ଥାନ

କମ୍ପ୍ୟୁଟେକ୍, ସୂର୍ଯ୍ୟନଗର, ୟୁନିଟ-୭, ଭୁବନେଶ୍ୱର

୧୦.

ସ୍ଵତ୍ୱ

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ରାଜ୍ୟ ସଂଗ୍ରହାଳୟ ପରିସର ଭୁବନେଶ୍ୱର-୧୪

 

ମୁଁ ଡକ୍ଟର ହରପ୍ରସାଦ ପରିଛା ପଟନାୟକ, ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ ଏତଦ୍ଦ୍ୱାରା ଘୋଷଣା କରୁଛି ଯେ ଉପରୋକ୍ତ ବିବରଣୀ ମୋର ଜ୍ଞାନ ଓ ବିଶ୍ୱାସମତେ ସତ୍ୟ ଅଟେ-

 

ଡକ୍ଟର ହରପ୍ରସାଦ ପରିଛା ପଟନାୟକ

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ

 

ସମ୍ପାଦକୀୟ

ଏକବିଂଶ ଶତାବ୍ଦୀ ପରିବର୍ତ୍ତନର ଶତାବ୍ଦୀ । ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି ଏହି ଶତାବ୍ଦୀରେ । ମଣିଷ ଯାହା ଚାହୁଁଛି ତାହା ମିଳିଯାଉଛି ସହଜଭାବରେ । ଭୋଗ, ବିଳାସ, ପ୍ରାଚୁର୍ଯ୍ୟର ସୀମା ନାହିଁ । ବିଜ୍ଞାନର ଅଗ୍ରଗତି ଫଳରେ ମଣିଷ ହୋଇଛି କ୍ଷମତା ଲୋଭୀ । ସେ ଧରାକୁ ସରା ବୋଲି ଭାବୁଛି । ପୃଥିବୀ ସୁନ୍ଦର ହୋଇଛି ମଣିଷ ପାଇଁ । ବିଜ୍ଞାନର ବିକାଶ ଫଳରେ ପୃଥିବୀର ଦୂରତା କମିଛି । ସବୁ ମଣିଷ ଏକ ହୋଇଯିବା ପାଇଁ ପଥ ଉନ୍ମୁକ୍ତ ହୋଇଛି । ପଶୁ ଯେମିତି, ପକ୍ଷୀ ଯେମିତି ଗୋଟିଏ ଜାତିର ସେପରି ସମଗ୍ର ପୃଥିବୀର ମଣିଷ ଗୋଟିଏ ଜାତିର । କିନ୍ତୁ ଆଜିର ମଣିଷ ଅସଲ ସତ୍ୟକୁ ହୃଦୟଙ୍ଗମ କରି ପାରୁଛି ତ !

 

ଏକବିଂଶ ଶତାବ୍ଦୀ ବେଗପୂର୍ଣ୍ଣ ଶତାବ୍ଦୀ । ମାନବିକ ଆବେଗ କମିଛି, ବୃଦ୍ଧି ପାଇଛି ବେଗ-। ଜୀବନ ଓ ଜଗତ ଜଞ୍ଜାଳମୟ । ସୁଖ ଓ ଆନନ୍ଦ ଖୋଜିବାକୁ ଯାଇ ଦୁଃଖ ଓ ନୈରାଶ୍ୟ ପ୍ରତ୍ୟକ୍ଷ କରୁଛି ଆଜିର ମଣିଷ । ମାନବିକ ଏକତା, ପାରିବାରିକ ସଂହତି ଭୁଷୁଡ଼ି ପଡ଼ୁଛି । ବ୍ୟକ୍ତିକୈନ୍ଦ୍ରିକ ମନୋଭାବ, ସ୍ଵାର୍ଥ ସର୍ବସ୍ଵ ଜୀବନ ସାମାଜିକ ସଂହତି ପ୍ରତି ବିପଦ ହୋଇ ଠିଆ ହୋଇଛି । ବ୍ୟସ୍ତ ବିବ୍ରତ ମଣିଷ ସତରେ କ’ଣ ଖୋଜୁଛି ? ସବୁଆଡ଼େ ମଣିଷ ଆଉ ମଣିଷର ମେଳା । କିନ୍ତୁ ମଣିଷ କାହାନ୍ତି ? ମଣିଷର ଭିଡ଼ ଭିତରେ ମଣିଷଟିଏ ଆଜି ନିଃସଙ୍ଗ, ଅସହାୟ । ସୁଖ ସମ୍ଭୋଗର ପାଚେରୀ ଭିତରେ ଉପଲବ୍ଧ ହେଉଛି କେବଳ ଶୂନ୍ୟତା । ସ୍ଵପ୍ନ ଓ କଳ୍ପନା ସୁଦୂରପରାହତ । ଯନ୍ତ୍ରବତ୍‌ ହୋଇଯାଇଛି ମଣିଷ । ସ୍ନେହ, ଶ୍ରଦ୍ଧା, ମମତା, ଆନ୍ତରିକତା କ୍ରମଶଃ ଲୋପ ପାଇବାରେ ଲାଗିଛି । ଛଳନା ଆତ୍ମପ୍ରତାରଣାର ଆବରଣ ଭିତରେ ମଣିଷ ନିଜକୁ ଚିହ୍ନାଇଛି-। ଉପରକୁ ଏକ ପ୍ରକାର ଦେଖାଯାଉଥିଲେ ମଧ୍ୟ ଭିତରକୁ ଆଉ ଏକ ପ୍ରକାରର ।

 

ମଣିଷ ଆଜି ମୁକ୍ତ ନୁହେଁ, ସ୍ପଷ୍ଟ ନୁହେଁ । ଆତ୍ମବଡ଼ିମା ଓ ମିଥ୍ୟାର ରାଜୁତି । ବିଭ୍ରାନ୍ତିକର ବ୍ୟବସ୍ଥା ଜୀବନ, ସମାଜକୁ କରିଛି ଲକ୍ଷ୍ୟହୀନ । ବିଶ୍ଵାସ କମିଛି ଅବିଶ୍ୱାସ ବଢ଼ିଛି । ହିଂସ୍ର ବର୍ବର ଓ ଅମାନବିକ ଆଚରଣରେ ସମାଜ ଜୀବନ କଳୁଷିତ । ଯାହା ବିଶ୍ଵାସର ବାହାରେ ମଣିଷ ସେପରି କାର୍ଯ୍ୟକରି ହୀନ ଜୀବନର ସୂଚନା ଦେଉଛି । ମଣିଷର ହୃଦୟ ଅଛି କିନ୍ତୁ ହୃତ୍‌ପିଣ୍ଡ ନାହିଁ ବୋଲି ବୁଝିବାକୁ ପଡ଼ିବ । ଅମାନବିକ ଆଚରଣ ପୃଥିବୀକୁ ଦୋହଲାଇ ଦେଇଛି । ମଣିଷ ଉପରେ ମଣିଷର ଅକଥନୀୟ, ଅବର୍ଣ୍ଣନୀୟ ଅତ୍ୟାଚର ରକ୍ତରଞ୍ଜିତ କରିଛି ଇତିହାସ ପୃଷ୍ଠାକୁ ।

 

ଆଜିର ମଣିଷ କ’ଣ ଧ୍ଵଂସ ଚାହେଁ ? ପରୋକ୍ଷରେ ମଣିଷ ନିଜ ଧ୍ଵଂସଲୀଳା ରଚନା କରି ଚାଲିଛି ସେ ତାହା ବୁଝିପାରୁନାହିଁ । ମୂଲ୍ୟବୋଧର ଅବକ୍ଷୟ ଏହି ବିପର୍ଯ୍ୟୟର ସୂଚନା ମାତ୍ର । ଏହିଭଳି ଏକ ସଙ୍କଟ ସମୟରେ ଏକ ନୂତନ ବିପ୍ଲବର ଆବଶ୍ୟକତା ରହିଛି । ସମାଜ ଓ ଜୀବନ ସ୍ଥିର ନୁହେଁ । ନିତ୍ୟ ପରିବର୍ତ୍ତନ ହିଁ ସମାଜ ଓ ଜୀବନର ବୈଶିଷ୍ଟ୍ୟ । ଜୀବନ ପରିବର୍ତ୍ତିତ ହୋଇଥାଏ ସମାଜର ପରିବେଶ ଅନୁଯାୟୀ । ସମାଜ ଠିକ୍‌ ହେଲେ ବ୍ୟକ୍ତି ଠିକ୍‌ ହୋଇଯିବ ।

 

ଲେଖକ ବା ସାହିତ୍ୟିକମାନଙ୍କର ଭୂମିକା ସମାଜରେ ଗୁରୁତ୍ୱପୂର୍ଣ୍ଣ । ସାଧାରଣ ମଣିଷ ଅପେକ୍ଷା ସେମାନେ ଉର୍ଦ୍ଧ୍ୱରେ । ସେମାନେ ତୃତୀୟ ନୟନରେ ଏ ସୃଷ୍ଟିକୁ ଭିନ୍ନ ରୂପରେ ଦେଖ ପାରନ୍ତି । ସେମାନଙ୍କ ଦୂରଦୃଷ୍ଟି ସମାଜକୁ ନୂତନ ଦିଗ୍‌ଦର୍ଶନ ଦିଏ । କାରଣ ସାହିତ୍ୟ କେବଳ କଳ୍ପନା ବା ମନୋରଞ୍ଜନର ବସ୍ତୁ ନୁହେଁ । ପ୍ରେମ-ପ୍ରଣୟର ଚିତ୍ର ନୁହେଁ । ସାହିତ୍ୟ କହେ ଜୀବନର କଥା । ମଣିଷ ମନର ସଂଗୁପ୍ତ ରହସ୍ୟକୁ ଉନ୍ମୋଚନ କରେ ସାହିତ୍ୟ ।

 

ଅନ୍ୟାୟ-ଅନୀତି, ଶୋଷଣ-କଷଣ ବିରୁଦ୍ଧରେ ସାହିତ୍ୟିକମାନେ ସ୍ୱର ଉତ୍ତୋଳନ କରି ଜନଜାଗରଣ ସୃଷ୍ଟି କରିବାରେ ସମର୍ଥ ହୋଇଛନ୍ତି । ଯେତେବେଳେ ସାମାଜିକ ଜୀବନର ଅଧୋଗତି ହୋଇଛି ସେତେବେଳେ ଲେଖକମାନେ ହିଁ ନେତୃତ୍ୱ ନେଇଛନ୍ତି । ଲେଖା ମାଧ୍ୟମରେ ପରିବର୍ତ୍ତନର ମାର୍ଗ ନିର୍ଦ୍ଧାରଣ କରିଛନ୍ତି । ତେଣୁ ଆଜିର ଲେଖକମାନେ ପୃଥିବୀର ଅବସ୍ଥାକୁ ଯଥାର୍ଥ ଭାବରେ ଉପଲବ୍ଧ କରି ଏକ ନୂତନ ମାନବିକ ଆନ୍ଦୋଳନର ଶୁଭାରମ୍ଭ କରନ୍ତୁ । ବ୍ୟାସ, ବାଲ୍ମିକୀ, ହୋମର, ସେକ୍‌ସପିୟର, ଗେଟେ, ଗର୍କି, ଟଲଷ୍ଟଟୟ, ରଷୋ, ଭଲଟେୟାର, ତୁଳସୀ ଦାସ, ରବୀନ୍ଦ୍ରନାଥ, ପ୍ରେମଚନ୍ଦ, ବଙ୍କୀମଚନ୍ଦ୍ର, ନଜରୁଲ, ସାରଳା ଦାସ, ଜଗନ୍ନାଥ ଦାସ, ଦୀନକୃଷ୍ଣ, ଭୀମଭୋଇ, ଫକୀରମୋହନ, ଗୋପବନ୍ଧୁ, ସଚ୍ଚି ରାଉତରାୟ ପ୍ରଭୃତି ସ୍ରଷ୍ଟାମାନେ ସାମାଜିକ ପରିବର୍ତ୍ତନ ପାଇଁ ସାହିତ୍ୟକୁ ଯେପରି ଆୟୁଧ କରିଥିଲେ, ଆଜିର ଲେଖକମାନେ ସେପରି ଭୂମିକା ସମ୍ପାଦନ କରନ୍ତୁ । ମାନବିକ ପ୍ରେମର ନିବିଡ଼ ବନ୍ଧନରେ ସେମାନଙ୍କ ସାହିତ୍ୟ ବାନ୍ଧି ହୋଇ ପଡ଼ିଥିଲା । କାରଣ ସେମାନେ ବୁଝିଥଲେ ସାହିତ୍ୟ ଜୀବନ ଓ ସମାଜକୁ କରେ ଉନ୍ନତ, ମାର୍ଜିତ ଓ ବିକାଶଶୀଳ ।

 

ଆଜିର ଲେଖକମାନେ ବାସ୍ତବବାଦୀ ହୋଇ ଭବିଷ୍ୟତକୁ ଦେଖନ୍ତୁ । ଆମ ମାନବିକ ଭିତ୍ତିଭୂମି କେତେ ଦୁର୍ବଳ ହୋଇପଡ଼ୁଛି ତାକୁ ଅନୁଧ୍ୟାନ କରନ୍ତୁ । ମଣିଷ ଭିତରେ ମଣିଷର ସଂପର୍କ କିପରି ଖାପଛଡ଼ା ହୋଇଯାଇଛି ତାକୁ ଦେଖନ୍ତୁ । ପାଖରେ ଥିବା ମଣିଷଟି କେମିତି ଛଳନା ଭିତରେ ନିଜ ଆଚରଣକୁ ପ୍ରକାଶ କରୁଛି ସୂକ୍ଷ୍ମ ଭାବରେ ଲେଖକମାନେ ଉପଲବ୍ଧ କରନ୍ତୁ । କପଟ, ହିଂସା, ଦ୍ଵେଷ, ରାଗ, କ୍ରୋଧ ନିମିଷକେ କିପରି ଧ୍ୱଂସ ସାଧନ କରି ବହୁମୂଲ୍ୟ ଜୀବନକୁ ନଷ୍ଟଭ୍ରଷ୍ଟ କରୁଛି ତା’ର କାରଣ ଖୋଜିବାକୁ ପଡ଼ିବ ।

 

ଲେଖକମାନେ ସମାଜର ଜାଗ୍ରତ ପ୍ରହରୀ । ସକଳ ଦୁଃଖ, ଯନ୍ତ୍ରଣା, ବେଦନା ସତ୍ତ୍ୱେ ସତ୍ୟକୁ ପ୍ରକାଶ କରିବା ଲେଖକଙ୍କର ଧର୍ମ । କିନ୍ତୁ କ’ଣ ହୋଇଛି କେଜାଣି ଲେଖକମାନେ ଏପରି ବୃହତ୍ତର ସମସ୍ୟାକୁ ଯେପରି ଗୁରୁତ୍ୱ ଦେବାକଥା ତାହା ଦେଉ ନାହାନ୍ତି । ତେଣୁ ବିପଦ ମାଡ଼ି ଆସୁଛି । ଧ୍ଵଂସମୁଖୀ ପୃଥିବୀକୁ ରକ୍ଷା କରିବାର ଏ ବାଟ ସେମାନେ ବାହାର କରନ୍ତୁ । ମାନବିକ ମୂଲ୍ୟବୋଧର ସୁରକ୍ଷା ପାଇଁ ନବଜାଗରଣ ପର୍ବ ଆରମ୍ଭ ହେଉ । ସଂପ୍ରୀତି, ସ୍ନେହଶ୍ରଦ୍ଧା ଓ ଆନ୍ତରିକତାର ପ୍ରସାର ପାଇଁ ଆନ୍ତରିକ ପ୍ରୟାସ ହେଉ ।

 

ସଂସ୍କୃତି ଭବନ

ବିଜୟାନନ୍ଦ ସିଂହ

ଭୁବନେଶ୍ୱର

ସମ୍ପାଦକ

 

***

 

ଗଞ୍ଜାମର ପ୍ରହଲ୍ଲାଦ ନାଟକ

ଲିଙ୍ଗରାଜ ନାହାକ

 

ଉତ୍କୃଷ୍ଟ କଳାର ରାଜ୍ୟ ବୋଲି ଆମ ରାଜ୍ୟର ନାଁ ଉତ୍କଳ । ଉତ୍କଳର କଳା, ଭାସ୍କର୍ଯ୍ୟ, ସାହିତ୍ୟ ଓ ସଂସ୍କୃତି ମଧ୍ୟରେ ଗଞ୍ଜାମର ପ୍ରହଲ୍ଲାଦ ନାଟକ ଅନ୍ୟତମ । ପ୍ରାଚୀନ ଲୀଳା ଓ ଆଧୁନିକ ଓଡ଼ିଆ ନାଟକର ସନ୍ଧି କାଳରେ ପ୍ରହ୍ଲାଦ ନାଟକର ଜନ୍ମ । ଗଞ୍ଜାମ ଜିଲ୍ଲାର ଏହା ଏକ ଲୋକପ୍ରିୟ ନାଟକ । ଜଳନ୍ତର ରାଜା ରାମକୃଷ୍ଣ ଛୋଟରାୟଙ୍କ ଦ୍ଵାରା ରଚିତ ‘ରାଜା ନାଟକ’ ନାମରେ ଗଞ୍ଜାମ ଜିଲ୍ଲାରେ ପରିଚିତ । ରାମଲୀଳା ବା କୃଷ୍ଣଲୀଳା ଭଳି ପ୍ରହ୍ଲାଦ ନାଟକର ବିଷୟ ବସ୍ତୁକୁ ବିଭିନ୍ନ ଅଂଶରେ ବିଭକ୍ତ କରାଯାଇଛି । ଏହା ତିନି ରାତିରୁ ସାତ ରାତି ପର୍ଯ୍ୟନ୍ତ କ୍ରମଶଃ ଅଭିନୀତ ହୋଇଥାଏ । ପ୍ରହ୍ଲାଦ ନାଟକ ଉତ୍ପତ୍ତି, ସ୍ମୃତି, ପ୍ରଳୟ ନିର୍ମାଣ, ନିର୍ବାଣ, ପରିନିର୍ବାଣ ଓ ମହାନିର୍ବାଣ ରୂପେ ସାତୋଟି ଅଂଶରେ ବିଭକ୍ତ । ଅନୁଜ ହିରଣାକ୍ଷର ନିଧନ ବାର୍ତ୍ତା ଚାରମୁଖରୁ ଶୁଣି ହିରଣ୍ୟକଶିପୁ ଭାତୃ ଶତ୍ରୁର ବିନାଶ ନିମନ୍ତେ ଜନନୀ ଦିତୀଙ୍କଠାରେ ପ୍ରତିଜ୍ଞାବଦ୍ଧ ହେବା ଠାରୁ ନୃସିଂହ ସ୍ତୁତି ପର୍ଯ୍ୟନ୍ତ ବିଷୟବସ୍ତୁ ଏହି ନାଟକରେ ସନ୍ନିବେଶିତ ହୋଇଅଛି । ପ୍ରଥମେ ଗାହାକ ଗୁରୁଦେବ, ଗଣେଶ ଓ ଶାରଦାଙ୍କ ବନ୍ଦନା କଲା ପରେ ସଂକ୍ଷେପରେ ନାଟକ ବିଷୟବସ୍ତୁର ଅବତାରଣା କରାଯାଏ । ତାପରେ ମଞ୍ଚରେ ସୁତ୍ରଧରମାନେ ଉପସ୍ଥିତ ହୁଅନ୍ତି । ସୂତ୍ରଧରର ସୂଚନା ପରେ ଗାହାକ ମୁଖରେ ଶ୍ରୀମଦ୍‌ଭାଗବତର ଶୁକ ଓ ପରିକ୍ଷିତ ସଂବାଦ ମଧ୍ୟରେ ହିରଣ୍ୟକଶିପୁ ମଞ୍ଚକୁ ଆଗମନ ପୂର୍ବରୁ ବେତ୍ରହସ୍ତ ଦ୍ଵାରୀର ପ୍ରବେଶ ସୂଚିତ ହୋଇଥାଏ । ଏହାପରେ ରାଜା ହିରଣ୍ୟକଶିପୁ ମନ୍ତ୍ରୀମାନଙ୍କ ସହିତ ସଭାରେ ଉପସ୍ଥିତ ହୋଇ ଚାର ମୁଖରୁ ଅନୁଜ ହିରଣାକ୍ଷର ମୃତ୍ୟୁ ସମ୍ବାଦ ଶୁଣି ପୁତ୍ର ଶୋକାକୁଳ ଜନନୀ ଦିତୀଙ୍କୁ ସାନ୍ତ୍ୱନା ଦେବାପରେ ଭାତୃ ଶତ୍ରୁର ସଂହାର ନିମିତ୍ତ ମନ୍ତ୍ରୀମାନଙ୍କ ସହିତ ମନ୍ତ୍ରଣା କରେ । ତାପରେ ଶତ୍ରୁ ସଂହାର ନିମିତ୍ତ ତପସ୍ୟା କରିବାକୁ ପତ୍ନୀ ଲୀଳାବତୀଠାରୁ ବିଦାୟ ନେଇ ହିରଣ୍ୟକଶିପୁ ମଦରାଦ୍ରି ଉଦ୍ଦେଶ୍ୟରେ ଯାତ୍ରା କରନ୍ତି । ରାଜାଙ୍କ ଅନୁପସ୍ଥିତ କାଳରେ ଇନ୍ଦ୍ର ଦୈତ୍ୟ ଦୁର୍ଗରେ ପ୍ରବେଶ କରି ଗର୍ଭବତୀ ଲୀଳାବତୀଙ୍କୁ ହତ୍ୟା କରିବା ପାଇଁ ନେଉଥିବାବେଳେ ବ୍ରହ୍ମାସୁତ ନାରଦ ଉପସ୍ଥିତ ହୋଇ ଗର୍ଭସ୍ଥ ସନ୍ତାନ ଦେବ ଲୋକରେ ହିତକାରୀ ହେବ ଏବଂ ଭଗବାନ ଭକ୍ତର ଉଦ୍ଧାର ପାଇଁ ନୃସିଂହ ରୂପରେ ହିରଣ୍ୟକଶିପୁକୁ ସଂହାର କରିବେ ବୋଲି ତାଙ୍କୁ ବୁଝାଇ ଲୀଲାବତୀକୁ ମୁକ୍ତ କରିଥିଲେ । ତାପରେ ଲୀଲାବତୀକୁ ସାଙ୍ଗରେ ନେଇ ନିଜ ଆଶ୍ରମରେ ରଖିଲେ । ସେଠାରେ ଥିବା ମୁନି କନ୍ୟାଙ୍କ ଗହଣରେ କିଛିକାଳ ଅବସ୍ଥାନ କଲାପରେ ନିଜ ପତିଙ୍କୁ ମନେ ପକାଇ ବ୍ୟାକୁଳ ହେଉଥିବା ଲୀଲାବତୀକୁ ନାରଦ ବିଷ୍ଣୁ ଭକ୍ତି ଉପଦେଶ ଶୁଣାଇଲେ ।

 

ଏଣେ ହିରଣ୍ୟକଶିପୁର ଘୋର ତପସ୍ୟାରେ ସନ୍ତୁଷ୍ଟ ହୋଇ ବ୍ରହ୍ମା, ଅଗ୍ନି, ଜଳ, ପବନ, ଭୂମି, ଗୃହ, ଯୁଦ୍ଧ, ଦେବ, ଦାନବ, ମାନବ ଓ ବାନର ବା ନିଶା ପ୍ରୟୋଗରେ ତାର ମୃତ୍ୟୁ ହେବ ନାହିଁ ବୋଲି ବର ପ୍ରଦାନ କରିଥିଲେ । ବ୍ରହ୍ମା ବରରେ ବଳିୟାନ ହିରଣ୍ୟକଶିପୁ ଆନନ୍ଦ ମନରେ ନିଜ ରାଜ୍ୟକୁ ଫେରି ଆସିଲେ । ରାଜ ସଭାରେ ମନ୍ତ୍ରୀମାନଙ୍କ ସହିତ ମନ୍ତ୍ରଣା କରୁଥିବା ସମୟରେ ନାରଦ ଲୀଳାବତୀକୁ ନେଇ ଉପସ୍ଥିତ ହେଲେ ଏବଂ ଇନ୍ଦ୍ରଙ୍କ ଦ୍ଵାରା ଲୀଳାବତୀର ଅପହରଣ ଓ ଉଦ୍ଧାର ବିଷୟ ଜଣାଇ ବିଦାୟ ନେଲେ । ନାରଦ ମୁଖରୁ ବିଗତ ଘଟଣାମାନ ଶୁଣିବା ପରେ କ୍ରୋଧ ପରବଶ ହୋଇ ରାଜା ହିରଣ୍ୟକଶିପୁ ଇନ୍ଦ୍ରାଦି ଦେବଗଣଙ୍କ ସହିତ ଦିଗପତିମାନଙ୍କୁ ଯୁଦ୍ଧରେ ପରାଜିତ କରି ଭାତୃ ଶତ୍ରୁ ନାରାୟଣଙ୍କର ଅନ୍ଵେଷଣ ପାଇଁ ନିଜର ରାକ୍ଷସବାହିନୀଙ୍କୁ ଆଦେଶ ଦେଲେ । ରାକ୍ଷସମାନେ ଦେବ, ଦ୍ଵିଜ, ସ୍ତ୍ରୀ, ବାଳକଙ୍କର ବିନାଶ, ୠଷି ଆଶ୍ରମ ଓ ଯଜ୍ଞଶାଳା ନଷ୍ଟ କରୁଥିବା ସମ୍ବାଦ ପାଇ ଲୀଳାବତୀ ହରିଙ୍କ ସହିତ ଶତ୍ରୁତାରୁ ବିରତ ହେବାପାଇଁ ନିଜ ପତିଙ୍କ ନିକଟରେ ପ୍ରାର୍ଥନା କଲେ ମଧ୍ୟ ହିରଣ୍ୟକଶିପୁ ଶତ୍ରୁବଦ୍ଧ ନିମିତ୍ତ ନିଜ ପ୍ରତିଜ୍ଞାରେ ଅଟଳ ରହିଥିଲେ । ଦିନେ ରାଜ ସଭାରେ ମନ୍ତ୍ରୀମାନଙ୍କ ଗହଣରେ ଶତ୍ରୁ ବିନାଶ ନିମନ୍ତେ ସର୍ବତ୍ର ଆନନ୍ଦ ଉତ୍ସବ ପାଳନ ପାଇଁ ରାଜା ଆଦେଶ ଦେଲେ ।

 

ଏହାପରେ ଦୈତ୍ୟ କୁଳଗୁରୁ ଶୁକ୍ରାଚାର୍ଯ୍ୟ ପ୍ରହ୍ଲାଦର ଜାତକ ନିର୍ମାଣ କରିଥିଲେ । ଏହିଠାରେ ପ୍ରଥମ ଦିବସର ଅଭିନୟ ସମାପ୍ତ ହେବା ଉଲ୍ଲେଖ ଅଛି ।

 

ଏକଦା ପ୍ରହ୍ଲାଦ ରାଜ ସଭାରେ ଉପଗତ ହୋଇ ହରିନାମ ଗାନ କରିବାରୁ ଅସନ୍ତୁଷ୍ଟ ରାଜା ହିରଣ୍ୟକଶିପୁ ଶୁକ୍ରାଚାର୍ଯ୍ୟଙ୍କ ପୁତ୍ର ଚଣ୍ଡମାର୍କଙ୍କୁ ପ୍ରହ୍ଲାଦର ଅଧ୍ୟାପନା ପାଇଁ ଆଦେଶ ଦେଲେ-। କିନ୍ତୁ ଗୁରୁ ଗୃହରେ ଗୁରୁଙ୍କର ସବୁ ପ୍ରଯତ୍ନ ସତ୍ତ୍ଵେ ପ୍ରହ୍ଲାଦର ହରି ଭକ୍ତିର କୌଣସି ପରିବର୍ତ୍ତନ ନହେବା ବିଷୟ ଗୁରୁଙ୍କଠାରୁ ଶୁଣି ହିରଣ୍ୟକଶିପୁ ପ୍ରହ୍ଲାଦକୁ ନିଜର ଶତ୍ରୁ ରୂପେ ବିଚାର କରିବା ସଙ୍ଗେ ସଙ୍ଗେ ତାହାର ବିନାଶ ନିମନ୍ତେ ଦୃଢ଼ ପ୍ରତିଜ୍ଞ ହେଲେ ।

 

ମହାରାଜାଙ୍କ ଦ୍ଵାରା ଆଦିଷ୍ଟ ହୋଇ ପ୍ରଥମେ ରାଜକର୍ଣ୍ଣବୀର ପ୍ରହ୍ଲାଦଙ୍କୁ ନେଇ ନିର୍ଜନ ଅରଣ୍ୟରେ ଏକ ଉଚ୍ଚ ବୃକ୍ଷରେ ବନ୍ଧନ କରିଥିଲେ । ଶ୍ରୀହରିଙ୍କ ଦୟାରୁ ୠଷିମାନଙ୍କ ସହାୟତାରେ ପ୍ରହ୍ଲାଦ ମୁକ୍ତିଲାଭ କରିବା ଜାଣି ରାଜା ଉତ୍ତପ୍ତ ଲୌହ ସ୍ତମ୍ଭରେ ଦୃଢ଼ ଭାବେ ବନ୍ଧନ କରି ତାକୁ ହତ୍ୟା କରିବା ନିମିତ୍ତ ରାକ୍ଷସମାନଙ୍କୁ ଆଦେଶ ଦେଇଥିଲେ । କିନ୍ତୁ ରାକ୍ଷସମାନଙ୍କର ମୃତ୍ୟୁ ଓ ପ୍ରହ୍ଲାଦର ମୁକ୍ତି ସମ୍ବାଦ ପାଇ ମତ୍ତବାରଣ ହସ୍ତୀ ସାହାଯ୍ୟରେ ପ୍ରହ୍ଲାଦକୁ ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଦେଲେ-। ତଦ୍ୱାରା ଉଦ୍ଦେଶ୍ୟ ସିଦ୍ଧ ନହେବାରୁ କ୍ରମଶଃ ଘାତୁକ, ଭୂପତନ, ଭୂଦେବୀଙ୍କଠାରେ ବଳୀଦାନ, ଗିରିଗୁହାରେ ନିକ୍ଷେପ, କୃତ୍ତିକା ପ୍ରୟୋଗ, ସର୍ପାଘାତ, ବିଷ ପ୍ରୟୋଗାଦି ଉପାୟରେ ପ୍ରହ୍ଲାଦକୁ ହତ୍ୟାକରି ନପାରି ହିରଣ୍ୟକଶିପୁ ଓ ଭଗବାନ ନୃସିଂହଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହେଲା ଏବଂ ସେହି ଯୁଦ୍ଧରେ ନୃସିଂହ ବିକଟାଳ ରୂପରେ ହିରଣ୍ୟକଶିପୁର ହୃଦୟ ବିଦାରଣ କରିଥିଲେ । ପରିଶେଷରେ ଦେବଗଣଙ୍କ ସ୍ତୁତିରେ ନୃସିଂହ ଶାନ୍ତ ନ ହେବାରୁ ପ୍ରହ୍ଲାଦ ନୃସିଂହଙ୍କର ସ୍ତବଗାନ କରିଥିଲେ । ଭକ୍ତର ସ୍ତୁତିରେ ସାନ୍ତ୍ଵନା ଲାଭ କରି ଭଗବାନ ନୃସିଂହ ପ୍ରହ୍ଲାଦକୁ ରାଜପଦରେ ଅଭିଷିକ୍ତ କରିବା ପାଇଁ ଦେବଗଣଙ୍କୁ ଆଦେଶ ଦେଇଥିଲେ ଏବଂ ଅନନ୍ତକାଳ ପର୍ଯ୍ୟନ୍ତ ଭକ୍ତ ପ୍ରହ୍ଲାଦଙ୍କ ଚରିତ୍ର ଲୋକ ମୁଖରେ ପ୍ରଚାରିତ ହେବା ପାଇଁ ଆଶୀର୍ବାଦ ପ୍ରଦାନ କରିଥିଲେ । ଏହାହିଁ ଆଲୋଚ୍ୟ ପ୍ରହ୍ଲାଦ ନାଟକର ବିଷୟବସ୍ତୁ ।

 

ପ୍ରହ୍ଲାଦ ନାଟକର ବିଭିନ୍ନ ବୃତ୍ତର ବୟାଳିଶିଟି ସଂସ୍କୃତ ଶ୍ଲୋକ, ଏଗାରଟି ଓଡ଼ିଆ ଶ୍ଲୋକ, ବିଭିନ୍ନ ରାଗର ଶହେ ଚବିଶିଟି ସଂଗୀତ ସନ୍ନିବେଶିତ ହୋଇଅଛି । ସଂଗୀତ ରଚନାରେ ମୁଖ୍ୟତଃ ପଞ୍ଚତିରିଶ ପ୍ରକାର ରାଗ ଓ ଛଅ ପ୍ରକାର ତାଳ ବ୍ୟବହୃତ ହୋଇଅଛି । ନାଟକର ବିଭିନ୍ନ ଭୂମିକାରେ ପାଞ୍ଚ ଜଣ ସ୍ତ୍ରୀ ଓ କୋଡ଼ିଏ ଜଣ ପୁରୁଷ ଅଭିନୟ ପ୍ରଦର୍ଶନ କରନ୍ତି । ଏଥିରେ ସୁତ୍ରଧରର ଉପସ୍ଥିତି କେତେକ ସ୍ଥଳରେ ପ୍ରଦର୍ଶିତ ହୋଇଥିଲେ ମଧ୍ୟ ନାଟକୀୟ ଚରିତ୍ର ବିଷୟବସ୍ତୁ ଓ ଘଟଣା ପ୍ରବାହର ମୁଖ୍ୟ ନିର୍ଦ୍ଦେଶକ ତଥା ନାଟକ ଉପସ୍ଥାପନାର ମୁଖ୍ୟ ବ୍ୟବସ୍ଥାପକ ବା ପ୍ରଧାନ ନଟରୂପେ ଗାହାକର ଅବତାରଣା କରାଯାଇଅଛି । ଗାହାକ ପ୍ରଦତ୍ତ ବା ଉଦଘୋଷିତ ନାଟକୀୟ ଘଟଣାମାନ ସମୟାନୁସାରେ ଦର୍ଶକମଣ୍ଡଳୀର ମନ ଓ ପ୍ରାଣକୁ ଉଦବେଳିତ ଓ ଆନନ୍ଦିତ କରିଥାଏ-

 

ପରିବେଷଣ ଶୈଳୀ - ସାଧାରଣତଃ ଗ୍ରାମ୍ୟ ନାଟକ ପରିବେଷଣ ନିମିତ୍ତ ଏକ ଉନ୍ମୁକ୍ତ ଓ ବିସ୍ତୃତ ସ୍ଥାନ ନିର୍ବାଚିତ ହୁଏ । ସମବେତ ଦର୍ଶକମାନେ ଯେପରି ପୂର୍ଣ୍ଣ ପ୍ରାଣରେ ଆନନ୍ଦ ଉପଲବ୍ଧି କରିପାରିବେ ସେଥିପ୍ରତି ଦୃଷ୍ଟିଦେଇ ନୂତ୍ୟ ଗୀତ ଓ ଅଭିନୟ ପ୍ରଦର୍ଶନରେ ଯଥା ବ୍ୟବସ୍ଥା କରାଯାଇଥାଏ । ସେହିପରି ପ୍ରହ୍ଲାଦ ନାଟକର ଅଭିନୟ ପାଇଁ ଏକ ବୃହଦାକାର ସୋପାନ ଥିବା ମଞ୍ଚ ବା ସିଂହାସନ ନିର୍ମିତ ହୁଏ । ମଞ୍ଚର ପୁରୋଭାଗରେ ଥିବା ରଙ୍ଗ ଭୂମି ଓ ସିଂହାସନ ବ୍ୟତୀତ ଅନ୍ୟପାର୍ଶ୍ଵରେ ଦର୍ଶକଗଣ ଆସନ ଗ୍ରହଣ କରିଥାନ୍ତି । ପ୍ରଥମେ ମଙ୍ଗଳାଚରଣ ପାଠ ଓ ମଞ୍ଚପୂଜା କରାଯାଏ । ଏହାପରେ ଗାହାକ ବିଷୟବସ୍ତୁର ପ୍ରସଙ୍ଗ ବର୍ଣ୍ଣନା କରିବା ମଧ୍ୟରେ ଦ୍ୱାରପାଳ ଉପସ୍ଥିତ ହୋଇ ନିଜର ପରିଚୟ ସହିତ ରାଜାଙ୍କର ସଭାବିଜୟ ସୂଚନା ଦିଏ । ତାପରେ ମନ୍ତ୍ରୀ ଗହଣରେ ଆସି ରାଜା ହିରଣ୍ୟକଶିପୁ ସିଂହାସନ ଆରୋହଣ କରନ୍ତି।

 

ବେଶ ଓ ପୋଷାକ - ରାଜା ଓ ମନ୍ତ୍ରୀଗଣ ଅଚକନ ପାଇଜାମା ପିନ୍ଧିଥାନ୍ତି ଓ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇଥାନ୍ତି । ଏମାନଙ୍କର ମୁଖ ସୁଶ୍ରୂଳ ଓ ରକ୍ତବର୍ଣ୍ଣରେ ରଞ୍ଜିତ ହୋଇଥିବାରୁ ଦର୍ଶକଙ୍କର ମନରେ ରାକ୍ଷସର ଧାରଣା ଜମାଇ ଥାଏ । ଗାହାକର ଉଦ୍‌ଘୋଷଣ ଅନୁସାରେ ପାତ୍ର ପାତ୍ରୀମାନେ ପ୍ରବେଶ ଓ ପ୍ରସ୍ଥାନ କରିଥାନ୍ତି ଏବଂ କ୍ରମେ ନାଟକର ଘଟଣା ପ୍ରବାହ ଆଗେଇ ଚାଲେ, ଶୁକ୍ରାଚାର୍ଯ୍ୟ ଚଣ୍ଡମାର୍କ, ନାରଦ ପ୍ରଭୃତିଙ୍କର ବେଶଭୂଷା ପ୍ରାୟ ସମାନ କରାଯାଇଥାଏ । ଲୀଳାବତୀର ବେଶଭୂଷଣ ଓ ସଂଳାପ ଓଡ଼ିଆ, ଗୃହୀଣର ସ୍ଵରୂପ ଓ ଭାବଧାରାର ପରିଚୟ ଦିଏ । ଦାସୀ, ଧାଈମା, ତଥା ଅନୁଚରମାନଙ୍କ ଅଭିନୟ ମଧ୍ୟରେ ସାଧାରଣ ଓଡ଼ିଆର ଚରିତ୍ର ଏବଂ ୠଷି, ମୁନି, ପ୍ରହ୍ଲାଦ ଚରିତ୍ର ମଧ୍ୟରେ ଭକ୍ତିଭାବନା, ଧୈର୍ଯ୍ୟ, ସହିଷ୍ଣୁତାଦିର ରୂପାୟନ କରାଯାଇଥାଏ । ଶ୍ରୀନୃସିଂହଙ୍କର ଭୀମକାନ୍ତ ରୂପ, ଯୁଦ୍ଧ କୌଶଳ ଓ ହିରଣ୍ୟକଶିପୁର ସଂହାର ଦୃଶ୍ୟ ଦର୍ଶକଙ୍କ ପ୍ରାଣକୁ ଭୀତ ଓ ପୁଲକିତ କରେ । ପ୍ରହ୍ଲାଦର ଦଣ୍ଡବିଧାନ ଦୃଶ୍ୟର ଅଭିନୟ ଦର୍ଶକଗଣକୁ ଭୀତ ଓ ଚକିତ କରିବା ସଙ୍ଗେ ସଙ୍ଗେ ବାଳକ ପ୍ରହ୍ଲାଦ ପ୍ରତି ଅତ୍ୟନ୍ତ ସ୍ନେହିତ ଭାବ ଦେଖାଯାଏ ।

 

ଏହି ନାଟକ ମଞ୍ଚସ୍ଥ ନିମିତ୍ତ କେତୋଟି ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଇଥାଏ । ମଞ୍ଚର ପୁରୋଭାଗରେ ଅଭିନୟ ସ୍ଥଳୀ ନିରୂପିତ ହୋଇଥାଏ । ମଞ୍ଚର ଏକ ପାର୍ଶ୍ୱରେ ବାଦ୍ୟକାର ବୃନ୍ଦ, ଗାହାକ, ସୂତ୍ରଧର ଓ ସେମାନଙ୍କର ସହାୟକମାନେ ଥାଆନ୍ତି । ଅଭିନେତାଗଣ ଘରୁ ଅଭିନୟ ସ୍ଥଳକୁ କୌଣସି ଏକ ପାର୍ଶ୍ଵରୁ ଦର୍ଶକମାନଙ୍କ ମଧ୍ୟ ଦେଇ ଯାତାୟତ କରନ୍ତି । ନାଟକର ଶେଷ ଦୃଶ୍ୟରେ ନୃସିଂହାବତାର ପ୍ରଦର୍ଶନ ନିମିତ୍ତ ମଞ୍ଚର ବିପରୀତ ଦିଗରେ ଗୋଟିଏ ସ୍ତମ୍ଭ ନିର୍ମିତ ହୁଏ । ନୃସିଂହାବତାର ପ୍ରବେଶ ସମୟରେ ଦର୍ଶକମାନେ ଦେଖି ନ ପାରିବା ଭଳି ଏକ ଆବରଣ ମଧ୍ୟରେ ନୃସିଂହଙ୍କୁ ସାଜ ଘରୁ ସ୍ତମ୍ଭ ପର୍ଯ୍ୟନ୍ତ ନିଆଯାଇଥାଏ ଏବଂ ହିରଣ୍ୟକଶିପୁ ଏହି ସ୍ତମ୍ଭକୁ ଧକ୍କା ମାରିବା ପରେ ସ୍ତମ୍ଭ ମଧ୍ୟରେ ନୃସିଂହ ଆବିର୍ଭାବ ହୋଇଥାନ୍ତି । ଅତୀତରେ ଅଭିନୟବେଳେ ରଂଗଭୂମିରେ ନୃସିଂହ ପ୍ରକୃତରେ ହିରଣ୍ୟକଶିପୁକୁ ବିଦାରି ମାରିଦେଇଥିବାରୁ ପରବର୍ତ୍ତୀକାଳରେ ନୃସିଂହଙ୍କୁ ଗୋଟିଏ ଦଉଡ଼ିରେ ଅଣ୍ଟାଠାରୁ ବାନ୍ଧି ଉଭୟ ପାର୍ଶ୍ଵରୁ ବହୁ ଲୋକ ଦଉଡ଼ିଟି ଧରିଥାନ୍ତି । ସାଧାରଣତଃ ହିରଣ୍ୟକଶିପୁ ବିଦାରଣ ଦୃଶ୍ୟ ଆଜିକାଲି ଦେଖାଯାଏ ନାହିଁ । ଶେଷ ଦୃଶ୍ୟରେ ହିରଣ୍ୟକଶିପୁର ସାଜଘରକୁ ପଳାୟନ ଏବଂ ନୃସିଂହଙ୍କର ଚିତ୍କାର ସହ ଅନୁଧାବନ ଯାତ୍ରା ଦର୍ଶକ ଦେଖିଥାନ୍ତି । ନୃସିଂହମୁଖାରୀ ବୃହଦାକାର ହୋଇଥିବାରୁ ଅଭିନେତାର ମସ୍ତକରେ ବିରାଟ ପଗଡ଼ି ବାନ୍ଧି ତାହା ଅବସ୍ଥାପିତ କରାଯାଏ । ନୃସିଂହମୁଖାଟି ବର୍ଷସାରା କୌଣସି ଏକ ମନ୍ଦିରରେ କିମ୍ବା ଆଖଡ଼ାଘରେ ଯଥାବିଧି ପୂଜିତ ହୁଏ । ଅଭିନେତାଗଣ ପ୍ରହ୍ଲାଦନାଟକ ପରିବେଷଣ କାଳରେ ଆହାର ଓ ପରିଧାନାଦି ଦୃଷ୍ଟିରୁ ଶୁଦ୍ଧପୂତ ରହିଥାନ୍ତି ।

 

ରସ - ରସାଶ୍ରୟଂ ନାଟ୍ୟମ୍‌, ରସ ହିଁ ନାଟକର ପ୍ରାଣ । ନାଟକର ଶୃଙ୍ଗାର, ବୀର, କରୁଣାଦି ରସ ମଧ୍ୟରୁ କୌଣସି ଗୋଟିଏ ପ୍ରଧାନ ରସ ଓ ଅନ୍ୟାନ୍ୟ କେତୋଟି ଅପ୍ରଧାନ ରସ ରୂପେ ଗ୍ରହଣ କରାଯାଏ । ଆଲୋଚ୍ୟ ନାଟକରେ ହାସ୍ୟ, କରୁଣ, ଭୟ ସହିତ ମୁଖ୍ୟତଃ ରୌଦ୍ର ରସର ପ୍ରଧାନ ପରିଲକ୍ଷିତ ହୁଏ । ରାଜା ହିରଣ୍ୟକଶିପୁ ସହିତ ରାକ୍ଷସଗଣଙ୍କ ଅଭିନୟ ମଧ୍ୟରେ ରୌଦ୍ର ରସ, ଦ୍ଵାରୀ ଓ ନାରଦ ତଥା ଦାସୀ ଓ ଧାଈମାର କଥୋପକଥନ, ଶୁକ୍ରାଚାର୍ଯ୍ୟ, ଚଣ୍ଡମାର୍କ, କେଳା କେଳୁଣୀ ପ୍ରଭୃତିଙ୍କ ବେଶଭୂଷା ଓ ସଂଳାପରେ ହାସ୍ୟରସର ଉଦ୍ରେକ ହୋଇଥାଏ । ରାଣୀ ଲୀଳାବତୀଙ୍କ ଚରିତ୍ରରେ କରୁଣ ରସ ଦେଖାଯାଏ ।

 

ନାୟକ ଓ ନାୟିକା - ନାଟକର ନାମକରଣରୁ ସାଧାରଣତଃ ନାୟକ ନାୟିକା ନିରୂପଣ କରାଯାଇଥାଏ । ମୁଖ୍ୟ ବିଷୟବସ୍ତୁ ସୂଚକ କୌଣସି ଏକ ସଂଜ୍ଞା ବା ନାୟିକା ମଧ୍ୟରୁ କୌଣସି ଗୋଟିକର ବା ଉଭୟଙ୍କର ନାମ ଅନୁସାରେ ନାଟକର ନାମ କରଣ ହୁଏ । ଆଲୋଚ୍ୟ ପ୍ରହ୍ଲାଦ ନାଟକରେ ପ୍ରସହ୍ଲାଦକୁ ନାୟକ ଓ ହିରଣ୍ୟକଶିପୁକୁ ପ୍ରତିନାୟକ, ରାଣୀ ଲୀଳାବତୀକୁ ନାୟିକା ରୂପେ ଚିତ୍ରଣ କରାଯାଇଛି ।

 

ଅଙ୍କ ଓ ଦୃଶ୍ୟ - ପ୍ରହ୍ଲାଦ ନାଟକର ଅଙ୍କ ଓ ଦୃଶ୍ୟର ବିଭାଗ କରାଯାଇନାହିଁ । ପ୍ରହ୍ଲାଦଙ୍କ ଜନ୍ମପରେ ପ୍ରଥମ ଦିନରାତ୍ର ଚରିତ୍ର ସମାପ୍ତ ବୋଲି ଉଲ୍ଲେଖ ଥିବାରୁ ଏହା ଅଙ୍କ ବା ଦୃଶ୍ୟ ବିଭାଗର ଏକ ସୂଚନା ଦିଏ । ନାଟକଟି ନିରବଚ୍ଛିନ୍ନ ଭାବରେ ତିନି ରାତିରୁ ସାତରାତି ପର୍ଯ୍ୟନ୍ତ ଅଭିନିତ ହେଉଥିବାରୁ ଅଭିନୟ କ୍ରମ ଅନୁସାରେ ନାଟକୀୟ ବିଷୟବସ୍ତୁକୁ ବିଭିନ୍ନ ଅଂଶରେ ନିର୍ଦ୍ଧିଷ୍ଟ ଭାବରେ ବିଭକ୍ତ କରାଯାଇନାହିଁ । ତେଣୁ ଆରମ୍ଭରୁ ପ୍ରହ୍ଲାଦଙ୍କ ଜନ୍ମ ଯାଏ ପ୍ରଥମ ରାତି, ପ୍ରହ୍ଲାଦଙ୍କର ଗୁରୁ ଗୃହ ଗମନଠାରୁ ଚଣ୍ଡୀଙ୍କଠାରେ ବଳିଦାନ ଦଣ୍ଡ ପର୍ଯ୍ୟନ୍ତ ଦ୍ୱିତୀୟ ରାତି ଓ ପ୍ରହ୍ଲାଦଙ୍କୁ କପଟ ଦୈତ୍ୟର ଦଣ୍ଡ ବିଧାନ ଠାରୁ ହିରଣ୍ୟକଶିପୁର ସଂହାର ପର୍ଯ୍ୟନ୍ତ ତୃତୀୟ ରାତିରେ ଅଭିନୟ କରାଯାଇପାରେ । ସେହିପରି ସାତ ରାତି ଅଭିନୟ ପାଇଁ ହିରଣ୍ୟକଶିପୁର ତପସ୍ୟା, ପ୍ରହ୍ଲାଦର ଶିକ୍ଷା, ଗଜ କର୍ଣ୍ଣବୀର, ମତ୍ତବାରଣ ହସ୍ତୀ, ଭୂପତନ, ଭୂଦେବୀଙ୍କଠାରେ ବଳିଦାନ, ଗିରିଗୁହା ନିକ୍ଷେପ ଏବଂ ଅଗ୍ନିସର୍ପ, ବିଷାଦି ପ୍ରୟୋଗ କାମରେ ପ୍ରହ୍ଲାଦଙ୍କ ଦଣ୍ଡ ବିଧାନ ତଥା ହିରଣ୍ୟକଶିପୁର ସଂହାର ରୂପେ ନାଟକର ବିଷୟବସ୍ତୁକୁ ସାତୋଟି ଅଂଶରେ ବିଭକ୍ତ କରାଯାଇପାରେ ।

 

ସଂଳାପ - ନାଟକୀୟ ବିଷୟବସ୍ତୁର ଗତିଶୀଳତା ଚରିତ୍ର ଚିତ୍ରଣ ଏବଂ ଉପଜୀବ୍ୟ ରସର ସଫଳ ପରିପ୍ରକାଶ ମୁଖ୍ୟତଃ ପାତ୍ରପାତ୍ରୀଙ୍କ ସଂଳାପ ଉପରେ ନିର୍ଭର କରେ । ସଂଳାପ, ଚରିତ୍ର ଉପଯୋଗୀ, ସମୟାନୁକୂଳ ନ ହେଲେ ନାଟକୀୟ ବିଷୟବସ୍ତୁ ସ୍ପଷ୍ଟ ଓ ହୃଦୟଗ୍ରାହୀ ହୋଇପାରେନାହିଁ । ଆଲୋଚ୍ୟ ନାଟକର ଚରିତ୍ର ଉପଯୋଗୀ ସଂଳାପର ଅଭାବ ସଂଗୀତ ବାହୁଲ୍ୟ, ଗାହାକ ଓ ସୂତ୍ରଧର ଦ୍ଵାରା ସମ୍ଭାବ୍ୟ ଘଟଣାବଳୀର ସୂଚନାଦି ଦ୍ଵାରା ବହୁ କ୍ଷେତ୍ରରେ ଏହା ଦର୍ଶକମାନଙ୍କର ହୃଦୟକୁ ଭାରାକ୍ରାନ୍ତ କରିପାରେ । ମାତ୍ର କୁଶଳୀ କଳାକାରଙ୍କ ଅଭିନୟ ଦ୍ଵାରା ଏ ପ୍ରକାର ଅସୁବିଧା ଅନେକାଂଶରେ ଦୂରୀଭୂତ ହୋଇଯାଏ । ସଂଗୀତାତ୍ମକ ସଂଳାପ, ଶେଷରେ ନାଟ୍ୟକାରଙ୍କ ନାମ ଭଣତି, ଦୃଶାନ୍ତର ବା ବିଷୟାନ୍ତରର ସୂଚନା, ପାତ୍ର ଓ ପାତ୍ରୀଙ୍କ ଦୀର୍ଘ ସଂଳାପ, ଅନାବଶ୍ୟକ କଥୋପକଥନ ଏବଂ ଭାଷା ପ୍ରୟୋଗଜନିତ ବୈଷମ୍ୟ ପ୍ରଭୃତି ଦ୍ଵାରା କେତେକାଂଶରେ ନାଟକୀୟ ଔଚିତ୍ୟର ଅଭାବ ପରିଲକ୍ଷିତ ହୁଏ । ସେ ଯାହାହେଉ ବିଭିନ୍ନ ଅସୁବିଧା ଥାଇ ମଧ୍ୟ ଯେଉଁ ସମୟରେ ଏହି ପ୍ରହ୍ଲାଦ ନାଟକ ବହୁଳ ଭାବରେ ପ୍ରଦର୍ଶିତ ହୋଇଥିଲା, ସେ ସମୟରେ ଏହାର ଲୋକପ୍ରିୟତାକୁ କେହି ଅସ୍ଵୀକାର କରିବେ ନାହିଁ ।

 

ଭାଷା - ନାଟକର ଚରିତ୍ରମାନଙ୍କ ଭାଷା ସରଳ ଓ ଲଳିତ ହେବା ସଂଗେ ସଂଗେ ସର୍ବସାଧାରଣଙ୍କ ସହଜବୋଧ ହେବା ବାଞ୍ଛନୀୟ । କିନ୍ତୁ ପ୍ରହ୍ଲାଦ ନାଟକରେ ଅନେକ ସ୍ଥଳରେ ଆଡ଼ମ୍ବରପୂର୍ଣ୍ଣ ସମସ୍ୟାବହୁଳ ଦୁର୍ବୋଧ୍ୟ ଓ ଶ୍ରୁତିକଟୁର ଶବ୍ଦାବଳୀ ପ୍ରୟୋଗ ହୋଇଥିବାରୁ ଭାଷାର ସାବଲୀଳତା ବ୍ୟାହତ ହୋଇଥିବା ଦେଖାଯାଏ । ଏଥିରେ ତେଲୁଗୁ ଫାର୍ସି, ସଂସ୍କୃତ, ସହିତ ବହୁ ଆଞ୍ଚଳିକ ଶବ୍ଦ ବ୍ୟବହୃତ ହୋଇଛି ।

 

ବିବିଧ ପ୍ରସଙ୍ଗ - ଆଲୋଚ୍ୟ ପ୍ରହ୍ଲାଦ ନାଟକର ପ୍ରସଙ୍ଗକ୍ରମେ ଗାନ୍ଧର୍ବ ବିଦ୍ୟା, ରାଜନୀତି, ଜ୍ୟୋତିର୍ବିଜ୍ଞାନ, ଅଭିଚାରିକ ବିଦ୍ୟା, ଭକ୍ତିଧର୍ମ, ଗାନ୍ଧର୍ବ ଧର୍ମ ବିଭିନ୍ନ ଦେଶ, ନଦନଦୀ, ଗିରିପର୍ବତ, ପୁରନଗର, ଆଶ୍ରମ, ତଥା ମନୌଷଧର ନାମ ସହିତ ଚତୁଷଷ୍ଠିଂ ବିଦ୍ୟାର ସୂଚନା ଦିଆଯାଇଛି । ଧାଈମା ଓ ଦାସୀର କଥୋପକଥନ ତଥା ଶୁକ୍ର, ଚଣ୍ଡମାର୍କ, ନାରଦ ଓ ଦ୍ଵାରୀଙ୍କ ସଂଳାପ ମଧ୍ୟରେ ହାସ୍ୟରସ ସହିତ ସାମାଜିକ ଚଳଣି ଓ ଚିନ୍ତାର ନିଖୁଣ ରୂପାୟନ ହୋଇଥିବା ଦେଖାଯାଏ ।

 

ଆଲୋଚ୍ୟ ନାଟକରେ କେତେକ ନାମର ବୈଷମ୍ୟ ଥିବା ଜଣାଯାଏ । ପଦ୍ମପୁରାଣ ଭୂମିଖଣ୍ଡ ପଞ୍ଚମ ଅଧ୍ୟାୟରେ ବିବରଣ ଅନୁସାରେ ପ୍ରହ୍ଲାଦ ଜନନୀର ନାମ କମଳା ହୋଇଥିବା ସ୍ଥଳେ ନରସିଂହ ପୁରାଣର ଛତିଶି ଅଧ୍ୟାୟରେ କୟାଧୁ ବୋଲି ଉଲ୍ଲେଖ ଅଛି, କିନ୍ତୁ ଆଲୋଚ୍ୟ ନାଟକରେ ପ୍ରହ୍ଲାଦର ଜନନୀ ହେଲେ ରାଣୀ ଲୀଳାବତୀ । ନରସିଂହ ପୁରାଣରେ ଦୈତ୍ୟଗୁରୁ ରୂପେ ଦତ୍ତାତ୍ରେୟ ଓ ଶୁକ୍ରାଚାର୍ଯ୍ୟଙ୍କ ପୁତ୍ର ଷଣ୍ଢ ଓ ଅମର୍କ ନାମରେ ଉଲ୍ଲେଖ ଅଛି, ଭାଗବତରେ ଦୈତ୍ୟ ଗୁରୁ ହେଲେ ଶୁକ୍ରାଚାର୍ଯ୍ୟ ଏବଂ ତାଙ୍କ ପୁତ୍ର ଦ୍ୱୟଙ୍କ ନାମ ହେଲା ଷଣ୍ଢ ଓ ଅମର୍କ କିନ୍ତୁ ଆଲୋଚ୍ୟ ନାଟକରେ ଷଣ୍ଢ ଓ ଅମର୍କ ସ୍ଥଳେ ଚଣ୍ଡମାର୍କ ନାମ ଗ୍ରହଣ କରାଯାଇଛି । କେତେକ ପୁରାଣରେ ଭଉଣୀ ସିଂହିକା ବା ହୋଲିକା ନାମରେ ପରିଚିତ ହୋଇଥିବା ସ୍ଥଳେ ଅନ୍ୟ କେତେକ ପୁରାଣରେ ସିଂହିକା କଶ୍ୟପଙ୍କ ପତ୍ନୀ ରାହୁ ଓ ବାସ୍ତୁ ପୁରୁଷଙ୍କ ଜନନୀ ରୂପେ ବର୍ଣ୍ଣିତ ହୋଇଅଛି । ହିରଣ୍ୟକଶିପୁର ନିର୍ଦ୍ଦେଶରେ ସହୋଦୟା ହୋଲିକା ପ୍ରହ୍ଲାଦଙ୍କର ବିନାଶ ଉଦ୍ଦେଶ୍ୟରେ ଅଗ୍ନିରେ ପ୍ରବେଶ କରି ନିଜେ ଭସ୍ମିଭୂତ ହୋଇଥିଲେ । ପ୍ରହ୍ଲାଦ ନାଟକର ହୋଲିକା ପରିବର୍ତ୍ତେ କୃତ୍ତିକାର ଉତ୍ପତ୍ତି ଏବଂ ପ୍ରହ୍ଲାଦଙ୍କ ହତ୍ୟା କରିବା ପାଇଁ ଏହାର ପ୍ରୟୋଗ ବର୍ଣ୍ଣନା କରାଯାଇଛି ।

 

ପୁରାଣମାନଙ୍କରେ ବର୍ଣ୍ଣିତ ପୌରାଣିକ ଚରିତ୍ର ଆଖ୍ୟାନ ଓ ଉପଖ୍ୟାନ ଗୁଡ଼ିକରେ ବିଷୟ ବସ୍ତୁ ଚରିତ୍ର ଚିତ୍ରଣ ବର୍ଣ୍ଣନା ଶୈଳୀର ବହୁ ପ୍ରକାର ବୈଷମ୍ୟ ଦେଖାଯାଏ । ତେଣୁ କବି ରାମକୃଷ୍ଣ କେଉଁ ପୁରାଣରୁ ପ୍ରହ୍ଲାଦ ଚରିତ୍ରକୁ ଅବଲୋକନ କରି ନାଟକଟି ରଚନା କରିଛନ୍ତି, ତାହା ଅଧିକ ଅନୁସନ୍ଧାନ ସାପେକ୍ଷ ।

 

ପ୍ରହ୍ଲାଦ ନାଟକ ମୁଖ୍ୟତଃ ଏହାର ପରିବେଷଣ ଶୈଳୀ ନିମିତ୍ତ ଉପଭୋଗ୍ୟ ଓ ସୁପ୍ରସିଦ୍ଧ ହୋଇପାରିଛି । ଆଧୁନିକ ନାଟ୍ୟ ପରିବେଷଣ କୌଶଳ ଅନୁଧ୍ୟାନ କଲେ ଏହି ନାଟକ ପାଇଁ ଅନୁସୃତ ହେଉଥିବା ଶୈଳୀଠାରୁ ଅଧିକ ଉନ୍ନତ ଶୈଳୀ ବିଷୟ ସମ୍ଭବତଃ ଚିନ୍ତା କରାଯାଇପାରେ । ଅର୍ଥାତ୍‌ ଗଞ୍ଜାମ ଜିଲ୍ଲାରେ ଏହା ଏବେ ବି ଏକ ଲୋକପ୍ରିୟ ନାଟକ ଏଥିରେ, ଦ୍ୱିମତ ନାହିଁ ।

 

 

ସମ୍ପାଦକ

ନାଟକ ଏକାଡେମୀ,

ବାଲିପଦର, ଗଞ୍ଜାମ

 

 

ମାନସିଂହଙ୍କ କାବ୍ୟଚେତନାରେ ସାମାଜିକ ଅନ୍ତର୍ଦୃଷ୍ଟି

ପ୍ରବାସ ରଂଜନ ସାହୁ

 

ଏକ

ସାରସ୍ଵତ ସ୍ରଷ୍ଟା ଏକ ସ୍ଵତନ୍ତ୍ର ବ୍ୟକ୍ତି ସତ୍ତା ନୁହେଁ, ସେ ବୃହତ୍ତର ମାନବ ସମାଜର ଏକ ଅଙ୍ଗ । ଏଣୁ ତା’ର ସ୍ପୃଷ୍ଟିରେ ସେହି ସମାଜର ପ୍ରାଣ-ସ୍ପନ୍ଦନ ପ୍ରତିବିମ୍ବିତ ହେବା ସ୍ଵାଭାବିକ । ହୁଏତ ସ୍ରଷ୍ଟାର ବ୍ୟକ୍ତିଗତ ଆବେଗ ଓ ଅନୁଭୂତି ତା’ର ସୃଷ୍ଟିକୁ ବହୁ ସମୟରେ ମଞ୍ଜୁଳ ଓ ପ୍ରାଣମୟ କରିଥାଏ, କିନ୍ତୁ ସେହି ଆବେଗ ଓ ଅନୁଭୂତି ମଧ୍ୟ ସମାଜ-ସଂଜାତ-ସମାଜ ଓ ବ୍ୟକ୍ତିର ପାରସ୍ପରିକ ସଂପର୍କରୁ ସୃଷ୍ଟ । ‘‘ଏହା ସତ୍ୟ ଯେ, ସାହିତ୍ୟ ମଧ୍ୟରେ ସଂଶ୍ଲିଷ୍ଟ ଅଛି ବ୍ୟକ୍ତିର ଅହଂ; କିନ୍ତୁ ଅହଂ ମଧ୍ୟରେ ଥିବା ନୈତିକତା, ଧର୍ମ-ସଂସ୍କୃତି, ଜ୍ଞାନ, ଆଶା ଆକାଂକ୍ଷା ପ୍ରଭୃତି ସମାଜ ମଧ୍ୟରୁ ଆସିଛି । ମନୁଷ୍ୟ ସାମାଜିକ ପ୍ରାଣୀ ହିସାବରେ ଏଗୁଡ଼ିକ ସମାଜଠାରୁ ଶିଖିଥାଏ । ମନୁଷ୍ୟ ଯେପରି ଏକ ସାମାଜିକ ପ୍ରାଣୀ, ସାହିତ୍ୟର ସେମିତି ରହିଛି ସାମାଜିକ କାର୍ଯ୍ୟକାରିତା ବା ସାମାଜିକ ଧାରଣା ।’’-(୧)

 

ସ୍ରଷ୍ଟାର ଅନ୍ତର୍ଦୃଷ୍ଟି ଓ ଚେତନାର ପରିସୀମାକୁ ନେଇ ତା’ର ସୃଷ୍ଟ ସାହିତ୍ୟର ସାମାଜିକ ଧାରଣା ନିର୍ଣ୍ଣିତ ହୋଇଥାଏ । ସ୍ରଷ୍ଟା ଆପଣାର କ୍ଷୁଦ୍ର ପରିଧିଗୁଡ଼ିକୁ ଯେତିକି ଯେତିକି ଅତିକ୍ରମି ଯାଏ, ସେ ସମାଜ ଓ ଜୀବନକୁ ସେତିକି-ସେତିକି ବିସ୍ତୀର୍ଣ୍ଣ ଭାବେ ଦେଖିପାରେ । ତାର ଦୃଷ୍ଟି ଓ ଦର୍ଶନ ପରିସର ପରିଭୁକ୍ତ ସମାଜ ଓ ଜୀବନକୁ ସେ ସାହିତ୍ୟରେ ରୂପ ଦିଏ । ସେହି ସମାଜର ଶାଶ୍ଵତ ମୂଲ୍ୟବୋଧର ବନ୍ଦନା ଗାଏ; ଅସଙ୍ଗତିର ନିନ୍ଦା କରେ ଓ ତା’ର ଚିକିତ୍ସାରେ ଆପଣାକୁ ନିୟୋଜିତ କରେ । ସାହିତ୍ୟିକ ଯଦି ଗୋଷ୍ଠୀ ଜୀବନର ଉର୍ଦ୍ଧ୍ୱକୁ ଉଠିନପାରେ, ତେବେ ତାର ସାହିତ୍ୟ ଗୋଷ୍ଠୀ ବିଶେଷର ବିଳାସ ସାମଗ୍ରୀ ହୋଇଯାଏ । ସମାଜ ଓ ଜୀବନର ସାମଗ୍ରିକ ରୂପ ପରିବର୍ତ୍ତେ ଅଭିଜାତ ସଂପ୍ରଦାୟର ଦିନ-ଚର୍ଯ୍ୟା ସେ ସାହିତ୍ୟର ଆଦର୍ଶ ହୋଇଉଠେ ।

 

ସମାଜ ଓ ସାହିତ୍ୟର ସଂପର୍କକୁ ତିନୋଟି ଦିଗରୁ ବିଚାର କରାଯାଇପାରେ । ଭାବବାଦୀ ସାହିତ୍ୟରେ ସ୍ରଷ୍ଟା ସଚେତନ ଭାବେ ସମାଜ-ଚିତ୍ର ପ୍ରଦାନ କରି ନଥାଏ । କିନ୍ତୁ ଆପଣାର ପାରିପାର୍ଶ୍ୱିକ କ୍ରିୟା ପ୍ରତିକ୍ରିୟାକୁ ସ୍ରଷ୍ଟା ଯେହେତୁ ଗୋଟାସୁଦ୍ଧା ଉପେକ୍ଷା କରିବା ଅସମ୍ଭବ, ସ୍ରଷ୍ଟାର ନିକଟତମ ସମାଜର କିଛି ଖଣ୍ଡିତ ଚିତ୍ର ତା’ର ସର୍ଜନାରେ ଆପେ ଆପେ ଅଙ୍ଗୀଭୂତ ହୋଇଯାଇଥାଏ । ଅପର ଶ୍ରେଣୀୟ ସାହିତ୍ୟରେ ସ୍ରଷ୍ଟା ସଚେତନ ଭାବେ ସମାଜର ନିଖୁଣ ବିନ୍ୟାସ ପ୍ରଦାନ କରିବାକୁ ଚେଷ୍ଟା କରିଥାଏ । ଏହାକୁ ବାସ୍ତବବାଦୀ ସାହିତ୍ୟ କୁହାଯାଏ । ସମାଜ ଓ ଜୀବନର ବାସ୍ତବ ଚିତ୍ର ପ୍ରଦାନ କରିବାରେ ଏ ଶ୍ରେଣୀୟ ସାହିତ୍ୟର ଯଥେଷ୍ଟ ଭୂମିକା ଥିଲେ ସୁଦ୍ଧା, ସମାଜ ପରିବର୍ତ୍ତନର ଅସ୍ତ୍ରରୂପେ ପାଠକ ଉପରେ ଏହାର ଆବେଦନ ବଳିଷ୍ଠ ନୁହେଁ । ଫ୍ଲବାର୍ଟ ମୋପାସା, ବାଲ୍‌ଜାକ୍‌, ଜୋଲାଙ୍କ ପରି ସାହିତ୍ୟିକମାନେ ଯଦିଓ ଏଭଳି ବାସ୍ତବବାଦୀ ସାହିତ୍ୟ ସୃଷ୍ଟିରେ ଥିଲେ ଅଗ୍ରଣୀ, ତଥାପି ସମାଜବାଦୀ ଦୃଷ୍ଟିଭଙ୍ଗୀ ଜନିତ ସାମାଜିକ ପରିବର୍ତ୍ତନ ସେମାନଙ୍କ ଚିନ୍ତାରାଜ୍ୟରେ ପ୍ରତିକ୍ରିୟା ସୃଷ୍ଟି କରିନଥିଲା । ଏହାର ପ୍ରତିକ୍ରିୟା ସ୍ୱରୂପ ଗର୍କି, ଲୁଇ ଆରାଗଁ, ମାୟାକୋଭସ୍କି ପ୍ରମୁଖ ସ୍ରଷ୍ଟା ସାହିତ୍ୟକୁ ସମାଜ ଶୋଧନର ଅସ୍ତ୍ରରୁପେ ବ୍ୟବହାର କଲେ-। ଏହାକୁ ସମାଜବାଦୀ ବାସ୍ତବତାର ସାହିତ୍ୟ ବା ପ୍ରଗତିବାଦୀ ସାହିତ୍ୟ ନାମରେ ନାମିତ କରାଗଲା । ସାମାଜିକ ଜୀବନର ନିଖୁଣ ଓ ବାସ୍ତବ ଚିତ୍ର ଏ ଶ୍ରେଣୀୟ ସାହିତ୍ୟରେ ଯେଭଳି ପ୍ରତିବିମ୍ବିତ ମାନବ ସମାଜର ଭବିଷ୍ୟତ ପ୍ରତି ତା’ର ବାଣୀ ମଧ୍ୟ ସେହିଭଳି ବଳିଷ୍ଠ ।

 

କହିବା ବାହୁଲ୍ୟ, ଆଧୁନିକ ଓଡ଼ିଆ ସାହିତ୍ୟର ଅନ୍ୟତମ ବଳିଷ୍ଠ ଅନ୍ତର୍ମଗ୍ନ ସାଧକ ମାୟାଧର ମାନସିଂହ (୧୯୦୫-୧୯୭୩)ଙ୍କ କାବ୍ୟିକ ମାୟା ପରିସର ମଧ୍ୟରୁ ଏ ତ୍ରିସ୍ତରୀୟ ସମାଜ-ସାପେକ୍ଷ ଚିତ୍ରର ଅନୁଶୀଳନ, ମୂଲ୍ୟାୟନ ଓ ତା’ର କକ୍ଷ ନିର୍ଣ୍ଣୟର ଏହା ଉପକ୍ରମଣିକା ମାତ୍ର ।

 

ଦୁଇ

 

ଓଡ଼ିଆ ସାହିତ୍ୟରେ ଭଗବତୀ ଚରଣ ପାଣିଗ୍ରାହୀ, ସଚ୍ଚି ରାଉତରାୟ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ଅନନ୍ତ ପଟ୍ଟନାୟକ ରୁଷୀୟ ସାମ୍ୟବାଦର ପ୍ରଭାବରେ ସେମାନଙ୍କ ପ୍ରଗତିବାଦୀ ସାହିତ୍ୟ ଆନ୍ଦୋଳନ ଆରମ୍ଭ କରିଥିଲେ ହେଁ ସ୍ଵଦେଶର ସାମ୍ରାଜ୍ୟବାଦୀ ଶୋଷଣ, ଉଗ୍ର ବ୍ରାହ୍ମଣ୍ୟବାଦ ତଥା ସାମାଜିକ ବୈଷମ୍ୟ ଏହାର ପ୍ରେରଣା ଥିଲା । ଏହାର ଯଥେଷ୍ଟ ପୂର୍ବରୁ ଊନବିଂଶ ଶତାବ୍ଦୀର ବିସ୍ମୟକର କବି ପ୍ରତିଭା ଭୀମଭୋଇ ଗଭୀର ସାମାଜିକ ଅନ୍ତର୍ଦୃଷ୍ଟି ସଂପନ୍ନ ମାନବିକ ସମ୍ବେଦନଶୀଳତାର ସାହିତ୍ୟ ସୃଷ୍ଟିରେ ଥିଲେ ଅଗ୍ରଣୀ । ଫକୀର ମୋହନଙ୍କ ଗଳ୍ପ ଉପନ୍ୟାସ ଯେଭଳି ସମାଜ ଜୀବନର ବିସ୍ତୀର୍ଣ୍ଣ କାନ୍‌ଭାସ୍‌ ଉପରେ ଅଙ୍କିତ ତିନି ଶହ ବର୍ଷର କ୍ରମିକ ଇତିହାସ ତାଙ୍କ କାବ୍ୟ କବିତା ମଧ୍ୟ ସେହି ଚେତନାର ଖଣ୍ଡିତ ସ୍ଵରମୟ ବାଣୀ ଲିପି । ସେହିଭଳି ସତ୍ୟବାଦୀ ସାଧକ ଗୋପବଂଧୁଙ୍କ ବନ୍ଦୀର ଆତ୍ମକଥା ଅଗଣିତ ଶୋକାକୁଳ ଜନତାଙ୍କ ପ୍ରତି ଗଭୀର ମମତ୍ୱବୋଧର ପରିଚାୟକ । ଏ ସମୟର ଏକକ ଶିଳ୍ପୀ କୁନ୍ତଳା କୁମାରୀ ସାବତଙ୍କ ‘ପୁରୁଣା ଓଡ଼ିଆ’ ଓ ‘ଗଡ଼ଜାତ କୃଷକ’ ତାଙ୍କ ରହସ୍ୟବାଦୀ ପ୍ରଣୟବାଦୀ କାବ୍ୟଚେତନାର ବ୍ୟତିକ୍ରମ-। କୃଷକ ସମାଜ ପ୍ରତି ତାଙ୍କ ଗଭୀର ମମତ୍ୱବୋଧ ଓ ସମ୍ବେଦନଶୀଳତା ଏସବୁ କବିତାରେ ଝଙ୍କୃତ । ଏହାପରେ ଓଡ଼ିଆ ସାହିତ୍ୟରେ ସବୁଜ ଗୋଷ୍ଠୀଙ୍କ ସ୍ଵାକ୍ଷର ଉତ୍‌କୀର୍ଣ୍ଣ ହୁଏ । ୧୯୩୦ରେ ପାଞ୍ଚଜଣ ତରୁଣ କବିଙ୍କ ‘ସବୁଜ କବିତା’ ଚୟନ ପ୍ରକାଶ ପାଏ । ଏ ସଂକଳନରୁ ଏମାନଙ୍କ ପଳାୟନବାଦୀ ଆଭିମୁଖ୍ୟ ସ୍ପଷ୍ଟ ହୁଏ । ଏହାର ପ୍ରତିକ୍ରିୟା ହିଁ ମାୟାଧର ମାନସିଂହଙ୍କ କାବ୍ୟ ପ୍ରେରଣାର ଉତ୍ସ ।

 

ମାନସିଂହ ସବୁଜ ସମସାମୟିକ ରୋମାଣ୍ଟିକ୍‌ କବି ହେଲେ ହେଁ ତାଙ୍କ କାବ୍ୟସ୍ଵର ତଥାକଥିତ ସବୁଜ କାବ୍ୟସ୍ଵରଠାରୁ ଯଥେଷ୍ଟ ଭିନ୍ନ । ଯଦିଓ ପ୍ରଣୟ-ଦଗ୍ଧ କବିଭାବେ ସେ ପାଠକଙ୍କ ନିକଟରେ ଖୁବ୍‌ ବେଶୀ ପରିଚିତ ଓ ଆଦୃତ, ତଥାପି ତାହା ତାଙ୍କ କାବ୍ୟ ଚେତନାର ସଂପୂର୍ଣ୍ଣ ପରିଚୟ ନୁହେଁ । ତାଙ୍କ ଗଦ୍ୟ-ସାମ୍ରାଜ୍ୟକୁ ବାଦ୍‌ଦେଲେ ତାଙ୍କ କାବ୍ୟ ଜଗତରେ ଯୌବନ ଚିନ୍ତା ଓ ପ୍ରେମାନୁଭୂତି ସହ ସ୍ଵ-ମାଟି ପ୍ରତି ଗଭୀର ମମତ୍ଵବୋଧ ଇନ୍ଦ୍ରିୟୋଉର ଐଶ୍ଵରିକ ଭାବନା, ମର୍ତ୍ତ୍ୟାନୁଭୂତିର ଅନ୍ତମୂର୍ଖୀନତା ଓ ସାମାଜିକ ଚେତନା ସମ୍ବଳିତ ମାନବବାଦୀ ଆବେଦନ ପ୍ରତୃଳ ଭାବେ ପରିଲକ୍ଷିତ ହୁଏ । ବିଶେଷତଃ ତାଙ୍କ ସମସାମୟିକ ସବୁଜ କବିତା ସଂକଳନରେ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଓ ସାମାଜିକ ବାର୍ତ୍ତା ନଥିବା କଥା ସେ ଅନୁଭବ କରିଛନ୍ତି ଓ ଆପଣାର ସୃଷ୍ଟି ପ୍ରକ୍ରିୟାରେ ସେହି ଦାୟିତ୍ୱ ତୁଲାଇବା ପାଇଁ ଯତ୍ପରୋନାସ୍ତି ଚେଷ୍ଟା କରିଛନ୍ତି । (୨) ଏହାର ଫଳ ସ୍ଵରୂପ ‘ସେ ଦିନର କବିତା’, ‘ମାଟିବାଣୀ’, ‘ଜୀବନ ଚିତା’, ‘କ୍ରୁଶ’, ‘ସିନ୍ଧୁ’, ଓ ‘ବିନ୍ଦୁ’, ସ୍ୱରାଜ୍ୟାଶ୍ରମ ଆଦି କବିତା ସଂକଳନ ତଥା କମଳାୟନ କାବ୍ୟରେ ତାଙ୍କ ସମାଜବାଦୀ ଅନ୍ତର୍ଦୃଷ୍ଟ ଓ ମାନବବାଦୀ ଆବେଦନ ବଳିଷ୍ଠ ଭାବେ ପ୍ରକାଶିତ ହୋଇଛି । ଏହା ବ୍ୟତୀତ ତାଙ୍କ ମର୍ତ୍ତ୍ୟାନୁଭୂତି ସମ୍ବଳିତ କବିତା ଗୁଡ଼ିକରେ ସାମାଜିକ ଜୀବନ ପ୍ରତି ତାଙ୍କ ଦୃଷ୍ଟି ଓ ଦର୍ଶନ ରୂପାୟିତ ହୋଇଛି ।

 

କବି ମାନସିଂହ ଆପଣାକୁ ପ୍ରଗତିବାଦୀ ବୋଲି କୌଣସିଠାରେ ମଧ୍ୟ ଦାବି କରିନାହାନ୍ତି, ବରଂ କିଛି ପରିମାଣରେ ପ୍ରଗତିବାଦୀ ଦୃଷ୍ଟିକୋଣ ପ୍ରତି ସନ୍ଦିହାନ ହୋଇ ଉଠିଛନ୍ତି । (୩) କିନ୍ତୁ ବହୁ ସମୟରେ ପ୍ରଗତିବାଦୀ କାବ୍ୟସ୍ଵର ସହ ତାଙ୍କ କାବ୍ୟସ୍ଵରର ମେଳ ପରିଲକ୍ଷିତ ହୁଏ । ତାଙ୍କ ପ୍ରଣୟବାଦୀ କାବ୍ୟ ମାନସର ଏକ ଅତିରିକ୍ତ କାବ୍ୟ ଚେତନାର ସ୍ତରକୁ ଆବିଷ୍କାର କରାଯାଇପାରେ, ଯେଉଁଠି ସାହିତ୍ୟର ସାମାଜିକ ବାର୍ତ୍ତା ପ୍ରତି ସେ ବେଶ୍‌ ସଚେତନ ଅଛନ୍ତି । ତାଙ୍କ ନିଜ ଭାଷାରେ : କବି ଓ ଲେଖକ ସମାଜର ଦଶ ଜଣରୁ ଜଣେ ନୁହନ୍ତି, ସେ ଦଶ ଜଣର ମୁଖପାତ୍ର-। କବି ଓ ଲେଖକ ଲେଖନୀ ନେଇ ସମାଜର କଥା ଶୁଣେ କେବଳ ନୁହେଁ; କଥା କହେ । ଅତ୍ୟାଚାରିତ ପୀଡ଼ିତ ଜନତା, ମୂକ ଓ ଅଜ୍ଞ ଜନସାଧାରଣଙ୍କ ଅନ୍ତରର ବ୍ୟଥା କିଏ ପ୍ରକାଶ କରିବ ? ଅନ୍ୟାୟୀ ଓ ଅତ୍ୟାଚାରୀ ବିରୁଦ୍ଧରେ ପ୍ରତିବାଦ କରିବ କିଏ ? ଏକ ସୈନିକ, ଦ୍ୱିତୀୟ କବି । ଖଡ଼ଗ ଓ ଲେଖନୀ । ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ କରି ଯାତନା ଭୋଗ କରିବା ସେମାନଙ୍କ ଜନ୍ମଗତ ଗୌରବ । କବି ଓ ଲେଖକ କେବଳ ଅନ୍ୟାୟକୁ ପ୍ରତିବାଦ କରିବେ ନାହିଁ, ସେମାନେ ଜାତିକୁ ନ୍ୟାୟର ଆଦର୍ଶର ପନ୍ଥା ମଧ୍ୟ ଦେଖାଇବେ । (୪)

 

ଏହି କବି-ଧର୍ମ ମାନସିଂହଙ୍କ ବହୁ କବିତାରେ ଯଥାସଂଭବ ସୁରକ୍ଷିତ । ସମୟର ଦାବି ତଥା ଗାନ୍ଧୀ- ଗୋପବଂଧୁ-ରବୀନ୍ଦ୍ର ପ୍ରଭାବିତ ଆଦର୍ଶବାଦ ଏହାର ଭିତ୍ତିଭୂମି । ତାଙ୍କ ପ୍ରାକ୍‌-କାବ୍ୟଚେତନାରେ ଏହି ଦିଗଟି ବେଶ୍‌ ବଳିଷ୍ଠ ।

 

ତିନି

 

ପ୍ରାୟ ୧୯୨୬ ରୁ ୧୯୩୫ ମଧ୍ୟରେ ରଚିତ ମାନସିଂହଙ୍କର କେତୋଟି କବିତା ‘ସେ ଦିନର କବିତା’ ନାମରେ ସଂକଳିତ । ଯଦିଓ ତରୁଣ ସୁଲଭ ପ୍ରେମ-ପ୍ରଣୟ, ଜାତୀୟବାଦୀ ଅନୁଚିନ୍ତା, ବିଭୁଚେତନା ଏହି ସଂକଳନର କେତୋଟି କବିତାରେ ପ୍ରକାଶ ପାଇଛି, ତଥାପି ସାମାଜିକ ବୈଷମ୍ୟ, ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ବିଦ୍ରୋହ ଏହାର ମୁଖ୍ୟ ସ୍ଵରଲିପି । ‘ମାଟିର ସତୀତ୍ୱ’ କବିତାରେ ରାଜ ଅତ୍ୟାଚାର ପୀଡ଼ିତ କୃଷକର କରୁଣ ଜୀବନଗାଥା ଓ ତଜ୍ଜନିତ ତା’ର ପ୍ରତିକ୍ରିୟା ନିଶ୍ଚିତଭାବେ ତତ୍‌କାଳୀନ ବାସ୍ତବ ଆର୍ଥ-ସାମାଜିକ ପ୍ରକ୍ରିୟା-ସଂଜାତ । (୫) ଏହି ଚେତନା ‘‘ତଳିଆ ଜୀବର ବିଳାପ’ କବିତା ଗୁଚ୍ଛରେ ବେଶ୍‌ ଶାଣିତ ରୂପ ନେଇଛି; ଯେପରି କି ‘ରିକ୍‌ସାବାଲା’ କବିତାରେ :

 

ରାତିକ ରାତି            ବାବୁଏ ନିତି

ସିନେମା ଥେଟର

ଘଡ଼ିକ ପାଇଁ            ହୁଏ ଯା ବେୟ

ମାସକ ମୋ ପେଟର ।

ପଇସା ଗୋଟେ            ମାଗିଲେ ବେଶୀ

ଯାଆନ୍ତି ବାବୁ ରାଗି

ବୁଝିବେନି ସେ            ଉପାସ ଯିବି

ପଇସାଟିଏ ଲାଗି ।

ନରର ଦୁଃଖ            ବୁଝେନା ନର

ବୁଝିବ କିଏ ଆଉ ?

ବାବୁଏ କ’ଣ            ଜାଣିବେ କେବେ

ଭୋକିଲା ପେଟର ଦାଉ ? (୬)

 

‘ମଜ୍‌ଦୁର’ କବିତାରେ ଏ ଚେତନା ଆହୁରି ପ୍ରଖର ଓ କାବ୍ୟିକ ଆବେଦନ ଆହୁରି ମାର୍ମିକ; ଯଥା-

 

ଚଟକଳେ ମୁଁ

ଓଡ଼ିଆ କୁଲି

କଳର ଏକ ଚକ

ଖଟି ଖଟିକା

ସାରା ଦିନଟି

ଉଡ଼ି ଯାଏ ମୋ ଧକ ।

ଛାଡ଼ି ଆସିଛି

ଦୂର ମୋ ଗ୍ରାମେ

ପତ୍ନୀ ପିଲାପିଲି

ସହି ନପାରି

ଭୋକରେ ତାଙ୍କ

ହୋଇବା କିଲିବିଲି । (୭)

 

ଶ୍ରମଜୀବୀର ବାସ୍ତବ ଜୀବନ ଚିତ୍ର ପ୍ରଦାନ କରି ମାନସିଂହ ସେଇଠି ଅଟକି ଯାଇ ନାହାନ୍ତି, ବରଂ ଏହି ଦୟନୀୟ ପରିସ୍ଥିତିର ପ୍ରତିକ୍ରିୟା ଜନିତ ବିଦ୍ରୋହାତ୍ମକ ସ୍ଵର ତାଙ୍କ କବିତାରେ ଝଙ୍କୃତ ହୋଇଛି । ସେହି ସମାନ କବିତାର ଶେଷ ପର୍ଯ୍ୟାୟରେ-

 

ଜଣେ ଲୋକର

ଏତେ ଯେ ଧନ

ଶୂନ୍ୟ କୋଟି ଲୋକ

ଜଣେ ଲୋକର

ଭୋଗ ବିଳାସ

ଆଉ ସବୁର ଭୋକ ।

ଏକି ବିଚାର

ଲୋକ ହଜାର

ଖଟି ଖଟିକା ମରେ

ଗୋଟାଏ ଲୋକ

ବସି ବସିକା

ବାକ୍ସ ଭର୍ଭି କରେ । (୮)

 

ଶ୍ରମଜୀବୀର ବେଦନା ଭଳି କୃଷିଜୀବୀର ବ୍ୟଥା ବି କବିଙ୍କୁ ଅତିଷ୍ଠ କରିଛି । ଖରାବର୍ଷା, ଶୀତକାକରରେ ଶରୀରରୁ ସ୍ଵେଦ-ରକ୍ତ ଢାଳି କୃଷକ ବିଚରା ସମଗ୍ର ଜଗତକୁ ଯୋଗାଏ ଆହାର, ଅଥଚ ସ୍ଵୟଂ ଦିନକାଟେ ଅର୍ଦ୍ଧ-ଉଦର, ଅର୍ଦ୍ଧ-ନଗ୍ନ ଅବସ୍ଥାରେ, ଆଉ ତା ଉପାର୍ଜନରେ ପରିପୁଷ୍ଟ ସାମାଜିକ ପରୋପଜୀବୀ (Social Parasite) ବଡ଼ ପଣ୍ଡାଏ ତା’ ଉପରେ ଦେଖାନ୍ତି ହାକିମି ! ଏଭଳି ଅସଂଗତି କବିଙ୍କୁ ବ୍ୟଥିତ କରିଛି । ଏଣୁ ପାଠକୀୟ ସମବେଦନା ସୃଷ୍ଟି ପାଇଁ ସେ କୃଷକ ଜୀବନର ନିଖୁଣ ଚିତ୍ର ପ୍ରଦାନ କରିଛନ୍ତି । ‘କୃଷକ’ କବିତାରେ-

 

କାନଗୋଇ ବାବୁ ଯେ ସେ ଦିନ

ଆସିଥିଲେ; ଯିବି ବାସ-ହୀନ

କେମନ୍ତେ ମୁଁ ? ପୁଅର ବସନ

କାନ୍ଧେ ଦେଉଁ କଲା ସେ ରୋଦନ । (୯)

 

ଏହାଠୁ ଅଧିକ ବାସ୍ତବ ଆଉ କ’ଣ ହୋଇପାରେ ? ‘କିରାଣୀ’ ‘ସ୍କୁଲମାଷ୍ଟର’ ଓ ‘କଳା ସେବକ’ କବିତାରେ ମଧ୍ୟ କବିଙ୍କ ଏ ସ୍ଵର ସ୍ପଷ୍ଟ ଓ ପ୍ରତ୍ୟକ୍ଷ । ସାମାଜିକ-ଅର୍ଥନୀତିର ନିର୍ମମ ପେଷଣ ତଳେ ସମାଜର ନିତ୍ୟ ଶୋଷିତ, ଅଧଃପତିତ ଶ୍ରେଣୀ ପ୍ରତି କବି ମାନସିଂହ ଏ ସବୁ କବିତାରେ ଯେଭଳି ଆକୃଷ୍ଟ ହୋଇ ଉଠିଛନ୍ତି, ‘ଧୁପ’, ‘ସାଧବ ଝିଅ’ର କବିଙ୍କୁ ସେଇଠି ଖୋଜିଲେ ପାଠକ ସଂଶୟାଚ୍ଛନ୍ନ ହେବା ସ୍ଵାଭାବିକ । ଏହାଠୁ ଆହୁରି ବିସ୍ମୟ ଏହି ଯେ, ପରବର୍ତ୍ତୀ କାବ୍ୟ ସାଧନାରେ ଯେଉଁ କବି ଅତୀତକୁ ଏକ ମୁଗ୍ଧ ଦୃଷ୍ଟିରେ ଅନେଇଛନ୍ତି, ସେହି କବି ହିଁ ଲେଖିଛନ୍ତି :

 

କିବା ଲାଭ ଇତିହାସେ ଯାହା

      ଖାଲି ରାଜା ଧନୀର ବ୍ୟାପାର ?

କାହିଁ ତହିଁ ଲେଖାଅଛି ଗାଥା

      କୁଟୀବାସୀ ଦୁଃସ୍ଥ ଜନତାର ? (୧୦)

 

ପୂର୍ବ ଆଲୋଚିତ ଦୁଇଟି କବିତା, ଯଥା-‘କୃଷକ’ ଓ ‘ମଜଦୁର’କୁ ବିଚାରକୁ ନେଲେ, ଗୋଟିଏ କଥା ଅବଶ୍ୟ ସ୍ପଷ୍ଟ ହୁଏ ଯେ, ମାନସିଂହ କମ୍ୟୁନିଷ୍ଟମାନଙ୍କ ଭଳି ସମାଜରେ ଦ୍ୱିବିଧ ଶ୍ରେଣୀକୁ ଠାବ କରିଛନ୍ତି । କମ୍ୟୁନିଷ୍ଟଙ୍କ ଭାଷାରେ ମାନସିଂହଙ୍କ ଦ୍ଵାରା ପରୋକ୍ଷ ଭାବେ ନିର୍ଦ୍ଦେଶିତ ଏହି ଦୁଇ ଶ୍ରେଣୀକୁ ଆମେ ଶୋଷକ ଓ ଶୋଷିତ ଅଥବା ‘ଥିଲାବାଲା’ ଓ ‘ନଥିଲା ବାଲା’ (have note) କହିପାରିବା । ରାଜକୀୟ ଇତିହାସ ପ୍ରତି କବିଙ୍କ ପ୍ରଶ୍ନବାଚୀ ମଧ୍ୟ ସେହି ଏକ ହିଁ ଚେତନାର ପ୍ରତିବିମ୍ବ ଭଳି ମନେ ହୁଏ । କବିଙ୍କ ଏତାଦୃଶ ବାଣୀ ଓ ଅନୁଚିନ୍ତା ସମସାମୟିକ ପ୍ରଗତିବାଦୀ କାବ୍ୟ ଆନ୍ଦୋଳନର ପ୍ରଭାବ ହୋଇଥାଇପାରେ, କିନ୍ତୁ ତାଙ୍କ ନିଜ ବକ୍ତବ୍ୟରୁ ସ୍ପଷ୍ଟ ଯେ, ସେ ଗୋଟା ସୁଦ୍ଧା ଅଣ-କମ୍ୟୁନିଷ୍ଟ ଅଟନ୍ତି । ପ୍ରାଞ୍ଜଳ ଭାଷାରେ ସେ ଲେଖିଛନ୍ତି- ‘‘ମୋ ନିଜ ବ୍ୟକ୍ତିତ୍ୱରେ ମନୁଷ୍ୟର ବ୍ୟକ୍ତିଗତ ସ୍ଵାଧୀନତା ଅପହାରକ କମ୍ୟୁନିଜିମ୍‌ ପ୍ରତିଧ୍ଵନି ସୃଷ୍ଟି କରିପାରି ନାହିଁ ।’’ କାରଣ-କମ୍ୟୁନିଷ୍ଟମାନେ ସମଗ୍ର ଜଗତବାସୀଙ୍କୁ ବୁର୍ଜୁଆ ଓ ପ୍ରୋଲେଟରିଏଟ ଏହିପରି ଦୁଇ ଭାଗରେ ବିଭକ୍ତ କରି ଏହି ଦୁଇ ଦଳର ସଂଘର୍ଷ ଉପରେ ଭବିଷ୍ୟତର ଭାଗ୍ୟ ନିୟନ୍ତ୍ରିତ ହେବ ବୋଲି ଆଶା କରିଛନ୍ତି । ସଂଘର୍ଷ ସୃଷ୍ଟି କରିବା ଯଦି ଉଦ୍ଦେଶ୍ୟ ହୁଏ, ତେବେ ମନୁଷ୍ୟ ଜାତିକୁ ନାନା ଭାଗରେ ବିଭକ୍ତ କରାଯାଇପାରେ, ଏକେ ତ ଧଳା ଓ କଳାର ଭେଦ, ତା’ ଉପରେ ଧର୍ମର ଭେଦ, ତା’ ଉପରେ ନ୍ୟାସ୍‌ନାଲିଜମ୍‌ ବା ଜାତୀୟତାର ଭେଦ ।’’ (୧୧) ପରବର୍ତ୍ତୀ ପର୍ଯ୍ୟାୟରେ ରଚିତ ‘ସମର ବିମୁଖ’ କବିତାରେ ମଧ୍ୟ ସେ ଏହିଭଳି ମତ ପ୍ରକାଶ କରିଛନ୍ତି । (୧୨) ଏ ଦୃଷ୍ଟିରୁ ‘ସେଦିନର କବିତା’ ସଂକଳନର ମାନବିକ-ସମ୍ବେଦନଶୀଳ କବିତାଗୁଡ଼ିକୁ କବି ମାନସିଂହଙ୍କ ବ୍ୟକ୍ତିଗତ ଅନୁଭୂତି ଜନିତ ସଚେତନ ପ୍ରତିକ୍ରିୟା କୁହାଯାଇପାରେ ।

 

ସମାଲୋଚକ ମତ ଦିଅନ୍ତି, ‘ସେ ଦିନର କବିତା’ ମାନସିଂହଙ୍କ କାବ୍ୟ ଚେତନାର ସାମୟିକ ଉଚ୍ଛ୍ୱାସ ମାତ୍ର । ସମାଜର ତଳ ଶ୍ରେଣୀର ଲୋକମାନଙ୍କ ସହିତ ସମନ୍ଵିତ ହେବା ତାଙ୍କ ସୁସ୍ଥ ମନର ଚେତନା ନୁହେଁ । (୧୩) ପୁଣି ‘ସେ ଦିନର କବିତା’ ସଂକଳନ ପରେ କବି ମାନସିଂହଙ୍କ ତଳିଆ ଜୀବ ପ୍ରତି ବିଳାସ ବନ୍ଦ ହୋଇଯାଇଥିଲା । (୧୪) କିନ୍ତୁ ଏ ସବୁ ମତ ଗୋଟାପଣେ ଗ୍ରହଣୀୟ ନୁହେଁ । ହୁଏତ ତାଙ୍କ ପରବର୍ତ୍ତୀ ସୃଷ୍ଟି ରୂପ ଓ ରୂପାତୀତର ବର୍ଣ୍ଣିଳ ବିଭାରେ ରମଣୀୟ ଓ ରସୋତ୍ତୀର୍ଣ୍ଣ ହୋଇ ଉଠିଛି, କିନ୍ତୁ ମାନବିକ ସମ୍ବେଦନଶୀଳତା ତାଙ୍କ ସୃଷ୍ଟିର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଛି; ଯାହା ତାଙ୍କ କାବ୍ୟ-କବିତାରେ ସୁସ୍ପଷ୍ଟ ସାମାଜିକ ଚେତନାକୁ ବହନ କରିଛି । ଏଣୁ ଏହାକୁ ଅପେକ୍ଷାକୃତ କଞ୍ଚା ବୟସର ପ୍ରତିକ୍ରିୟା ରୂପେ ଏଡ଼ାଇ ଦିଆଯାଇ ନପାରେ । (୧୫) ‘ମାଟିବାଣୀ’ ‘ଜୀବନ ଚିତା’ କୁଶ, ‘ସିନ୍ଧୁ ଓ ବିନ୍ଦୁ’, ‘ସ୍ୱରାଜ୍ୟାଶ୍ରମ’ ପ୍ରଭୃତି ସଂକଳନର କେତେକ କବିତାକୁ ଏ ପର୍ଯ୍ୟାୟରେ ଆଲୋଚନା କରାଯାଇପାରେ । ଏସବୁ କବିତାରେ ସାମାଜିକ ବୈଷମ୍ୟ, ଦାରିଦ୍ର୍ୟର କରାଘାତରେ ବିପର୍ଯ୍ୟସ୍ତ ଜୀବନ, ଧର୍ମ ଓ ଧର୍ମାଚାର ତଳେ ବ୍ୟଭିଚାରୀ ସମାଜର ବାସ୍ତବବାଦୀ ଚିତ୍ର ପ୍ରଦାନ କରିବାରେ କବି ସକ୍ଷମ ହୋଇଛନ୍ତି । ‘ନିଦ୍ରିତ ଭଗବାନ’ କବିତାରେ ବିପର୍ଯ୍ୟସ୍ତ ସମାଜରେ ମଣିଷର ଅଧପତନର ଯେଉଁ ସଂକେତ ପ୍ରଦାନ କରିଛନ୍ତି, ବିଶୃଙ୍ଖଳ ସୃଷ୍ଟିରେ ତାହା ସ୍ପଷ୍ଟ ରୂପ ଗ୍ରହଣ କରିଛି । (୧୬) ଏହି କବିତାରେ କବି ମାର୍କସ୍‌ବାଦୀଙ୍କ ଭଳି ଶ୍ରେଣୀ ସଂଘର୍ଷର କଥା କହୁ ନ ଥିଲେ ହେଁ, ସେ ଶ୍ରେଣୀ ସଚେତନ ଥିବା କଥା ସ୍ପଷ୍ଟ ହୋଇଯାଉଛି । ମୋ ବକ୍ତବ୍ୟର ସତ୍ୟତା ନିମ୍ନ କବିତାଂଶରୁ ପ୍ରତ୍ୟକ୍ଷ କରାଯାଇପାରେ ।

 

ମାନବେ ମାନବ ଶାସେ,      ଏକ ଆନେ ରଖେ କ୍ରୀତଦାସ

ଧନୀକ ପ୍ରସାଦେ ବସି      ଦରିଦ୍ରରେ କରେ ଉପହାସ ।

ଶରୀରର ସ୍ଵେଦ ଢାଳି      ଦରିଦ୍ରରେ ନ ମିଳେ ଆହାର

ବହୁ ଭୋଜେ କୁକ୍ଷିପୁରେ      ବ୍ୟଭିଚାରୀ ଯେତେ ଅକର୍ମାର ! (୧୭)

 

କବିତାଟିର ଶେଷାଂଶ ଆହ୍ୱାନରେ ପରିଣତ ହୋଇଛି-

 

× × ×                        ଉଠ ନର କରରେ ବିଦ୍ରୋହ

ସାଙ୍ଗକର ଆରଧନା            ଶେଷ ହେଉ ଧର୍ମର ସମ୍ମୋହ

ଲାଞ୍ଚିତ ଦଳିତ ଯେତେ            ସର୍ବେ ଆସ ଏକ କେତୁ ତଳେ

ଯୁଗ-ଯୁଗ-ଗଠିତ                  ଏ ସମାଜରେ ନାଶ ଏକା ଥରେ । (୧୮)

 

ମାର୍କସ୍‌ଙ୍କ ଭଳି କବି ମାନସିଂହ ଧର୍ମକୁ ସାମାଜିକ ଅଫିମ ଭାବେ ଗ୍ରହଣ କରିଛନ୍ତି । ଧର୍ମର ଅନ୍ଧଭେକ ଓ ଧର୍ମାଚାରର ଭେଳିକି କବିଙ୍କୁ ବ୍ୟଥିତ କରିଛି । ଏଣୁ ତାଙ୍କ ବେଦନାଦଗ୍ଧ ପ୍ରାଣରୁ ଉଦାର ମାର୍ମିକ ମାନବବାଦୀ ସ୍ଵର ଝଙ୍କୃତ ହୋଇଛି :

 

ପୁରୋହିତ ଶୁଦ୍ଧପୂତ ହୋଇ ଦେଉଳରେ କା’ ପୂଜା କର ହେ

ସୃଷ୍ଟି ଯା’ର ଉଦାର ଆଲୋକ ସେ ଦିଅଁ କି ଅନ୍ଧକାରେ ରହେ ?

xxx       xxx       xxx

ଦେବତାକୁ ବାହାରେ ରଖିଲ, ଛୁଇଁବାକୁ ଡରିଲ ତାହାରେ

କା’ରେ ତୁମେ ଗଲ ପୂଜିବାକୁ ଦେଉଳର କ୍ଷୁଦ୍ର ଅନ୍ଧକାରେ ।

xxx       xxx       xxx

ଏବେ କାଠ ପଥର ନ ପୂଜି, ଆସ ପୂଜ ଜୀବନ୍ତ ଦେବତା

ଯା ଆଖିରୁ ଲୁହ ଯିବ ବହି, କହି ଦେଲେ ପଦେ ମଧୁ କଥା । (୧୯)

 

କବି ମାନସିଂହ ସମସାମୟିକ ସମାଜକୁ ଯେଭଳି ସଚେତନ ଭାବେ ଲକ୍ଷ କରିଛନ୍ତି, ଅତୀତକୁ ସେହିଭଳି ଗଭୀର ଭାବେ ଅନୁଶୀଳନ କରିଛନ୍ତି । ସମସାମୟିକ ସମାଜରେ ଜନତାର ଅଜ୍ଞତାର ସୁଯୋଗ ନେଇ ତଥାକଥିତ ଶାସ୍ତ୍ରଜ୍ଞ ଶାସ୍ତ୍ରକୁ ନିଜ ସ୍ଵାଚ୍ଛନ୍ଦର ପଣ୍ୟ ରୂପେ ବ୍ୟବହାର କରିବା ତଥା ଶାସ୍ତ୍ର ଓ ଧର୍ମର ଦ୍ୱାହି ଦେଇ ଶୋଷଣର ଜାଲ ବିଛାଇବା ସହ ଅତୀତରେ ପ୍ରଚଳିତ ଥିବା ସତୀଦାହ, ନରବଳି, ଶିଶୁବିସର୍ଜନ, କ୍ରୀତଦାସ ଭଳି ନିର୍ମମ ଓ ଅମାନୁଷିକ ପ୍ରଥା ଓ ପରଂପରା କବିଙ୍କ ଚେତନା ପରିସରକୁ ଅତିକ୍ରମି ଯାଇ ପାରିନାହିଁ । (୨୦) ଏଣୁ ଧର୍ମ ତାଙ୍କ ପାଇଁ ଆବର୍ଜନା ପୂର୍ଣ୍ଣ ପଲିଥିନ୍‌ ବ୍ୟାଗ୍‌ଟିଏ ମାତ୍ର, ସବୁ ଧର୍ମଧ୍ଵଜାଧାରୀ ତାଙ୍କ ଆଖିରେ କେବଳ ଟାଉଟର ତୁଚ୍ଛା ଲାଭଖୋର ବ୍ୟବସାୟୀ । ଏଣୁ ଧର୍ମର ଏ ବଡ଼ ପଣ୍ଡାମାନଙ୍କ ପ୍ରତି ସେ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି । ‘କ୍ରଶ’ ସଂକଳନର ‘ଅନ୍ୟାୟ ସୃଷ୍ଟି’, ‘ନିଖିଳର ଦୁଃଖ’, ‘ମୋ ପ୍ରାଣେ ଧ୍ଵନିତ’ ଓ ‘କ୍ରୁଶ କୋଟି କୋଟି’ ସନେଟ୍‌ରେ କବି ଧର୍ମର ଏତାଦୃଶ ବିଭତ୍ସତାକୁ ବାରମ୍ବାର ଉଲ୍ଲେଖ କରି କଟୁ ସମାଲୋଚନା କରିଛନ୍ତି । ‘ବିନ୍ଦୁ ଓ ସିନ୍ଧୁ’ ସଂକଳନର ନମସ୍କାର (୧) ଓ (୨) କବିତା ଦ୍ୱୟରେ ପାଦ୍ରୀ, ପଣ୍ଡା, ମୌଲବୀ, ମୁଲ୍ଲାଙ୍କ ଗୀର୍ଜା, ମନ୍ଦିର, ମସ୍‌ଜିଦରେ ପୂଜିତ ଦେବତାଙ୍କୁ ନମସ୍କାର ନ କରି ଦୀନଦଳିତ ଅସହାୟ ମଣିଷର ନିରାଜନା କରିଛନ୍ତି । (୨୧) ନିଖିଳର ଦୁଃଖକୁ ଆପଣାର ଦୁଃଖ ଭାବି ଗଭୀର ମର୍ମବେଦନା ପ୍ରକାଶ କରିଛନ୍ତି ।

 

‘ସ୍ଵରାଜ୍ୟାଶ୍ରମ’ ସଂକଳନସ୍ଥ କବିତା ଗୁଡ଼ିକରେ କବି ମାନସିଂହଙ୍କ ସାମାଜିକ ଅନ୍ତର୍ଦୃଷ୍ଟି ରାଜନୈତିକ ଚେତନା ଆଡ଼କୁ ପ୍ରଭାବିତ ହୋଇଛି । ‘ସ୍ଵରାଜ୍ୟାଶ୍ରମ’- (୧), (୨) ଓ (୩) କବିତାରେ କବି ସ୍ଵାଧୀନତା ସଂଗ୍ରାମୀ ନିରଂଜନ ସ୍ଵାଇଁର ମର୍ମବେଦନା ଓ ତା’ ଜୀବନର ଟ୍ରାଜିକ୍‌ ଅବସାନର ଯେଉଁ ମାର୍ମିକ ଚିତ୍ର ପ୍ରଦାନ କରିଛନ୍ତି, ତାହା କଳନା ପ୍ରସୂତ ନୁହେଁ; ବରଂ ସ୍ଵାଧୀନତାର ସ୍ଵପ୍ନ ଭଙ୍ଗ ପର୍ଯ୍ୟାୟରେ ବହୁ ସ୍ଵାଧୀନତା ସଂଗ୍ରାମୀଙ୍କ ଜୀବନରେ ସେହି ଟ୍ରାଜିକ୍‌ ପରିସ୍ଥିତିର ବାରମ୍ବାର ପୁନାରାବୃତ୍ତି ଘଟିଛି । ସୁରେନ୍ଦ୍ର ମହାନ୍ତିଙ୍କ ‘ଅନ୍ଧ ଦିଗନ୍ତ’, ହରେକୃଷ୍ଣ ମହାତାବଙ୍କ ‘୧୯୭୫’ ଓ ପ୍ରତିଭା ରାୟଙ୍କ ‘ଉତ୍ତର ମାର୍ଗ’ ସେହି ସତ୍ୟର ଗୋଟିଏ ଗୋଟିଏ କଳାତ୍ମକ ପରିପ୍ରକାଶ ମାତ୍ର । ‘ମନ୍ତ୍ରୀର ବେଳ କାହିଁ’, ‘ମନ୍ତ୍ରୀ ବିଶ୍ୱନାଥ ନନ୍ଦ’, ‘ମୋ ପିଲାଙ୍କ ଭବିଷ୍ୟତ’ କବିତାରେ କବିଙ୍କ ବ୍ୟଙ୍ଗ-ବିଦ୍ରୁପର ସ୍ଵର ଆବଶ୍ୟକାନୁଯାୟୀ ଶାଣିତ ହୋଇ ପାରିଛି । ସ୍ଵପ୍ନ ଭଙ୍ଗ ପର୍ଯ୍ୟାୟରେ ଗଣତନ୍ତ୍ର ଜଣତନ୍ତ୍ରରେ ଯେପରି ରୂପାୟିତ ହୋଇଛି ଓ ଦୁର୍ନୀତିର କୀଟ ରାଜନୀତିକୁ ଯେପରି ଖାଇ ଚାଲିଛି ଏ କବିତା ଗୁଡ଼ିକ ତା’ର ପ୍ରତିବିମ୍ବ ମାତ୍ର । କହିବା ବାହୁଲ୍ୟ, ଏ ସବୁ ପ୍ରତ୍ୟକ୍ଷାନୁଭୂତି ପ୍ରସୂତ । ସେହିଭଳି ଡଲାରର ଡିମୋକ୍ରାସୀ/ଯହିଁ ନୃତ୍ୟ କରେ ନଗ୍ନ ବେଶେ, ଅଥବା ସେହି ଉଗ୍ର ୟାଁକି ଦେଶୁ/ପ୍ରତିକାର ହୋଇ ବା ପାରନ୍ତା/ମରୁଡ଼ି ଏ ଅଧପ୍ରାଣ ଗାନ୍ଧୀ ଫସଲର (୨୨) ଆଦି ଫଙ୍‌କ୍ତିରେ ସ୍ଵାଧୀନତା ପରବର୍ତ୍ତୀ ନବ୍ୟ-ଉପନିବେଶବାଦ ପ୍ରତି କବିଙ୍କ ସଚେତନ ମାନସ ବ୍ୟଙ୍ଗ ବିଦ୍ରୁପରେ ମୁଖର ହୋଇ ଉଠିଛି ।

 

ହୀରାକୁଦର ପଥର ବନ୍ଧ ତଳେ କେତେ ଯେ ଯଦୁ ସ୍ଵାଇଁ ପୋତି ହୋଇ ପଡ଼ିଛନ୍ତି, ତା’ର କିଏ ହିସାବ ରଖିଛି ? ସେହିଭଳି କେତେ ଯେ ରାମୀ ପେଟପାଟଣା ପାଇଁ ଭିଟାମାଟି ଛାଡ଼ି ରେଙ୍ଗୁନ୍‌ ଯାଇଛନ୍ତି, ଫେରିଛନ୍ତି ଶୂନ୍ୟ ହସ୍ତରେ, ଶୀର୍ଣ୍ଣ ଦେହରେ, (୨୪) କେତେ ଯେ ଛତର ଖାଇ କାଞ୍ଚନ ଅପା ସାମାଜିକ ଅବିଚାରର ଶୀକାର ହୋଇ ବ୍ୟର୍ଥ ଯୌବନକୁ ମୁଣ୍ଡେଇ ବାର୍ଦ୍ଧକ୍ୟରେ ଉପନୀତ ହୋଇଛନ୍ତି; ସତୀ ଶିରୋମଣି ପତିବ୍ରତା ସନ୍ତାନକାମିନୀ ମଣି ଭଳି କେତେ ଅଭାଗିନୀ ଯେ ବଡ଼ ଦେଉଳର ବଡ଼ ପଣ୍ଡାଙ୍କ ଲୋଲୁପତାରୁ ଆପଣୀର ସତୀତ୍ୱକୁ ସୁରକ୍ଷିତ ରଖି ନ ପାରି କୁଳଟାର ଅପବାଦ ପାଇଛନ୍ତି, (୨୫) ଆମ ନିଦୁଆ ଆଖି ଆଢ଼ୁଆଳରେ ସେ ସବୁ କେତେ ବାର ଯେ ଲୁଚି ନ ଯାଇଛି ? କବି ମାନସିଂହଙ୍କ କାବ୍ୟ କବିତାରେ ଏ ସବୁର ମାର୍ମିକ ରୂପ ପ୍ରକାଶ ପାଇ ପାଠକକୁ ବ୍ୟାଧିଗ୍ରସ୍ତ ସମାଜ ପ୍ରତି ସଚେତନ କରେଇ ଦେଇଛି । ତେବେ କିଏ କହିଲା, ‘‘ସେ ଦିନର କବିତା’ ସଂକଳନ ପରେ କବି ମାନସିଂହଙ୍କ ତଳିଆ ଜୀବ ପ୍ରତି ବିଳାପ ବନ୍ଦ ହୋଇ ଯାଇଥିଲା’’ ବୋଲି ? (୨୬)

 

ଚାରି

 

ସମାଜ ବ୍ୟକ୍ତି ବିଶେଷଙ୍କ ସମଷ୍ଟି ନୁହେଁ, ବ୍ୟକ୍ତିମାନଙ୍କ ସଂପର୍କର ଜାଲ । ଏହି ‘ସଂପର୍କ’ ପ୍ରତି କବି ମାନସିଂହଙ୍କର ଅନ୍ତର୍ମୁଖୀନତା ତାଙ୍କ କାବ୍ୟ ମାନସର ସାମାଜିକ ଅନ୍ତର୍ଦୃଷ୍ଟିର ଅନ୍ୟତମ ପରିଚାୟକ ଉପାଦାନ । ନାରୀ-ପୁରୁଷର ସଂପର୍କ, ପାରିବାରିକ ସଂପର୍କ ମଣିଷ ମଣିଷର ସଂପର୍କ-ଏହି ତ୍ରିବିଧ ସଂପର୍କ ପ୍ରତି କବି ମାନସିଂହଙ୍କ କାବ୍ୟ ମାନସ ସଚେତନ । କବିଙ୍କ ଅନ୍ତର୍ଚେତନାରେ ସେହି ସଂପର୍କ ଗଭୀର ରେଖାପାତ କରିଛି । ଏଣୁ ତାଙ୍କ ସୃଷ୍ଟି ବଳୟରେ ମାନବର ମର୍ତ୍ତ୍ୟାନୁଭୂତି ବେଶ୍‌ ମଧୁମୟ ରୂପରେ ଆତ୍ମପ୍ରକାଶ କରିଛି :

 

ଜୀବନ ସଂଗ୍ରାମେ ଯେବେ ଭଗ୍ନଜାନୁ ଗ୍ରହେ ଆସେ ଫେରି

କାହାର ମୃଣାଳ ବାହୁ ଶାନ୍ତି ଦିଏ କଣ୍ଠେ ତା’ର ଘେରି

ଜୟ ଲଭି ସଂଗ୍ରାମରେ କା ପ୍ରବାଳ ଓଷ୍ଠର

ପରମ ଚୁମ୍ବନ ଲଭି କୃତାର୍ଥତା ଲଭେ ଜୀବନର;

ପିତା, ମାତା, ବନ୍ଧୁଜନ, ଭଗିନୀର ସେନେହ ବନ୍ଧନେ

ସେ ଲଭେ ପରମ ମୁକ୍ତି, ପରାଜୟେ ଜୟ ଲଭେ ରଣେ

ରୋଗଶୋକେ ପ୍ରତିବେଶୀ ନେତ୍ରୁ ଢାଳେ ଅଶ୍ରୁ ତାହା ପାଇଁ

ମାଗିଲେ କରୁଣା ତାକୁ କେହି କେବେ ନାହିଁ କରେ ନାହିଁ । (୨୭)

 

ଲକ୍ଷ୍ୟଣୀୟ, କବି ମାନସିଂହ ସାମାଜିକ ବିପର୍ଯ୍ୟୟରେ କେବଳ ବିବ୍ରତ ନୁହନ୍ତି, ବରଂ ସାମାଜିକ ସଂରଚନାର ମଙ୍ଗଳମୟ ଦିଗ ପ୍ରତି ପ୍ରଲୁବ୍ଧ ମଧ୍ୟ । ଏସବୁ କିନ୍ତୁ ତୁଚ୍ଛା ରୋମାଣ୍ଟିକ୍‌ ଭାବ ପ୍ରବଣତା ନୁହେଁ । ଆମ ସମାଜର ଗୋଟିଏ ପାର୍ଶ୍ଵ ଅନ୍ଧକାରମୟ ଥିଲା ବେଳେ, ଅପର ଦିଗଟି ଆଲୋକର ଉଜ୍ଵଳ ବର୍ଣ୍ଣ ବିଭାରେ ଝଲସିତ ନିଶ୍ଚୟ । କବିଙ୍କ କାବ୍ୟିକ ଅନ୍ତର୍ଦୃଷ୍ଟି ଏ ଉଭୟ ଦିଗକୁ ଦେଖିବାରେ ସକ୍ଷମ ।

 

କବି ମାନସିଂହଙ୍କ ପ୍ରଣୟ ଚେତନା ସମାଜର ନିଷିଦ୍ଧ ଜାଲରୁ ମୁକ୍ତିକାମୀ (୨୮) ଅଥଚ ଏ କ୍ଷେତ୍ରରେ ବହୁ ସମୟରେ ପାଠକ ବିରୋଧାଭାଷର ସମ୍ମୁଖୀନ ହୁଏ । ସେ କେତେବେଳେ ସତୀସାଧ୍ଵୀ ନାରୀର ଗୁଣଗାନ କରିଛନ୍ତି ତ ଆଉ କେତେବେଳେ ଅସତୀ ତାଙ୍କ କାବ୍ୟ କବିତାରେ ବନ୍ଦିତା ନାୟିକାର ଗୌରବ ଲାଭ କରିଛି । (୨୯) ତାଙ୍କ କାବ୍ୟକବିତାରେ ସ୍ଵକୀୟା ନାୟିକାର ସ୍ୱାମୀପ୍ରତି କର୍ତ୍ତବ୍ୟବୋଧ ଯେପରି ରୂପାୟିତ (୩୦) ପରକୀୟା ନାୟିକାର ସମାଜ ବିରୋଧୀ ପ୍ରଣୟାଭିସାର ଓ ପ୍ରଣୟୀ ପ୍ରତି ତ୍ୟାଗ ବି ସେଭଳି ପ୍ରକୀର୍ତ୍ତୀତ । (୩୧) ଏସବୁର ଉର୍ଦ୍ଧ୍ୱରେ ସେ ଶୁଦ୍ଧ ପ୍ରେମରେ ବିଶ୍ଵାସୀ । ପରକୀୟା ନାୟିକା ଓ ପାରିବାରିକ ପ୍ରେମ-ବନ୍ଧନ ଭିତରେ ସେ ଯେତିକି ଆବଦ୍ଧ, ବିଶ୍ୱମୁଖୀ ହେବା ପାଇଁ ବି ସେତିକି ବ୍ୟାକୁଳ । (୩୨) ଏ ଦୁଇ ଦିଗନ୍ତ ମଧ୍ୟରେ ତାଙ୍କ କାବ୍ୟ ସ୍ଵର ବିଚିତ୍ର ଓ ବହୁବର୍ଣ୍ଣା ।

 

ପାଞ୍ଚ

 

ଓଡ଼ିଆ ସାହିତ୍ୟର ଇତିହାସକାର ଓ ସମାଲୋଚକମାନେ କେବଳ ଭାବବାଦୀ କବି ଭାବେ ମାନସିଂହଙ୍କୁ ଚିହ୍ନିତ କରିଛନ୍ତି । କିନ୍ତୁ ତାଙ୍କ ସାମଗ୍ରିକ କାବ୍ୟ ସୃଷ୍ଟିକୁ ବିଚାରକୁ ନେଲେ ଏହା ଅର୍ଦ୍ଧ-ସତ୍ୟ ରୂପେ ପ୍ରତିପାଦିତ ହୁଏ । ଏ କଥା ଅବଶ୍ୟ ସତ୍ୟ ଯେ, ପ୍ରଣୟାବେଗରୁ ତାଙ୍କ କାବ୍ୟ-ସୃଜନ କର୍ମ ଆରମ୍ଭ ଓ ପରିଣତିରେ ସେ ଅତିନ୍ଦ୍ରୀୟତା ଭିତରେ ଆଶ୍ରୟ ଲୋଡ଼ିଛନ୍ତି । ରୋମାଣ୍ଟିକ୍‌ ଚେତନାର ପ୍ରାୟ ସବୁ ବିଭବ ତାଙ୍କ ବହୁ କବିତାରେ ସୁରକ୍ଷିତ ରହିଛି । କିନ୍ତୁ ଏ ସବୁର ଉର୍ଦ୍ଧ୍ୱରେ ସେ ସାମାଜିକ କ୍ରିୟାକଳାପକୁ ବେଶ୍‌ ସଚେତନ ଭାବେ ଅନୁଶୀଳନ କରିଛନ୍ତି ଏବଂ ସବୁ ଅସତ୍ୟ, ଅଶିବ ଓ ଅସୁନ୍ଦରର ନିନ୍ଦାଗାନ କରିଛନ୍ତି । ଅନେକ ସମୟରେ ବିଦ୍ରୋହାତ୍ମକ ସ୍ଵର ବି ତାଙ୍କ କବିତାରେ ଅନୁରଣିତ ହୋଇଛି । ଏ ଭଳି କି ତାଙ୍କ କବିତାରେ ରହସ୍ୟାନୁଭୂତି ବି ତାଙ୍କ ସମାଜ-ସମ୍ବେଦନଶୀଳ ଜୀବନ ଜିଜ୍ଞାସାର ପରିଣତି ଅଟେ । ଉଭୟ କାବ୍ୟିକ ଆବେଦନ ଓ ରଚନାର ସମୟକାଳ ଦୃଷ୍ଟିରୁ ଯଦିଓ ମାନସିଂଙ୍କ କାବ୍ୟ ଚେତନାର ଭାବବାଦ ଓ ବାସ୍ତବବାଦ ମଧ୍ୟବର୍ତ୍ତୀ ସ୍ପଷ୍ଟ ସୀମାରେଖା ଅଙ୍କନ କରାଯାଇ ନପାରେ, ତଥାପି ତାଙ୍କ ସୃଷ୍ଠି ପରିସରକୁ ସଚେତନ ଅନୁଶୀଳନ କଲାପରେ ତାଙ୍କୁ ଏକାଧାରାରେ ରୋମାଣ୍ଟିକ୍‌ ଆବେଗ ଓ ବାସ୍ତବବାଦୀ ଆବେଦନର କବି ଭାବେ ସମ୍ମାନ ଦେବାକୁ ହେବା ହିଁ ବାଂଛନୀୟ ।

 

 

ବରିଷ୍ଠ ଗବେଷକ (ୟୁ.ଜି.ସି)

ଆଧୁନିକ ଭାରତୀୟ ଭାଷା ଓ ସାହିତ୍ୟ ବିଭାଗ,

ଦିଲ୍ଲୀ ବିଶ୍ଵବିଦ୍ୟାଳୟ, ଦିଲ୍ଲୀ-୭

 

ପ୍ରାନ୍ତଟୀକା :-

୧.

ବିଜୟ କୁମାର ଶତପଥୀ ପ୍ରଗତିବାଦୀ କାବ୍ୟଚେତନା, କଟକ : ଅଗ୍ରଦୂତ,ପ୍ର-୭

୨.

ମାନସିଂହ, ଓଡ଼ିଆ ସାହିତ୍ୟର ଇତିହାସ, କଟକ : ଗ୍ରନ୍ଥ ମନ୍ଦିର, ୧୯୯୨, ପ୍ର-୩୧୨

୩.

ମାନସିଂହ, ଶିକ୍ଷାବିତ୍‌ର ଗାଥା, ଗ୍ରନ୍ଥାବଳୀ-୨ୟଭାଗ’, କଟକ : ଗ୍ରନ୍ଥ ମନ୍ଦିର ୧୯୬୫, ପ୍ର-୪୨

୪.

ମାନସିଂହ, କବି ଓ କବିତା, ‘ଗ୍ରନ୍ଥାବଳୀ-୨ୟଭାଗ’, କଟକ : ଗ୍ରନ୍ଥ ମନ୍ଦିର, ୧୯୬୫ ପ୍ର-୫୫୭-୫୭୦

୫.

ଦ୍ରଷ୍ଟବ୍ୟ-ମାଟିର ସତୀତ୍ୱ, ‘ଗ୍ରନ୍ଥାବଳୀ-୧ମ ଭାଗ’, ୧୯୬୪, ପ୍ର-୧-୫

୬.

ତଳିଆ ଜୀବର ବିଳାପ, ‘ସେ ଦିନର କବିତା’, ‘ଗ୍ରନ୍ଥାବଳୀ-୧ମଭାଗ, ୧୯୬୪, ପ୍ର-୫୭

୭.

ତତ୍ରୈବ, ପ୍ର-୫୮

୮.

ତତ୍ରୈବ, ପ୍ର-୫୯

୯.

ତତ୍ରୈବ, ପ୍ର-୬୦

୧୦.

ତତ୍ରୈବ, ପ୍ର-୬୮

୧୧.

ଶ୍ରମ କୌଶଳ, ଜୀବନ ପଥ, ୧୯୫୭, ପ୍ର-୫୪

୧୨.

କହିବି ବିନାଶ କର ଧନର ସଂସାର/ଦରିଦ୍ର ସଂସାର ଲାଗି କାଟ ନୂଆ ଗାର/କିନ୍ତୁ ଫଳ ସେଇ କଥା ଦଳେ ଅତ୍ୟାଚାରୀ/ତଡ଼ି ଆଉ ଦଳେ ମାତ୍ର ଆଣିବା ହକାରୀ ।’’ ସମର ବିମୁଖ, ‘ଜୀବନ ଚିତା’, ଗ୍ରନ୍ଥାବଳୀ ୧ମଭାଗ, ୧୯୬୪, ପ୍ର-୪୧୫

୧୩.

ନିତ୍ୟାନନ୍ଦ ଶତପଥୀ, ସବୁଜରୁ ସାଂପ୍ରତିକ

୧୪.

ତତ୍ରୈବ, ପ୍ର-୧୦୯

୧୫.

ତତ୍ରୈବ, ପ୍ର-୧୦୯

୧୬.

ଦ୍ରଷ୍ଟବ୍ୟ-ବିଶୃଙ୍ଖଳ ସୃଷ୍ଟି, ‘ଜୀବନ ଚିତା’ ଗ୍ରନ୍ଥାବଳୀ-୧ମ, ୧୯୬୪, ପ୍ର-୩୯୨-୯୩

୧୭.

ତତ୍ରୈବ

୧୮.

ଦେବପୂଜା, ‘ଜୀବନ ଚିତା’, ଗ୍ରନ୍ଥାବଳୀ-୧ମ ଭାଗ, ୧୯୬୦, ପ୍ର-୪୦୨-୪୦୩

୧୯.

ତତ୍ରୈବ

୨୦.

କ୍ରୁଶ, ଗ୍ରନ୍ଥାବଳୀ-୧ମ, ୧୯୬୪, ପ୍ର-୪୭୬-୪୮୦

୨୧.

ବିନ୍ଦୁ ଓ ସିନ୍ଧୁ, ଗ୍ରନ୍ଥାବଳୀ-୧ମ, ୧୯୬୪, ପ୍ର-୫୦୯-୫୧୪

୨୨.

ସ୍ୱରାଜ୍ୟାଶ୍ରମ (୧), ଗ୍ରନ୍ଥାବଳୀ -୧ମ, ୧୯୬୪, ପ୍ର-୫୭୯

୨୩.

ଯଦୁ ସ୍ୱାଇଁର ଗାଥା, ‘ସ୍ଵରାଜ୍ୟାଶ୍ରମ’, ଗ୍ରନ୍ଥାବଳୀ-୧ମ, ୧୯୬୪, ପ୍ର-୬୧୧

୨୪.

ରେଙ୍ଗୁନ ଚିଠି ‘ମାଟିବାଣୀ’, ଗ୍ରନ୍ଥାବଳୀ -୧ମ, ୧୯୬୪, ପ୍ର-୩୨୭

୨୫.

ଅନୂଢ଼ା, ‘ମାଟିବାଣୀ’, ଗ୍ରନ୍ଥାବଳୀ-୧ମ, ୧୯୬୪, ପ୍ର-୪୨୫

୨୬.

‘‘ଏହି କାବ୍ୟ ଚେତନା ପରବର୍ତ୍ତୀ ଗ୍ରନ୍ଥମାନଙ୍କରେ ଆଉ ଶୁଣିବାକୁ ମିଳିନାହିଁ । ଏହାର ଉନ୍ମେଷ ଯେପରି ଆକସ୍ମିକ, ବିଲୟ ମଧ୍ୟ ସେହିପରି ଅପ୍ରତ୍ୟାଶିତ ।’’- ମନୋରମା ବିଶ୍ଵାଳ ମହାପାତ୍ର, ଡକ୍ଟର ମାୟାଧର ମାନସିଂହଙ୍କ କାବ୍ୟକୀର୍ତ୍ତି, ୧୯୬୨, ପ୍ର-୪୬-୪୭

୨୭.

ଧରଣୀବାସ, ‘ଜୀବନ ଚିତା’, ଗ୍ରନ୍ଥାବଳୀ-୧ମ, ୧୯୬୪, ପ୍ର-୩୮୯-୩୯୦

୨୮.

‘ଭୂମିକା’, ଧୂପ, ଗ୍ରନ୍ଥାବଳୀ-୧ମ, ୧୯୬୪, ପ୍ର-୭୪

୨୯.

କୁଳଟା ରାଧା, ‘ହେମ ପୁଷ୍ପ’, ଗ୍ରନ୍ଥାବଳୀ-୧ମ, ପ୍ର-୧୫୬ ଦ୍ରଷ୍ଟବ୍ୟ

୩୦.

ପ୍ରିୟାର ସାଧନା, ଧୂପ’, ଗ୍ରନ୍ଥାବଳୀ-୧ମ, ପ୍ର-୩୯୯ ଦ୍ରଷ୍ଟବ୍ୟ

୩୧.

କମଳାୟନ, ଗ୍ରନ୍ଥାବଳୀ-୨ୟ, ୧୯୬୪ ଦ୍ରଷ୍ଟବ୍ୟ

୩୨.

ବନ୍ଧନ, ‘ଜୀବନ ଚିତା’, ଗ୍ରନ୍ଥାବଳୀ-୧ମ, ପ୍ର-୮୬ ଦଷ୍ଟବ୍ୟ

 

***

 

ଘୁମୁସର ରାଜବଂଶର ଐତିହ୍ୟ

ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡା

 

ବୀର ପ୍ରସବିନୀ ଉତ୍କଳର ଭୌଗୋଳିକ ସୀମା ସରହଦ ମଧ୍ୟରେ ଘୁମୁସର ଥିଲା ଏକ ଗଡ଼ଜାତ ରାଜ୍ୟ । ଓଡ଼ିଆ ଜାତି ତଥା ଭାରତବର୍ଷର ରାଜନୈତିକ ଓ ସାଂସ୍କୃତିକ ଐତିହ୍ୟ ପ୍ରତି ଅବିସ୍ମରଣୀୟ ଅବଦାନ ଦୃଷ୍ଟିରୁ ଇତିହାସରେ ଘୁମୁସର ହେଉଛି ଏକ ପରଚିତ ନାମ । ଦେଶପ୍ରୀତି, ବଳିଷ୍ଠ ନେତୃତ୍ୱ, ସାହିତ୍ୟଚର୍ଚ୍ଚା ଓ କଳାର ଲୀଳା ଭୂମିରୂପେ ଏହା ଭୁବନ ବିଖ୍ୟାତ । ଏ ରାଜ୍ୟର ରାଜପରିବାରରେ ଜନ୍ମ ନେଇଥବା ବହୁ ମନିଷୀଙ୍କ ମଧ୍ୟରେ ଓଡ଼ିଆ ଜାତିର ପ୍ରାଣକର୍ତ୍ତା ଅବିସ୍ମରଣୀୟ କବି ଉପେନ୍ଦ୍ର ଭଞ୍ଜ ଥିଲେ ଅନ୍ୟତମ । ତାଙ୍କର ସାହିତ୍ୟ ହେଉଛି ଏ ଜାତିର ପ୍ରତ୍ନତତ୍ତ୍ଵ । ଶ୍ରୀକ୍ଷେତ୍ର ଧୂଳିର ସ୍ପର୍ଶରେ ଯେମିତି ଜୀବନ କୃତାର୍ଥ ହୋଇଥାଏ, ଏ ମାଟିର ସ୍ପର୍ଶରେ ସେମିତି ପ୍ରତ୍ୟେକ ଓଡ଼ିଆର ପ୍ରାଣ ପରିପୂର୍ଣ୍ଣତା ଲାଭ କରିଥାଏ । ଭଂଜ ଯୁଗର ସେହି ପାହାଡ଼, ପାଣି, ପବନ, ଶ୍ୟାମଳ ଘନାନୀକୁ ଧାରଣ କରି ଏବେ ବି ଘୁମେଇ ଚାହିଁଛି ଘୁମୁସର । ଶିଳ୍ପୀ, ସ୍ରଷ୍ଟା, ପ୍ରକୃତିପ୍ରେମୀ ଏବଂ କର୍ମଭୂମି ପାଇଁ ଅପୂର୍ବ ଏହାର କାନ୍‌ଭାସ୍‌ ।

 

ସମ୍ଭବତଃ ୮୩୨ ଖ୍ରୀଷ୍ଟାବ୍ଦରେ ଘୁମୁସର ରାଜ୍ୟ ପ୍ରତିଷ୍ଠା ଲାଭ କରି ୧୮୩୫ ମସିହା ପର୍ଯ୍ୟନ୍ତ ଏହାର ସ୍ଵାତନ୍ତ୍ର୍ୟକୁ ବଜାୟ ରଖିପାରିଥିଲା । ତା ପୂର୍ବରୁ ଏ ଅଞ୍ଚଳ ପ୍ରସିଦ୍ଧ ଖିଞ୍ଜିଲିମଣ୍ଡଳର ଅନ୍ତର୍ଗତ ଥିଲା । ଘନ ଅରଣ୍ୟ, ଆଦିବାସୀ ଇଲାକା, ପର୍ବତ ଓ ଝରଣାକୁ ନେଇ ଏହି ମଣ୍ଡଳ ମଧ୍ୟରେ ବାରଟି ଗଡ଼ ରହିଥିଲା । ଏହାର ଶାସକମାନେ ବଉଦ ରାଜାଙ୍କ ପ୍ରତି ଅନୁଗତ ଥିଲେ । ତେବେ ଏମାନଙ୍କ ମଧ୍ୟରେ ଆଦୌ ସୁସଂପର୍କ ନଥିଲା । ଫଳତଃ ବଉଦ ରାଜାଙ୍କ ସାନ ଭାଇ ରଘୁନାଥ ଭଞ୍ଜ । ଖିଞ୍ଜିଲିକୁ ସସୈନ୍ୟ ପ୍ରେରିତ ହୋଇ ଏଠାରେ ଶାନ୍ତି ସ୍ଥାପନ କରିବା ସହ ଆଉ ବଉଦ ଫେରିନଥିଲେ । ଖିଞ୍ଜିଲି ଅଞ୍ଚଳରେ ଏକ ନୂତନ ରାଜ୍ୟ ସ୍ଥାପନ କରି ଏହାର ଶାସନ କର୍ତ୍ତାରୂପେ ଅଧିରୂଢ଼ ହୋଇଥିଲେ । ଐତିହାସିକମାନଙ୍କ ମତରେ ଖ୍ରୀ ୮୩୨ ରେ ଏକ ନୂତନ ରାଜବଂଶ ପ୍ରତିଷ୍ଠା ହୋଇଥଲା ।

 

ଉପେନ୍ଦ୍ର ଭଞ୍ଜ ସ୍ଵଗ୍ରନ୍ଥମାନଙ୍କରେ ତାଙ୍କ ବଂଶ ବରହୀ କୋଷରୁ ସମ୍ଭବ ହୋଇଥିବା ବ୍ୟକ୍ତି କରିଛନ୍ତି । ଏ ସଂପର୍କିତ କିମ୍ବଦନ୍ତୀକୁ ମଧ୍ୟ ଏଠାରେ ଉଦ୍ଧାର କରାଯାଇପାରେ ‘‘ତ୍ରେତା ଯୁଗର ଶେଷ ଭାଗରେ ଦିନେ ବଶିଷ୍ଠ ମହର୍ଷି ବନରେ ବିଚରଣ କରୁ କରୁ ମୃଗୀ ଯୁଗଳ କାମାସକ୍ତ ହୋଇ ଅଙ୍ଗସଙ୍ଗ କରିବାର ତାହାଙ୍କ ଚକ୍ଷୁରେ ପଡ଼ିଲା । ତତ୍‌କ୍ଷଣାତ୍‌ ମହର୍ଷି କ୍ରୁର ମଦନବାଣରେ ବିଦ୍ଧକରିବାରୁ ତାହାଙ୍କର ଅନାୟତ୍ତରେ ରେତ ସ୍ଫଳିତ ହୋଇଗଲା ସେ ସେହିକ୍ଷଣି ନିଜର କୌପୁନୀ ଖଣ୍ଡକ ନେଇ ନିକଟବର୍ତ୍ତୀ ପୁଷ୍କର ତୀର୍ଥରେ ଧୌତ କରିବାରୁ ରେତଦଳ ମଧ୍ୟରେ ଦୁଇଗୋଟି ବିନ୍ଦୁ ଆକାର ଧାରଣ କରି ଭାସିଗଲା । ଏପରି ଅବସ୍ଥାରେ ଏକ ତୃଷାର୍ତ୍ତ ମୟୁରୀ ସେହି ସ୍ଥାନରେ ଜଳପାନ କରୁ କରୁ ଉକ୍ତ ବିନ୍ଦୁ ଦ୍ୱୟ ତାହାର ଗର୍ଭ ମଧ୍ୟରେ ପ୍ରବେଶ କଲା । ଅଚୀରେ ମୟୂରୀର ଗର୍ଭ ସଞ୍ଚାର ହେଲା ଏବଂ କାଳକ୍ରମେ ଦୁଇଗୋଟି ଅଣ୍ଡ ଜନ୍ମଗ୍ରହଣ କଲେ । ବେଳକୁ ବେଳ ଅଣ୍ଡ ଦ୍ୱୟ ବୃଦ୍ଧି ପ୍ରାପ୍ତ ହୋଇ ପ୍ରକାଣ୍ଡ ଆକାର ଧାରଣ କଲେ । ଏହାକୁ ଦର୍ଶନକରି ମୟୂରୀ ତ୍ରସ୍ତ ହୋଇ ଅଣ୍ଡ ଦ୍ୱୟ ତ୍ୟାଗ କରି ପଳାୟନ କଲା । ଏଣେ ମହର୍ଷି ସମସ୍ତ ବୃତ୍ତାନ୍ତ ଜାଣିପାରି ସ୍ଵବୀର୍ଯ୍ୟସମ୍ଭୂତ ଅଣ୍ଡଦ୍ୱୟ ରକ୍ଷା କରିବା କର୍ତ୍ତବ୍ୟ ମନେ କରି ତାହା ନିଜ ଆଶ୍ରମକୁ ଆଣି ପାଳନ କଲେ । ମହର୍ଷି ଅଣ୍ଡଦ୍ୱୟକୁ ପ୍ରତିଦିନ ସୂର୍ଯ୍ୟ ତାପରେ ରଖି ଦେଉଥାନ୍ତି । କିଛି କାଳ ପରେ ଗୋଟିଏ ଅଣ୍ଡରୁ ଏକ ସୁନ୍ଦର ବାଳକ ଜନ୍ମ ଗ୍ରହଣ କଲା । ଏହି ଅଣ୍ଡଜ ସନ୍ତାନକୁ ମହର୍ଷି ମଦନ ରାଣା ବୋଲି ନାମ ଦେଲେ । ମଦନରାଣା ଅତି ରୂପଦନ୍ତ ଥିଲେ । ଅନ୍ୟ ଅଣ୍ଡଟିରୁ କିଛି ଜାତ ନ ହେବାରୁ ମହର୍ଷି ଭାବିତ ହୋଇ ତାହା ଏକ ଦଣ୍ଡ ଦ୍ଵାରା ଭଗ୍ନ କରିବାକୁ ଲାଗିଲେ । ସେ ଦେଖିଲେ ଯେ ତହିଁରୁ ମଧ୍ୟ ଏକ ବାଳକ ଜାତ ହେଲା । ମହର୍ଷି ଶ୍ରଦ୍ଧା ପୂର୍ବକ ଏହି ବାଳକୁ ମୋଦକ ଭଞ୍ଜ ନାମ ଦେଇଥିଲେ । ଅଣ୍ଡ ସୂର୍ଯ୍ୟ ତାପରେ ପକ୍ୱ ହୋଇଥିବା ଯୋଗୁଁ ଏମାନେ ସୂର୍ଯ୍ୟ ବଂଶୀୟ ବୋଲି ପରିଚିତ ହେଲେ । ଅଣ୍ଡର ଭଞ୍ଜନ ଦ୍ଵାରା ଜନ୍ମିଥବାରୁ ଦ୍ୱିତୀୟ ବାଳକଟି ଭଞ୍ଜ ନାମରେ ଅଭିହିତ ହେଲେ ।’’

 

ମୟୂର ଅଣ୍ଡାର ଭଂଜନରୁ ସୃଷ୍ଟି ମୋଦକ ଭଞ୍ଜ ମୟୂର ଭଂଜ ରାଜ୍ୟ ସ୍ଥାପନ କରି ରାଜ୍ୟ ଶାସନ ଚଳାଇଲେ । ଇଂରେଜ ଶାସନକାଳରେ ମୟୂର ଭଂଜ ରାଜାଙ୍କର ବଂଶକୁ ରାଜ ସୁତ ଭାବେ ପରିଚିତ କରିବା ନିମନ୍ତେ ନାମ ଶେଷରେ ସିଂହ ବା ଭଂଜଦେଓ ଯୋଗ କରି ବଂଶଲତା ପ୍ରସ୍ତୁତି କରିଥିବା ଜଣାଯାଏ । ତେବେ ଘୁମୁସରରେ ଏହି ବଂଶୋତ୍ପତ୍ତି ସଂପର୍କିତ କିମ୍ବଦନ୍ତୀର ମୌଳିକତା ଅକ୍ଷୂର୍ଣ୍ଣ ରହିଅଛି । ମୟୂରଭଂଜରୁ ପ୍ରାପ୍ତ ଅନୁଶାସନକୁ ଭିତ୍ତିକରି ଜନଶ୍ରୁତି କାଳରେ ଏ ବଂଶ କେନ୍ଦୁଝରକୁ ମଧ୍ୟ ସଂପ୍ରସାରିତ ହୋଇଥିଲା । ସେଠାରୁ ଦୈତାରୀ ଭଂଜ ନାମକ ଜନୈକ ବଂଶଧର ନିଜର ଦୁଇପୁତ୍ର ବନମାଳୀ ଓ ରଘୁନାଥଙ୍କ ସହ ଆସି ବଉଦରେ ପହଞ୍ଚିଲେ । ବଉଦର ନନ୍ଦବଂଶୀ ରାଜା ଅପୁତ୍ରିକ ଥିବାରୁ ବନମାଳୀ ଓ ରଘୁନାଥଙ୍କୁ ନିଜର ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥଲେ । ତାଙ୍କର ମୃତ୍ୟୁପରେ ଜ୍ୟେଷ୍ଠଭଞ୍ଜ ବନମାଳୀ ହେଲେ ଏହାର ଶାସନକର୍ତ୍ତା । ସୁତରାଂ ମୟୂର ଭଂଜରୁ କେନ୍ଦୁଝର ଓ ବଉଦପରେ ଘୁମୁସରକୁ ଏମାନଙ୍କ ଆଗମନ ହୋଇଥଲା ।

 

ଘୁମୁସର ରାଜ୍ୟର ପ୍ରତିଷ୍ଠାତା ଭାବେ ରଘୁନାଥ ଭଂଜଙ୍କୁ ଗ୍ରହଣ କରାଯାଏ । ବର୍ତ୍ତମାନର ନାଟେଙ୍ଗା ଓ ବରପଲ୍ଲୀ ନିକଟରେ ସର ପରିବେଷ୍ଟିତ ‘ଗୁମା’ଟିଏ (ଉଚ୍ଚସ୍ଥାନ) ଦେଖି ସେଇଠି ସେ ନିଜର ଗଡ଼ ସ୍ଥାପନ କରିଥଲେ । ରଘୁନାଥ ଭଂଜ ନିଜର ଗଡ଼କୁ ଏକ ଉଚ୍ଚସ୍ଥାନରେ ପ୍ରତିଷ୍ଠା କରିବା ସହ ପ୍ରାଚୀନ ଦୁର୍ଗ ନିର୍ମାଣ ପଦ୍ଧତିରେ ଏହାର ଚାରିପଟେ ଗଡ଼ଖାଇ ଖନନ କରାଇଥିଲେ । ଏହି ଗଡ଼ର ଭଗ୍ନାବଶେଷ ସ୍ଵରୂପ ଦେଖିଥିବା ବ୍ରିଟିଶ୍‌ ଶାସକ ରସେଲ୍‌ ସ୍ଵୀକାର କରିଛନ୍ତି । ଉଭୟ ଗୁମା ଓ ସରରୁ ଗୁମାସର ଓ ପରବର୍ତ୍ତୀ କାଳରେ ଗୁମୁସର ବା ଘୁମୁସରରେ ପରିଣତ ହୋଇଛି । ତେବେ ଘୁମୁସରର ରାଜଧାନୀ ଭାବେ ଜୟନ୍ତୀଗଡ଼ର ଅବସ୍ଥିତ ସାମରିକ ନିରାପତ୍ତା ଓ ଶାସନଗତ ଦୃଷ୍ଟିରୁ ଅନୁକୂଳ ହୋଇଥିବାରୁ ଘୁମୁସର ରାଜଧାନୀକୁ କୁଲାଡ଼କୁ ସ୍ଥାନାନ୍ତରିତ ହୋଇଥିଲା । ଭଂଜବଂଶର ଜନୈକ ରାଜା ପ୍ରତାପ ଭଂଜ କୁଲାଡ଼ଠାରେ ନିଜର ଦୁର୍ଗ ସ୍ଥାପନ କରିଥିଲେ । ସେହି ଦିନଠାରୁ ଭଂଜବଂଶର ଶେଷକାଳଯାଏଁ ଏହି କୁଲାଡ଼ ହିଁ ରାଜଧାନୀ ରୂପେ ପ୍ରତିଷ୍ଠା ଲାଭ କରିଥିଲା । ପ୍ରାକ୍ତନ ରାଜଧାନୀଟି କେବଳ ପୁରୁଣା ଘୁମୁସର ଭାବେ ସ୍ମୃତିର ସ୍ମାରକୀ ହୋଇରହିଯାଇଛି । ସୁତରାଂ ଭଂଜବଂଶର ସମସ୍ତ କୀର୍ତ୍ତୀରାଜି ସାହିତ୍ୟ, କଳା ଓ ସଂସ୍କୃତିର କେନ୍ଦ୍ରସ୍ଥଳୀ ଥିଲା ଏହି କୁଲାଡ଼ ଦୁର୍ଗ ।

 

ଗୁମା ଓ ସରର ସଂଯୋଗରେ ଘୁମୁସର ରାଜ୍ୟର ପରିକଳ୍ପନା ପରି କୁଲାଡ଼ ଦୁର୍ଗ ନାମକରଣର ପଶ୍ଚାତପଟ୍ଟରେ ଅନେକ ଜନଶ୍ରୁତି ଶୁଣିବାକୁ ମିଳେ । ସଂସ୍କୃତରେ କୁଲ୍ୟା ଶବ୍ଦର ଅର୍ଥ ପ୍ରୟଃ ପ୍ରଣାଳୀ ବା ଜଳସ୍ରୋତ । ଗଡ଼ଖାଇକୁ ମଧ୍ୟ କୁଲ୍ୟା କୁହାଯାଏ । ଏଣୁ ଗଭୀର ଗଡ଼ଖାଇ ବା କୁଲ୍ୟାବେଷ୍ଟିତ ଗଡ଼ଟିକୁ କୁଲାଡ଼ କୁହାଯିବାର ମଧ୍ୟ ଅନୁମାନ କରାଯାଏ । ପଶ୍ଚିମରେ ବାଗ୍‌ଦେବୀ ପାହାଡ଼ ସୁଦୀର୍ଘ ପ୍ରାଚୀର ରୂପେ ଏହାର ସୁରକ୍ଷାରେ ସହାୟକ ହେଉଥିବା ବେଳେ ଉତ୍ତର ଦିଗରେ ପୂର୍ବରୁ ପଶ୍ଚିମକୁ ବହୁ ଉତ୍ତୁଙ୍ଗ ପର୍ବତ ମୁଣ୍ଡଟେକି କୁଲାଡ଼ ଦୁର୍ଗକୁ ନିର୍ଭୟତା ପ୍ରଦାନ କରୁଥିଲେ । ଏହି ସ୍ଥଳରେ ଦୈର୍ଘ୍ୟ ଏକ ମାଇଲ୍‌ଓ ପ୍ରସ୍ଥ ଦେଢ଼ମାଇଲ୍‌ ହେବ । ଦୁର୍ଗଟି ବାସ୍ତବରେ ପାହାଡ଼ର ମଝିଭଳି ମନେ ହୁଏ । କୁଲାଡ଼ ଦୁର୍ଗର ସୁରକ୍ଷା ବ୍ୟବସ୍ଥା ହିଁ ଏହାକୁ ବହୁକାଳ ଯାଏଁ ଅଜେୟ କରି ରଖିଥିଲା । ଗଡ଼ଭିତରୁ ପଦାକୁ ଯିବା ପାଇଁ ଗୁପ୍ତ ସୁଡ଼ଙ୍ଗ ମଧ୍ୟ ରହିଥିଲା । ଏପରି ଏକ ସୁଡ଼ଙ୍ଗ ପଥ କୁଲାଡ଼ଠାରୁ ପାଞ୍ଚ ମାଇଲ୍‌ଦୂରବର୍ତ୍ତୀ ଭଂଜନଗରରେ ଅବସ୍ଥିତ ବର୍ତ୍ତମାନର ଗାନ୍ଧି କୈଳାଶ ପାହାଡ଼ ପର୍ଯ୍ୟନ୍ତ ରହିଥିବା ଏହାର ଜ୍ଵଳନ୍ତ ପ୍ରମାଣ ।

 

କୁଲାଡ଼ ଦୁର୍ଗର ପ୍ରଧାନ ଆରାଧ୍ୟ ଦେବୀ ବା ଇଷ୍ଟଦେବୀ ସମଗ୍ର ଘୁମୁସରରେ ପୂଜା ପାଇ ଆସୁଛନ୍ତି । କୁଲାଡ଼ ଦୁର୍ଗର ଚାରି ଦିଗରେ ଚାରିଜଣ ଦ୍ଵାର ଦେବୀ ରହିଥିବାର କୁହାଯାଏ । ଯେଉଁମାନେକି ଦୁର୍ଗର ଆସନ୍ନ ବିପଦ କାଳରେ ଭଂଜରାଜାମାନଙ୍କୁ ସତର୍କ କରିଦେଉଥିଲେ ବା ପ୍ରତ୍ୟକ୍ଷ ଭାବେ ସାହାଯ୍ୟ କରୁଥିଲେ । ଦକ୍ଷିଣ ଦ୍ଵାରଦେବୀ ଚହ୍ଲାଖାଇ ଇଂରେଜମାନଙ୍କ ଆକ୍ରମଣ କାଳରେ ବିଷାକ୍ତ ଚହ୍ଲାବିକି ଇଂରେଜ ସେନାଙ୍କୁ ନିପାତ କରିଥିବାର ଅଲୌକିକ କାହାଣୀ ମଧ୍ୟ ଶୁଣିବାକୁ ମିଳେ । କେବଳ ଜନଶ୍ରୁତି ନୁହେଁ ଇଂରେଜ ସାହେବ ରସେଲ୍‌ ବି ଘୁମୁସର ଅଧିକାର କଲାବେଳେ ଏହାର ରାଜଧାନୀ କୁଲାଡ଼ ସଂପର୍କରେ ଲେଖିଛନ୍ତି :-

 

‘‘Kullado is an extensive fortfied Fort situated on the right bank of the Mahanadi and immediately under high hills which form a barrier to the west word. The winding direction of the road and the dense bamboo jungle either side offer many strong defensible positions. The Raja’s house is situated above the town and is protected by madtowers, towers with parapet and 200 holes which command them in streets and other approaches and by a deep bitch, the banks of which are covered with a thick hedge of bamboos” ଅନନ୍ତ ପଦ୍ମନାଭ ପଟ୍ଟନାୟକ ମଧ୍ୟ କୁଲାଡ଼ ଦୁର୍ଗର ସୁରକ୍ଷା ସଂପର୍କରେ ଲେଖିଛନ୍ତି-ଗଡ଼ ଚତୁର୍ଦ୍ଦିଗରେ ଗଭୀର ଗଡ଼ଖାଇ, ଗଡ଼ ଖାଇର ଉଭୟ ପାର୍ଶ୍ଵରେ ଘଞ୍ଚ ଜଙ୍ଗଲ ଘେରି ରହିଥିବାରୁ ଏହା ଅନବରତ ସୁରକ୍ଷିତ ହୋଇ ରହୁଥିଲା ।

 

ଘୁମୁସର ରାଜ୍ୟ ପୂର୍ବ, ପଶ୍ଚିମ ଏବଂ ଉତ୍ତର, ଦକ୍ଷିଣ ଯଥା କ୍ରମେ ୬୦ ମାଇଲ ଓ ୫୦ ମାଇଲ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା । ଏହି ବିରାଟ ରାଜ୍ୟକୁ ଶାସନ ସୁବିଧା ଦୃଷ୍ଟିରୁ ୧୮ଟି ଗଡ଼ରେ ବିଭକ୍ତ କରାଯାଇଥିଲା । ରାଜ୍ୟର ଶୃଙ୍ଖଳା ପାଇଁ ଭଞ୍ଜରାଜାମାନେ ବିଶେଷ ଦୃଷ୍ଟି ଦେଉଥିଲେ । ସୁତରାଂ ସାମରିକ ଖର୍ଚ୍ଚ ବୃଦ୍ଧି ପାଇଥିଲା । ଘୁମୁସରର ବିଶାଳ ସେନାବାହିନୀରେ ଦୁର୍ଦ୍ଦଶ କନ୍ଧମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଏହାକୁ ଶକ୍ତିଶାଳୀ ରାଜ୍ୟଭାବେ ଗଢ଼ିଥିଲେ । ୧୭୫୭ ଖ୍ରୀଷ୍ଟାବ୍ଦରେ କୃଷ୍ଣ ଭଂଜଙ୍କ ରାଜତ୍ୱ କାଳରେ ଫରାସୀମାନେ ଯେତେବେଳେ ଘୁମୁସର ଆକ୍ରମଣ କଲେ, ଘୁମୁସରର ସାମରିକ ବାହିନୀ ସୁସଂଗଠିତ ଭାବେ ଆକ୍ରମଣକୁ ପ୍ରତିହତ କରିଥିଲେ । ଘୁମୁସର ରାଜବଂଶର କେତେକ ରାଜାଙ୍କ ସମ୍ବନ୍ଧରେ ସବିଶେଷ ବିବରଣୀ ଯଦିଓ ଅନୁପଲବ୍‌ଧ ତଥାପି ରଣ ଭଂଜଙ୍କ ଠାରୁ ପରବର୍ତ୍ତୀ ରାଜାଙ୍କ ସମ୍ବନ୍ଧରେ ଐତିହାସିକ ତଥ୍ୟ ସ୍ପଷ୍ଟ ମିଳିଥାଏ । ରଣ ଭଂଜ ଓ ତାଙ୍କ ପୁତ୍ର ପ୍ରତାପ ଭଂଜଙ୍କ ସମୟରେ ଘୁମୁସରର ଅଭ୍ୟନ୍ତର ଓ ପାରିପାର୍ଶ୍ୱିକ ଅବସ୍ଥା ଖୁବ୍‌ଶାନ୍ତ ଥିଲା । ରାଜ୍ୟର ଆର୍ଥିକ ଓ ପ୍ରତିରକ୍ଷା ବ୍ୟବସ୍ଥା ମଧ୍ୟ ଖୁବ୍‌ ସମୃଦ୍ଧ ରହିଥିଲା । ତେବେ ପ୍ରତାପ ଭଂଜଙ୍କ ପରେ ବହୁ ବର୍ଷଯାଏଁ ସିଂହାସନ କନ୍ଦଳରେ ଘୁମୁସର ରାଜ୍ୟରେ ଅଶାନ୍ତ ବାତାବରଣ ଦେଖାଦେଇଥିଲା । ୧୦୨୬-୧୦୫୭- ବଳଭଦ୍ର ଭଂଜ ରାଜୁତି କରିଥିଲେ । ପ୍ରତାପ ଭଂଜଙ୍କ ପରେ ଗୋପୀନାଥ ଭଂଜ କିଛି ବର୍ଷ ଶାସନ କାର୍ଯ୍ୟ ଚଳାଇଥିଲେ । ପ୍ରତାପ ଭଂଜ ୧୫୯୦ ରେ ୪୫ ତମ ଓ ପ୍ରତାପ ଧନଞ୍ଜୟ ଭଂଜ ୧୬୩୬ ରେ ଘୁମୁସରର ୫୦ ତମ ସମ୍ରାଟ୍‌ ହେଲେ ।

 

୧୭୬୭ ମସିହା ବେଳକୁ କୃଷ୍ଣଭଂଜ ଥିଲେ ଘୁମୁସରର ରାଜା । ସାମ୍ରାଜ୍ୟବାଦୀ ଇଂରେଜ ଶକ୍ତି କଳେବଳେ କୌଶଳରେ ଘୁମୁସରକୁ ନିଜ ସାମ୍ରାଜ୍ୟ ସହିତ ମିଶାଇବାକୁ ଚାହୁଁଥିଲେ-। ଏଣୁ ଗଞ୍ଜାମର ପ୍ରଥମ ରେସିଡ଼େଣ୍ଟ ଏଡ଼ୱାର୍ଡ଼ କଟ୍‍ସଫୋର୍ଡ଼ କୃଷ୍ଣଭଂଜଙ୍କ ଠାରୁ ୪୫ ହଜାର ଟଙ୍କା ଖଜଣା ଦାବୀ କଲେ । ଖଜଣା ଦେବାକୁ କୃଷ୍ଣଭଂଜ ଅମଙ୍ଗ ହେବାରୁ ଏଠାରେ ରାଜନୈତିକ ଅସ୍ଥିରତା ସୃଷ୍ଟି ପାଇଁ ସେମାନେ ଚେଷ୍ଟା କଲେ । କୃଷ୍ଣଭଂଜଙ୍କ ମୃତ୍ୟୁପରେ ତାଙ୍କର ପୁତ୍ର ଦ୍ୱୟ ତ୍ରିବିକ୍ରମ ଭଂଜ ଓ ଲକ୍ଷ୍ମଣ ଭଂଜଙ୍କ ମଧ୍ୟରେ ସିଂହାସନ ପାଇଁ ଦ୍ୱନ୍ଦ ସୃଷ୍ଟି ହେଲା । ଏହାର ସୁଯୋଗରେ ଇଂରେଜମାନେ ଅତ୍ୟଧିକ ଖଜଣା ଆଦାୟ କରି କେତେବେଳେ ତ୍ରିବିକ୍ରମଙ୍କୁ ତ ଆଉ କେତେବେଳେ ଲକ୍ଷ୍ମଣଭଂଜଙ୍କୁ ରାଜା କରାଇଥିଲେ । ୧୭୮୮ ରେ ଶ୍ରୀକର ଭଂଜ ଘୁମୁସରର ସିଂହାସନ ଆରୋହଣ କଲାବେଳକୁ ରାଜ୍ୟ ଉପରେ ଖଜଣାର ବୋଝ ଲଦି ହୋଇ ପଡ଼ିଥିଲା । ରାଜ୍ୟରେ ଏହି ଜଟିଳ ପରିସ୍ଥିତି ସୃଷ୍ଟି କରିବାରେ ଦାୟୀ ହେଉଛନ୍ତି ସେହି ଇଂରେଜମାନେ । ଶ୍ରୀକର ଭଂଜ ଇଂରେଜମାନଙ୍କ ଇଚ୍ଛା ମୁତାବକ ଖଜଣା ପରିଶୋଧ କରିବାରେ ଅସମର୍ଥ ହେବାରୁ ସେ ଇଂରେଜଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଥିଲେ । ଏଥରେ ତାଙ୍କୁ ପାରଳାଖେମୁଣ୍ଡି, ଜଳନ୍ତର, ଧରାକୋଟ, ସେରଗଡ଼, ବଡ଼ଖେମୁଣ୍ଡି ପ୍ରଭୃତି ଜମିଦାରମାନେ ସାହାଯ୍ୟ କରିଥିଲେ । ଇଂରେଜ ବାହିନୀ ଲେଫଟନାଣ୍ଟ କର୍ଣ୍ଣେଲ୍‌ସ୍ମିଥଙ୍କ ନେତୃତ୍ୱରେ ଏହି ବିଦ୍ରୋହ ଦମନ କରିଥିଲେ । ଏହି ସମୟରେ ଶ୍ରୀକର ଭଂଜ ପୁତ୍ର ଧନଞ୍ଜୟ ଭଂଜ ଘୁମୁସରର ରାଜା ହେଲେ ତାଙ୍କ ରାଜତ୍ୱ ସମୟରେ ପର୍ବତର ମଧ୍ୟଭାଗରେ ପୂଜା ପାଉଥିବା ବ୍ୟାଘ୍ର ଦେବୀଙ୍କୁ ନିଜଗଡ଼ ନିକଟରେ ଗୋଟିଏ ମନ୍ଦିର ନିର୍ମାଣ କରାଇ ସ୍ଥାପନ କରି ପୂଜା କଲେ । ଗଡ଼ଦେବୀ ବା ଇଷ୍ଟଦେବୀ ରୂପେ ଦେବୀ ସେଇଦିନଠାରୁ ସେଠାରେ ପୂଜା ପାଇ ଆସୁଛନ୍ତି । ଧନଞ୍ଜୟଙ୍କ ସମୟରେ ସାମରିକ ବାହିନୀରେ ମୁଖ୍ୟ ସେନାପତି ଥିଲେ, ଦୋହରା ବିଷୋୟୀ । ଖୋର୍ଦ୍ଧାରେ ଚାଲିଥାଏ ପାଇକ ବିଦ୍ରୋହ । ବିଦ୍ରୋହକୁ ଅଧିକ ଗତିଶୀଳ କରିବା ନିମନ୍ତେ ଖୋର୍ଦ୍ଧାର ସେନାପତି ବକ୍‌ସି ଜଗବନ୍ଧୁ ଦୋହରାଙ୍କ ସାହାଯ୍ୟ ମାଗିଲେ । ତାଙ୍କର ଅନୁରୋଧ ରକ୍ଷା କରି ଦୋହରା ନିଜର ଦକ୍ଷ ସାମରିକ ବାହିନୀରୁ ୪୦୦ ଲଢ଼ୁଆ ସୈନ୍ୟଙ୍କୁ ଖୋର୍ଦ୍ଧା ପ୍ରେରଣ କରିଥିଲେ । ରାଜା ଧନଞ୍ଜୟ ଭଂଜ ସାମରିକ ଖର୍ଚ୍ଚ ନିମନ୍ତେ ବାର୍ଷିକ ୭୦,୦୦୦ ଟଙ୍କା ସେନାପତି ଦୋହରାଙ୍କୁ ପ୍ରଦାନ କରୁଥିଲେ । ଏଥିରୁ ଘୁମୁସରର ସାମରିକ ଶକ୍ତିର ଦୃଢ଼ତା ସ୍ପଷ୍ଟ ଅନୁମେୟ । ଫରାସୀ ଜେନେରାଲ ମୋନସିଅର ଡି.ବୁସି ତାଙ୍କ ଡାଇରୀରେ ଉଲ୍ଲେଖ କରିଛନ୍ତି ‘‘ଘୁମୁସରର ସାମରିକ ଶକ୍ତି ସୁଦୃଢ଼ ଥିଲା । ସୈନ୍ୟମାନେ ବାଉଁଶ ବଣ ଓ ପାହାଡ଼ ମଧ୍ୟରେ ଫରାସି ସୈନ୍ୟମାନଙ୍କୁ ପରାସ୍ତ କରିପାରିଥିଲେ । ୧୮୩୬ରେ ଗଞ୍ଜାମର କଲେକ୍ଟର ଥାନ୍ତି ଷ୍ଟିଭେନ୍‌ସନ୍‌ ସେ ଘୁମୁସର ସୈନ୍ୟମାନଙ୍କ ବିଦ୍ରୋହର ଭୟାବହତା ଦେଖି ଆତଙ୍କିତ ହୋଇ ପଡ଼ିଥିବା କଥା ଉଲ୍ଲେଖ କରିଥିଲେ । ଘୁମୁସର ସୈନ୍ୟମାନେ ଧନୁଶର, ଟାଙ୍ଗିଆ, ବର୍ଚ୍ଛା ଆଦିକୁ ସାମରିକ ଅସ୍ତ୍ରରୂପେ ବ୍ୟବହାର କରୁଥିଲେ । ସେମାନେ ନଳୀର ବ୍ୟବହାର କରିଥିବା କଥା ମଧ୍ୟ କୁହାଯାଇଛି । ଅନୁମାନ କରାଯାଏ ଇଂରେଜ ଏବଂ ଫରାସୀ ସୈନ୍ୟମାନଙ୍କୁ ହତ୍ୟାକରି ନଳୀ ସବୁ ଘୁମୁସର ସୈନ୍ୟମାନେ ଜବତ କରିଥିଲେ । ଘୁମୁସର କମାରମାନେ ମଧ୍ୟ ହାତ ତିଆରି ନଳୀ ସୈନ୍ୟମାନଙ୍କୁ ଯୋଗାଇଥିଲେ । ଘୁମୁସରବାସୀ ଥିଲେ ସାହାସୀ ବୀର । ସପ୍ତଦଶ ଶତାବ୍ଦୀରେ ଗଞ୍ଜାମ ସମ୍ବନ୍ଧରେ ହୁଏନ୍‌ସାଂ କହନ୍ତି, ‘‘The people Hindoos, the cities are strong and high, the solidiers are daring’’.

 

ଘୁମୁସର ସାମରିକ ଶକ୍ତି ବିଷୟରେ ଇଂରେଜ ସାହେବ କ୍ୟାମ୍ପବେଲ କହନ୍ତି, ‘‘ଆମେ ଯେତେବେଳେ କନ୍ଧ ବାହିନୀର ସମ୍ମୁଖୀନ ହେଉ, ଆଉ ସେମାନେ ଆମ ଆଡ଼କୁ ମାଡ଼ି ଆସନ୍ତି ସେତେବେଳେ ସଂଗ୍ରାମ ଭୟାବହ ହୁଏ ଓ ରକ୍ତାକ୍ତ ହୋଇଉଠେ ।’’ ୧୮୩୫ ମସିହା ଡିସେମ୍ବର ୩୧ ତାରିଖରେ ଧନଞ୍ଜୟଙ୍କ ପରେ ପୁତ୍ର ନୀଳକଣ୍ଠ ଭଂଜ ଘୁମୁସରର ସମ୍ରାଟ ହୋଇଥିଲେ । ତେବେ ଏହି ସମୟରେ ରାଜ୍ୟର ଅଭ୍ୟନ୍ତରୀଣ ପରିସ୍ଥିତି ଖୁବ୍‌ ଜଟିଳ ଥିଲା । ସାମରିକ ଦୃଷ୍ଟିରୁ ଘୁମୁସର ରାଜ୍ୟ ଗୁରୁତ୍ଵପୂର୍ଣ୍ଣ ହୋଇଥିବାରୁ ଇଂରେଜମାନେ ଏହାକୁ କଳେବଳେ ଅଧିକାରକୁ ନେବା ପାଇଁ ଚାହୁଁଥିଲେ । କୃଷ୍ଣଭଂଜଙ୍କ ସମୟରେ ଥିବା ୧୯ଟି ଜମିଦାରୀକୁ ନେଇ ଘୁମୁସର ଥିଲା ସବୁଠାରୁ ଶକ୍ତିଶାଳୀ ରାଜ୍ୟ, ଉତ୍ତରରେ ଘଞ୍ଚ ଜଙ୍ଗଲ, ଦକ୍ଷିଣରେ ବଡ଼ନଦୀ, ସର, ଲୋହରା ଖଣ୍ଡି, ବାଘୁଆ ଆଦି ନଦୀଗୁଡ଼ିକୁ କେନ୍ଦ୍ରକରି ଉର୍ବର ଜମି ସବୁ ରହିଛି । ଘୁମୁସରରେ ସୁଶାସନ ଓ ସୁରକ୍ଷାପାଇଁ ଭଞ୍ଜରାଜାମାନେ ବହୁ ବ୍ୟବସ୍ଥା ଗ୍ରହଣ କରିଥିବା ଜଣାଯାଏ । ସମୁଦ୍ର ଗୁପ୍ତ ତାଙ୍କର ଦାକ୍ଷିଣାତ୍ୟ ଅଭିଯାନ ବେଳେ ଏହି ଅଞ୍ଚଳ ଦେଇଯାଇଥିଲେ । ହର୍ଷବର୍ଦ୍ଧନ, ଇଶାଙ୍କ ଓ ପୁଲକେଶୀଙ୍କର ସୈନ୍ୟମାନଙ୍କର ଏହି ରାଜ୍ୟରେ ହିଁ ସମାଗମ ହୋଇଥିଲା । ପ୍ରାଚୀନ କୋଶଳ ରାଜ୍ୟର ସୀମାସ୍ପର୍ଶ କରିବାକୁ ହେଲେ ଘୁମୁସରର କଳିଙ୍ଗାଘାଟ ପର୍ବତ ଅତିକ୍ରମ କରିବାକୁ ହୁଏ । ଏଣୁ ଗମନାଗମନ ଓ ସାମରିକ ଦୃଷ୍ଟି କୋଣରୁ ଏହି ସ୍ଥାନ ଥିଲା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ସାମରିକ ବ୍ୟବସ୍ଥା ଦୃଷ୍ଟିରୁ ଘୁମୁସରରେ ଯେଉଁ ଅଠରଟି ଗଡ଼ ସ୍ଥାପନ କରାଯାଇଥିଲା । ସେଗୁଡ଼ିକ ହେଲା- ଚନ୍ଦ୍ରଗିରି, ବରପଲ୍ଲୀ, ବିଷ୍ଣୁଚକ୍ର, ବୁଗୁଡ଼ା, ଜଗନ୍ନାଥ ପ୍ରସାଦ, କମସର, ବାଇବାଲି, ବିରିକୋଟ, ଅନ୍ଧାରିକୋଟ, ସୁଜାଗଡ଼, ତେନ୍ତୁଳିଗଡ଼, ଦୁର୍ଗାପ୍ରସାଦ, ଇତ୍ୟାଦି । ସେହିପରି ଶାସନର ବିକେନ୍ଦ୍ରୀକରଣ ପାଇଁ ଘୁମୁସରକୁ ଇଂରେଜମାନେ ୨୪ ଗୋଟି ‘ମୁଠା’ରେ ବିଭକ୍ତ କରିଥିଲେ । ସେଗୁଡ଼ିକ ହେଲା ବୁଗୁଡ଼ା ମୁଠା, ଜଗନ୍ନାଥ ପ୍ରସାଦ ମୁଠା, କୋକଳବା ମୁଠା, ଗାଲେରୀ ମୁଠା, ଦକ୍ଷିଣ ଗଡ଼ତଳ, ଉତ୍ତରଗଡ଼ତଳ, ପୂର୍ବଗଡ଼ତଳ, ଗଣ୍ଡିବେତ୍‌ ଅତାଗିରି, ଭୂତପଲ୍ଲୀ, ପାଇଲିପଡ଼ା ଓ ଜାଙ୍କ୍‌ସାବାଡ଼ି ମୁଠା ଇତ୍ୟାଦି । ତେବେ ୧୮୯୪ ରେ ଭଂଜନଗର ଜଳ ଭଣ୍ଡାର ନିର୍ମାଣ ବେଳେ ଜାଙ୍କସା ବାଡ଼ିମୁଠା ଜଳମଗ୍ନ ହୋଇ ସାରା ହରାଇଛି ।

 

ଧନଞ୍ଜୟ ଭଂଜଙ୍କ ରାଜୁତି କାଳରେ ବ୍ରିଟିଶ୍‌ ବାହିନୀ ଚକ୍ରାନ୍ତ କରି ତାଙ୍କୁ ଗାଦିଚ୍ୟୁତ କରିଥିଲେ । ତାଙ୍କ ସେନାପତି ଦୋହରା ବିଷୋୟୀ ଏହାର ପ୍ରତିବାଦ କରି ଇଂରେଜଙ୍କ ବିରୁଦ୍ଧରେ ଲଢ଼େଇ କରିଥିଲେ । ଏପରିକି ଗରିଲାଯୁଦ୍ଧ କରି ସେମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲେ । ଶେଷରେ କୌଶଳକ୍ରମେ ତାଙ୍କୁ ଧରିନେଇ-ମାଡ୍ରାସର ‘ଗୁଟି’ ଜେଲ୍‌ରେ ବନ୍ଦୀ କରି ରଖିଥିବା ବେଳେ ସେହିଠାରେ ହିଁ ତାଙ୍କର ମହାପ୍ରୟାଣ ଘଟିଥିଲା । ହେଲେ ଇଂରେଜ ବିରୋଧ ସଂଗ୍ରାମକୁ ଜାରି ରଖିଥିଲେ ତାଙ୍କର ଉତ୍ତରଦାୟାଦ ଚକରା ବିଷୋୟୀ । ଧନଞ୍ଜୟଙ୍କୁ ଗାଦିସୀନ କରିବା ନିମନ୍ତେ ସେ ନିଜ ଜୀବନକୁ ବାଜି ଲଗେଇ ଦେଇଥିଲେ । ଘୁମୁସରର ବିଞ୍ଜିଗିରୀ ଗ୍ରାମରେ ଜନ୍ମଲାଭ କରିଥିବା ଏହି ଦୁର୍ଦ୍ଦଶ ଦେଶଭକ୍ତ ବର୍ତ୍ତମାନର ଭଂଜନଗର ସହରଠାରୁ ୨୫ କି.ମି. ଦୂରରେ ଦଶପଲ୍ଲା ଯିବାରାସ୍ତାରେ ଘଞ୍ଚ ଅରଣ୍ୟ ମଧ୍ୟରେ ଏକ ଘାଟି ସ୍ଥାପନ କରିଥିଲେ ଯାହା ଏବେ ଚକ୍ରଘାଟି ନାମରେ ପରିଚିତ । ଏଠାରେ ସେ ଯୁଦ୍ଧ ଅଭ୍ୟାସ କରୁଥିଲେ । ଚକ୍ରଘାଟିର ବିଶେଷତ୍ୱ ହେଲା ଏଠାରେ ଥିବା ରଣଘଣ୍ଟା ଦେବୀ ପୀଠ । ଭଂଜରାଜା ଓ ଚକରା ଯୁଦ୍ଧକୁ ଯିବା ପୂର୍ବରୁ ମାଆଙ୍କ ଆଶୀର୍ବାଦ ନେଇ ଯାଉଥିଲେ । ଶତ୍ରୁ ସୈନ୍ୟ ଯେତେବେଳେ ଏହି ସ୍ଥାନ ଆଡ଼କୁ ଆସୁଥିଲେ ମାଆଙ୍କ ଠାରେ ଥିବା ଘଣ୍ଟ ଦୁଇଟି ଆପେ ଆପେ ବାଜି ଉଠୁଥିଲା ବୋଲି କଥିତ ଅଛି । ତନ୍ତ୍ର ଶାସ୍ତ୍ରରେ ଯେଉଁ ମହାବିଦ୍ୟାର ଶକ୍ତିପୀଠ ଅଛନ୍ତି ତାରସିଂର ରଣଘଣ୍ଟା ତନ୍ମଧ୍ୟରୁ ଅନ୍ୟତମ । ଅନ୍ୟମାନେ ହେଲେ କୁଲାଡ଼ର ବାଗ୍‌ଦେବୀ, ଗୁଜୁରାଳିର ପାଟଖଣ୍ଡା, ଗାଲେରୀର କାଳୀ, କୁପାଟିର ଘାଟିଶୂଳା, ଡହରବାପାଙ୍ଗି, କୋକଳବାର ଉରାଣ୍ଡି, କଦଳୀଗଡ଼ର ଭଗବତୀ, ଭଂଜନଗର ସନ୍ନିକଟ ସୋରାଦେବୀ ପ୍ରଭୃତି ।

 

କବି ଉପେନ୍ଦ୍ରଭଂଜ ରାଜା ନୀଳକଣ୍ଠ ଭଞ୍ଜଙ୍କର ଜ୍ୟେଷ୍ଠ ପୁତ୍ର ଭାବେ ୧୬୭୦ ମସିହାରେ ଘୁମୁସରର କୁଲାଡ଼ ଦୁର୍ଗରେ ଏକ ନୈସର୍ଗିକ ମଞ୍ଜୁଳ ପ୍ରାକୃତିକ ପରିବେଶ ମଧ୍ୟରେ ଜନ୍ମଗ୍ରହଣ କରିଥିଲେ । ଉପେନ୍ଦ୍ର ଭଂଜଙ୍କ ପିତାମହ ରାଜା ଧନଞ୍ଜୟ ଭଂଜ ବାଲ୍ୟକାଳରୁ ଉପେନ୍ଦ୍ରଙ୍କ ପ୍ରତିଭାର ପରିଚୟ ପାଇ ତାଙ୍କୁ ଗଭୀର ସ୍ନେହ କରୁଥିଲେ । ଭାରତର ବିଭିନ୍ନ ସ୍ଥାନରୁ ବଡ଼ ବଡ଼ ପଣ୍ଡିତମାନଙ୍କୁ ଡକାଇ ତାଙ୍କ ଶିକ୍ଷାର ଭାର ସେମାନଙ୍କ ହସ୍ତରେ ଅର୍ପଣ କରିଥିଲେ । ଉପେନ୍ଦ୍ର ବାଲ୍ୟକାଳରୁ ନିଜର ଅସାଧାରଣ ବୁଝି, ଜିତେନ୍ଦ୍ରିୟଶକ୍ତି ଏବଂ ଏକନିଷ୍ଠ ଅଧ୍ୟବସାୟ ବଳରେ ବହୁଶାସ୍ତ୍ର ଜ୍ଞାନର ଅଧିକାରୀ ହୋଇପାରିଥିଲେ । ତେବେ କବିତ୍ଵ ପ୍ରାପ୍ତ ପାଇଁ ଧନଞ୍ଜୟଙ୍କ ପରାମର୍ଶରେ ନିଜର ଇଷ୍ଟଦେବୀ ବାଗ୍‌ଦେବୀଙ୍କ ଶରଣାପନ୍ନ ହୋଇଥିଲେ । ଦେବୀ ରାମତାରକ ମନ୍ତ୍ର ସିଦ୍ଧ କରିବା ପାଇଁ ସ୍ଵପ୍ନାଦେଶ କରିବାରୁ ଉପେନ୍ଦ୍ର ଭଂଜ ବୁଗୁଡ଼ା ନିକଟ ସିଦ୍ଧଗୁମ୍ପାରେ ଧ୍ୟାନ କରି ରାମତାରକ ମନ୍ତ୍ର ସିଦ୍ଧଲାଭ କରିଥିଲେ । ଫଳରେ ଏହି ସ୍ଥାନର ନାମ ସିଦ୍ଧ ଗୁମ୍ପା ହୋଇଅଛି ।

 

ଧନଞ୍ଜୟ ନିଜେ ଜଣେ ଉଚ୍ଚକୋଟୀର କବି ଥିଲେ । ସେ ଶ୍ରୀରାମ ବନବାସ ବା ରଘୁନାଥ ବିଳାସ ପ୍ରଭୃତି ପୌରାଣିକ ଓ କାଳ୍ପନିକ କାବ୍ୟକୁ ମିଶାଇ ନଅଖଣ୍ଡ କାବ୍ୟ ରଚନା କରିଥିଲେ । ଏକଦା ସେ ନିଜର ଶ୍ରୀରାମ ବିଳାସ କାବ୍ୟଟି ଉପେନ୍ଦ୍ରଙ୍କୁ ପ୍ରଦାନ କରି କାବ୍ୟ ଗ୍ରନ୍ଥ ସଂପର୍କରେ ମତାମତ ଲୋଡ଼ିଥିଲେ । ଉପେନ୍ଦ୍ରଭଂଜ ପଢ଼ିବା ପରେ ଏହାର ଉଚ୍ଚ ପ୍ରଶଂସା କରିବା ସହ କାବ୍ୟଟିରେ ଅଧିକ ଅଳଙ୍କାର ପ୍ରୟୋଗ କରିଥିଲେ ଭଲ ହୋଇଥାନ୍ତା ବୋଲି ମତ ବ୍ୟକ୍ତ କରିଥିଲେ । ଏତାଦୃଶ୍ୟ ମନ୍ତ୍ରବ୍ୟରେ ଧନଞ୍ଜୟ ଉପେନ୍ଦ୍ରଙ୍କୁ ଏପରି ଏକ କାବ୍ୟରଚନା କରିପାରିବ କି ବୋଲି ପ୍ରଶ୍ନ କରିଥିଲେ । ଉପେନ୍ଦ୍ର ମଧ୍ୟ ବିନୟରେ କହିଥିଲେ ଛାମୁଙ୍କର ଦୟାହେଲେ ଅଚିରେ ପ୍ରଭୁ ରାମଚନ୍ଦ୍ରଙ୍କ ବିଷୟରେ ଗୋଟିଏ କାବ୍ୟ ରଚନା କରିପାରିବି । ଫଳସ୍ଵରୂପ ଏକ ବର୍ଷ ମଧ୍ୟରେ ପିତାମହଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷାକରି ସେ ବୈଦେହୀଶ ବିଳାସ ମହାକାବ୍ୟ ରଚନା କରି ଆଲୋଡ଼ନ ସୃଷ୍ଟି କରିଥିଲେ । ଯାହା ‘ବ’ ଆଦ୍ୟ ଅକ୍ଷରକୁ ନେଇ ବାବନ ଛାନ୍ଦ ବିଶିଷ୍ଠ ଅଟେ । ତେବେ ଗ୍ରନ୍ଥଟିର ରଚନା ଶେଷ ହେବା ବେଳକୁ ରାଜା ଧନଞ୍ଜୟ ଇହଲୀଳା ସମ୍ବରଣ କରିସାରିଥିଲେ ଏବଂ ନୀଳକଣ୍ଠ ଭଂଜ ଘୁମୁସରର ରାଜସିଂହାସନ ଆରୋହଣ କରିଥିଲେ । ଉପେନ୍ଦ୍ର ଭଂଜ ବୈଦେହୀଶ ବିଳାସରେ ଲେଖିଛନ୍ତି:-

 

ବୈଦେହୀଶ ବିଳାସ ଏ ଗୀତ ମନୋରମ

ବାନଛନ୍ଦେ ଶେଷ ଆଦ୍ୟ ‘ବ’ କାର ନିୟମ ଯେ ।

xxx       xxx       xxx

ବରହୀ ବଂଶେ ଉଦ୍ଭବ ନୃପ ଧନଞ୍ଜୟ

ବିଶିଷ୍ଟେ ଘୁମୁସର ଅଧିପ ଗୁଣାଳୟଯେ ।।

ବେନି ଅର୍ଥେ ସେ କବି ଗଣେଶ ବୋଲି ଜାଣ

ବନ୍ଦନ ହେବତ ତାଙ୍କ ନନ୍ଦନ ପ୍ରମାଣ ଯେ ।।

ବସୁଧା ପ୍ରତି ସେ ନୀଳକଣ୍ଠ ନାମେ ଖ୍ୟାତ ।

ବିଧାନରେ ମୁହିଁ ତାହାଙ୍କର ଜ୍ୟେଷ୍ଠ ସୁତଯେ ।।

ବୀରବର ପଦ ଉପେନ୍ଦ୍ର ମୋର ନାମ ।

ବାରେବାରେ ସେବାରେ ମନାଇଁ ସୀତାରାମ ଯେ ।।

ବିଚିତ୍ର କବିତ୍ୱ ମାର୍ଗେ ପ୍ରସରିଲା ବୁଦ୍ଧି ।

ବିରଚିଲି ରାମାୟଣ ଏ ମୋ ବଡ଼ ସିଦ୍ଧି ଯେ ।।

ବାନ ପଦରେ ଆଦରେ କଲି ଛନ୍ଦ ପ୍ରାନ୍ତ ।

ବୁଧେସରସ କର୍କ ସେ ରସାଳ ଏ ସତ ଯେ ।।

 

ସତୁରୀରୁ ଅଧିକ କାବ୍ୟ ଗ୍ରନ୍ଥର ସ୍ରଷ୍ଟା କବି ସମ୍ରାଟ ଉପେନ୍ଦ୍ର ଭଂଜଙ୍କ ଏ ଯାବତ ତିରିଶି ଖଣ୍ଡ ପୁସ୍ତକ ପ୍ରକାଶ ପାଇଥିବା ବେଳେ ଅନ୍ୟଗୁଡ଼ିକ ଦୁଷ୍ଟ୍ରାପ୍ୟ ।

 

ଭଂଜରାଜାମାନଙ୍କ ପୃଷ୍ଠପୋଷକତାରେ ଘୁମୁସରରେ ଅନେକ ମନ୍ଦିର ନିର୍ମାଣ କରାଯାଇଥିବାର ଜଣାଯାଏ । ଶ୍ରୀକର ଭଞ୍ଜ ନିର୍ମାଣ କରିଥିବା ବେଲଗୁଣ୍ଠାର ନୃସିଂହନାଥ ମନ୍ଦିର ଓ ଜଗନ୍ନାଥ ମନ୍ଦିରର କାରୁକାର୍ଯ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ । ବୁଗୁଡ଼ାରେ ନିର୍ମିତ ବିରଞ୍ଚି ନାରାୟଣ ମନ୍ଦିର ମଧ୍ୟ ଭଂଜରାଜାଙ୍କ ଅକ୍ଷୟ କିର୍ତ୍ତି । ତତ୍‌କାଳୀନ ଜୟନ୍ତୀ ଗଡ଼ଠାରେ ନିର୍ମିତ ବାମନ ମନ୍ଦିର, ଶୈବପୀଠ ଓ କନକ ଦୁର୍ଗା ମନ୍ଦିରଗୁଡ଼ିକ ଭଂଜ ବଂଶୀୟ ରାଜାମାନଙ୍କ ସ୍ମାରକ ରୂପେ ରହିଛି ।

 

ଘୁମୁସରର ଘୁମନ୍ତ ପ୍ରକୃତି ଅପରୂପଶୋଭା ଧାରଣରେ ଯେପରି ପ୍ରାଣବନ୍ତ ତାହାର ବକ୍ଷରେ କେଉଁ ଅନାଦି କାଳରୁ ଜାଜ୍ଵଲ୍ୟମାନ ଐତିହାସିକ କିର୍ତ୍ତିରାଜ ସବୁ ସେପରି ଜୀବନ୍ତ । ଏଥିସହ ନବଉତ୍କଳର ନିର୍ମାଣରେ ଘୁମୁସରର ଐତିହାସିକ ଅବଦାନ ଅବିସ୍ମରଣୀୟ ।

 

ଓଡ଼ିଆ ଭାଷାର ଦୁର୍ଦ୍ଦିନ କାଳରେ ଭରି ଭରି କାବ୍ୟ କବିତା ରଚନା କରି ଯେଉଁ ବରେଣ୍ୟ ସାରସ୍ଵତ ସାଧକ ସମଗ୍ର ଓଡ଼ିଆ ଜାତିର ରକ୍ଷକ ସାଜିଥିଲେ ସେ ହେଉଛନ୍ତି ଆମର ପ୍ରିୟ କବି- କବିସମ୍ରାଟ ଉପେନ୍ଦ୍ର ଭଂଜ, କେବଳ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ନୁହେଁ, ପରାଧୀନ ଜନ୍ମଭୂମିର ମାର୍ମିକ ଆବେଦନକୁ ଉପଲବ୍‌ଧ କରି ବିଦେଶୀ ଶାସନର ମୁଳୋତ୍ପାଟନ ନିମନ୍ତେ ପ୍ରଥମେ ରଣ ହୁଙ୍କାର ଦେଇ ରକ୍ତ ରଂଜିତ ହୋଇଥିବା ଘୁମୁସରର ଐତିହ୍ୟ ତଥା ସଂସ୍କୃତିର ସେ ଥିଲେ ରକ୍ଷାକବଚ ।

 

ଘୁମୁସରରେ ଜନ୍ମଲାଭ କରିଥିବା କବିଚନ୍ଦ୍ର ଆନନ୍ଦ ଚନ୍ଦ୍ର ପତି, ଲୋକ କବି ଯୋଗୀ ମଳିକ, ସାହିତ୍ୟିକ ଅନନ୍ତ ପଦ୍ମନାଭ ପଟ୍ଟନାୟକ, ଗୋରାଚାନ୍ଦ ମିଶ୍ର, ଦୀନବନ୍ଧୁ ବେହେରା, କ୍ଷେତ୍ରମଣି ପଣ୍ଡା, ମାଗୁଣି ଦାସ, ସମାଜ ସଂସ୍କାରକ ଶ୍ରୀବତ୍ସପଣ୍ଡା, ପ୍ରବାଦ ପୁରୁଷ ବିଜୁପଟ୍ଟନାୟକ, କଳାକାର- ରାଧାପଣ୍ଡା, ଭଞ୍ଜଶ୍ରୀ ଶ୍ରୀଧର ଶତପଥୀ, ପ୍ରଭୃତିଙ୍କ ବ୍ୟକ୍ତିତ୍ଵ ଲାଗି ଏମାଟି ଗର୍ବିତ ।

 

ସମୟ ବିବର୍ତ୍ତନରେ ପୁରାତନ ଘୁମୁସରର ରୂପ ଆଜି ବଦଳି ଯାଇଛି । ତେବେ ବହୁ ଐତିହାସିକ ପୀଠ ପ୍ରାଚୀନ ଐତିହ୍ୟର ମୁକସାକ୍ଷୀ ସ୍ୱରୂପ ଏବେ ମଧ୍ୟ ଦଣ୍ଡାୟମାନ । ୧୯୫୩ ମସିହାରେ ଓଡ଼ିଶାର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଡଃ. ହରେକୃଷ୍ଣ ମହତାବ ଘୁମୁସରର ପ୍ରଶାସନ କେନ୍ଦ୍ର ରସଲ୍‌କୋଣ୍ଡା ନାମରୁ ଭଂଜନଗର ଘୋଷଣା କରି କବି ସମ୍ରାଟଙ୍କ ପ୍ରତି ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିଛନ୍ତି । ୧୯୬୦ ମସିହାରେ ନିର୍ମିତ ଭଞ୍ଜ ସାହିତ୍ୟ ପରିଷଦ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ପାଳନ କରିବା ସହ ଓଡ଼ିଶାର ବହୁ ପ୍ରତିଭାଙ୍କୁ ଲୋକ ଲୋଚନକୁ ଆଣିବାରେ ସାହାଯ୍ୟ କରି ଆସୁଛି । ବାସ୍ତବିକ ଘୁମୁସରର ଭୌଗୋଳିକ ସୀମାସରହଦ ମଧ୍ୟରେ ଥିବା ସମସ୍ତ ଐତିହାସିକ କୀର୍ତ୍ତିରାଜି ଯେମିତି ଇତିହାସର ବାର୍ତ୍ତାବହ ସ୍ଵରୂପେ ସେହି ଗୌରବମୟ ଅଧ୍ୟାୟ ଓ ସଂସ୍କୃତିକୁ ଲୋକଙ୍କଠାରେ ପହଞ୍ଚାଇପାରୁଛି ।

 

 

କଳିଙ୍ଗ ନଗର

ଭଞ୍ଜନଗର, ଗଞ୍ଜାମ

 

 

ସହାୟକ ଗ୍ରନ୍ଥସୂଚୀ :

୧.

ଘୁମୁସର ଇତିହାସ

: ତାରିଣି ଚରଣ ରଥ

୨.

ବହିତ୍ର

: ସଂଖ୍ୟା-୬

୩.

ବୀର ଚକରା

: ଅନନ୍ତ ପଦ୍ମନାଭ ପଟ୍ଟନାୟକ

୪.

ଭପେନ୍ଦ୍ର ଭଂଜ ପରିକ୍ରମା:

 

୫.

ବହିତ୍ର

: ସଂଖ୍ୟା-୧୦

୬.

ସଂଗ୍ରାମୀ ବୀର ଚକରା ବିଷୋୟୀ

: ଲୋହରାଖଣ୍ଡି ପବ୍ଲିକେସନ୍‌

୭.

ବହିତ୍ର

: ସଂଖ୍ୟା-୪

୮.

କବି ସମ୍ରାଟ ଉପେନ୍ଦ୍ର ଭଂଜ

: ଅନନ୍ତ ପଦ୍ମନାଭ ପଟ୍ଟନାୟକ

୯.

ଘୁମୁସର

: ପ୍ରଥମ ଭାଗ

୧୦.

ଭଞ୍ଜସାହିତ୍ୟ

: ଶ୍ରୀଧର ଶତପଥି

୧୧.

ବହିତ୍ର ସଂଖ୍ୟା

: ୧

 

***

 

Unknown

ତୁଳାନାତ୍ମକ ପ୍ରସଂଗ ଭିତ୍ତିରେ ‘ମାଂସର ବିଳାପ’ ଓ କାଲାପାହାଡ଼

ଫକୀର ଚରଣ ନାୟକ

 

ଫକୀରମୋହନ ପରବର୍ତ୍ତୀ ଓଡ଼ିଆ କଥା ସାହିତ୍ୟରେ କାଳିନ୍ଦୀ ଚରଣ ପାଣିଗ୍ରାହୀ ଜଣେ ବହୁ ଚର୍ଚ୍ଚିତ ପ୍ରତିଭା । ଅନୁରୂପ ଭାବେ ରବୀନ୍ଦ୍ରନୀଥ ପରବର୍ତ୍ତୀ ବଂଗଳା ସାହିତ୍ୟରେ ତାରାଶଂକର ବଂଗୋପାଧ୍ୟାୟ ଜଣେ କ୍ରାନ୍ତିକାରୀ ସ୍ରଷ୍ଟା । ଉଭୟ ଲେଖକ ସାହିତ୍ୟର ବିଭିନ୍ନ ବିଭାଗରେ ସିଦ୍ଧହସ୍ତତାର ପରିଚୟ ପ୍ରଦାନ କରିଛନ୍ତି । ଜଣେ ଓଡ଼ିଶାର, ଓଡ଼ିଆ ଭାଷାର ତଥା ଓଡ଼ିଶାର ସାହିତ୍ୟ ସଂସ୍କୃତି ଓ ଚାଲିଚଳଣି ସହିତ ଓତଃପ୍ରୋତ ଭାବେ ଜଡ଼ିତ ହୋଇଥିବା ସ୍ଥଳେ ଅନ୍ୟ ଜଣେ ପଶ୍ଚିମବଂଗର ବଂଗଳା ଭାଷା, ସାହିତ୍ୟ, ସଂସ୍କୃତି, କଳା ଓ ଭାସ୍କର୍ଯ୍ୟ ସହିତ ନିଜକୁ ଦୃଢ଼ଭାବେ ନିୟୋଜିତ ରଖିଛନ୍ତି । ଏ ଦୁଇଜଣ ସମସାମୟିକ ଲେଖକ ଭାବେ ନିଜସ୍ଵ ଭାଷାର ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ବୟସର ତାରତମ୍ୟ ମାତ୍ର ତିନିବର୍ଷ । ତାରାଶଙ୍କରଙ୍କ ଜନ୍ମ ହୁଏ ୧୮୯୮ ମସିହାରେ ବୀରଭୂମ ଜିଲ୍ଲାର ଲାଉପୁର ଗ୍ରାମରେ । କାଳନ୍ଦୀ ଚରଣଙ୍କ ଜନ୍ମ ହୁଏ ୧୯୦୧ ମସିହାରେ ପୁରୀ ଜିଲ୍ଲାରେ ବିଶ୍ଵନାଥପୁର ଶାସନରେ । ଜଣେ ବୀରଭୂମର ରଂଗୀନ ମାଟି, ପାଣି- ପବନ ସହିତ ଅନୁଭୂତି ସଂଗ୍ରହ କରିଥିବା ବେଳେ ଅନ୍ୟଜଣେ ଓଡ଼ିଶାର ସଂସ୍କୃତି ପୀଠ ନୀଳାଚଳ ଧାମରୁ ନିଜର ଜୀବନ ଆରମ୍ଭ କରିଛନ୍ତି । ଏଇଥିପାଇଁ ଉଭୟ ସାହିତ୍ୟିକ ଦରଦୀ ପ୍ରକୃତିର । ମାନବଜାତିଠାରୁ ଆରମ୍ଭ କରି ପଶୁପକ୍ଷୀ-କୀଟ ପତଙ୍ଗ ପର୍ଯ୍ୟନ୍ତ ସାହିତ୍ୟିକ ଭାବ ପରିଧି ବିସ୍ତାର କରିଥିବା ଏହି ଦୁଇଜଣ ସ୍ପଷ୍ଟ ଇତର ଜାତି ପ୍ରତି ବେଶ୍‌ ସମ୍ବେଦନଶୀଳ ହୋଇ ପଡ଼ିଛନ୍ତି । ଏଇଥିପାଇଁ ଏମାନଙ୍କ ସାହିତ୍ୟରେ ଏକ ଆକର୍ଷଣୀୟ ଶାଶ୍ଵତ ପରିମଣ୍ଡଳ ମଧ୍ୟରେ ପାଠକ ଅଚିରେ ବାନ୍ଧି ହୋଇପଡ଼େ । କ୍ଷଣିକ ପାଇଁ ହେଲେ ବି ସେ ଯାବତୀୟ ହିଂସା, ଦ୍ଵେଷ, ଗର୍ବ ଓ ଅହଂକାରକୁ ଘୃଣା କରି ବସେ ଏବଂ ଶାନ୍ତି ଶୃଙ୍ଖଳିତ ପରିବେଶ ମଧ୍ୟରେ ଜାଗତିକ ମହାନଂଦ ପ୍ରତି ଆକର୍ଷିତ ହୋଇଉଠେ ।

 

କାଳିନ୍ଦୀ ଚରଣ ପାଣିଗ୍ରାହୀ ଏକାଧାରରେ ଜଣେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର, ପ୍ରାବନ୍ଧିକ ଓ ସମାଲୋଚକ ଭାବେ ପରିଚିତ । ‘ମାଟିର ମଣିଷ’ , ‘ମୁକ୍ତାଗଡ଼ର କ୍ଷୁଧା’, ‘ଲୁହାର ମଣିଷ’, ‘ଆଜିର ମଣିଷ’ ପ୍ରଭୃତି ଉପନ୍ୟାସ, ‘ଦ୍ଵାଦଶୀ’, ‘ସାଗରିକା’, ‘ରାଶିଫଳ’, ‘ଶେଷ ରଶ୍ଜି’, ‘ମୋ କଥାଟି ସରିନାହିଁ’ ପ୍ରଭୃତି ଗଳ୍ପ ସଂକଳନ, ‘ପ୍ରୟିଦର୍ଶୀ’, ‘ସୌମ୍ୟା’, ‘ପଦ୍ମିନୀ’ ପ୍ରଭୃତି ନାଟକ ଏବଂ ‘ମନେ ନାହିଁ’, ‘ଛୁରୀଟିଏ ଲୋଡ଼ା’, ‘କ୍ଷଣିକ ସତ୍ୟ’, ‘ମହାଦୀପ’, ‘ମୋ କବିତା’ ପ୍ରଭୃତି କବିତା ସଂକଳନ ତାଙ୍କର ଓଡ଼ିଆ ସାହିତ୍ୟ ପାଇଁ ଏକଏକ ଅମୂଲ୍ୟ ସଂପଦ । ତାଙ୍କର ବହୁ ଚର୍ଚ୍ଚିତ ଓ ଆକର୍ଷିତ ଲେଖାମଧ୍ୟରେ ‘ମାଟିର ମଣିଷ’ ଉପନ୍ୟାସ ଓ ‘ମାଂସର ବିଳାପ’ ଗଳ୍ପ ଅନ୍ୟତମ । କେବଳ ଯଦି ସେ ଏହି ଦୁଇଟି ବ୍ୟତୀତ ଅନ୍ୟ କିଛି ଲେଖିନଥାନ୍ତେ ତଥାପି ସେ ଓଡ଼ିଆ ପାଠକଙ୍କ ନିକଟରେ ନମସ୍ୟ ହୋଇ ରହିଥାନ୍ତେ । ଅତଏବ ଉକ୍ତ ଦୁଇଟି କୃତି ଲେଖକଙ୍କ କାଳଜୟୀତାର ସ୍ଵାକ୍ଷର ବହନ କରେ ।

 

ଭଗ୍ନ ସ୍ୱାସ୍ଥ୍ୟ ଓ ରାଜନୀତିକ କାରଣରୁ ଉଚ୍ଚ ଶିକ୍ଷାରୁ ବଂଚିତ ବଂଗୀୟ ଲେଖକ ତାରାଶଂକର ବଂଗୋପାଧ୍ୟାୟ ସ୍ଵଳ୍ପ ସମୟ ପାଇଁ ଚାକିରି ବା କୋଇଲା ବ୍ୟବସାୟରେ ମନୋନିବେଶ କରିଥିଲେ । ସେ ସାହିତ୍ୟିକ ଭାବେ ପ୍ରଥମେ କାବ୍ୟ-କବିତା ଓ ନାଟକ ନେଇ ଆବିର୍ଭୃତ ହୁଅନ୍ତି । ପ୍ରଥମ ପ୍ରକାଶିତ ଗ୍ରନ୍ଥ ‘ତ୍ରିପତ୍ର’ କେତେ ଗୋଟି ଗୀତି କବିତାର ସଂକଳନ । ନାଟକ ‘ମାରହାଟା- ତର୍ପଣ’ ଓ ପ୍ରଥମ ଉପନ୍ୟାସ ‘ଦୀନାର ଦାନ’ ତଥା ‘ରସକଲି’ ଓ ‘କଲ୍ଲୋଲେ’ ସାହିତ୍ୟିକ ଜୀବନର ଆଦ୍ୟକାଳରେ ରଚିତ । କ୍ରମେ ସେ ଗଳ୍ପ ଉପନ୍ୟାସାଦି ବହୁ ଗ୍ରନ୍ଥ ରଚନା କରିଛନ୍ତି । ସମସ୍ତ ବିଭାଗରେ ସେ ହସ୍ତଚାଳନା କରିଥିବା ସତ୍ତ୍ଵେବି ଜଣେ ବିଶିଷ୍ଟ କଥାକାର ଭାବେ ସେ ଭାରତୀୟ ସାହିତ୍ୟାଦର୍ଶର ବେଶ୍‌ ପରିଚିତ । ତାଙ୍କର ‘ଆରୋଗ୍ୟ ନିକେତନ’ ଉପନ୍ୟାସ ପଶ୍ଚିମବଂଗ ସରକାରଙ୍କ ଦ୍ଵାରା ରବୀନ୍ଦ୍ର ପୁରସ୍କାର ଭାବେ ସମ୍ମାନିତ ଓ ସାହିତ୍ୟ ଏକାଡେମୀ ଦ୍ଵାରା ମଧ୍ୟ ପୁରସ୍କୃତ ହୋଇଥିଲା ଏବଂ ସର୍ବଶ୍ରେଷ୍ଠ କୃତିଭାବେ ‘ଗଣଦେବତା’ ଉପନ୍ୟାସ ଜ୍ଞାନପୀଠ ପୁରସ୍କାର ଲାଭ କରିଥିଲା । ବ୍ୟକ୍ତଗତ ଜୀବନରେ ସ୍ଵଳ୍ପଭାଷୀ କିନ୍ତୁ ସୁବକ୍ତା, ସୁଅଭିନେତା ଏହି ପ୍ରତିଭାଧର ଜଣକ କିଛି ହୃଦୟସ୍ପର୍ଶୀ ଅନୁଭୂତିର ଝଲକଭାବେ ଗଳ୍ପଉପନ୍ୟାସ ସୃଷ୍ଟି କରି ଯାଇଛନ୍ତି ଯାହା ଆଜି ବି ପାଠକଙ୍କ ଚିତ୍ତବୃତ୍ତିକୁ ରୋମନ୍ଥିତ କରିଦିଏ ।

 

କାଳନ୍ଦୀଚରଣ ଓ ତାରାଶଂକର ଉଭୟେ କଥାସାହିତ୍ୟ ସୃଷ୍ଟିରେ ଅଗ୍ରଣୀ ଥିବା କଥା ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ପ୍ରତୀୟମାନ ହୁଏ । କାଳନ୍ଦୀଚରଣ ‘ମାଟିର ମଣିଷ’ ଉପନ୍ୟାସ ଓ ‘ମାଂସର ବିଳାପ’ ଗଳ୍ପ ପରି ତାରାଶଂକରଙ୍କ ‘ଗଣଦେବତା’ ଉପନ୍ୟାସ ଓ ‘କାଲାପାହାଡ଼’ ଗଳ୍ପ ଲେଖକୀୟ ଶ୍ରେଷ୍ଠ କୃତିତ୍ୱର ପରିଚୟ ବହନ କରିଥାଏ । ତେଣୁ ଆଲୋଚ୍ୟ ପ୍ରବନ୍ଧରେ ଉଭୟ ଗାଳ୍ପିକଙ୍କ ଶ୍ରେଷ୍ଠ ଗଳ୍ପ ‘ମାଂସର ବିଳାପ’ ଓ ‘କାଲାପାହାଡ଼’ କୁ ଏକ ତୁଳନାତ୍ମକ ଆଲୋକରେ ଅଧ୍ୟୟନ କରିବା ମୋର ଏ ପ୍ରବନ୍ଧର ଏକାନ୍ତ କାମ୍ୟ ।

 

‘ମାଂସର ବିଳାପ’ ଓ ‘କାଲାପାହାଡ଼’ ଅନେକ ଦୃଷ୍ଟିରୁ ସମପର୍ଯ୍ୟାୟବାଚୀ ଗଳ୍ପ । ଉଭୟ ଗଳ୍ପରେ ମାନବେତର ଚରିତ୍ର ମୁଖ୍ୟ ଓ ମାନବ ଚରିତ୍ର ଗୌଣ । ମାନବେତର ଚରିତ୍ରମାନଙ୍କର ମନୋବିଶ୍ଳେଷଣ ଉଭୟ ଗଳ୍ପରେ ବେଶ୍‌ ଚମତ୍କାର ଶୈଳୀରେ ହୋଇଛି ସଂପନ୍ନ । ଉଭୟ ଗଳ୍ପ ହୃଦୟ ବିଦାରକ ତଥା ବିୟୋଗାନ୍ତକ ଶିଳ୍ପ କଳ୍ପରେ ଶୋଭାମଣ୍ଡିତ । ଉଭୟଙ୍କ ଗଳ୍ପର ପ୍ରାରମ୍ଭିକ ଶୈଳୀ ଆଶ୍ଚର୍ଯ୍ୟଜନକ ଭାବେ ଏକ ଶ୍ରେଣୀୟ । ମଣିଷ ଓ ପଶୁମାନଙ୍କ ମଧ୍ୟରେ ସ୍ନେହ- ବାତ୍ସଲ୍ୟମମତାଦିର ଚିତ୍ରରେ କାହାଣୀ ଦୁଇଟି ପ୍ରଥମେ ସୃଷ୍ଟି ହୋଇଛି । ମଣିଷ ଓ ପଶୁ ପରସ୍ପରକୁ ମନ ଭରି ଭଲ ପାଇଛନ୍ତି । ପଶୁ ଓ ମାନବ ମଧ୍ୟରେ ଏକ ଶାସ୍ଵତ କୌଟୁମ୍ବିକ ସଂପର୍କ ଗଢ଼ିଉଠିଛି । ମାତ୍ର ପରିସ୍ଥିତିର ଦାସ -ମଣିଷ ପଶୁପକ୍ଷୀଙ୍କ ପ୍ରତି ନିଜର ଦରଦୀ ଆଦର୍ଶ ବୋଧକୁ ରକ୍ଷାକରି ପାରିନାହିଁ । ସେ ବିଶ୍ଵାସଘାତ କରିଛି ଏବଂ ପରିଣତିରେ ଶୋକାପ୍ଲୁତ ନୟନରେ ଅତୀତକୁ ସ୍ମରଣ କରିଛି, ଅନୁତପ୍ତ ହୋଇଛି । ପଶୁର ତ୍ୟାଗ ଓ ଉକ୍ତି ନିକଟରେ ସେ ନିଜକୁ ଅପାଙ୍‌କ୍ତିୟ ମନେ କରିଛି । କାହାଣୀର ଗଠନାତ୍ମକ ଶୈଳୀକଳ୍ପ ଓ କଥାବସ୍ତୁର ପରିକଳ୍ପନା ଦୃଷ୍ଟିରୁ ଉଭୟ ‘ମାଂସର ବିଳାପ’ ଓ ‘କାଲାପାହାଡ଼’ ପ୍ରାୟତଃ ଏକ ଓ ଅଭିନ୍ନ ମାତ୍ର ପ୍ରକାଶ ଭଂଗୀ ଭିନ୍ନ ଓ ସ୍ଵତନ୍ତ୍ର । ଗୋଟିଏ କଥା ଆଶ୍ଚର୍ଯ୍ୟ ଲାଗେ ଏକ ସମୟରେ ଦୁଇ ଅପରିଚିତ ଲେଖକ ମାନବେତର ଚରିତ୍ର ପ୍ରତି ସମ୍ବେଦନଶୀଳ ମନୋବୃତ୍ତି ନେଇ ଏପରି ସାଦୃଶ୍ୟସଂପନ୍ନ ଗଳ୍ପ ଲେଖି ପାରିଲେ କିପରି ? ଏହା ନିଶ୍ଚିତ ଯେ କେହି କାହାରି ଦ୍ଵାରା ପ୍ରଭାବିତ ବା ଅନୁପ୍ରେରିତ ହୋଇନାହାନ୍ତି । ବିଶିଷ୍ଟ ବ୍ୟକ୍ତିଙ୍କ ହୃଦୟରେ ପଶୁପକ୍ଷୀମାନଙ୍କ ପ୍ରତି ଥିବା ସମ୍ବେଦନଶୀଳ ଦୃଷ୍ଟିଭଂଗୀ ଏଇଠି ପ୍ରକାଶିତ ହୋଇଛି ।

 

କେବଳ ଓଡ଼ିଆ ବା ବଂଗଳା ସାହିତ୍ୟରେ ନୁହେଁ- ସମଗ୍ର ବିଶ୍ଵ ସାହିତ୍ୟରେ ମାନବେତର ଚରିତ୍ରମାନଙ୍କୁ କେନ୍ଦ୍ର କରି ଅନେକ ହୃଦୟସ୍ପର୍ଶୀ କାହାଣୀ ଓ କ୍ଷୁଦ୍ରଗଳ୍ପମାନ ରଚିତ ହୋଇଛି । ବୌଦ୍ଧ ଜାତକ ଗଳ୍ପ, ହିତୋପଦେଶ, ପଞ୍ଚତନ୍ତ୍ର ତଥା କଥାସରିତ ସାଗର ପ୍ରଭୃତି ପ୍ରାଚୀନ ଭାରତୀୟ ସାହିତ୍ୟରେ ପଶୁପକ୍ଷୀମାନଙ୍କୁ ଚରିତ୍ରଭାବେ ନେଇ ବିଶେଷ ଭାବେ ରୂପାୟିତ କରାଯାଇଥିବା ଲକ୍ଷ୍ୟ କରାଯାଏ । ନୀତିବାଣୀ ଓ ଉପଦେଶ ପ୍ରଦାନ ଏସବୁ ଗଳ୍ପରେ ମୁଖ୍ୟ ଉଦ୍ଦେଶ୍ୟ ଥିଲେ ହେଁ ମଣିଷ ଓ ପଶୁପକ୍ଷୀଙ୍କ ମଧ୍ୟରେ ଅଭେଦ ପରିକଳ୍ପନାର ଶିଳ୍ପ ଚାତୁରୀ ବେଶ୍‌ ଉପଭୋଗ୍ୟ ହୋଇଥାଏ । ଆଧୁନିକ ଯୁଗରେ ମାନବେତର ଚରିତ୍ରଯୁକ୍ତ ସାହିତ୍ୟର ଉଦ୍ଦେଶ୍ୟ କିନ୍ତୁ ହୋଇଛି ଭିନ୍ନ । ପଶୁପକ୍ଷୀମାନଙ୍କୁ ମାନବିକ ଗୁଣାବଳୀ ସଂପନ୍ନ ପ୍ରାଣୀଭାବେ ଚିହ୍ନିତ କରିବା ଓ ସେମାନଙ୍କ ପ୍ରତି ସ୍ୱାଧୀନ ତଥା ସମ୍ବେଦନ ଦୃଷ୍ଟିଭଂଗୀ ପ୍ରଦାନ କରିବା ସାହିତ୍ୟରେ ହୋଇଛି ପରମ ଲକ୍ଷ୍ୟ । ପଶୁପକ୍ଷୀମାନେ ଯେ ମାନବିକ ଗୁଣାବଳୀ ଓ ସହାନୁଭୂତି ସଂପନ୍ନ ତାହା ବହୁ ଆଧୁନିକ ଗଳ୍ପ-ଉପନ୍ୟାସାଦିରେ ସାହିତ୍ୟିକମାନେ ଉତ୍‌ଥାପନ କରିଛନ୍ତି ।

 

ଓଡ଼ିଆ ସାହିତ୍ୟରେ ମାନବେତର ଚରିତ୍ରକୁ ନେଇ ବହୁ ପରୀକ୍ଷା କରାଯାଇଛି । କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ‘ମାଂସର ବିଳାପ’ ବ୍ୟତୀତ ‘ପଙ୍ଗୁ’ ଓ ‘ସାପୁଆ’ ସଚ୍ଚିରାଉତରାୟଙ୍କ ‘ଅନ୍ଧାରୁଆ’ ‘ଦାରୋଗାଂକ କୁକୁର’, ଭଗବତୀ ଚରଣ ପାଣିଗ୍ରାହୀଙ୍କ ‘ଜଙ୍ଗଲୀ’, ଗୋଦାବରୀଶ ମହାପାତ୍ରଙ୍କ ‘ମାଗୁଣିର ଶଗଡ଼, ଅଚ୍ୟୁତାନନ୍ଦ ପତିଙ୍କ ‘ଅଶୁଭପୁତ୍ରର କାହାଣୀ’ ଆଦି ଗଳ୍ପରେ ମାନବେତର ଚରିତ୍ର ପ୍ରତି ବିଶେଷ ଦୃଷ୍ଟି ନିକ୍ଷେପ କରାଯାଇଛି । ଏଥି ସହିତ ମନୋଜ ଦାସ, ମହାପାତ୍ର ନୀଳମଣି ସାହୁ ଆଦିଙ୍କ କଥା ସାହିତ୍ୟରେ ମାନବେତର ଚରିତ୍ରଯୁକ୍ତ ବହୁ କାହାଣୀ ପାଠକୀୟ ହୃଦୟକୁ ଉଲ୍ଲସିତ କରି ଦେଇଥାଏ । ଓଡ଼ିଆ ସାହିତ୍ୟରେ ଅଧୁନା ଏହି ଇତର ପ୍ରାଣୀମାନଙ୍କ ପ୍ରତି ଲେଖକୀୟ ସମ୍ବେଦନ ଦୃଷ୍ଟି ଘନିଷ୍ଠ ହେବା ନିଶ୍ଚିତ ଉପଲବ୍ଧି ହୁଏ । ନିକଟରେ ଓଡ଼ିଆ ଉପନ୍ୟାସ ଜଗତରେ ଏକ ଅଭିନବ ଭାବେ ପ୍ରଥମଥର ପାଇଁ ସଂପୂର୍ଣ୍ଣ ନୈସର୍ଗିକ ଚରିତ୍ରମାନଙ୍କୁ ନେଇ କଥାକାର କଇଳାଶ ପଟ୍ଟନାୟକ ସୃଷ୍ଟି କରିଛନ୍ତି ‘ସ୍ଥାବର ଜଙ୍ଗମ’, ଯାହାକୁ କାଦମ୍ବିନୀ ପ୍ରକାଶ କରିଛି ୨୦୦୭ ମସିହାରେ । ଏହାର ବୈଶିଷ୍ଟ୍ୟ ହେଲା ଓଡ଼ିଆ ଉପନ୍ୟାସର ପ୍ରଥମ ମାନବ ଚରିତ୍ର ବିହୀନ ଉପନ୍ୟାସ । ଏଥିରେ ମାଟି, ପାଣି, ପବନ, ଗଛଲତା, ପଶୁପକ୍ଷୀ ଆଦି ନିସର୍ଗ ପ୍ରକୃତିର ଚରିତ୍ରମାନେ ମାନବିକ ଗୁଣାବଳୀର ପ୍ରତିନିଧିତ୍ୱ କରିଛନ୍ତି ।

 

ମାନବେତର ଚରିତ୍ରମାନଙ୍କୁ ନେଇ କାହାଣୀ ରଚନା କରିବାରେ ବଂଗଳା ସାହିତ୍ୟ ମଧ୍ୟ ବେଶ୍‌ ସମୃଦ୍ଧ । ସମଗ୍ର ବିଶ୍ଵ ମାନସର ରହସ୍ୟକୁ ଉଦ୍‌ଘାଟନ କରିବାରେ ଏକ ସକ୍ରିୟ ଉପାୟଭାବେ ବଂଗୀୟ ଶିଳ୍ପୀ ମାନବେତର ଚରିତ୍ରକୁ ନିୟୋଜିତ କରିଛି ନିଜର ଶିଳ୍ପ ପରିଧିରେ । ପଶୁପକ୍ଷୀମାନଙ୍କ ସହିତ ମାନବୀୟ ଶ୍ରେଣୀର କୌଟୁମ୍ୱିକ ସଂପର୍କ ସ୍ଥାପନର ବିଭିନ୍ନ ହୃଦୟସ୍ପର୍ଶୀ କାହାଣୀ ରଚନାରେ ବଂଗଳାରେ ବହୁ ରଚୟିତା ଉଲ୍ଲେଖନୀୟ କାର୍ଯ୍ୟ କରିଯାଇଛନ୍ତି । କବି ଗୁରୁ ରବୀନ୍ଦ୍ରନାଥ ଠାକୁର ଏହି ପର୍ଯ୍ୟାୟରେ ଜଣେ ଅଗ୍ରଣୀ କଥାକାର । ‘ଶୋଭା’ ‘ସ୍ତ୍ରୀର ପତ୍ର’ ଗଳ୍ପ ଓ ‘ଛେଲେଟା’ କବିତା (ପୁନଶ୍ଚ କାବ୍ୟଗ୍ରନ୍ଥ), ଶରତ ଚନ୍ଦ୍ରଙ୍କ ‘ମହେଶ’, ତାରାଶଂକରଙ୍କର ‘କାଲାପାହାଡ଼’ ବ୍ୟତୀତ ‘ନାରୀ ଓ ନାଗିନୀ’, ପ୍ରଭାତ ମୁଖୋପାଧ୍ୟାୟଙ୍କ ‘ଆଦରିଣୀ’, ସମରେଶ ମଜୁମ୍‌ଦାରଙ୍କ ‘ଶୂକର ଛାନା’ ଆଦି ଏହି ପର୍ଯ୍ୟାୟବାଚୀ ରଚନାର ଗୋଟିଏ ଗୋଟିଏ ହୃଦୟସ୍ପର୍ଶୀ ସାହିତ୍ୟ କୃତି । ଏଥିସହିତ ବଙ୍କିମ୍‌ଚନ୍ଦ୍ର, ଶରତ ଚନ୍ଦ୍ର, ନୀଲା ମଜୁମ୍‌ଦାର, ସୁନୀଲ ଗଂଗୋପାଧ୍ୟାୟ, ମହେଶ୍ଵତା ଦେବୀ, ବିମଳ ମିତ୍ର ଓ ବିଭୂତି ଭୂଷଣ ଗଂଗୋପାଧ୍ୟାୟ ଆଦିଙ୍କ ନାମ ସର୍ବାଗ୍ରେ ସ୍ମରଣୀୟ ।

 

ଅତଏବ ଓଡ଼ିଆ ହେଉ ବା ବଂଗଳା ସାହିତ୍ୟ ହେଉ ପ୍ରତ୍ୟେକ ସାହିତ୍ୟିକ ଇତର ପ୍ରାଣୀଜଗତ ପ୍ରତି ଦରଦୀ ଶିଳ୍ପୀର ହୃଦୟ ନେଇ ସେମାନଙ୍କ ସୁଖ ଦୁଃଖ ସହିତ ଏକାମ୍ୟ ହୋଇପଡ଼ିଛନ୍ତି । ପ୍ରାଣୀଜଗତ ମଧ୍ୟ ଦେଇ ମାନବିକ ସତ୍ୟକୁ ଉଦ୍‌ଘାଟନ କରିବା ଦିଗରେ ତେଣୁ ସୂକ୍ଷ୍ମତତ୍ତ୍ଵ ଅନ୍ୱେଷୀ ଶିଳ୍ପୀର ସୃଷ୍ଟିମାନସ ସଜାଗ୍‌ହୋଇ ଉଠିଛି । ମାନବ ସହିତ ପଶୁପକ୍ଷୀମାନଙ୍କ ମଧ୍ୟରେ ଏକ ଶାଶ୍ୱତ, ଚିରନ୍ତନ ସଂପର୍କ ସ୍ଥାପନ କରିବା ଦିଗରେ ଶିଳ୍ପୀମାନସ ବ୍ୟଗ୍ର ହୋଇଉଠିଛି-। ମାନବ ଓ ପ୍ରାଣୀମାନଙ୍କ ସଂପର୍କ ଏଠି ଉଦଗ୍ର ପାଶବିକ ଲାଳସାର ଚରିତାର୍ଥରେ ନୁହେଁ ବରଂ ଏକ ସମ୍ବେଦନଶୀଳ ଦୃଷ୍ଟିଭଂଗୀ ନେଇ ମଣିଷ ପଶୁପକ୍ଷୀଙ୍କ ସହିତ ଏକ ସୁସ୍ଥ ସଂପର୍କ ପ୍ରତିଷ୍ଠା କରିଛି । ପଶୁପକ୍ଷୀମାନେ ହୋଇଛନ୍ତି ମଣିଷର ପାରିବାରିକ ସଦସ୍ୟ । ଉଭୟେ ଉଭୟଙ୍କ ସୁଖଦୁଃଖର ସାଥୀ ହୋଇଛନ୍ତି । ସୁଖରେ ସୁଖୀ ଓ ଦୁଃଖରେ ଲୁହ ଗଡ଼ାଇଛନ୍ତି । ଆଲୋଚ୍ୟ ‘ମାଂସର ବିଳାପ’ ଓ ‘କାଲାପାହାଡ଼’ ଗଳ୍ପରେ ପରିଣତି ବଡ଼ ବିୟୋଗାତ୍ମକ ହୋଇଛି ।

 

‘ମାଂସର ବିଳାପ’ କାଳନ୍ଦୀ ଚରଣ ପାଣିଗ୍ରାହୀଙ୍କର ଏକ ମାନବ ସମ୍ବେଦନଶୀଳ କଥାଶିଳ୍ପ-। ମାନବେତର ଚରିତ୍ର ମଧ୍ୟରେ ମାନବିକ ସମ୍ବେଦନା ଗାଳ୍ପିକ ସୃଷ୍ଟି କରିଛନ୍ତି । ଗଳ୍ପରେ ଡୋରା ଗୋଟିଏ ଇଂଲିଶ ଗ୍ରେ ହାଉଣ୍ଡ ଏବଂ ଜଲି ଗୋଟିଏ ଗଡ଼ଜାତ ଜଙ୍ଗଲର କୃଷ୍ଣସାର । ଡୋରା ଆସିଛି ଲଣ୍ଡନରୁ ଓ ଜଲିର ଜନ୍ମସ୍ଥାନ ଓଡ଼ିଶାର ନିଭୃତ ଅରଣ୍ୟାନୀ । ଜଣେ ସଂପୂର୍ଣ୍ଣ ମାଂସାସୀ ଆଉ ଜଣେ ନିରାଟ ଶାକାହାରୀ । ତଥାପି ଦୁହିଁଙ୍କ ମଧ୍ୟରେ ଏକ ଆନ୍ତରିକ ସଦ୍‌ଭାବ । ଡୋରା ଖୁବ୍‌ସାହସୀ, ଚତୁର ଓ ବଳବାନ୍‌ । ଜଲି ନିରୀହା, ଭୟାଳୁ ଜୀବଟିଏ । ତା’ର ଏକମାତ୍ର ଭରସା ଥାଏ ଡୋରା ଓ ଜମିଦାର । ଏଇମାନଙ୍କ ବାହୁ ଛାୟାତଳେ ଜଲି ଆନନ୍ଦରେ ଜୀବନ ବଂଚି ଚାଲିଥାଏ । ଅନ୍ୟ କୌଣସି କୁକୁର ଯେବେ ଆସି ଜଲି ଉପରେ ଲୋଲୁପ ଦୃଷ୍ଟି ପକାଏ, ଜଲି ତ୍ରସ୍ତ କାତର ହୋଇ ବାବୁଙ୍କ ଦୁଇପାଦ ମଧ୍ୟରେ ଠେଲି ପ୍ରବେଶ କରେ । ଡୋରା ଜାଣିପାରି ସଂଗେ ସଂଗେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ମାତ୍ରକେ ତା’ର ସ୍ଵଜାତିମାନେ ପୃଷ୍ଟ ପ୍ରଦର୍ଶନ କରି ବିନୀତ ଭାବରେ ଅପସାରିତ ହୁଅନ୍ତି । କାରଣ ଡୋରାର ବଳବୀର୍ଯ୍ୟ ତା’ର ପଡ଼ୋଶୀମାନଙ୍କୁ ଅଜ୍ଞାତ ନଥିଲା । ପରିସ୍ଥିତି କିନ୍ତୁ ଭିନ୍ନ ମୋଡ଼ ନେଇଛି । ବିଦେଶୀ ବଂଧୁକୁ ଆତିଥ୍ୟ ପ୍ରଦାନ କରିବାକୁ ଯାଇ ଜମିଦାର ବାବୁ ନାଗର ଓ ନିର୍ମମ ଭାବେ ଜଲିକୁ ଉତ୍ସର୍ଗ କରିଛନ୍ତି । ଜଲି ଓ ଡୋରା ଏକ ଅପରର କୋଳରେ ମୁହଁ ଗୁଞ୍ଜିଦେଇ ମହାଆରାମରେ ନିଦ୍ରାଯାଇଥିବା ବେଳେ ଚାକର ମାଧିଆ ଦ୍ଵାରା ଜଲିକୁ ଅଣାଯାଇଛି । ଡୋରା କିନ୍ତୁ ବିପଦ ଆଶଙ୍କାରେ ଜଲିର ପିଛା ଛାଡ଼ୁନଥାଏ । ହତ୍ୟା ସ୍ଥଳରେ ଜଲିର ବିଶ୍ଵାସ ଦୃଷ୍ଟି ଜମିଦାର ଓ ଡୋରା ପ୍ରତି ଥାଏ । ତା’ର ଭାବନା କ’ଣ ? ଜମିଦାର ଯେ ତା’ର ପ୍ରଭୁ ଏବଂ ସକଳ ଦୁଃଖ ବିପଦର ଆବାଲ୍ୟ ପରମବଂଧୁ ଡ଼ୋରା ତା' ନିକଟରେ ଉପସ୍ଥିତ । ତେଣୁ ସେ ନିର୍ଭୀକ ଭାବେ ଠିଆ ହୋଇଥାଏ । ପାଦ ଦୁଇଟା ବନ୍ଧା ହୋଇଥିବାରୁ ତା’ର ସୁଖଦୁଃଖର ଏହି ସାଥୀମାନଙ୍କୁ ଦୃଷ୍ଟି ପକାଇନେଇଥାଏ । ଜୈବିକ ଲାଳସାର ଚରିତାର୍ଥ ପାଇଁ ଜଲିକୁ ସାହେବ ଯେତେବେଳେ ହତ୍ୟାକରିବାକୁ ଉଦ୍ୟତ ହୁଅନ୍ତି ଡୋରା ସାହେବଙ୍କୁ ଆଘାତ ଦେଇଛି । ମାତ୍ର ସାହେବ ଏଥର ଡୋରାକୁ ବାନ୍ଧି ତା’ରି ସମ୍ମୁଖରେ ଜଲିକୁ ହତ୍ୟା କରିଛି ।
 

‘ମାଂସର ବିଳାପ’ ବାସ୍ତବିକ ଏକ ଚମତ୍କାର ପ୍ରାଣୀ ଚିତ୍ରକଳ୍ପ ଧର୍ମୀ କ୍ଷୁଦ୍ରଗଳ୍ପ । ଗଳ୍ପରେ କୁକୁର ଓ କୃଷ୍ଣସାର ଜୀବନର ନିବିଡ଼ ସଂପର୍କ ମଧ୍ୟ ଦେଇ ମଣିଷ ହୃଦୟରେ ଲେଖକୀୟ ସମ୍ବେଦନଶୀଳ ଉଦାର ବାଣୀ ବେଶ୍‌ ହୃଦୟସ୍ପର୍ଶୀ । ମଣିଷର ଜୈବ ପ୍ରବୃତ୍ତିକୁ ଏଇଠି ଜୟ କରିଛି ପଶୁର ହୃଦୟ । ମଣିଷ ଓ ପଶୁ ମଧ୍ୟରେ ଗଢ଼ି ଉଠିଥିବା ଶାଶ୍ୱତ ସଂପର୍କ ମଧ୍ୟରେ ମଣିଷ ବିଶ୍ୱାସଘାତ କରିଛି । ପଶୁ କିନ୍ତୁ ମଣିଷ ନିକଟରେ ବିଶ୍ଵାସୀ ହୋଇ ଜୀବନ ଜଳାଞ୍ଜଳୀ ଦେଇପାରିଛି । ପରିଶେଷରେ ପଶୁର ନିରୀହ ପଣିଆ ଓ ଆତ୍ମୀୟତା ମଣିଷର ନିଷ୍ଠୁର ପ୍ରାଣକୁ ଆଘାତ ଦେଇଛି ଓ ମଣିଷ ଚରିତ୍ର ଅନୁତାପ କରିଛି ।

 

ବଂଗୀୟ ଲେଖକ ତାରାଶଂକର ଘୃଣା ଲଜ୍ଜ୍ୟାହୀନ ଜୈବ ଆସକ୍ତିର ଏକ ନୂତନ ସ୍ତର ଆବିଷ୍କାର କରିଥିଲେ ‘ନାରୀ ଓ ନାଗିନୀ’ ଗଳ୍ପରେ । ମଣିଷ ଓ ସାପ ମଧ୍ୟରେ ଗଢ଼ିଉଠିଥିଲା ଶାଶ୍ୱତ ପ୍ରେମ ସଂପର୍କ । କିନ୍ତୁ ‘କାଲାପାହାଡ଼’ ଗଳ୍ପରେ ଏହି ଆସକ୍ତି ଅସ୍ଵାଭାବିକ ସ୍ତରରୁ ଉନ୍ନୀତ ହୋଇଛି ବଳିଷ୍ଠ ସ୍ଵାଭାବିକତାକୁ । ରଂଲାଲ ଜଣେ ବଡ଼ ଚାଷୀ । ଗୋରୁ, ମଇଁଷି ପ୍ରତି ତା’ର ଆସକ୍ତି ସଂଗତ ଓ ସ୍ଵାଭାବିକ । ଉପଯୁକ୍ତ ଚାଷ ପାଇଁ ଗୋରୁର ଗଠନ ଓ ସ୍ଵଭାବ ନେଇ ସେ ବେଶ୍‌ ସତର୍କିତ । ଏକଦା ସେ ଚାଷ ପାଇଁ ଯୋଡ଼େ ମଇଁଷି କିଣି ଆଣିଲା । ଗଠନଶୈଳୀ ଦୃଷ୍ଟିରୁ ସେ ତା’ର ନାମ ଦେଲା କାଲାପାହାଡ଼ ଓ କୁମ୍ଭକର୍ଣ୍ଣ । ରଂଲାଲ ମଇଁଷି ଦୁଇଟିକୁ ପ୍ରାଣଭରି ଭଲପାଏ । ମଇଁଷି ଦୁଇଟି ମଧ୍ୟ ରଂଲାଲ କଥା ଶୁଣନ୍ତି । ଦିନବେଳା ରଂଲାଲ ମଇଁଷି ଦୁଇଟିକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ନଦୀଧାରକୁ ଯାଏ ଏବଂ ଗଛମୂଳେ ନିଜେ ଗାମୁଛା ବିଛାଇ ଶୋଇପଡ଼େ । ମଇଁଷି ଦୁଇଟି ମହାନଦୀରେ ଘାସ ଖାଇବୁଲନ୍ତି । ସଂଧ୍ୟା ହେଲେ ରଂଲାଲ ଡାକେ ଆଁ- ଆଁ । ଅବିଳମ୍ୱେ କାଲାପାହାଡ଼ ଓ କୁମ୍ଭକର୍ଣ୍ଣ ଦୂରରୁ ସେ ଡାକଶୁଣି ଘାସ ଖିଆ ଛାଡ଼ି ଡାକ ଛାଡ଼ନ୍ତି ଆଁ....ଆଁ ଏବଂ ଦ୍ରୁତ ବେଗରେ ରଂଲାଲ ପାଖରେ ଆସି ହାଜର ହୁଅନ୍ତି । ଏକ ଅବ୍ୟକ୍ତ ଆନ୍ତରିକ ଘନିଷ୍ଠ ଭାବ ଏମାନଙ୍କ ମଧ୍ୟରେ ଗଢ଼ି ଉଠିଥିଲା । ଦିନେ ଏକ ଅକସ୍ମାତ ଦୁର୍ଘଟଣାରେ ମଣିଷ ଓ ପଶୁମଧ୍ୟରେ ସୃଷ୍ଟି ବହାଇଥିବା ଏହି ସଖାଭାବ କିନ୍ତୁ ଖଣ୍ଡିତ ହୋଇଯାଇଛି । ରଂଲାଲ ନଦୀ କୂଳରେ ମଇଁଷି ଚରାଉଥିବା ସମୟରେ ଚିତାବାଘର ଆକ୍ରମଣରେ ପଡ଼ିଛି । ପ୍ରଭୁକୁ ରକ୍ଷା କରିବା ନିମନ୍ତେ କାଲାପାହାଡ଼ ଓ କୁମ୍ଭକର୍ଣ୍ଣ ବିତାବାଘ ସହ ଲଢ଼ିଛନ୍ତି । ବାଘର ମୃତ୍ୟୁ ସାଂଗକୁ କୁମ୍ଭକର୍ଣ୍ଣକୁ ମଧ୍ୟ ପ୍ରାଣ ହରାଇବାକୁ ପଡ଼ିଛି । ରଂଲାଲକୁ ବଂଚାଇ ପାରିଥିବାରୁ କୁମ୍ଭକର୍ଣ୍ଣ ଆଶ୍ଵାସରେ ଶେଷ ନିଃଶ୍ୱାସ ତ୍ୟାଗ କରିପାରିଛି । ରଂଲାଲ କୁମ୍ଭକର୍ଣ୍ଣକୁ ହରାଇ ଶିଶୁଭଳି କାନ୍ଦିଛି ମାତ୍ର କାଲାପାହାଡ଼ ବଂଧୁକୁ ଭୁଲିପାରିନି । ସେ ପ୍ରତିଶୋଧ ପରାୟଣ ହୋଇଉଠିଛି ।

 

ଉଭୟ ଗଳ୍ପରେ ପଶୁ- ପଶୁ ମଧ୍ୟରେ ଓ ସର୍ବୋପରି ମଣିଷ- ପଶୁ ମଧ୍ୟରେ ଗଢ଼ି ଉଠିଥିବା ବାତ୍ସଲ୍ୟପ୍ରେମ ବା ଭକ୍ତି ଭାବକୁ କଥାକାର ଦୃଢ଼ତାର ସହିତ ପ୍ରମାଣ କରିଛନ୍ତି । ମଣିଷ ଚରିତ୍ର କିନ୍ତୁ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିପାରିନାହିଁ । ଆତ୍ମ ସ୍ଵାର୍ଥ ସିଦ୍ଧିର ବଶବର୍ତ୍ତୀ ହୋଇ ସେ ବିଶ୍ଵାସ ଘାତ କରିଛି ମାତ୍ର ପଶୁମାନେ ନିରୀହ ହେଲେ ବି ତାଙ୍କ ପ୍ରଭୁ ପାଇଁ ତଥା ବନ୍ଧୁତ୍ୱର ପରାକାଷ୍ଠା ପ୍ରଦର୍ଶନ ନିମନ୍ତେ ଜୀବନକୁ ବାଜି ଲଗାଇ ଦେଇଛନ୍ତି । ଅନ୍ୟର ମଙ୍ଗଳ ସାଧନ ନିମନ୍ତେ ଏମାନେ ନିଜ ଜୀବନକୁ ତୁଚ୍ଛମନେ କରିଛନ୍ତି । ମଣିଷ ପଶୁମାନଙ୍କଠୁ ହୀନ ବୋଲି ପରୋକ୍ଷରେ ପ୍ରମାଣିତ ହୋଇଛି । ମାନବେତର ଚରିତ୍ରମାନଙ୍କ ପ୍ରତି ଏକ ସମ୍ବେଦନଶୀଳ ମନୋବୃତ୍ତି ନେଇ ଏକ ସମୟରେ ଉଭୟ ଗାଳ୍ପିକ ଏକ ସମପର୍ଯ୍ୟାୟଧର୍ମୀ ଗଳ୍ପ ସୃଷ୍ଟି କରିଛନ୍ତି । ଉଭୟ ଗଳ୍ପରେ ଆଶିଂକ ବୈଷମ୍ୟ ପରିଲକ୍ଷିତ ହେଲେ ମଧ୍ୟ ସାମ୍ୟଭାବ ଅଧିକ ।

 

‘ମାଂସର ବିଳାପ’ ଗଳ୍ପର ଜମିଦାର ସହିତ କାଲାପାହାଡ଼ ଗଳ୍ପର ରଂଲାଲ ଚରିତ୍ର ଓ ପଶୁମାନଙ୍କ ମଧ୍ୟରେ ଡୋରା-ଜଲି ସହିତ କାଲାପାହାଡ଼ ଓ କୁମ୍ଭକର୍ଣ୍ଣ ଚରିତ୍ର ବେଶ୍‌ ମେଳ ଖାଇ ଯାଉଛି । ‘ମାଂସର ବିଳାପରେ’ ଜମିଦାର ଡୋରା ଓ ଜଲି ସହିତ ଯେପରି ଏକାନ୍ତ ‘କାଲାପାହାଡ଼’ ରେ ରଂଲାଲ କାଲାପାହାଡ଼ ଓ କୁମ୍ଭକର୍ଣ୍ଣ ସହିତ ସେହିପରି ଅନ୍ତରଙ୍ଗ । ଉଭୟ ପ୍ରଭୁଙ୍କ ଭୃତ୍ୟର ନାମକରଣ ଶୈଳୀରେ ମଧ୍ୟ ସାମ୍ୟଭାବ ପରିଲକ୍ଷିତ । ଡୋରା ବିଦେଶୀ ଓ ଜଲି ଓଡ଼ିଶାର ନାମ ବହନ କରିଥିବା ସ୍ଥଳେ ଦେହର ଘନକୃଷ୍ଣବର୍ଣ୍ଣ ସହିତ ବିରାଟକାୟ ଶରୀରଧାରୀ ଓ କୁମ୍ଭକର୍ଣ୍ଣ ସଦୃଶ ଉଦରନିହିତ ପଶୁ ଦୁଇଟିର ନାମ ରଂଲାଲ ରଖୁଛି କାଲାପାହାଡ଼ ଓ କୁମ୍ଭକର୍ଣ୍ଣ । ‘ମାଂସର ବିଳାପ’ କୁକୁର, କୃଷ୍ଣସାର ଓ ମାନବ ମଧ୍ୟରେ ଥିବା ପାରିବାରିକ ସଂପର୍କକୁ ପୁଲିସ୍‌ ବିଭାଗର ଡି.ଆଇ.ଜି. ସାହେବ ଛିନ୍ନ କରିଥିବା ବେଳେ ‘କାଲାପାହାଡ଼’ରେ ମଇଁଷି ଓ ମଣିଷଙ୍କ ସଂପର୍କକୁ ଛିନ୍ନ କରିଛି ଚିତାବାଘ । ମାଂସର ବିଳାପରେ କୃଷ୍ଣସାର ଜମିଦାରଙ୍କ ସମ୍ମାନ ରକ୍ଷା ନିମନ୍ତେ ସାହେବଙ୍କ ଜିଙ୍ଘାସାମନୋବୃତ୍ତିର ଶିକାର ହୋଇଛି ଓ ଡୋରା ଶତ ଚେଷ୍ଟା କରି ମଧ୍ୟ ଜଲିକୁ ରକ୍ଷା କରି ନ ପାରିବାର ଦୁଃଖରେ ଭାଙ୍ଗି ପଡ଼ିଛି । ଶେଷକାଳ ପର୍ଯ୍ୟନ୍ତ ଏହି ବନ୍ଧୁହରାର ଦୁଃଖରେ ଛଟପଟ ହୋଇ କେଉଁ ଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଥିବା ସ୍ଥଳେ ‘କାଲାପାହାଡ଼’ରେ ଚିତାବାଘ ମୁଖରୁ ପ୍ରଭୁକୁ ରକ୍ଷା କରିବା ପାଇଁ କୁମ୍ଭକର୍ଣ୍ଣ ପ୍ରାଣ ବିସର୍ଜନ କରିଛି ଓ କାଲାପାହାଡ଼ ବଂଧୁହରା ଦୁଃଖକୁ ସହ୍ୟ କରିନପାରି ଉନ୍ନିତ୍ତ ହୋଇଉଠିଛି ଏବଂ ଶେଷରେ ଗୁଳି ବଧ ହୋଇଛି । ଉଭୟ ଗଳ୍ପରେ ମଣିଷ ଚରିତ୍ର ଦୁଇଟି କିନ୍ତୁ ବଞ୍ଚି ଯାଇଛନ୍ତି । ଏମାନେ ଅନୁତାପ କରିଛନ୍ତି ମାତ୍ର ପଶୁମାନେ ଆତ୍ମତ୍ୟାଗର ଆଉ ଦୁଇପାଦ ଆଗେଇ ଯାଇଛନ୍ତି । ବଂଧୁ, କୁଟୁମ୍ବ ଛାଡ଼ି ଏମାନେ ବଞ୍ଚି ପାରିନାହାନ୍ତି । ଏଇଠି ପଶୁ ଚରିତ୍ର ଗୁଡ଼ିକର ମହନୀୟତା ପ୍ରକାଶ ପାଇଛି ।

 

ଉଭୟ, ଗଳ୍ପର ପରିଣତି ବେଶ୍‌ ଟ୍ରାଜିକ୍‌ ଧର୍ମୀ ହୋଇପାରିଛି । ପାଠକ ଶେଷ ମୁହୂର୍ତ୍ତରେ ଲୋତକାପ୍ଲୁତ ହୋଇ ପଡ଼ିବା ନିଶ୍ଚିତ । ମାତ୍ର ଏହି ପରିପ୍ରେକ୍ଷୀରେ ‘କାଲାପାହାଡ଼ର’ ହୃଦୟସ୍ପର୍ଶୀ ଭାବ ଟିକିଏ ଅଧିକ ପଶୁମାନଙ୍କ . ପ୍ରତି ସଂପ୍ରତି ହେଉଥିବା ଦୁର୍ବ୍ୟବହାରର ଏକ ଜ୍ଵଳନ୍ତ ଚିତ୍ର ଆଙ୍କିବାରେ ‘ମାଂସର ବିଳାପ’ କିନ୍ତୁ ଅଧିକ ସଚେତନ । ଉଭୟ ଗଳ୍ପକୁ ଦୁଇଟି ଲେଖାଏଁ ପର୍ଯ୍ୟାୟରେ ଭାଗକଲେ ଏହା ପ୍ରମାଣିତ ହୋଇପାରିବ । ଏହି ଦୁଇଟି ପର୍ଯ୍ୟାୟ ଏଇଥିପାଇଁ, କାରଣ ଉଭୟ ଗଳ୍ପରେ ଦୁଇଥର ପାଇଁ କରୁଣ ପରିସ୍ଥିତି ଉପସ୍ଥିତ ହୋଇଛି । ‘ମାଂସର ବିଳାପ’ର ପ୍ରଥମ ପର୍ଯ୍ୟାୟ ଲମ୍ବି ଆସିଛି ଜଲିର ନିର୍ମମ ହତ୍ୟା ପର୍ଯ୍ୟନ୍ତ । ସାହେବଙ୍କ ଅନୁରୋଧକୁ ଜମିଦାର ନା କରିପାରିନାହାନ୍ତି ଓ ଅନ୍ତରଙ୍ଗ ଡୋରାକୁ ହତ୍ୟାଭୂମି ନିକଟରେ ବାନ୍ଧି ଦିଆଯାଉଛି ଏବଂ ଏଇମାନଙ୍କ ସମ୍ମୁଖରେ ଜଲିକୁ ନୃଶଂସ ଭାବେ ହତ୍ୟା କରି ତା’ର ମାଂସ ଭକ୍ଷଣ କରାଯାଉଛି । ଜଲି ଏକପଟେ ନିର୍ମମ ହତ୍ୟାର ନିଦାରୁଣ- ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ଦୃଶ୍ୟକୁ ଡୋରାର ସାଥୀ ହୃଦୟ ସହ୍ୟ କରିପାରିନି ଏବଂ ଜମିଦାର ମୁହଁରେ ରୋମାଲ ଢାଙ୍କିଛନ୍ତି । ଏକ ଅବ୍ୟକ୍ତ କରୁଣ ସ୍ଥିତି ଏଇଠି ଉପସ୍ଥିତ ହୋଇଛି ବିଶେଷ କରି ଡୋରାପାଇଁ । ଅମାପ ବଳବୀର୍ଯ୍ୟ ଓ ସାହସର ପ୍ରତୀକ ଡୋରାର ସମସ୍ତ ଶକ୍ତିକୁ ସାହେବ ବାନ୍ଧି ଦେଇଛି । ସେ ତା’ର ଆଦରର ଜଲିପାଇଁ କିଛି କରିପାରିନି । ତା’ରି ସମ୍ମୁଖରେ ଜଲିର ଶରୀର ଖଣ୍ଡ ଖଣ୍ଡ ହୋଇପଡ଼ିଛି । କୋଳରେ ମୁହଁ ଗୁଞ୍ଜି ଶୋଇ ପଡ଼ୁଥିବା ଜଲିର ସେହି ଲାଳୁଆ ମୁହଁଟିର ଏବେ ଚିହ୍ନ ବର୍ଣ୍ଣ ସେ ଖୋଜି ପାଇନାହିଁ । ଗଳ୍ପର ଦ୍ଵିତୀୟ ପର୍ଯ୍ୟାୟ ପୁନଶ୍ଚ ବିୟୋଗାତ୍ମ ଭାବେ ସଂପୂର୍ଣ୍ଣ ହୋଇଛି, ଯେତେବେଳେ ଜଲିକୁ ହରାଇ ଜମିଦାର ଆତ୍ମଗ୍ଲାନିରେ ବୁଡ଼ି ରହିଛନ୍ତି ଏବଂ ଡୋରା ଅନାହାରରେ ପଡ଼ି ପଡ଼ି ଜଲିର ବଧଭୂମିକୁ କେବଳ ଆଘ୍ରାଣ କରି ତା’କୁ ଖୋଜି ବୁଲିଛି । କାଳେ ତା’ର ଏକାନ୍ତ ଜଲି ଫେରି ଆସିବ ।

 

‘କାଲାପାହାଡ଼’ ଗଳ୍ପର ପ୍ରଥମ ପର୍ଯ୍ୟାୟ ଲମ୍ବି ଆସିଛି କୁମ୍ଭକର୍ଣ୍ଣର ଚିତାବାଘ ସହ ଲଢ଼େଇରେ ମୃତ୍ୟୁବରଣ ପର୍ଯ୍ୟନ୍ତ । କୁମ୍ଭକର୍ଣ୍ଣ ପ୍ରଭୁ ରଂଲାଲ ଓ ବଂଧୁ କାଲାପାହାଡ଼ ପାଇଁ ଆତ୍ମାହୁତି ଦେଇ ଚାଲିଗଲା । ଗାଳ୍ପିକଙ୍କ ଭାଷାରେ - ‘‘କିଛୁ କ୍ଷଣେର ମଧ୍ୟେଇ ଯୁଧ୍ୟମାନ ଦୁଇଟା ଜନ୍ତୁଇ ମାଟିତେ ଗଡ଼ାଇୟା ପଡ଼ିଲ । ବାଘଟାର ପ୍ରାଣ ତଖନଉ ଥାକିଲେଉ ଅତ୍ୟନ୍ତ କ୍ଷୀଣ ଶରୀରେ ଶୁଧୁ ଦୁଇ ଏକଟା ଅତି କ୍ଷୀଣ ଆକ୍ଷେପ ମାତ୍ର ସ୍ପନ୍ଦିତ ହଇତେ ଛିଲ । କୁମ୍ଭକର୍ଣ୍ଣ ପଡ଼ିୟା ଶୁଧୁ ହାଁ ପାଇତେ ଛିଲ, ତାହାର ଦୃଷ୍ଟି ରଂଲାଲର ଦିକେ । ଚୋଖ୍‌ ହଇତେ ଦରଦର ଧାରେ ଜଲ ଗଡ଼ାଇତେଛେ । ରଂଲାଲ ବାଳକେର ମତ କାନ୍ଦିତେ ଆରମ୍ଭ କରିଲ’’ ସମ୍ମୁଖରେ କୁମ୍ଭକର୍ଣ୍ଣର ଯନ୍ତ୍ରଣାକ୍ଲିଷ୍ଟ ମନ ଓ ଶରୀର ନିକଟରେ କାଲାପାହାଡ଼ ଓ ରଂଲାଲ ନିସ୍ତେଜ, ନିର୍ବାକ ହୋଇପଡ଼ିଲେ-। ରଂଲାଳ ଚାଷ ସ୍ଵାର୍ଥ ନିମିତ୍ତ କୁମ୍ଭକର୍ଣ୍ଣ ପ୍ରତି ବଦଳରେ ଅନ୍ୟ ଗୋଟିଏ ମଇଁଷି କିଣି କୁମ୍ଭକର୍ଣ୍ଣକୁ ଭୁଲିବାକୁ ଚେଷ୍ଟା କଲା ମାତ୍ର କାଲାପାହାଡ଼ ଅନ୍ୟ କାହାକୁ କୁମ୍ଭକର୍ଣ୍ଣର ସ୍ଥାନ ଦେଇପାରିଲା ନାହିଁ । ଫଳରେ ଗଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ରଂଲାଲ ସତ ଚେଷ୍ଟା ସତ୍ତ୍ୱେବି କାଲାପାହାଡ଼ ଅବୁଝା ଓ ଆହୁରି ଉନ୍ମତ୍ତ ହୋଇଉଠିଲା ଏବଂ ପରିଶେଷରେ ଅଜଣା ସହରରେ ପ୍ରଭୁକୁ ଖୋଜିଖୋଜି ଗୁଳିର ଶିକାର ହୋଇଛି । ଗଳ୍ପରେ ଏଇଠି ଗାଳ୍ପିକଙ୍କ ଶୈଳୀ ହୋଇଛି ବେଶ୍‌ ହୃଦୟ ବିଦାରକ । ନିରୀହ ପଶୁଟିଏ କି ବୁଝିପାରେ ମାନବର ବିଜ୍ଞାନ କୌଶଳ ? ସେ କେବଳ ବୁଝେ ସ୍ନେହ, ପ୍ରେମ ଓ ମମତା-। ମାତ୍ର ଆଜିର ବ୍ୟସ୍ତ ବହୁଳ ତଥା ସ୍ଵାର୍ଥ ସର୍ବସ୍ଵ ପୃଥିବୀରେ ତା’ର ଏହି ଆକାଙ୍‌କ୍ଷା ପୂର୍ଣ୍ଣ ହୋଇ ପାରୁଛି ତ ?

 

‘ମାଂସର ବିଳାପ’ ଗଳ୍ପରେ ଜଲି ଓ ଡୋରା ଜମିଦାରଙ୍କ ପୁତ୍ର ଓ କନ୍ୟା ସଦୃଶ ପାଳିତ ହେଉଥିଲେ । ଅନୁରୂପ ଭାବେ ‘କାଲାପାହାଡ଼’ ଗଳ୍ପରେ କାଲାପାହାଡ଼ ଓ କୁମ୍ଭକର୍ଣ୍ଣ ଥିଲେ ରଂଲାଲର ବଂଧୁ । ଜମିଦାରଙ୍କ କର୍ମକ୍ଲାନ୍ତ ମନ ଓ ଶରୀରରେ ଅବସର ବିନୋଦନ ତଥା ଆନନ୍ଦ ପ୍ରଦାନ ନିମନ୍ତେ ଜଲି ଓ ଡୋରା ବିଭିନ୍ନ କୌତୁକ ପ୍ରଦାନ କରି ଆଦର ଯତ୍ନ କରୁଥିଲେ । ଡୋରା ଜମିଦାରଙ୍କୁ ଶିକାର ସମୟରେ ଯଥେଷ୍ଟ ସାହାଯ୍ୟ କରୁଥିଲା । ‘କାଲାପାହାଡ଼’ ଗଳ୍ପରେ ରଂଲାଲର ଚାଷ ଚିନ୍ତା ନ୍ୟସ୍ତ ଥାଏ କାଲାପାହାଡ଼ ଓ କୁମ୍ଭକର୍ଣ୍ଣଙ୍କ ଉପରେ । କ୍ଷେତରେ ଯେତେବେଳେ ରଂରାଲ ଲଙ୍ଗଳ କସି କଣ୍ଟି ମାଡ଼ିବସେ ବିନା ଦ୍ୱିଧାରେ ଏମାନେ ଟାଣି ଚାଲନ୍ତି । ପ୍ରକାଣ୍ଡ ବଡ଼ ଗାଡ଼ିଟିରେ ଏକତଲା ଘର ସମାନ ଉଞ୍ଚା କରି ଧାରକ ବୋଝ ବୋହି ଆଣୁଥିବାର ଦୃଶ୍ୟ ଦେଖି ଲୋକେ ସବିସ୍ମୟେ ଚାହିଁ ରୁହନ୍ତି; ରଂଲାଲ ଦେଖି ମୁରୁକି ହସିଦିଏ । ଅତଏବ ରଂଲାଲର ବଳ କହିଲେ ଏଇ ମଇଁଷି ଦୁଇଟିକୁ ହିଁ ବୁଝାଏ ।

 

ଉଭୟ ଗଳ୍ପରେ ମାଲିକ ଓ ଭୃତ୍ୟ ମଧ୍ୟରେ ଗଢ଼ି ଉଠିଥିବା ସଂପର୍କ ବାସ୍ତବିକ ଅପୂର୍ବ-ଅବର୍ଣ୍ଣନୀୟ । କିନ୍ତୁ ଏ ସଂପର୍କ ଅନାକାଂକ୍ଷିତ ଭାବେ ଚ୍ଛିନ୍ନ ହୋଇପଡ଼ିଛି । ‘ମାଂସର ବିଳାପ’ ଗଳ୍ପରେ ସାହେବଙ୍କ ହାତରେ ଜଲିକୁ ଟେକି ଦେଇଥିଲେ ମଧ୍ୟ ସେ ତାହା ଅନ୍ତରରେ ଚାହୁଁନଥିଲେ । ସ୍ନେହର ଜଲିକୁ ଯେ ଦିନେ ହତ୍ୟା କରି ତା’ରି ମାଂସ ଭକ୍ଷଣ କରିବାକୁ ହେବ, ଏକଥା ସେ କେବେ କଳ୍ପନା କରିନଥିଲେ । ବଂଧୁମାନଙ୍କ ମହଲରେ ସେ ବାଧ୍ୟ ହୋଇଥିଲେ ଏହା କରିବା ପାଇଁ । ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ସେ ଅନୁତାପରେ ଭାଂଗି ପଡ଼ିଲେ । ଶୟନେ, ସ୍ଵପନେ, ଜାଗରଣେ କେବଳ ଜଲିର ଦୃଶ୍ୟପଟ ତାଙ୍କ ସମ୍ମୁଖରେ ନାଚି ଉଠୁଥାଏ । ‘‘ଗୁଳି ଖାଇ ମାଆଟି ତା’ର ଭୂତଳଶାୟୀ ହେଲା, ଆଉ ନିର୍ବୋଧ ଶିଶୁ ଅବାକ୍‌ ହୋଇ ରହିଲା । ଟିକିଏ ହଲଚଲ ନାହିଁ, ସ୍ଵେଚ୍ଛାରେ ଆତ୍ମ ସମର୍ପଣ କଲା । ପୁଣି ସେଇ ଘନ ଅନ୍ଧକାର- ଦୁଇବନ୍ଧୁ ସ୍କନ୍ଧରେ ସଂଗୀନ ରଖି ତମ୍ବୁ ଅଭିମୁଖରେ - ଛୁରୀଧରି ସାହେବଙ୍କ ନୃଶଂସ ହାସ୍ୟ ଆଉ ସେ ହରିଣ ଶିଶୁଟିର କରୁଣ ଦୃଷ୍ଟିରେ ଜୀବନ ଭିକ୍ଷା ଏବଂ ମନୁଷ୍ୟ ଭାଷାରେ ବାକ୍ୟ ଉଚ୍ଚାରଣ- ‘ମୁଁ ପରା ମୋ ମା’ କୁ ଛାଡ଼ି ତୁମକୁ ଆଶ୍ରୟ କରି ଧରିଥିଲି ?’’ ଜମିଦାର ଏହିପରି ମର୍ମ ବିଦାରକ ବିଳାପରେ କାତର ଓ ଚିନ୍ତିତ ହୋଇପଡ଼ିଲେ । କିନ୍ତୁ ଡୋରା କାହିଁ ? ଜମିଦାର ଭଳି ଡୋରା କିନ୍ତୁ ନିଜକୁ ବଦଳେଇ ପାରିଲା ନାହିଁ । ବଂଧୁକୁ ହରାଇ ସେ ଦୁଃଖରେ ଭାଂଗି ପଡ଼ିଲା । ମାଂସହାରୀ ଡ଼ୋରା ସେଦିନ ନିରାହରରେ ପଡ଼ିରହିଲା ମାତ୍ର ଜଲିର ମାଂସ ଭକ୍ଷଣ ନିମନ୍ତେ ତା’ର ପ୍ରାଣ ଥରି ଉଠିଲା । ସୁଯୋଗ କ୍ରମେ ଡୋରା ଖସି ଯାଇ ଜଲିର ବଧ ଭୂମିରେ ଘୂରିବୁଲିଲା । ଏଇଠାରେ ସେ ତା’ର ପ୍ରିୟ ସଖାକୁ ହରାଇଛି - କାଳେ ସେ ତାକୁ ସଂଧାନ କରିପାରିବ ! ଜଲି ସହିତ ସେ ପୁଣି ବଂଧୁତ୍ୱର କଥା କହିପାରିବ । ସେହି ଆଶାରେ ଡୋରା ଜଲିର ବଧଭୂମି ଛାଡ଼ି ନାହିଁ ଏବଂ ଡୋରା ମଧ୍ୟ ଜଲି ପରି ଅଦୃଶ୍ୟ ହୋଇଯାଇଛି-

 

‘କାଲାପାହାଡ଼’ ଗଳ୍ପରେ ରଂଲାଲ ଦୈବ ଦୁର୍ଘଟଣାକ୍ରମେ କୁମ୍ଭକର୍ଣ୍ଣକୁ ହରାଇଛି ମାତ୍ର କାଲାପାହାଡ଼ ? ଅନିଚ୍ଛା ସତ୍ତ୍ଵେ ରଂଲାଲ ପାଇକାରୀ ହାତରେ କାଲାପାହାଡ଼କୁ ଟେକି ଦେବା ପାଇଁ ବାଧ୍ୟ ହୋଇଛି । କାଲାପାହାଡ଼କୁ ଯେ ବିକ୍ରି କରି ଦେବାକୁ ହେବ, ଏ କଥାକୁ ରଂଲାଲ ସହଜରେ ଗ୍ରହଣ କରିପାରିନି । କିନ୍ତୁ ସେ ନାଚାର । ସମସ୍ତଙ୍କ ବାଧ୍ୟରେ ସେ କାଲାପାହାଡ଼ର ଦରଦାମ୍‌ ମୁଲେଇବା ଦୃଶ୍ୟ ମଥାନତ କରି ଶୁଣୁଥାଏ । ସ୍ତ୍ରୀ ଯଶୋଦା ଅନେକ କଥା କଟାକଟି କରି ପଅଁଷଠି ଟଙ୍କାରେ କାଲାପାହାଡ଼କୁ ବିକ୍ରି କରିଦେଲେ । ମାତ୍ର କେଇ ଘଣ୍ଟା ମଧ୍ୟରେ ରଂଲାଲ ଶୁଣି ପାରିଲା ଆଁ...ଆଁ.. ଶବ୍ଦ । ତଳକୁ ମୁହଁ କରି ଉଦାସ ମନରେ ବସିଥିବା ରଂଲାଲ ଏବେ ସତେଜ ହୋଇଉଠିଲା । ଜାଣିପାରିଲା ଯେ କାଲାପାହାଡ଼ ତାର ଫେରି ଆସିଛି । କିନ୍ତୁ ବନ୍ଧୁ ଛଡ଼ା କାଲାପାହାଡ଼ କ୍ରମେ ଅନ୍ୟମାନଙ୍କ ପ୍ରତି ନିର୍ମମ ହୋଇଉଠିଛି । କୁମ୍ଭକର୍ଣ୍ଣ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିଶୋଧ ପାଇଁ ସେ ଘୁରି ବୁଲିଛି । ଫଳରେ ରଂଲାଲକୁ ଅନେକ କ୍ଷତି ସହ୍ୟ କରିବାକୁ ହୋଇଛି । ରଂଲାଲର ଚାଷବାସ ବିପର୍ଯ୍ୟସ୍ତ ହୋଇପଡ଼ିଛି । କାଲାପାହାଡ଼କୁ ରଂଲାଲ ଭଲପାଏ ମାତ୍ର କେତେଦିନ ବା କ୍ଷତି ସହିପାରିବ ? କାଲାପାହାଡ଼ର ଦୌରାତ୍ମ୍ୟରୁ ଅନ୍ୟମାନଙ୍କୁ ରକ୍ଷା କରିପାରିବ ? ବାଧ୍ୟ ହୋଇ ରଂଲାଲ କାଲାପାହାଡ଼କୁ ଏଥର ଦୂରବର୍ତ୍ତୀ ସହରର ଜଣେ ପାଇକାରୀ ହସ୍ତରେ ଟେକି ଦେଇଛି । କାଲାପାହାଡ଼ ବର୍ତ୍ତମାନ ନିଃସ୍ଵ । ସେ ପ୍ରଥମେ କୁମ୍ଭକର୍ଣ୍ଣକୁ ହରାଇଥିଲା । ଏବେ ପ୍ରଭୁକୁ ହରାଇ ଏକେବାର ପାଗଳ ହୋଇପଡ଼ିଛି । ପାଇକାରୀ ଦାଉରୁ ନିଜକୁ ମୁକ୍ତ କରି ସେ ପ୍ରଭୁ ରଂଲାଲକୁ ଖୋଜି ବାହାରିଛି । ସହରର ଗାଡ଼ି ମଟର ଓ ଜନାକୀର୍ଣ୍ଣ ଗହଳି ମଧ୍ୟରେ ସେ ଦୌଡ଼ି ଚାଲିଛି ରଂଲାଲ ପାଖକୁ । ତା’ର ଉଦ୍ଦାମ ତାଣ୍ଡବରେ ସହରର ଶାନ୍ତି ହୋଇଛି ବିଘ୍ନିତ । ହଠାତ୍‌ ତା’ ଆଡ଼କୁ ଗୋଟିଏ ଅପରିଚିତ ଜାନୁୟାର ମାଡ଼ି ଆସିଲା । ଦିନେ ରଂଲାଲର ଜୀବନରକ୍ଷା ନିମନ୍ତେ କାଲାପାହାଡ଼ ଚିତାବାଘ ସଂଗେ ଲଢ଼ିଥିଲା । ଆଜି ବି ପ୍ରଭୁ ଅନୁସଂଧାନରେ ସେ ଏଇ ଜାନୁୟାରର ସମ୍ମୁଖୀନ ହୋଇଛି । ଏକ କର୍କଶ ଉଚ୍ଚ ଶବ୍ଦ ଧ୍ଵନିତ ହେଲା, କାଲାପାହାଡ଼ କିଛି ବୁଝି ପାରିଲାନାହିଁ । ଅତ୍ୟନ୍ତ କଠିନ ଯନ୍ତ୍ରଣା ମୁହୂର୍ତ୍ତଟିଏ ପାଇଁ ସେ ଅନୁଭବ କଲା । କାଲାପାହାଡ଼ ପାଇଁ ଅପରିଚିତ ଜାନୁୟାରଟି ଥିଲା ପୁଲିସ୍‌ ସାହେବର ମଟରଗାଡ଼ି । ହତଭାଗା କାଲାପାହାଡ଼ ରଂଲାଲକୁ ଆଉ ଖୋଜି ପାରିଲାନାହିଁ । ତା’ର ପ୍ରେମୋନ୍ମତ୍ତତାର ପ୍ରତ୍ୟୁତ୍ତର ଆସିଥିଲା ନଗର ପାଳିକାର ଗୁଳିରୁ ।

 

‘ମାଂସର ବିଳାପ’ ଗଳ୍ପରେ ମାନବେତର ଚରିତ୍ର ପ୍ରତି କରିଥିବା ଅନ୍ୟାୟର ପ୍ରାୟଶ୍ଚିତ୍ତ ପାଇଁ ଜମିଦାର ଆଜୀବନ ଶାକାହାରୀ ଭାବେ ତଥା ତାଙ୍କ ଉଆସରେ ଆମିଷ ପ୍ରବେଶ ନିଷିଦ୍ଧ ହେଲା ଏବଂ କେହି ମୃଗ ଶିକାର ବା ପଶୁବଧ କରିପାରିବେ ନାହିଁ ବୋଲି ମଧ୍ୟ ତାଙ୍କ ଆଦେଶ ଜାରିହେଲା । ଗଭୀର ଆତ୍ମ ଅନୁଶୀଳନ ଓ ଅନୁତାପ ପରେ ସେ ଏକ ଭିନ୍ନ ନୂଆ ଲୋକ ହୋଇ ଜନ୍ମିଲେ । ସାହେବଙ୍କ ଅତିଥିଶାଳା ଦରିଦ୍ରମାନଙ୍କ ପାଇଁ ପାନ୍ଥଶାଳାରେ ପରିଣତ ହେଲା । ମାତ୍ର ‘କାଲାପାହାଡ଼’ ଗଳ୍ପରେ କାଲାପାହାଡ଼ର ମୃତ୍ୟୁରେ ହିଁ ଗଳ୍ପ ଯବନିକା ପଡ଼ିଛି । କାଲାପାହାଡ଼ର ପ୍ରଭୁ ଭକ୍ତିଭାବର ଚରମ ନିଦର୍ଶନ କେହି ଉପଲବ୍ଧି କରୁନାହିଁ । ତା’ର ମୃତ୍ୟୁରେ କେହି ଅନୁତାପ କରୁନାହିଁ । ଏପରିକି ରଂଲାଲ ମଧ୍ୟ କାଲାପାହାଡ଼ର ମୃତ୍ୟୁ ସଂବାଦ ଜାଣିପାରୁନାହିଁ । କାଲାପାହାଡ଼ର ବିରାଟକାୟ ଶରୀରକୁ ଡୋମ ଲୋକମାନେ ଟାଣିନେବା ଦୃଶ୍ୟ ବି ରଂଲାଲର ଅଦୃଶ୍ୟରେ ସଂଗଠିତ ହେଉଛି । ରଂଲାଲର ଅନୁତାପ କରିବାର ପର୍ଯ୍ୟାୟ ସେଇଠି ଶେଷ ହୋଇଯାଉଛି ଯେଉଁଠି ସେ ପାଇକାରୀକୁ ତାକୁ ବିକ୍ରି କରି ଦେଇଛି । କାଲାପାହାଡ଼ର ଅନ୍ତିମ ଦୃଶ୍ୟ ଦେଖିଥିଲେ ବୋଧ ହୁଏ ରଂଲାଲ ପ୍ରାଣ ହାରିଥାନ୍ତା । ତାରାଶଂଙ୍କର କାଲାପାହାଡ଼ର ମୃତ୍ୟୁ କରାଇ ଗଳ୍ପର ଇତି କରିଥିବା ଯୋଗୁଁ ଗଳ୍ପଟି ପାଠକଙ୍କ ହୃଦୟକୁ ବେଶୀ ଆଘାତ ଦେଇଛି । କରୁଣ ରସପ୍ଲୁତ ପାଠକ ହାୟ-ହାୟ କରି ବସୁଛି ଏବଂ ଏଇଠି ଗାଳ୍ପିକଙ୍କର ଗଳ୍ପର ଶିଳ୍ପ ବିଧି ଶିଖର ସ୍ପର୍ଶ କରିପାରିଛି । ଏ ତୁଳନାରେ ‘ମାଂସର ବିଳାପ’ ଆଶିଂକ ଦୁର୍ବଳ । ଦୁର୍ବଳ ଏଇଥିପାଇଁ ଯେ ‘କାଲାପାହାଡ଼’ ରେ ଦୀର୍ଘକାୟ, ବଳିଷ୍ଠ କାଲାପାହାଡ଼ ସରଳ, ନିରୀହ ଓ ମାୟାହୀନ ଭାବେ ଭୂତଳଶାୟୀ ହୋଇ ପଡ଼ିଥିବା ସ୍ଥଳେ ‘ମାଂସର ବିଳାପ’ରେ ଡୋରା କେଉଁ ଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଛି । ତା’ର କାଲାପାହାଡ଼ ସଦୃଶ ଜଘନ୍ୟ ମୃତ୍ୟୁ ସମ୍ପାଦିତ ହୋଇନାହିଁ । ହୋଇଥିଲେ ହୁଏତ ‘ମାଂସର ବିଳାପ’ର ଟ୍ରାଜିକ୍‌ଧର୍ମିତା ବହୁଗୁଣିତ ହୋଇପାରିଥାନ୍ତା । ଅପରନ୍ତୁ ଜଲିର ବିୟୋଗ ଜନିତ ଦୁଃଖ ଡୋରା ଓ ଜମିଦାରଙ୍କ ସ୍ତରରେ ମନସ୍ତାତ୍ତ୍ଵିକ ଦିଗ ପ୍ରଦର୍ଶନ କରିବାରେ ‘ମାଂସର ବିଳାପ’ ଯେତେ ଉଚ୍ଚକୋଟୀର, ‘କାଲାପାହାଡ଼’ରେ କୁମ୍ଭକର୍ଣ୍ଣର ବିୟୋଗ ହେତୁ ରଂଲାଲ ବା କାଲାପାହାଡ଼ର ଦୁଃଖାତ୍ମକ ମାନସିକ ଚିନ୍ତନର ପରିସ୍ଫୁଟନ ସେତେ ଗଭୀର ହୋଇପାରିନାହିଁ । ଅନ୍ୟତ୍ର ମାନବେତର ଚରିତ୍ର ମଧ୍ୟରେ ମାନବିକ ଗୁଣାବଳୀର ରୂପଚିତ୍ର ପ୍ରଦର୍ଶନ କରିବାରେ ‘ମାଂସର ବିଳାପ’ ଠାରୁ ‘କାଲାପାହାଡ଼’ ଶ୍ରେଷ୍ଠତର ଆସନ ଦାବିକରେ । ସର୍ବୋପରି ‘ମାଂସର ବିଳାପ’ ଓ ‘କାଲାପାହାଡ଼’ର ବର୍ଣ୍ଣନା ଶୈଳୀ ବେଶ୍‌ ହୃଦୟସ୍ପର୍ଶୀ ହୋଇପାରିଛି ।

 

 

ସିନିୟର ରିସର୍ଚ୍ଚ ଫେଲୋ (ୟୁ.ଜି.ସି)

ଓଡ଼ିଆ ବିଭାଗ,

ଶାନ୍ତିନିକେତନ, ପଶ୍ଚିମବଂଗ - ୭୩୧୨୩୫

 

***

 

ବିଶ୍ଵ ସଂସ୍କୃତିର ଅଭ୍ୟୁତ୍‌ଥାନ ଓ ଭାରତବର୍ଷର ଆଦର୍ଶ

ଡକ୍ଟର ବାସୁଦେବ ଦାସ

 

ପୃଥିବୀର ସୃଷ୍ଟି ଆଜକୁ ଶହେ ଛୟାନବେ କୋଟି ବର୍ଷ ହେଲା ବୋଲି ବୈଦିକ ବିଦ୍ଵାନମାନଙ୍କର ମତ । କେହି କେହି ଦୁଇଶହ କୋଟି ବର୍ଷ ‘ମେଦିନୀ’ ହେବାର ହିସାବ କରନ୍ତି । ଯାହା ହେଉ, ପୃଥିବୀ ପୃଷ୍ଠରେ ସ୍ଥଳଭାଗର ସ୍ଥିତି ସଂଚାର ବେଳେ ଦୁଇଟି ‘ପ୍ୟାଞ୍ଜିଆ’ ଦେଖା ଦେଲା-। ପ୍ରଥମ ପ୍ୟାଞ୍ଜଆ ଭାରତବର୍ଷ ଓ ଦ୍ୱିତୀୟ ଖଣ୍ଡ ଆଫ୍ରିକା ମହାଦେଶ । ଅବଶ୍ୟ ବହୁପରେ ଅଙ୍ଗିରା ମହର୍ଷି ଆମ ଦେଶର ନାମ ‘ଭାରତବର୍ଷ’ ରଖିଛନ୍ତି । ପୃଥିବୀର ପ୍ରତ୍ୟେକ ମହାଦେଶ/ ଦେଶ ଗୋଟିଏ ଲେଖା ଦ୍ଵୀପାକୃତି ଏବଂ ଜଳଭାଗ ବେଷ୍ଠିତ ଥିବାରୁ ଏଗୁଡ଼ିକ ସପ୍ତଦ୍ଵୀପ ଭାବେ ପୁରାଣରେ ନାମିତ ହୋଇଛନ୍ତି । ସେହିପରି ଭାରତବର୍ଷର ପୂର୍ବନାମ ଜମ୍ଭୁଦ୍ଵୀପ ହୋଇଥିଲା । ଆଫ୍ରିକା ମହାଦେଶ ପ୍ଳକ୍ଷ ଦ୍ଵୀପ; ଉକ୍ତ ଦୁଇଟି ଭୂଖଣ୍ଡ ଭୂନିର୍ମାଣ ବା ‘ଲ୍ୟାଣ୍ଡ ଫର୍‌ମେଶନ’ କ୍ଷେତ୍ରରେ ସର୍ବପୁରାତନ । ଆକୃତି ଦୃଷ୍ଟିରୁ ଦୁଇଟି ଭୂଖଣ୍ଡର ସାଦୃଶ୍ୟ ପରିଲକ୍ଷିତ । ଗ୍ରୀଷ୍ମକଟି ବନ୍ଧର ଦେଶ, ବେଶ, କେଶ, ବାସ, ହାସ (ଓଠ) ଓ ଭାଷ (ସ୍ଵର) ମଧ୍ୟରେ ସାମଞ୍ଜସ୍ୟ ନିହିତ । ପ୍ରାଚୀନ ଗଣ୍ଡୱାନା ଲ୍ୟାଣ୍ଡର ଅନ୍ତର୍ଭୁକ୍ତ ଅଞ୍ଚଳ ହେତୁ, ଏଇ ଅଞ୍ଚଳ ପ୍ରାଚୀନ ପ୍ରସ୍ତର ଯୁଗୀୟ ସଭ୍ୟତାର ପ୍ରାଣକେନ୍ଦ୍ର ।

 

କୃଷ୍ଣ ଦ୍ୱୈପାୟନ ବ୍ୟାସଙ୍କ ବିରଚିତ ମହାଭାରତରେ ଭୀଷ୍ମପର୍ବରେ ଭାରତବର୍ଷ ବା ଜମ୍ୱୁଦ୍ଵୀପର ବର୍ଣ୍ଣନା ରହିଛି । ଏହି ପର୍ବର ପ୍ରଥମ ଭାଗ ଜମ୍ବୁଦ୍ଵୀପ ବିନିର୍ମାଣ ଖଣ୍ଡ ହୋଇଥିବା ସ୍ଥଳେ ଦ୍ୱିତୀୟାଂଶଟି ହେଉଛି ଶ୍ରୀମଦ୍‌ ଭଗବଦ୍‌ଗୀତା । ଏସିଆ ମହାଦେଶ ଅଧିକାଂଶ ଆଧୁନିକ ଦେଶର ସ୍ଥିତି, ଜୀବନଧାରା, ଭୌଗୋଳିକ ଚିତ୍ର ଆଦି ଜମ୍ବୁଦ୍ଵୀପ ବିନିର୍ମାଣ ଖଣ୍ଡରେ ପରିଦୃଷ୍ଟ (ଗୀତାପ୍ରେସ- ମହାଭାରତ) । ଶ୍ରୀଲଙ୍କା, ବ୍ରହ୍ମଦେଶ ଠାରୁ କାସ୍ପିୟାନ ସାଗର ପର୍ଯ୍ୟନ୍ତ ଏବଂ ଆଲ୍‌ଟାଇ ଥିଆନ୍‌ ସିଆନ ପର୍ବତମାଳା ଦେଇ ଜମ୍ବୁଦ୍ୱୀପର ବିସ୍ତୃତି ଥିଲା । ସଂପ୍ରତି ଉତ୍ତୁଙ୍ଗ ହିମାଳୟ ପର୍ବତମାଳା ଗଢ଼ି ଉଠିଥିବା ସ୍ଥାନରେ ଟେଥିସ୍‌ ଉପସାଗର ହ୍ରଦ ସଦୃଶ ରହିଥିଲା । ଭୂବର୍ତ୍ମର ଆଲୋଡ଼ନ ତଥା ମହାସାଗର ପରିଚଳନ କାରଣରୁ ଗଭୀର ସମୁଦ୍ର କ୍ଷେତ୍ରରେ ପର୍ବତମାଳା ମୁଣ୍ଡଟେକି ଉଠିଲା । ପାଲାଗାୟକମାନଙ୍କର ବାଦୀ ପାଲାରେ ପ୍ରଶ୍ନ ହୁଏ ବୟସରେ ଗଙ୍ଗା ବଡ଼ କି ହିମାଳୟ ଅଧିକ । ଯଦିଚ କୌତୁକ ପ୍ରଶ୍ନଭଳି ମନେହୁଏ, ଏହା ଏକ ତଥ୍ୟ ଭିତ୍ତିକ ସିଦ୍ଧାନ୍ତ । ଗଙ୍ଗା/ପଦ୍ମା ନଦୀ ଟେଥିସ୍‌ ସାଗରରେ ସଙ୍ଗମ ଲାଭ କରିଥିଲା ମାତ୍ର ହିମାଳୟର ଉତ୍ପତ୍ତି ହେବାପରେ ଏକ ଲକ୍ଷ ବର୍ଷ ହେଲା ଗଙ୍ଗାନଦୀ ଉଜାଣି ବହି ମହୋଦଧିର ସାନ୍ନିଧ୍ୟ ସଙ୍ଗମ ହେଲା ।

 

ଭାରତୀୟ ପୁରାଣମାନଙ୍କରେ ସପ୍ତପାତାଳର ମଧ୍ୟ ବର୍ଣ୍ଣନା ରହିଛି । ଏଗୁଡ଼ିକ ଯଥାକ୍ରମେ ୧- ଅତଳ (ସୁମାତ୍ରା) ୨ - ବିତଳ ( ବୋର୍ଣିଓ ୩- ସୁତଳ (ଜାଭା) ୪- ରସାତଳ (ସେଲ୍‌ବିଜ୍‌) ୫- ମହାତଳ (ଅଷ୍ଟ୍ରେଲିଆ) ୬- ତଳାତଳ (ନ୍ୟୁଗିନୀ) ୭- ପାତାଳ (ନିଉଜିଲ୍ୟାଣ୍ଡ) ଆଦି ଦେଶକୁ ସମୁଦ୍ର ପାର ହୋଇଯିବାକୁ ପଡ଼ୁଥିଲା । ପ୍ରାଚ୍ୟ ବିଦ୍ଵାନମାନଙ୍କ ମତରେ ଏଗୁଡ଼ିକ ପୂର୍ବ ଏସିଆର ସାତଦ୍ଵୀପ । କେତେକ ଆଲୋଚକ ନବଦ୍ୱୀପ ଭାବେ ବର୍ମା ଓ ମାଳୟକୁ ମିଶାଇ ଗ୍ରହଣ କରିଛନ୍ତି ।

 

ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ବିଚାର ଯେ ଏହି ଦେଶମାନଙ୍କୁ ଭାରତର ଜଣେ ଜଣେ ଶାସକ ଯାଇ ଶାସନ ପରିଚାଳନା କରୁଥିଲେ । ଭାରତର ପ୍ରବଳ ପରାକ୍ରମୀ ରାଜାମାନେ ସେହି ଦେଶରେ କୌଣ୍ଡିନ୍ୟ ନାମରେ ଭୂଷିତ ବା ବିବେଚିତ ହେଉଥିଲେ । କୌଣ୍ଡିନ୍ୟ ଶବ୍ଦର (ବ୍ୟୁତ୍‌ପତ୍ତି) କୁଣ୍ଡନ/କୁନ୍ଦନ (ଶାସନ)ରୁ ସମ୍ଭବତଃ ସୃଷ୍ଟି । କୁଣ୍ଡନ+ଅ=କୌଣ୍ଡିନ୍ୟ (ତଦ୍ଧିତ ନିଷ୍ପନ୍ନ) ବ୍ୟବସ୍ଥା ଖ୍ରୀଷ୍ଟ ପୂର୍ବରୁ ପ୍ରଚଳିତ ହୋଇ ୪ର୍ଥ/୫ମ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରଚଳିତ ଥିବାର ବିବରଣୀ ମିଳେ । ୪ର୍ଥ ଶତାବ୍ଦୀର ଜନୈକ କୌଣ୍ଡିନ୍ୟ ପୂର୍ବ ଏସିଆ ଖଣ୍ଡରେ ସେମାନଙ୍କର ପରଂପରାଗତ ଚାଲି ଚଳଣି ଓ ସଂସ୍କୃତିର ପରିବର୍ତ୍ତନ କରିଦେଇଥିଲେ । ଭାରତୀୟ ଆଚାର ତଥା ଆର୍ଯ୍ୟ ବିଚାର ଧାରାର ଉତ୍ତମ ସ୍ଥାପନା କରିଥିଲେ । ପଞ୍ଚମ ଶତାବ୍ଦୀର ଶାସକ ଜୟ ବର୍ମାଙ୍କୁ ମଧ୍ୟ କୌଣ୍ଡିନ୍ୟ ଭାବରେ ଗ୍ରହଣ କରାଯାଏ । ସପ୍ତମ ଶତାବ୍ଦୀରେ ଯାଇଥିବା କୌଣ୍ଡିନ୍ୟ ସେଇ ଦେଶର ଶାସନ ପଦ୍ଧତି ଆଦର୍ଶ ସଂସ୍କାର ଏବଂ ସୁସ୍ଥ ସମାଜ ଗଠନରେ ବ୍ରତୀ ହୋଇଥିଲେ ।

 

ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ କାମ୍ବୋଡ଼ିଆ, ଦକ୍ଷିଣଲାଓସ, ଶ୍ୟାମ ଓ ମାଳୟ ଦ୍ଵୀପ ସମୂହରେ ଭାରତୀୟମାନଙ୍କ ଶାସନ ଥିଲା ସ୍ଥିର ଓ ଶୃଙ୍ଖଳିତ । କୌଣ୍ଡିନ୍ୟ ବ୍ରାହ୍ମଣ ପଦାର୍ପଣ କରି ନାଗ କନ୍ୟାଙ୍କୁ ବିବାହ କରିଥିଲେ । ଭକ୍ତ ନାଗକନ୍ୟାଙ୍କର ନାମ ‘ସୋମା’ ଥିବାରୁ ଏହି ବଂଶ ସୋମବଂଶୀ ନାମରେ ପରିଚିତ । ଦକ୍ଷିଣ ଭାରତର ଲୋକେ ବହିର୍ବାଣିଜ୍ୟ କରିବାକୁ ଯାଇ ଭାରତୀୟ ଶାସକଙ୍କ ପୃଷ୍ଠପୋଷକତାରେ ସେଠାରେ ବସବାସ କରି ରହିଲେ । ଭାରତର ବଲ୍ଲବ ବଂଶୀ ବା ଯାଦବମାନେ ସେମାନଙ୍କ ନାମରେ ବର୍ମା ସଂଯୋଗ କରୁଥିବାର ପ୍ରମାଣ ମିଳେ । ଭାରତରେ ପ୍ରଚଳିତ ଗୋଷୁର ଶୈଳୀ ଦେବ ମନ୍ଦିରକୁ ଅନୁସରଣ କରି କାମ୍ବୋଡ଼ିଆରେ ଓଁ କାରବାଟ ଓ ‘ବେୟନ’ ମନ୍ଦିରମାନ ନିର୍ମିତ ହୋଇଥିଲା ବୋଲି ୱେଲସ ତାଙ୍କର ‘ଦି ମେକିଂ ଅଫ୍‌ଇଣ୍ଡିଆ’ ପୁସ୍ତକରେ ଦର୍ଶାଇଛନ୍ତି । କେ. ଏ. ଏନ୍‌ ଶାସ୍ତ୍ରୀଙ୍କର ଇିଣ୍ଡିଆନ୍‌ ଇନ୍‌ଫ୍ଲୁଏନ୍‌ସ୍‌ ଇନ୍‌ ପାରଇଷ୍ଟ’ରେ ଭାରତୀୟମାନେ ସମଗ୍ର ଦକ୍ଷିଣ ଏସିଆ ଦେଶମାନଙ୍କରେ ପ୍ରଭୂତ ପ୍ରଭୁତ୍ୱ ବିସ୍ତାର କରିବା ବିଷୟ ସ୍ପଷ୍ଟ କରିଅଛନ୍ତି ।

 

ବ୍ୟାସଙ୍କ ମହାଭାରତରେ ‘କାମ୍ୱୋଜ’ ଦେଶର ନାମୋଲ୍ଲେଖ ରହିଛି । ଏହା ଆଧୁନିକ କାମ୍ବୋଡ଼ିଆ ଏବଂ ଏମାନଙ୍କୁ ଭାରତୀୟ ବଂଶୋଦ୍‌ଭବ ତଥା ଭାରତୀୟ ଧର୍ମାବଲମ୍ବୀ ଭାବେ ନିର୍ଣ୍ଣୟ କରାଯାଇଅଛି । ଏଠାରେ ଥିବା ‘ମେକଙ୍ଗ’ ନଦୀର ନାମ ସହିତ ‘କୋଙ୍ଗ’ ଶବ୍ଦକୁ ସଂଯୋଗ କରାଯାଇଅଛି । ସ୍ଥାନୀୟ ମେକୋଙ୍ଗ ଶବ୍ଦର ଅର୍ଥ: ମେ-ମୋ, କୋଙ୍ଗ-ଗଙ୍ଗା ଅର୍ଥାତ୍‌ ଗଙ୍ଗାମାତା । ଭାରତ ବର୍ଷରେ ‘ଗଙ୍ଗା ମାତା’ ସଂସ୍କୃତି ଅତ୍ୟନ୍ତ ଲୋକପ୍ରିୟ । ଏପରିକି ପୂର୍ବ ପୁରୁଷଙ୍କର ପିଣ୍ଡ ଦାନ ଓ ଅସ୍ଥି କ୍ଷେପଣ ଦ୍ଵାରା ପ୍ରେତାତ୍ମା ଶାନ୍ତି ଓ ସଦ୍‌ଗତି ଲାଭ କରନ୍ତି । ମେକାଙ୍ଗ ନଦୀ କାମ୍ଭୋଡ଼ିଆରେ ଅନୁରୂପ ମର୍ଯ୍ୟାଦା ଓ ସଂସ୍କୃତିର ପ୍ରାଣ କେନ୍ଦ୍ର ହୋଇ ଆସିଅଛି । ଶ୍ରରାମ ଶର୍ମା ଆଚାର୍ଯ୍ୟ ସେ ଦେଶର କିମ୍ବଦନ୍ତୀକୁ ଭିତ୍ତିକରି କହନ୍ତି ଯେ ସ୍ୱୟଂମ୍ଭୂ ମନୁ ନାମକ ମହାପୁରୁଷ ସେ ଦେଶର ପ୍ରତିଷ୍ଠାତା । ସ୍ଵୟଂଭୂବ ମନୁଙ୍କଠାରୁ ଭାରତୀୟମାନଙ୍କର ଉତ୍‌ପତ୍ତି ଏହା ଗୀତା ଓ ଅନ୍ୟ ଶାସ୍ତ୍ରରେ ମଧ୍ୟ ପ୍ରମାଣ ଲିପିବଦ୍ଧ ।

 

ଚୀନରେ ଭାରତୀୟ ସଂସ୍କୃତି:

ଭାରତବର୍ଷରେ ଗୌତମ ବୁଦ୍ଧଙ୍କର କ୍ରାନ୍ତିକାରୀ ଅବତରଣ ଏବଂ ବୌଦ୍ଧଧର୍ମ ପ୍ରସାରଣ ସମଗ୍ର ବିଶ୍ଵବାସୀଙ୍କ ପାଇଁ ଥିଲା ଏକ ଆଧ୍ୟାତ୍ମିକ ଉତ୍ତରଣ । ବିଶେଷତଃ ଏସିଆ, ୟୁରୋପ ଓ ଆଫ୍ରିକା ମହାଦେଶରେ ପ୍ରଚାରକଗଣ ପ୍ରବେଶ କରି ଆତ୍ମା ଦୀପୋଭବ, ଅଦତ୍ତ ଦାନ ବିରମଣି’ ଓ ‘ମୁସାବାଦ ବିରମଣି’ ବାଣୀ ପ୍ରଚାର ପୂର୍ବକ ବିଶ୍ଵ ସଂସ୍କୃତିରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲେ । ସିଂହଳ, ବ୍ରହ୍ମଦେଶଠାରୁ ଚୀନ, ତିବ୍ଦତ, ଜାପାନ ଦେଶ ଆଗ୍ରହର ସହିତ ଏହି ଧର୍ମମତ ବାଦକୁ ଗ୍ରହଣ କରି ଆନନ୍ଦିତ ହୋଇଥିଲେ । ମଗଧ ସମ୍ରାଟ ଅଶୋକ ଓ କୁଶାଣ ବଂଶୋଦ୍ଭବ ରାଜା କନିଷ୍କଙ୍କ ସହାୟତା ଏହି ସହଜ ଓ ସରଳ ଧର୍ମର ପ୍ରଚାର ପ୍ରସାର ଦିଗରେ ଅବିସ୍ମରଣୀୟ ହୋଇଛନ୍ତି । ଖ୍ରୀଷ୍ଟୀୟ ୬ଷ୍ଠ ଶତାବ୍ଦୀରେ ହର୍ଷ ବର୍ଦ୍ଧନଙ୍କ ଦ୍ଵାରା ବୌଦ୍ଧ ଧର୍ମରେ ତ୍ୟାଗ, ଦାନ ଓ ଶୁଚିର ବିଶେଷ ବାଖ୍ୟା ହୋଇଥିଲା । ପରିବ୍ରାଜକଗଣ ରାଜପୃଷ୍ଠପୋଷକତାରେ ବହିର୍ଦେଶମାନଙ୍କରେ ଧର୍ମ ସଂଗଠନ ଓ ଧର୍ମ ସଂରକ୍ଷଣକୁ ଅଧିକ ବ୍ୟାପକ କରାଇଥିଲେ । ଅନେକ ଲୋକ ଧାରଣା କରନ୍ତି, ଭାରତ ବର୍ଷରୁ ବୌଦ୍ଧଧର୍ମର ବିଲୁପ୍ତ ଘଟିଛି, ମାତ୍ର ଏତାଦୃଶ ଭାବନା ଅମୂଳକ ଓ ଭ୍ରାନ୍ତିକର । ହିନ୍ଦୁଧର୍ମର ଅଭ୍ୟୁତ୍‌ଥାନ କାଳ ତଥା ଦ୍ଵାଦଶ ଶତାବ୍ଦୀ ବେଳକୁ ବୌଦ୍ଧଦର୍ଶନ ତାହାର ଲୋକ ପ୍ରିୟତା ହରାଇଥିଲା ଏବଂ ହିନ୍ଦୁଧର୍ମ ସହିତ ସାଲିସ କରି ବୌଦ୍ଧ ପଣ୍ଡିତମାନେ ଏହାକୁ ହିନ୍ଦୁ ଦେବ ଦେବୀଙ୍କର ନାମାନ୍ତର କଲେ । ବୌଦ୍ଧ ଦେବତା ଜଗନ୍ନାଥ ହେଲେ ହିନ୍ଦୁମାନଙ୍କର ଆରାଧ୍ୟ ଦେବ ଏବଂ ବୁଦ୍ଧଦେବଙ୍କୁ ଭାରତ ବର୍ଷ ଅନ୍ୟତମ ଅବତାର ଭାବେ ଗ୍ରହଣ କରିବା ଦ୍ଵାରା ହିନ୍ଦୁ ବୌଦ୍ଧ ଧର୍ମୀୟ ସଂଘର୍ଷର ପୂର୍ଣ୍ଣଚ୍ଛେଦ ପଡ଼ିଲା । ଭାରତର ଧର୍ମ ପରଂପରା ଚୀନ ଦେଶରେ ଥିଲା । ହଜାର ବର୍ଷ ଧରି ଧାର୍ମିକ, ବ୍ୟବସାୟିକ ଓ ରାଜନୀତିକ ଭାବଧାରାର ବିନିମୟ ହେବା ଉଭୟ ଦେଶର ସୌହାର୍ଦ୍ଧ୍ୟ ରକ୍ଷା କରି ଆସିଥିଲା । ଧର୍ମ ଓ ଆଦର୍ଶ ମନୀଷୀମାନଙ୍କର ଉଭୟ ଦେଶର ଆଦର ସମ୍ମାନ ବିଶ୍ଵ ମଙ୍ଗଳ ଚିନ୍ତନରେ ସହାୟକ ଥିଲା । ଭାରତସୀମାକୁ ଚୀନ ତିବ୍ଦତ ଲାଗିରହିଥିବାରୁ ଯାତାୟତ କଷ୍ଟକର ହେଲେ ହେଁ ସ୍ଥୂଳପଥରେ ଯାତ୍ରା କରିବା ଥିଲା ଅବ୍ୟାହତ ।

 

ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ଏହି ପ୍ରସଙ୍ଗକୁ ସ୍ପଷ୍ଟ ଓ ପ୍ରାମାଣିକ କରି କହିଛନ୍ତି ଇତିହାସ ବେତ୍ତା ସାର୍‌ ଡବ୍ଲ୍ୟୁ ଜୋନ୍‌ସଙ୍କ ମତାନୁସାରେ ଖ୍ରୀଷ୍ଟଜନ୍ମର ପୂର୍ବବର୍ତ୍ତୀ ଶତାବ୍ଦୀମାନଙ୍କରେ ଚୀନରେ ହିନ୍ଦୁ ଧର୍ମ ତଥା ଆର୍ଯ୍ୟଧର୍ମ ପ୍ରଚଳିତ ଥିଲା । ଚୀନ ଇତିହାସଜ୍ଞ ଓକା କୁଶଙ୍କ ମତ ଅନୁସାରେ କେବଳ ଲେପାଙ୍ଗ ପ୍ରଦେଶରେ ଦଶ ହଜାର ହିନ୍ଦୁ ପ୍ରଚାରକ ଥିଲେ । ତାଙ୍କର ଅନୁଗାମୀଙ୍କ ସଂଖ୍ୟାଥିଲା କେତେ ଲକ୍ଷ । ଚୀନା ଧର୍ମ ପୁସ୍ତକ ‘ଚୋକିଙ୍ଗ’ରେ ଉଲ୍ଲେଖ ଅଛି ଯେ, କାଶ୍ମୀରରୁ ହିନ୍ଦୁମାନେ ଯାଇ ସେ ଦେଶରେ ପହଞ୍ଚିଥିଲେ ଏବଂ ସୁବ୍ୟବସ୍ଥିତ ସମାଜ ପ୍ରତିଷ୍ଠା କରିଥିଲେ । ଚୀନା ପରିବ୍ରାଜକ ଆସାମରୁ ଏକ ନକ୍ସା ନିଜ ସହିତ ନେଇ ଯାଇଥିଲେ । ଏଥିରେ ତତ୍‌କାଳୀନ କାମରୂପର ଶାସକ ଭାସ୍କର ବର୍ମନଙ୍କ ରାଜ୍ୟ ବିସ୍ତାର ଅଙ୍କିତ ହୋଇଥିଲା । ଏଥିରେ କେବଳ ନେଫା ନୁହେଁ, ଚୀନର ମୂଳ ଭୂଖଣ୍ଡର ଖୁବ୍‌ ବଡ଼ ଅଂଶ ସେହି ରାଜ୍ୟ (ଆସାମ)ରେ ମିଶିବାର ଦେଖାଯାଇଥିଲା ।’’ ପ୍ରାଚୀନ ଚୀନର ବର୍ଣ୍ଣବ୍ୟବସ୍ଥା, ପ୍ରକୃତିପୂଜା, ଶ୍ରାଦ୍ଧପ୍ରଥା, ସଂଯୁକ୍ତ ପରିବାର, ଯୋଗାସନ, ମନ୍ତ୍ର ଇତ୍ୟାଦି ଭାରତୀୟ ହିନ୍ଦୁ ପରଂପରାର ଦାନ ଅଟେ । ତାଓ ଧର୍ମ ସହିତ ହିନ୍ଦୁଧର୍ମର ଖୁବ୍‌ସାମଞ୍ଜସ୍ୟ ଥିବାରୁ ତାହାକୁ ହିନ୍ଦୁଧର୍ମର ଏକ ଶାଖା ଭାବେ ବିବେଚନା କରାଯାଏ ।

 

ଭାରତ-ଚୀନ ମଧ୍ୟରେ ପ୍ରାଚୀନ ପଥଗୁଡ଼ିକ ଯଥା ପୂର୍ବ ତୁର୍କୀସ୍ଥାନ ମାର୍ଗ ଯାହାକି ‘ଟୁଏନ୍‌ ହୁଏନ୍‌’ ନଗର ସହିତ ସଂଯୁକ୍ତ ଥିଲା । ଦ୍ୱିତୀୟ ପଥ ହେଉଛି ଟୁଏନ୍‌- ହୁଏନ୍‌ଠାରୁ ପଶ୍ଚିମକୁ ଯାଇ ୟାରକନ୍ଦ ଓ ପାମିର ଅତିକ୍ରମ କରି ବଲଖ ଓ ପାର୍ଥିଆ ପର୍ଯ୍ୟନ୍ତ ପଡ଼ିଥିଲା । ୩୮୯ ଖ୍ରୀଷ୍ଟାବ୍ଦରେ ଚୀନ ପରିବ୍ରାଜକ ଫାଇହାନ ନିଜ ସାଥୀମାନଙ୍କ ସହିତ ଏହି ମାର୍ଗରେ ଭାରତ ବର୍ଷକୁ ଆସିଥିଲେ । ଆସାମଠାରୁ ଉତ୍ତର ବର୍ମା ବାଟଦେଇ ‘ଆାସାମରାସ୍ତା’ ଚୀନକୁ ଯାଇଥିଲା । ଖ୍ରୀ. ୬୪୨ ରେ ଚୀନ ପରିବ୍ରାଜକ ହୁଏନ୍‌ସାଂ ଏହିପଥ ଦେଇ ଆସାମରେ ପ୍ରବେଶ କରି ତତ୍‌କାଳୀନ ରାଜା ଭାସ୍କର ବର୍ମନଙ୍କୁ ସାକ୍ଷାତ କରିଥିଲେ ଏବଂ ଭାରତର ବିଶିଷ୍ଠ ବୌଦ୍ଧଭିକ୍ଷୁ କାଶ୍ୟପମାତଙ୍ଗ ଓ ଧର୍ମରକ୍ଷ ଏଇ ମାର୍ଗରେ ଚୀନଦେଶ ଯାଇଥିଲେ । ଭାରତୀୟ ବୌଦ୍ଧମାନେ ତିବ୍ଦତ ଓ ଚୀନ୍‌ ଯାତ୍ରା ପାଇଁ କଷ୍ଟସାଧ୍ୟ ଗିରିକନ୍ଦରକୁ ଭାଙ୍ଗି ତିବ୍ଦତ ମାର୍ଗ ଉନ୍ମୋଚନ କରିଥିଲେ । ସପ୍ତମ ଶତାବ୍ଦୀରେ ଉକ୍ତମାର୍ଗ ଖୋଲି ଯିବା ଦ୍ଵାରା ନାଳନ୍ଦା ବିଶ୍ଵ ବିଦ୍ୟାଳୟର ଉପାଧ୍ୟାୟ- ପଦ୍ମସମ୍ଭବ, ଶ୍ରୀଘୋଷ, ଜିନମିତ୍ର, ଦାନଶୀଳ, ଗୋଧିମିତ୍ର ଓ ଦୀପଙ୍କର ପ୍ରମୁଖ ତିବ୍ଦତ-ଚୀନ ଯାଇ ‘ଧର୍ମଚକ୍ର ପ୍ରବର୍ତ୍ତନ’ ସଂପର୍କରେ ପ୍ରଚାର ଓ ପ୍ରବଚନମାନ ଦେଇ ସେମାନଙ୍କର ଜ୍ଞାନ ପିପାସାକୁ ପରିଶାନ୍ତ କରିଥିଲେ । ଜ୍ଞାନଗୁରୁ ଭାରତ ବର୍ଷର ଏହା ହିଁ ଐଶ୍ଵର୍ଯ୍ୟ ଶାଳୀ ପ୍ରଜ୍ଞା ଓ ପ୍ରଭାବ । ଭାରତରୁ ଚୀନ ଦେଶକୁ ହଜାର ବିଦ୍ଵାନ ଯାଇ ବୌଦ୍ଧଦର୍ଶନରେ ଜନସାଧାରଣଙ୍କୁ ଉଦ୍‌ବୁଦ୍ଧ କରିଥିଲେ । ସେମାନଙ୍କ ମଧ୍ୟରେ ଇତିହାସ ପ୍ରସିଦ୍ଧ ପ୍ରବକ୍ତାଗଣ ଆଚାର୍ଯ୍ୟ ଦୀପଙ୍କର, ଶ୍ରୀଜ୍ଞାସନ, କୁମାରଜୀବ, ପରମାର୍ଥ, ବୋଧ୍ୟଧର୍ମ, ବୋଧୀରୁଚିକାଙ୍କ ନାମ ଉଲ୍ଲେଖନୀୟ । ଏତଦ୍‌ବ୍ୟତୀତ କୁମାରଜୀବ ନାମକ କାଶ୍ମୀର ପଣ୍ଡିତ ୪ର୍ଥ ଶତାବ୍ଦୀରେ ଚୀନ ଦେଶକୁ କର୍ମକ୍ଷେତ୍ର ଭାବରେ ଆଦରି ନେଇଥିଲେ ହେଁ ମଧ୍ୟ ଏସିଆର ଖୋତାନ କାଶଗର, ୟାରକନ୍ଦ ତଥା ତୁର୍କୀ ସ୍ଥାନର ବିଭିନ୍ନ ଅଞ୍ଚଳରେ ବୌଦ୍ଧଧର୍ମର ସାରମର୍ମ ବୁଝାଇଥିଲେ । ଉଜ୍ଜୟିନୀ ବିଶ୍ଵବିଦ୍ୟାଳୟର ବିଦ୍ୟାର୍ଥୀ ଗୁଣରତ ଚୀନ ଯାତ୍ରା କରି ଚାଇନିଜ୍‌ଭାଷା ଶିକ୍ଷାକରି ସେମାନଙ୍କ ଧର୍ମଭାବନାକୁ ସଂସ୍କୃତ ତଥା ପାଲିରେ ରୂପାନ୍ତର କରିଥିଲେ । କାଶ୍ମୀରର ଗୁଣବର୍ମନ୍‌ କିଶୋରାବସ୍ଥାରେ ବୌଦ୍ଧ ଦର୍ଶନ ଉପରେ ଗଭୀର ଅଧ୍ୟୟନ କରି ମାତ୍ର କୋଡ଼ିଏ ବର୍ଷ ବୟସରେ ସନ୍ନ୍ୟାସୀ ହୋଇଥିଲେ । ପ୍ରଥମେ ସିଂହଳ, ତାପରେ ଜାଭା ଯାଇଥିଲେ । ଜାଭାର ରାଜା ଗୁଣବର୍ମନଙ୍କ ଦ୍ଵାରା ଉଦ୍‌ବୁଦ୍ଧ ହୋଇ ବୌଦ୍ଧଧର୍ମର ଶରଣ ନେଇଥିଲେ । ଖ୍ରୀ ୪୩୧ରେ ଗୁଣବର୍ମନ ଚୀନ ଦେଶ ଗମନ କଲେ ଏବଂ ବିଖ୍ୟାତ ସନ୍ନ୍ୟାସୀ ଗୁଣବର୍ମନଙ୍କୁ ସ୍ଵୟଂ ଚୀନ ନରେଶ ଭେଟ କରିବାକୁ ଆସିଥିଲେ । ଗୁଣବର୍ମନ୍‌ ଚୀନ୍‌ରେ ‘ସଦ୍ଧର୍ମ ପୁଣ୍ଡରୀକ କଥା’ ପ୍ରଚଳନ କରି ଭାରତୀୟ ସାଂସ୍କୃତିକ ଚିନ୍ତାଧାରାକୁ ଉଲ୍ଲେଖନୀୟ ସ୍ଥାନ ଦେଇଥିଲେ । ଗୁଣବର୍ମନ ମହିଳା ଭିକ୍ଷୁମାନଙ୍କୁ ସଂଗଠିତ କରି ନାରୀ ଜାଗରଣ ଆଣିଥିଲେ । ଅନୁନ୍ନତ ତଥା ଅଶିକ୍ଷିତ ଅଞ୍ଚଳରେ ଏହି ଥେରୀମାନେ ନୈତିକ ଶିକ୍ଷା ଦେଇ ଅନୁଗାମିନୀମାନଙ୍କୁ ସକ୍ରିୟ ଓ ସଚେତନ କରାଇଥିଲେ । ଚୀନ ଦେଶରେ ବୌଦ୍ଧଧର୍ମର ସ୍ଥିତିକୁ ସୁଦୃଢ଼ କରିଥିଲେ କୁମାର ଜୀବ । ସେ ଚୀନରେ ବାରବର୍ଷ ଅତିବାହିତ କରିବା ସହ ୧୦୦ ଖଣ୍ଡ ଧର୍ମଗ୍ରନ୍ଥର ଅନୁବାଦ କରିଥିଲେ । ସେହିପରି ଅଷ୍ଟମ ଶତାବ୍ଦୀରେ ପ୍ରଚଣ୍ଡ ପ୍ରତିଭାଶାଳୀ ଅମୋଘବଜ୍ର ଚୀନ ଦେଶରେ ‘ତ୍ରିପିଟକ ଉଦନ୍ତ’ ଓ ‘ରାଜ୍ୟକଣଧାର’ ଉପାଧିରେ ଭୂଷିତ ହୋଇଥିଲେ । ସେ ତିନିବର୍ଷ ଅବସ୍ଥାନ କାଳରେ ଚୀନଭାଷା ଶିକ୍ଷା କରି ୧୮ ଖଣ୍ଡ ବୌଦ୍ଧଗ୍ରନ୍ଥ ସେମାନଙ୍କ ଭାଷାରେ ଅନୁବାଦ କରି ଅମର ହୋଇଛନ୍ତି ।

 

ଚୀନ ପରିବ୍ରାଜକ ହୁଏନ୍‌ସାଂ (୫୯୬-୬୬୪) ୧୩ ବର୍ଷ ବୟସରେ ବୌଦ୍ଧଦୀକ୍ଷା ଗ୍ରହଣ କରି ୬୨୯ ମସିହାରେ ଏକାକୀ ଭାରତ ଭ୍ରମଣରେ ଆସିଥିଲେ । ତାଙ୍କୁ ପହଁଞ୍ଚିବା ପାଇଁ ତିନିବର୍ଷ ଲାଗିଥିଲା । ଦଶ ଏଗାର ବର୍ଷ ଭାରତରେ ଅଧ୍ୟୟନ ଓ ଭ୍ରମଣ କରି ୬୫୭ ଖଣ୍ଡ ପୁସ୍ତକ ନେଇ ଚୀନ ପ୍ରତ୍ୟାବର୍ତ୍ତନ କରିଥିଲେ । ସ୍ଵଦେଶରେ ପହଁଞ୍ଚିବା ମାତ୍ରେ ଚାଙ୍ଗଆନାଠାରେ ବିପୁଳ ସମ୍ବର୍ଦ୍ଧନା ପାଇ ଭାରତର ଭୁୟୋସୀ ପ୍ରଶଂସା କରିଥିଲେ । ତାଙ୍କ ଦ୍ଵାରା ପଞ୍ଚସ୍ତରୀ ଖଣ୍ଡ ଧର୍ମ ଗ୍ରନ୍ଥ ଅନୂଦିତ ହୋଇ ପ୍ରଚାରିତ ହୋଇଥିଲା । ଚୀନ ଦେଶର ଭୌଗୋଳିକ ବେଷ୍ଟନୀ ଶରୀର ହେଲେ ଭାରତୀୟ ସଂସ୍କୃତି ତାହାର ଆତ୍ମା ଅଟେ ।

 

ଅଷ୍ଟ୍ରେଲିଆର ଭାରତର ପାଦପୂଜା

ଜେମ୍‌ସ୍‌କୁକ୍‌ ନାମକ ବିଶିଷ୍ଟ ନୌବିଶାରଦ ୧୭୭୦ ମସିହାରେ ଅଷ୍ଟ୍ରେଲିଆ ମହାଦେଶ ଆବିଷ୍କାର କରି ସେମାନଙ୍କ ଦେଶର ଜାତୀୟ ପତାକା ଉଡ଼ାଇଥିଲେ । ଏହାପରେ ଇଂରେଜମାନଙ୍କ ବସତି ସ୍ଥାପିତ ହୋଇଥିଲା । ମାତ୍ର ଏହାର ବହୁ ପୂର୍ବରୁ ଭାରତୀୟ ସେଠାକୁ ଯାଇଥିବାର ବିଶ୍ଵାସ କରାଯାଏ । ଏହି ଭୂଭାଗର ଚତୁର୍ଦ୍ଦିଗରେ ଘନନୀଳ ଜଳ ରାଶିର ସମୁଦ୍ର । ଅଧିକାଂଶ ଭୂମି ମରୁମୟ । କ୍ରାନ୍ତିବଳୟରେ ଅବସ୍ଥିତ ହେତୁ ମୂଲ୍ୟବାନ ରତ୍ନ ପ୍ରସ୍ତର ଗର୍ଭା । ଅଷ୍ଟ୍ରେଲିଆର ଅଧିବାସୀଗଣ ଜଳ-ଜୀବ ଓ ଜଙ୍ଗଲକୁ ସୁଖରେ ରହିବା ପାଇଁ ପ୍ରାର୍ଥନା କରନ୍ତି । ବୃକ୍ଷ, ପ୍ରାଣୀ ଓ ମନୁଷ୍ୟ ଦେହରେ ଆତ୍ମାଙ୍କର ଅବସ୍ଥାନ ବୋଲି ବିଶ୍ଵାସ କରିଥାନ୍ତି । ଭାରତୀୟ ଅଧ୍ୟାତ୍ମ ଭାବନାର ସାମ୍ୟ ସେମାନଙ୍କଠାରେ ପରିଲକ୍ଷିତ ହେଉଥିବାରୁ ଭାରତବର୍ଷର ଆତ୍ମିକ ସତ୍ତା ସେଠାରେ ଅନୁଭୂତ ହୁଏ । ବାଣିଜ୍ୟ କରିବାକୁ ଯାଇ ସେହି ମହାଦେଶରେ କିଛି ଲୋକ ସେ ଦେଶରେ ରହି ଆସିଛନ୍ତି ।

 

ଏ ମରୁମୟ ପ୍ରଦେଶର ଆୟତନ ଭାରତଠାରୁ ଅଧିକ ଦୁଇଗଣ । ମାତ୍ର ଜନସଂଖ୍ୟା ଗୋଟିଏ ବଡ଼ ସହର ଠାରୁ ଊଣା । ୧୯୮୧ ମସିହା ପରିସଂଖ୍ୟାନାନୁଯାୟୀ ଏକକୋଟି କୋଡ଼ିଏ ଲକ୍ଷ ଲୋକ ବାସ କରନ୍ତି । ଅଷ୍ଟ୍ରେଲୀୟମାନଙ୍କର ହାରାହାରି ବୟସ ୬୮-୭୪ ବର୍ଷ ପରାମାୟୁ । ଏହି ଲୋକ ସଂଖ୍ୟା ମଧ୍ୟରେ ୬୭ ଭାଗ ଲୋକ ଇଂଲଣ୍ଡୀୟ । ଅନ୍ୟାନ୍ୟ ଦେଶର ଲୋକେ ବାଣିଜ୍ୟ ଓ ଚାକିରି ଉଦ୍ଦେଶ୍ୟରେ ଏହି ଦେଶକୁ ଯାଇଥାନ୍ତି । ଏହି ମହାଦେଶରେ ଏସିଆର ସାତଲକ୍ଷ ଲୋକ ଅଧିବାସୀ ଥିଲେ । ଏମାନଙ୍କ ମଧ୍ୟରେ ବହୁତ ଭାରତୀୟ କୃଷକ ଅଛନ୍ତି । ୧୮୨୩ ମସିହାରେ ଏହି ଦେଶର ସଂବିଧାନ ପ୍ରଣୀତ ହେଲା ଏବଂ ବିଧିବଦ୍ଧ ଶାସନତଂତ୍ରର ପ୍ରତିଷ୍ଠା କରାଗଲା । ୧୯୦୧ ମସିହାରେ ଗଣତାଂତ୍ରିକ ନିର୍ବାଚନ କରାଯାଇ ଶାସନ ବ୍ୟବସ୍ଥା ଚାଲୁଅଛି ।

 

ଭାରତୀୟ ବଣିକମାନେ ଏହି ସୁଦୂର ଜଳପଥକୁ ପୂର୍ବ ଦିଗରେ ଜାଭା, ସୁମାତ୍ରା ଆଦିଦ୍ଵୀପ ଦେଇ ଅଷ୍ଟ୍ରେଲିଆରେ ପହଞ୍ଚି ପାରୁଥିଲେ । ପୂର୍ବେ ଭାରତର ସୀମା ସୁବର୍ଣ୍ଣଦ୍ଵୀପ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା । ‘ବସୁଧୈବ କୁଟୁମ୍ବକମ୍‌’ ଆଦର୍ଶରେ ବିଶ୍ଵାସୀ ଭାରତୀୟ ସମସ୍ତ ଅନୁନ୍ନତ ଦେଶକୁ ସମୁନ୍ନତ କରିବା ପାଇଁ ପ୍ରୟାସୀ ଥିଲେ । ବ୍ରିଟିଶ ଶାସନକାଳରେ କେତେକ ଭାରତୀୟ ସେଠାକୁ ଆଗ୍ରହର ସହ ଅର୍ଥୋପାର୍ଜନ ପାଇଁ ଯାଇ ସେଠାରେ ବାସିନ୍ଦା ପାଲଟିଗଲେ । ପଞ୍ଜାବର ଚାଳିଶି ଶିଖ ପରିବାର ଓ ସେମାନଙ୍କର ପୂଜାପୀଠ ଗୁରୁଦ୍ଵାର ଏହି ମହାଦେଶରେ ରହିଛି । ରବିବାର ଏଠାରେ ପୂଜାପାଠ ହୁଏ । ଏବେ(୧୯୮୧) ପନ୍ଦର ହଜାର ଭାରତୀୟଙ୍କର ଆଦର୍ଶ ଜୀବନ ସେମାନଙ୍କୁ ପ୍ରଭାବିତ କରିଛି । ଏଠାକାର ହିନ୍ଦୁ ଓ ଶିଖମାନଙ୍କର ସଂଖ୍ୟା ୨୨୬୮୦ ଥିଲା-। କୃଷି, ଶିଳ୍ପ, କଳା କ୍ଷେତ୍ରରେ ଭାରତୀୟମାନେ ସେଠାରେ ସମ୍ମାନର ଅଧିକାରୀ ଅଟନ୍ତି ।

 

ଆମେରିକାରେ ଭାରତୀୟ ସଂସ୍କୃତି

ଭାରତୀୟମାନେ ଜ୍ଞାନ ଓ ଚେତନାର ଅନ୍ଵେଷଣରେ ବରାବର ବିଶ୍ଵ ପର୍ଯ୍ୟଟନ କରି ଆସିଛନ୍ତି । କେତେକ ପୁରାଣର ବର୍ଣ୍ଣନାରେ ଆମେରିକାକୁ ପାତାଳ ପୁରୀ କୁହାଯାଇଅଛି । ସ୍ଵାମୀ ବିବେକାନନ୍ଦ ଊନବିଂଶ ଶତକରେ ଆମେରିକାରେ ଧର୍ମାଲୋଚନା ପାଇଁ ପହଁଞ୍ଚିଥିଲେ । ବିଶ୍ଵଧର୍ମ ସମ୍ମିଳନୀରେ ଆଜୀବନ ବ୍ରହ୍ମଚାରୀ ବୀର ତପସ୍ଵୀ ବିବେକାନନ୍ଦଙ୍କ ଆଭାମୟ ମୁଖମଣ୍ଡଳ ଦର୍ଶନ କରି ପୃଥିବୀର ଧର୍ମପ୍ରବକ୍ତାଗଣ ବିସ୍ମୟ ବିସ୍ଫାରିତ ନେତ୍ରରେ ଚାହିଁଥିଲେ । ବିବେକାନନ୍ଦଙ୍କୁ ଗୋଟିଏ ସାଧା କାଗଜରେ ବଡ଼ ଶୂନଟିଏ ଲେଖି ଲଫାପାରେ ଭତ୍ତିକରି ଦେଲେ । ତାହାହିଁ ଥିଲା ସେ ଦିନର ଆଲୋଚ୍ୟ ବସ୍ତୁ । ବିବେକାନନ୍ଦଙ୍କର ଶୂନ୍ୟରୁ ଜନ୍ମ ଓ ଶୂନ୍ୟରେ ଆମର ନିର୍ବାଣ ବକ୍ତବ୍ୟ ଶ୍ରବଣ କରି ଯେଉଁମାନେ ନ୍ୟୁନବୋଧ ପୋଷଣ କରିଥିଲେ, ସେଇମାନେ ସ୍ତବ୍ଧକାତର କଣ୍ଠରେ ଭାରତବର୍ଷର ୟଙ୍ଗ୍‌ ସେଣ୍ଟ ବା ଯୁବ ସନ୍ନ୍ୟାସୀ କ’ଣ ନଜାଣନ୍ତି ବୋଲି ଚିତ୍‌କାର କରିଥିଲେ ଏବଂ ଚରଣ ସ୍ପର୍ଶ ପୂର୍ବକ ଶିଷ୍ୟତ୍ୱ ଗ୍ରହଣ କରିଥିଲେ । ଚିନିଦିନ ଧରି ଆଧ୍ୟାତ୍ମିକ ଚର୍ଚ୍ଚା କରି ସେ କ୍ଲାନ୍ତି ଅନୁଭବ କରି ନଥିଲେ ବା ସେହି ଶ୍ରୋତା ଶ୍ୱେତାଙ୍ଗଗଣଙ୍କ ଅନିଚ୍ଛା ଉତ୍ସାହରେ ପରିଣତ ହୋଇ ଯାଇଥିଲା । ସେ କହିଥିଲେ - ‘‘ଭାରତବର୍ଷ ମାଟି, ପାହାଡ଼, ବଣ ଜଙ୍ଗଲ କି ନଦୀ ସମୁଦ୍ରର ବଡ଼ ବସ୍ତୁର ଦେଶ ନୁହେଁ । ଏହା ପ୍ରଜ୍ଞାନ ଓ ବିଜ୍ଞାନର ଚିନ୍ମୟୀ ବିଗ୍ରହ । ସେ ଦିନ ବିଶ୍ଵ ଦରବାରରେ ଭାରତର ମୃଣ୍ମୟ ଅସ୍ତିତ୍ୱ ଚିନ୍ମ‌ୟ ଚିନ୍ତନର ମହାସତ୍ତାରେ ରୂପାନ୍ତରିତ ହୋଇ ଯାଇଥିଲା ବିବେକାନନ୍ଦଙ୍କର ଅମୃତବର୍ଷୀ ଅଧ୍ୟାତ୍ମ ଭାବ ସଂପଦରେ । ଏଥିପାଇଁ ଭାରତବର୍ଷ ବିଶ୍ଵର ଗୁରୁ ।

 

କେବଳ ଏହି ଯୁଗର ଏକ ଦୃଷ୍ଟାନ୍ତ ଉପସ୍ଥାପନ କରାଗଲା । ‘‘ଅଜ୍ଞାନ ଓ ଅଭାବର ଦୂରୀକରଣ ଉଦ୍ଦେଶ୍ୟରେ ପ୍ରଗତି ତଥା ସମୃଦ୍ଧି ଉଦ୍ଦେଶ୍ୟରେ ଭାରତୀୟ ପ୍ରତିଭା ନିରନ୍ତର ବିଶ୍ଵର କୋଣେ କୋଣେ ପହଁଞ୍ଚୁଥିଲା । ଭାରତୀୟ ପୁରାଣମାନଙ୍କରେ ଏପରି ବହୁ ଉଦାହରଣ ଆମ ଦୃଷ୍ଟିକୁ ଆସିଛି । ବ୍ୟାସଦେବଙ୍କ ମହାଭାରତରେ ସମଗ୍ର ବିଶ୍ଵର କଥା ଦେଖିବାକୁ ମିଳେ । ଶୁକଦେବଙ୍କର ଯାତ୍ରା ବିବରଣୀ ମହାଭାରତରେ ବର୍ଣ୍ଣିତ ।

 

‘ସତଂ ବ୍ରାହ୍ମଣା ଶ୍ରିୟା ଯୁକ୍ତଂ ବ୍ରହ୍ମଣୀ ତୁଲ୍ୟ ବର୍ଚ୍ଚସମ୍‌

ମେନେ ପୁତ୍ରଂ ଯଦା ବ୍ୟାସୋ ମୋକ୍ଷଧର୍ମ ବିଶାରଦମ୍‌।।

ଉବାଚ ଗଚ୍ଛେତି ତଦା ଜନକଂ ମିଥିଳେଶ୍ଵରମ୍‌

ସତ ବକ୍ଷତି ମୋକ୍ଷାର୍ଥ ନିଖିଳଂ ମିଥିଳେଶ୍ଵରଃ

ମେରୀର୍ହରେଶ୍ମ ଦ୍ୱେ ବର୍ଷେ ବର୍ଷ ହୈମବତଂ ତତଃ

କ୍ରମେ ଶୈବ ବ୍ୟତିକ୍ରମ୍ୟ ଭାରତଂ ବର୍ଷ ମାସଦତ୍‌।।

ସଦେଶାନ୍‌ ବିବିଧାନ୍‌ ପଶ୍ୟଂଶ୍ଚନି ହୂଣ ନିଷେବିତାନ୍‌।

ଆର୍ଯ୍ୟାବର୍ତ ମିମଂ ଦେଶ ମାଜଗାମ୍‌ ମହାମୁନିଃ ।।

ମହାଭାରତ - ଶାନ୍ତିଃ- ଅ୨୬/୨୯- ଗୀତାପ୍ରେସ

 

ମହାତ୍ମା ବ୍ୟାସ ୠଷି ବ୍ରାହ୍ମୀ ଶ୍ରୀଯୁକ୍ତ ବ୍ରହ୍ମତୁଲ୍ୟତେଜୋଦୀପ୍ତ ନିଜ ପୁତ୍ର ଶୁକଦେବଙ୍କୁ ମୋକ୍ଷଧର୍ମରେ ବିଶାରଦ ଓ ପ୍ରବୀଣ କରିବାକୁ ମନେକଲେ । ମିଥିଳାର ରାଜା ଜନକଙ୍କ ନିକଟକୁ ଯାଇ ମୋକ୍ଷ ବିଷୟ ଜାଣିବା ସକାଶେ ତାଙ୍କୁ ଉପଦେଶ ଦେଲେ । ବାଟରେ ଶୁକ ମେରୁବର୍ଷ ଓ ହରିବର୍ଷ ଏଇ ଦୁଇ ଦେଶକୁ ତା ପରେ ହୈମବତ ଦେଶକୁ ଅତିକ୍ରମ କରି ଭାରତକୁ ଆସିଲେ । ଚୀନ ଓ ହୂଣ ସେବିତ ଭିନ୍ନ ଭିନ୍ନ ଦେଶକୁ ଦେଖି ଆର୍ଯ୍ୟାବର୍ତ୍ତକୁ ଆସିଥିଲେ । ପିତାଙ୍କର ଉପଦେଶ ମାନି ଏହି ଲକ୍ଷ୍ୟ ପ୍ରତି ଦୃଷ୍ଟିରଖି ସେ ପକ୍ଷୀପରି ଦୀର୍ଘ ପଥ ଯାତ୍ରା କଲେ ।

 

କେହି ଆଲୋଚକଙ୍କ ମନରେ ପ୍ରଶ୍ନ ଆସିପାରେ ଯେ ସପ୍ତଦଶ ଶତାବ୍ଦୀରେ ଆମେରିଗୋ ଭେସ୍‌ପୁସ୍‌ ଏହି ଭୂଖଣ୍ଡକୁ ଆବିଷ୍କାର କରିବା ପରେ ସେଠାକାର ଜୀବନଯାତ୍ରା ଓ ସମାଜ ବ୍ୟବସ୍ଥା ଗଢ଼ି ଉଠିଛି । ପାଞ୍ଚ ହଜାର ବର୍ଷତଳର ମହର୍ଷି ବ୍ୟାସ ଆମେରିକା ଗଲେ କିପରି ? ବିସ୍ମୟକର କଥାଟି କେବଳ ବ୍ୟାସଙ୍କ ମହାଭାରତର ଗଭୀର ଅଧ୍ୟୟନ ଫଳରେ ସମାଧାନ ହୋଇପାରିବ । ଗୋଟିଏ ଶହ ବର୍ଷରେ ସୃଷ୍ଟି ଓ ପ୍ରଳୟ ବିବର୍ତ୍ତନ ପ୍ରକ୍ରିୟାରେ ଏ ପୃଥିବୀକୁ ଭୋଗ କରିବାକୁ ପଡ଼ୁଛି ଅନେକ କିଛି- ରୂପର ଓ ଅରୂପର । ସଭ୍ୟତା ଭାଙ୍ଗୁଛି ଗଢ଼ୁଛି ଓ ଗଢ଼ୁଛି ଭାଙ୍ଗୁଛି ନିୟମରେ ନିୟତ କର୍ମ ଚାଲିଛି । ତା’ ସହିତ ମହାଦେଶମାନଙ୍କର ପରିଚଳନ ପ୍ରକ୍ରିୟା ଦୂର-ନିକଟର ବଶବର୍ତ୍ତୀ ହେଉଛି ।

 

ଅଧୁନା ଭାରତବର୍ଷର ପ୍ରତିଭାବାନ୍‌ ବିଦ୍ଵାନ ଛାତ୍ର ଓ ବୈଜ୍ଞାନିକଗଣ ଆମେରିକୀୟ ସଭ୍ୟତାକୁ ରୂପାୟଣ କରିବାରେ ଲାଗିଛନ୍ତି । ପ୍ରକୃତରେ ଆମେରିକାର ସଭ୍ୟତା ସେମାନଙ୍କର ହାତ ଗଢ଼ା ସଭ୍ୟତା ନୁହେଁ । ବିଭିନ୍ନ ଦେଶର ଶିଳ୍ପୀମାନଙ୍କ ହାତରେ ଏହାର କଳା ଓ ବିଜ୍ଞାନ ପ୍ରଗତିର ଶୀର୍ଷରେ ପହଁଞ୍ଚାଇ ପାରିଛି । ମହର୍ଷିବ୍ୟାସ ତତ୍‌କାଳୀନ ବିଶ୍ଵ ଅବସ୍ଥାକୁ ଯଥାର୍ଥ ଅନୁଧ୍ୟାନ କରି ତାଙ୍କ ମହାଭାରତରେ ରୂପ ଦେଇ ଅଛନ୍ତି ।

 

ଆଫ୍ରିକା ମହାଦେଶରେ ଭାରତୀୟ ସଂସ୍କୃତି

ଆଫ୍ରିକା ସଂପର୍କରେ ପୂର୍ବରୁ ଏହି ପ୍ରବଂଧରେ କେତେକ ସୂଚନା ଦିଆଯାଇଛି । ଏହା ସର୍ବପ୍ରାଚୀନ ଭୂଖଣ୍ଡ ଏବଂ ଏଠାରେ ମାନବ ସୃଷ୍ଟି ମଧ୍ୟ ସୁପ୍ରାଚୀନ । ପ୍ରାଗୈତିହାସିକ କାଳରେ ଭାରତ ଓ ଆଫ୍ରିକା ଏକ ଭୂଖଣ୍ଡର ଅନ୍ତର୍ଗତ ଥିଲା । ମହାଦେଶ ଚଳନ କାରଣରୁ ପାଞ୍ଜିଆ ମଧ୍ୟରେ ଫାଟ ସ୍ପୃଷ୍ଟି ହୋଇ ଅଲଗା ଅଲଗା ହୋଇଥିଲା । ସେହି ଫାଟଗୁଡ଼ିକ କାଳକ୍ରମେ ସମୁଦ୍ରରେ ପରିଣତ ହୋଇଗଲା । ଭାରତ ସଭ୍ୟତା ବା ସଂସ୍କୃତି ସଂବଂଧରେ ବିଚାର କରିବା ବେଳେ ଆର୍ଯ୍ୟମାନଙ୍କର ଇତିବୃତ୍ତ ନଜରକୁ ଆସିଥାଏ । ଆଚାରବାନ୍‌ଙ୍କୁ ଆର୍ଯ୍ୟ କୁହାଯାଏ । ନୂତନ ପ୍ରସ୍ତର ଯୁଗ ପରେ ଆର୍ଯ୍ୟ ସଭ୍ୟତାର ବିକାଶ ସମ୍ଭବ ହୋଇଥିବା କଥା ବେଦ ବିଦ୍ଵାନମାନେ କହନ୍ତି । ଜମ୍ୱୁଦ୍ଵୀପର ମଧ୍ୟଭାଗ ତଥା କାସିଆନ ସାଗର ଦକ୍ଷିଣରେ ଏହି ଆର୍ଯ୍ୟ ସଭ୍ୟତାର ବିକାଶ ଘଟିଥିଲା । ନଦୀକୂଳ ସଭ୍ୟତାରୁ ମଧ୍ୟ ଆର୍ଯ୍ୟମାନଙ୍କ ସଂପର୍କରେ ବିଶେଷ ବିବରଣୀ ବା ପଦାର୍ଥକୁ ନେଇ ପ୍ରତ୍ନତତ୍ତ୍ୱବିଦ୍‌‌ମାନେ ବିଶ୍ଵାସ କରନ୍ତି । ଆର୍ଯ୍ୟମାନେ ହିଁ ଭାଷାର ଉଦ୍‌ଭାବନ କରିଥିଲେ । ସେମାନେ ବେଦକୁ ଅପୌରୁଷେୟ ବା ଈଶ୍ଵର ସୃଷ୍ଟି ବୋଲି ପ୍ରକାଶ କରିଛନ୍ତି । ବେଦମନ୍ତ୍ରଗୁଡ଼ିକ ଆର୍ଯ୍ୟ ଋଷିଙ୍କର ସର୍ବୋତ୍କୃଷ୍ଟ ଆବିଷ୍କାର । ତଦନୁସାରେ ନିଜର ଷୋଳସଂସ୍କାର ସାଧନ କରି ଅନ୍ୟମାନଙ୍କୁ ସେଭଳି ସଦାଚାରୀ କରିବା ପାଇଁ ବିଭିନ୍ନ ଅଞ୍ଚଳକୁ ଯାଇଛନ୍ତି । ଏଭଳି ଏକ ମିଶନ କାର୍ଯ୍ୟ ବା ନୈତିକ ସଂସ୍କାର ଅଭିଯାନକୁ ଐତିହାସିକ (?) ଘୋଷଣା କରନ୍ତି ଆର୍ଯ୍ୟମାନେ ଭାରତରେ ନଥିଲେ; ସେମାନେ କାସ୍ପିଆନ ସାଗର କୂଳରୁ ଆସିଛନ୍ତି । କାଳକ୍ରମେ ବିଶାଳ ଜମ୍ବୁଦ୍ଵୀପ ଶାସନଗତ ପ୍ରତିଷ୍ଠା ନେଇ ଖଣ୍ଡେ ଖଣ୍ଡେ ଦେଶ ବା ରାଜ୍ୟରେ ପରିଣତ ହୋଇଥିବା ସମ୍ଭବ । ଭାରତବର୍ଷରେ ତିରିଶିଟି ପ୍ରଦେଶ ଅଛି ବୋଲି କ’ଣ କୁହାଯିବ ଯେ ଓଡ଼ିଆ ବା ଆନ୍ଧ୍ରାଲୋକେ ବାହାରୁ ଆସି ଅବସ୍ଥାନ କରିଛନ୍ତି ? ବିଭିନ୍ନ ଦେଶକୁ ଭାରତର ଲୋକେ ଏବଂ ଭାରତବର୍ଷକୁ ଅନ୍ୟ ଅଞ୍ଚଳର ବିଦ୍ଵାନମାନେ ଆସିଛନ୍ତି ଯାଇଛନ୍ତି, ଏହା ସାଂସ୍କୃତିକ ଭାବ ବିନିମୟ । କିନ୍ତୁ ଇତିହାସକୁ ତର୍ଜମା କଲେ ଭାରତୀୟ ଅଧିକ ସଂଖ୍ୟାରେ ଅନ୍ୟ ଦେଶକୁ ଯାତ୍ରାକରି ସେମାନଙ୍କୁ ନୈତିକ, ଆଧାତ୍ମିକ ଓ ଧାର୍ମିକ ପଥରେ ଆଣିବାକୁ ଆହ୍ଵାନ ଦେଇଥିଲେ ‘କୃଣ୍ୱନ୍ତୋବିଶ୍ଵମାର୍ଯ୍ୟମ୍‌’ । ଆଫ୍ରିକା ମହାଦ୍ଵୀପରେ ଏମାନେ ପହଞ୍ଚିଥିବାର ଜଣାଯାଏ । ପୂର୍ବ ଆଫ୍ରିକାର ଭାଷା ‘ସାହେଲି’ରେ ହିନ୍ଦୀ ଓ ସଂସ୍କୃତ ଶବ୍ଦର ବହୁଳ ବ୍ୟବହାର ଦେଖାଯାଏ । ଗୋଟିଏ ଜାତିକୁ ତାହାର ‘ବୋଲି’ ବା ଭାଷାରୁ ଜାଣିବା ହିଁ ସହଜ । ଏଣୁ ଭାରତୀୟ ସଂସ୍କୃତିର ପ୍ରଭାବ ସେଠାକାର ଲୋକଙ୍କ ଉପରେ ଏକଦା ପ୍ରଭାବ ବିସ୍ତାର କରିଥିଲା ।

 

ପ୍ରତ୍ନତତ୍ତ୍ୱବିଦ୍‌ ହ୍ୟୁଗୋ ଓ ବରମୀର ‘ଆଫ୍ରିକାର ଦେବୀ ଦେବତାଙ୍କର ଆକୃତି ହିନ୍ଦୁ ଦେବଦେବୀଙ୍କ ସହ ସମାନ ବୋଲି ପ୍ରମାଣ କରୁଥିବା ଚିତ୍ର ନିଜ ପୁସ୍ତକରେ ସନ୍ନିବିଷ୍ଟ କରିବା କଥା ଶ୍ରୀରାମ ଶର୍ମା ଆଚାର୍ଯ୍ୟ ସମଗ୍ର ବିଶ୍ଵକୁ ଭାରତର ଅନୁଦାନ ପୁସ୍ତକରେ ଦର୍ଶାଇଛନ୍ତି । ସେଠାରେ ହୋମର ପ୍ରଚଳନ ଧର୍ମ ବିଚାରକୁ ଅଧିକ ସ୍ପଷ୍ଟ କରିଥାଏ । ଏବେ ଆଫ୍ରିକା ମହାଦ୍ୱୀପ ୪୦ଗୋଟି ଦେଶରେ ବିଭକ୍ତ । ଏହି ଦେଶଗୁଡ଼ିକର ଧର୍ମୀୟ ତଥା ସାଂସ୍କୃତିକ ପରଂପରା ସମାନ ନୁହେଁ । କିନ୍ତୁ ଏକଥା ଉପଲବ୍ଧ ଯେ ସେମାନଙ୍କର ବିଶ୍ଵାସ ଉଚ୍ଚ କୋଟୀର ଏବଂ ଭାରତୀୟ ବିଶ୍ୱାସକୁ ଅନୁକରଣ କରିଥିବା ମନେହୁଏ ।

 

ଭାରତ ମହାସାଗରରେ ମାଡ଼ାଗାସ୍କାର (ମାଲାଗାସୀ) ଦ୍ଵୀପର ବାସିନ୍ଦା ସେ କ୍ଷେତ୍ରରେ ବାସ କରୁଥିବା ଲୋକଙ୍କ ସହିତ ସମାନ ନୁହଁନ୍ତି । ମାଡ଼ାଗାସ୍କାର ଆଫ୍ରିକା ମହାଦେଶର ସମୀପବର୍ତ୍ତୀ । କିନ୍ତୁ, ତତ୍ରସ୍ଥ ଅଧିବାସୀ ଭାରତୀୟ ବଂଶଧର, ଏମାନେ ଆର୍ଯ୍ୟ । ସଭ୍ୟତା ମଧ୍ୟ ଭାରତୀୟ ସଭ୍ୟତାର ଅନୁରୂପ । ସେମାନଙ୍କର ନାମର ସାମଞ୍ଜସ୍ୟ ମଧ୍ୟ ଏହି ବିଶ୍ୱାସକୁ ଦୃଢ଼ୀଭୂତ କରେ । ‘‘ୟୁରୋପରେ ଜର୍ମାନୀ, ଆମେରିକାରେ ମେକ୍‌ସିକୋ ଯେପରି ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର, ଠିକ୍‌ସେମିତି ଆଫ୍ରିକା ମହାଦେଶରେ ମିଶରଦେଶକୁ ଭାରତୀୟ ବଂଶଧର ସମୁନ୍ନତ କରିଅଛନ୍ତି । ସେ ଦେଶରେ ଇସ୍‌ଲାମ୍‌ଧର୍ମ ପ୍ରାୟ ହଜାର ବର୍ଷ ହେବ ପ୍ରବେଶ କରିଛି ମାତ୍ର, ତଦ୍‌ପୂର୍ବରୁ ଭାରତୀୟ ଧର୍ମର ଜୟପତାକା ଉଡ଼ୁଥିଲା । ମିଶରର ଇତିହାସ ଏଭଳି ଚିନ୍ତା-ଚେତନାରେ ପରିପୂର୍ଣ୍ଣ । ଭବିଷ୍ୟ ପୁରାଣ ମତରେ କର୍ଣ୍ଣ ଋଷି ମିଶର ଦେଶକୁ ଗଲେ ଏବଂ ସେଠାରେ ଦଶହଜାର ମ୍ଲେଛଙ୍କର ସୁସଂସ୍କାର କରିଥିଲେ ।

 

‘‘ସରସ୍ୱତ୍ୟାଜ୍ଞୟା କଣ୍ୱୋ ମିଶ୍ରଦେଶମୁପାୟୟୋ

ମ୍ଳେଚ୍ଛାନ୍‌ ସଂସ୍କୃତ୍ୟଂ ଚା ଭାଷ୍ୟ ତଦା ଦଶ ସହସ୍ରାକନ୍‌’’

 

‘ହିଷ୍ଟ୍ରି ଅଫ ଦି ଓ୍ୱାର୍ଲଡ଼’ରେ ଇସଲାମ ଧର୍ମ ପ୍ରବେଶ ପୂର୍ବରୁ ଭାରତୀୟ ହିନ୍ଦୁଧର୍ମ ସେଠାରେ ପ୍ରଚାରିତ ଓ ପ୍ରସାରିତ ହୋଇଥିଲା । ମିଶରର ଲୋକେ ସୂର୍ଯ୍ୟ ଉପାସନା କରୁଥିଲେ । ଫାରାଉନ୍‌ ଶାସକଗଣ ସୂର୍ଯ୍ୟବଂଶୀ ଥିବାରୁ ସେମାନଙ୍କର ଆରାଧ୍ୟଦେବତା ସୂର୍ଯ୍ୟ ଥିଲା । ପୀରାମିଡ଼ ଭିତରେ ସୂର୍ଯ୍ୟ ଦେବତାଙ୍କର ଏକ ପ୍ରତିମା ମିଳିଛି । ବୈଦିକ ଆର୍ଯ୍ୟମାନେ ସୂର୍ଯ୍ୟ, ଚନ୍ଦ୍ର, ଇନ୍ଦ୍ର, ବରୁଣ ଓ ପୃଥିବୀମାତାର ସ୍ତୁତି କରିଛନ୍ତି-

 

‘‘ଓ୩ମ୍‌ସୂର୍ଯ୍ୟାଚନ୍ଦ୍ର ମସୌଧାତା ଯଥାପୂର୍ବ ମକଳ୍ପୟତ୍‌।

ଦିବଂଚ ପୃଥିବୀଂ ଚାନ୍ତରିକ୍ଷ ମଥୋ ସ୍ଵଃ (ଋକ୍‌୧୦-୧୯୦-୩)

 

ଭାବାର୍ଥ ପରମେଶ୍ୱର ସୂର୍ଯ୍ୟ ଚନ୍ଦ୍ର ଆଦି ଗ୍ରହ ଉପଗ୍ରହ ଏବଂ ଜ୍ୟୋତିଷ୍କ ଓ ପୃଥିବୀ, ଅନ୍ତରୀକ୍ଷ ଆଦି ଲୋକ ଲୋକାନ୍ତରକୁ ସୃଷ୍ଟି କଲେ । ପୂର୍ବ କଳ୍ପପରି ଉଲ୍‌କା ଆଦି ଗତିଶୀଳ ପଦାର୍ଥମାନ ସର୍ଜନା କରିଥିବାରୁ ଏ ସମସ୍ତଙ୍କୁ ଆମର ବିନମ୍ର ପ୍ରଣତି । ଭାରତବର୍ଷ ତଥା ଓଡ଼ିଶାରେ କେବଳ ସୂର୍ଯ୍ୟବଂଶୀ ରାଜାମାନଙ୍କ ବିଷୟ ଇତିହାସରେ ବର୍ଣ୍ଣିତ । ଏଣୁ ମିଶରରେ ସୂର୍ଯ୍ୟୋପାସନା ଭାରତୀୟଙ୍କ ପ୍ରଭାବର ଫଳଶ୍ରୁତି । ‘ଆଲମରନା’ର ଧ୍ଵଂସାବଶେଷରୁ ଯେଉଁ ପ୍ରମାଣ ମିଳେ ସେଥିରୁ ଜଣାଯାଏ ମିଶରବାସୀ ଗୋଭକ୍ତ ଓ ସୂର୍ଯ୍ୟ ପୂଜକ ଥିଲେ । ବିଶିଷ୍ଟ ଭାଷାବିଦ୍‌ ଡକ୍ଟର ପ୍ରାଣନାଥଙ୍କ ମତରେ ମିଶରର ରାଜଭାଷା ସଂସ୍କୃତ ଥିଲା । (ବିଶ୍ଵକୁ ଭାରତର ଦାନ ପୃ୭୧) ଇସ୍‌ଲାମ ଧର୍ମ ପ୍ରସାର ପୂର୍ବରୁ ମିଶରୀୟମାନେ ପୁରୋହିତଙ୍କ ଉପଦେଶକୁ ଇଷ୍ଟ ମାନ୍ୟ ପ୍ରଦାନ କରୁଥିଲେ । ମସ୍ତକ ଲଣ୍ଡାହେବା, ବ୍ରତ ଉପବାସ ପାଳନ କରିବା ମାଂସାହାର ନକରିବା ଭଳି ହିନ୍ଦୁ ପରଂପରା ଓ ପ୍ରଥାକୁ ପାଳନ କରୁଥିଲେ । ପ୍ରଫେସର ବ୍ରୁଗସବେ ଲେଖିଛନ୍ତି ଖ୍ରୀଷ୍ଟ ଜନ୍ମର ଅନେକ ପୂର୍ବରୁ ଭାରତୀୟମାନେ ସୁଏଜ କେନାଲ ଅତିକ୍ରମ କରି ମିଶରରେ ନୀଳନଦୀର ଉର୍ବର ତଟଦେଶରେ ସେମାନେ ବସତି ସ୍ଥାପନ କରିଥିଲେ ।

 

ସର୍ବୋପରି ଊନବିଂଶ ଶତାବ୍ଦୀର ଶେଷଭାଗରେ ମୋହନଦାସ କରମଚାନ୍ଦ ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ବାରିଷ୍ଟରୀ କରିବାକୁ ଯାଇ ସେଠାକାର ଆଫ୍ରିକୀୟମାନଙ୍କ ଦୁଃଖଦୁର୍ଦ୍ଦଶା ଲକ୍ଷ୍ୟ କରି ନିଜର ବିଳାସୀ ଜୀବନକୁ ଜଳାଞ୍ଜଳି ଦେଇ ଏକ ନବ ମୂଲ୍ୟବୋଧର ପ୍ରୟୋଗ ଆରମ୍ଭ କରିଥିଲେ । ୧୯୯୭ ମସିହାରେ ଯେଉଁ ମହନୀୟ ଭାବଧାରା ସଂସ୍ରବଣ ଘଟିଲା; ତାହାହିଁ ଥିଲା ସତ୍ୟ-ଅହିଂସାର ବାଂମୟ ଚିତ୍‌ଶକ୍ତି । ଆନ୍ଦୋଳନର ସୂତ୍ରପାତ କରି ବିଶ୍ଵକୁ ନୂତନ ସାଂସ୍କୃତିକ ଚେତନାରେ ଉଦ୍‍ବୁଦ୍ଧ କରିଥିଲେ । ଭାରତବର୍ଷ କେବଳ ସ୍ଵାଧୀନ ହେଲା ନାହିଁ; ସେହି ଅହିଂସା ପାଶୁପତ ଅସ୍ତ୍ର ଧାରଣ କରି ‘‘ଦ ବ୍ଲାକ୍‌ଗାନ୍ଧୀ” ନେଲସନ୍‌ ମାଣ୍ଡେଲାଙ୍କ ନେତୃତ୍ୱରେ ଇଂରେଜ ବୋଧା ସରକାର କବଳରୁ ଟ୍ରାନ୍‌ସଭାଲ ସମେତ ଦକ୍ଷିଣ ଆଫ୍ରିକା ଗଣତନ୍ତ୍ର ଫେରି ପାଇଲା । ଏହାଠାରୁ ଆଫ୍ରିକା ମହାଦେଶ ପାଇଁ ଅଧିକ ବଳବାନ ସଂସ୍କୃତି କ’ଣ ଅଛି ?

 

ୟୂରୋପରେ ଆର୍ଯ୍ୟ ସଂସ୍କୃତିର ତୂର୍ଯ୍ୟନାଦ

ୟୂରୋପର ସଭ୍ୟତାକୁ ପାଶ୍ଚାତ୍ୟ ସଭ୍ୟତା ନାମରେ ଆକ୍ଷେପ କରାଯାଇଥାଏ । ଯେଉଁ ସଭ୍ୟତାର ପ୍ରଭାବରେ ପ୍ରାଚ୍ୟ ଭୂଖଣ୍ଡରେ ବହୁ ପରିବର୍ତ୍ତନ ସଂଘଠିତହୋଇଛି ଏବଂ ଅପସଂସ୍କୃତି ପ୍ରବେଶ କରିଛି, ତାହାକୁ ବିଜାତୀୟ ସଭ୍ୟତା କହି ଭାରତର ମୁରବିତୁଲ୍ୟ ବ୍ୟକ୍ତି ଏଭଳି ସତର୍କ କରିଥା’ନ୍ତି । ଏହା ବଣିକ ସଭ୍ୟତା, ବସ୍ତୁବାଦୀ ବିଚାର ଓ ଆର୍ଥନୀତିକ ଦର୍ଶନ ଉପରେ ପ୍ରତିଷ୍ଠିତ । ମାତ୍ର ଭାରତବର୍ଷର ସଂସ୍କୃତି ଆଧ୍ୟାତ୍ମିକ ଚିନ୍ତନ ଗର୍ଭିତ ନୈତିକ ମୂଲ୍ୟବୋଧର ମାର୍ଜିତ ସଭ୍ୟତା । ଭାରତୀୟ ଆର୍ଯ୍ୟ ସଭ୍ୟତା ଭାରତବର୍ଷର ସାଂସ୍କୃତିକ ଆତ୍ମା । ଆର୍ଯ୍ୟମାନେ ଶାସ୍ତ୍ର ଓ ଶସ୍ତ୍ରର ପ୍ରଥମ ପ୍ରଣେତା ବୋଲି ବିଚାର୍ଯ୍ୟ । ଶ୍ରୀରାମ ଓ ଲକ୍ଷ୍ମଣକୁ ମହର୍ଷି ବିଶ୍ଵାମିତ୍ର ମହାରାଜା ଦଶରଥଙ୍କଠାରୁ ନେଇ ସେମାନଙ୍କୁ ଶସ୍ତ୍ର ଅର୍ଥାତ୍‌ ଯୁଦ୍ଧ ଓ ଯଜ୍ଞ ସଂପର୍କରେ ଗଭୀର ଅଧ୍ୟୟନର ସୁଯୋଗ ଦେଇଥିଲେ । ଅଯୋଧ୍ୟାରୁ ଯିବାବେଳେ ସରଜୁ ନଦୀ ତୀରରେ ସଂଧ୍ୟା ହେବାରୁ ସେହି ବାଲୁକା ଶଯ୍ୟାରେ ସେମାନଙ୍କୁ ରାତ୍ର ଯାପନ କରିବାକୁ ପଡ଼ିଥିଲା । ଲକ୍ଷ୍ମଣ ଅଭିଯୋଗ କରି କହିଥିଲେ - ମହର୍ଷି, ଏପରି ଅବାଟରେ ରାତ୍ରିଯାପନ କଥା ଜାଣିଥିଲେ ଅଯୋଧ୍ୟା ନରେଶ ସମସ୍ତ ସୁବିଧା କିରପାରିଥାନ୍ତେ । ମହର୍ଷି ବିଶ୍ଵାମିତ୍ର ସେ ଦୁଇ ଭାଇଙ୍କୁ ଗୋଟିଏ ମନ୍ତ୍ରଜପ କରିବାକୁ ଦେଲେ । ମନ୍ତ୍ରପାଠ ପରେ ସେମାନଙ୍କୁ ବାଲିର କୁଶଶଯ୍ୟା, ରାତ୍ରିର କାକର, ଶୂନ୍ୟ ଜଠରର ଆର୍ତ୍ତନାଦ । ଅଥବା କୌଣସି ଭୟ ମନ ମଧ୍ୟକୁ ପ୍ରବେଶ କରିନଥିଲା । ସାଧକର ସାଧନା ନିକଟରେ ସକଳ କ୍ଷତିକାରକ ଶକ୍ତି ଅପସରି ଯାଏ । ରାମାୟଣରେ ବର୍ଣ୍ଣିତ ରାମ-ରାବଣ ଯୁଦ୍ଧ ଅନ୍ତରାଳରେ ରହିଛି ଆର୍ଯ୍ୟ ଓ ଆର୍ଯ୍ୟେତର ସଂଘର୍ଷର ବର୍ଣ୍ଣିଳ- ବିମୁଗ୍ଧ ଇତିହାସ ।

 

ଏହା ଉଲ୍ଲେଖ କରିବାର ପ୍ରୟାସ-ଏଇଥିପାଇଁ କି ଦ୍ୱିତୀୟ ମହାସମରରେ ପରାଜିତ ଜର୍ମାନୀୟ ଅଧିନାୟକ ହିଟ୍‌ଲର ନିଜ ପୁସ୍ତକ- ‘ମେନ୍‌କ୍ୟାଂପ୍‌’ରେ କହିଛନ୍ତି- ଜର୍ମାନମାନେ ବିଶୁଦ୍ଧ ଆର୍ଯ୍ୟରକ୍ତରେ ଗଠିତ ଓ ବଳିଷ୍ଠ । ଏଣୁ ଭାରତ ଓ ତଦୀୟ ଅଞ୍ଚଳର ଆର୍ଯ୍ୟମାନେ ପ୍ରାଗୈତିହାସିକ ଯୁଗରେ ଜର୍ମାନରେ ବସତି ସ୍ଥାପନ କରି ଜର୍ମାନ ଆର୍ଯ୍ୟ ଓ ନର୍ଡ଼ିକ ଅଞ୍ଚଳରେ ବାସ କରି ନର୍ଡ଼ିକ ଆର୍ଯ୍ୟ ନାମରେ ପରିଚିତ ହୋଇଥିଲେ । ଭାରତୀୟମାନଙ୍କୁ ହିଟ୍‌ଲର ମିଶ୍ର ବା ବର୍ଣ୍ଣଶଙ୍କର କହି ଆକ୍ଷେପ କରିବା ପଛରେ ତାଙ୍କର ଯୁକ୍ତି ରହିଛି ଯେ ଭାରତ ବର୍ଷରେ ବିଭିନ୍ନ ଗୋଷ୍ଠୀର ଲୋକେ ବାସ କରି ଏହାର ବିଶୁଦ୍ଧତାକୁ କ୍ଷୁର୍ଣ୍ଣ କରି ସାରିଛନ୍ତି । ଯାହାହେଉ ଜର୍ମାନ ଦେଶରେ ଭାରତୀୟମାନଙ୍କ ପ୍ରଚାରିତ ସଂସ୍କୃତି ଅକ୍ଷୁର୍ଣ୍ଣ ରହିଥିଲା ବହୁକାଳ ପର୍ଯ୍ୟନ୍ତ । ଜର୍ମାନର ଲୋକେ ଅଧୁନା ଖ୍ରୀଷ୍ଟଧର୍ମାବଲମ୍ବୀ ହେଲେ ମଧ୍ୟ ସେମାନେ ଆର୍ଯ୍ୟ ସଂସ୍କୃତି ଏବଂ ତାହାର ତତ୍ତ୍ଵଦର୍ଶନକୁ ନେଇ ଗର୍ବ କରନ୍ତି ।

 

ହିଟଲର ସ୍ଵସ୍ତିକ (卐) ଚିହ୍ନକୁ ନାଜୀ ଦଳର ପତାକାରେ ପ୍ରତୀକ ରୂପେ ବ୍ୟବହାର କରିଥିଲେ । ସ୍ୱସ୍ତିକର ଅନ୍ୟରୂପ ‘ପ୍ରଣବ’ ବା ଓଁକାର । ଏ ଦୁଇଟି ସଂକେତ ଆର୍ଯ୍ୟମାନଙ୍କ ବ୍ୟତୀତ ଅନ୍ୟ କେହି ବ୍ୟବହାର କରିବାର ଜଣାଯାଇନାହିଁ । ଆର୍ଯ୍ୟମାନଙ୍କ ସଂପର୍କରେ ପ୍ରକୃଷ୍ଠ ଧାରଣା ନଥିବାରୁ ଭାରତରେ ମଧ୍ୟ ଆର୍ଯ୍ୟଙ୍କୁ ସମାଲୋଚନା କରାଯାଏ । ବୈଶ୍ଵ ଭାବନାରେ ଆର୍ଯ୍ୟ ହିଁ ସର୍ବାଗ୍ରଣୀ । ଏଣୁ ଆର୍ଯ୍ୟଙ୍କର ଉକ୍ତ ସ୍ଵସ୍ତିକ ସଂକେତ ସର୍ବଶୁଭଦାୟକ ବୋଲି ଜର୍ମାନ୍‌ ଜାତି ସାଂସ୍କୃତିକ ସଂକେତ ଭାବେ ଏହାକୁ ଗ୍ରହଣ କରିଥିଲା । ବେଦ ହେଉଛି ଜ୍ଞାନ ଓ ବିଜ୍ଞାନର ଭଣ୍ଡାର । ଜର୍ମାନ୍‌ ପଣ୍ଡିତ ଗଣ ହିଟଲରଙ୍କ ବହୁ ପୂର୍ବରୁ ଜୀବନରଥ ଅନ୍ୱେଷା ଜାରି କରି ଭାରତୀୟ ବୈଦିକ ସାହିତ୍ୟ କେବଳ ପଢ଼ି ନାହାନ୍ତି; ବେଦର ସର୍ବୋତ୍କୃଷ୍ଟ ଅନୁବାଦ ମଧ୍ୟ କରିଛନ୍ତି । ହିନ୍ଦୀରେ ଅନୂଦିତ ହୋଇଥିବା ବେଦ ବା ବୈଦିକ ସାହିତ୍ୟକୁ ସମୃଦ୍ଧ ସଂଶୋଧିତ କରିବା ପାଇଁ ଜର୍ମାନ ଅନୂଦିତ ‘ବେଦ’ର ସହାୟତା ନିଆଯାଇ ଅଛି । ବେଦର ଜ୍ଞାନ ଗରିମା ସହିତ ସମାଜକୁ ପରିଚିତ କରାଇବା ନିମନ୍ତେ ଜର୍ମାନ ବିଦ୍ଵାନ ପ୍ରଫେସର୍‌ ମ୍ୟାକ୍‌ସମ୍ୟୁଲାରଙ୍କର ଅକ୍ଲାନ୍ତ ପରିଶ୍ରମ ଓ ଅଧ୍ୟୟନକୁ ପ୍ରଶଂସା କରି ରହି ହେବ ନାହିଁ । ଯଦିଚ ପରେ କେତେକ ତ୍ରୁଟି ପରିଲକ୍ଷିତ ହୋଇଛି ତଥାପି ଭାରତର ବେଦ ପିଣ୍ଡତ ଜୀବନକୁ ନୂତନ ଦିଗ ଦେଇଛନ୍ତି ବୋଲି ସ୍ଵୀକାର କରାଯାଇପାରେ । ୧୮୩୮ ମସିହାରେ ଡ:ରୋସେନ୍‌ ପ୍ରଫେସର ମାକ୍‌ସମୁଲାରଙ୍କ ଗ୍ରନ୍ଥର ସାରବସ୍ତୁ ସଂଗ୍ରହ କରିଥିଲେ । ଏହାପରେ ବୈଦିକ ସାହିତ୍ୟ ପ୍ରତି ବିଶ୍ଵବାସୀ କ୍ରମଶଃ ଆକୃଷ୍ଟ ହୋଇଛନ୍ତି । ଭାରତ ବାହାରେ ଜର୍ମାନ ବେଦ ପ୍ରଚାରର ପ୍ରାଣକେନ୍ଦ୍ର ପାଲଟି ଯାଇଛି । ଭାରତୀୟ ପୁରାଣରେ ଶଂଙ୍ଖାସୁର ବେଦ ଚୋରି କରି ପଳାଇଥିଲା ଯାହା ଫଳରେ ଯୋଗେଶ୍ଵର ଭଗବାନ ଶ୍ରୀକୃଷ୍ଣ ଶଙ୍ଖାସୁର ବଧ କରି ବେଦୋଦ୍ଧାର କରିଥିଲେ । ଏହି କାହାଣୀର ତାତ୍ପର୍ଯ୍ୟ ଏଇ ଜର୍ମାନ କ୍ଷେତ୍ର ସତ୍ୟ ଓ ପ୍ରଯୋଜ୍ୟ । ସେହିପରି ହେରମଣ୍ଡ ଏଲ୍‌ଡେନ୍‌ଙ୍କ ପ୍ରଣୀତ ‘ବେର୍ଦଧର୍ମ’ରେ ପ୍ରାଚୀନ ଭାରତର ଆଧ୍ୟାତ୍ମିକ ଜୀବନଚର୍ଯ୍ୟା ଉପରେ ବିଶେଷ ଆଲୋକପାତ କରାଯାଇଅଛି । ଏହି ଗ୍ରନ୍ଥଟି ୧୮୯୪ରେ ପ୍ରକାଶ ହେବା ବେଳକୁ ମହର୍ଷି ଦୟାନନ୍ଦ ସରସ୍ଵତୀ ଭାରତରେ ଆର୍ଯ୍ୟସମାଜ ପ୍ରତିଷ୍ଠା କରି ବିଶ୍ଵରେ ବେଦ ଜ୍ଞାନର ଏକ ପୂର୍ଣ୍ଣ ବାତାବରଣ ଆଣିସାରିଥିଲେ । ଏହି ପରିପ୍ରେକ୍ଷୀରେ ହେରମଣ୍ଡ ଓଲ୍‌ଡେନଙ୍କୁ କେତେକ ବିଦ୍ଵାନ ‘ୟୁରୋପର ଦୟାନନ୍ଦ’ ବୋଲି କହିଛନ୍ତି । ସମ୍ଭବତଃ ଦୟାନନ୍ଦଙ୍କ ବେଦ ଆନ୍ଦୋଳନ ଫଳରେ ଜର୍ମାନରେ ୧୯୨୭ ମସିହାରୁ ଆରମ୍ଭ କରି ୧୯୨୯ ମସିହା ପର୍ଯ୍ୟନ୍ତ ବେଦର କେତେକ ସଂସ୍କରଣ ଉତ୍ତମ ରୂପେ ପ୍ରକାଶ ପାଇଥିଲା । ସେହିପରି ଏ.ବି.ଡ୍ୟୁପେରନିଙ୍କ ସମ୍ପାଦିତ ୫୦ ଖଣ୍ଡ ଉପନିଷଦର ସଂକଳନ ଜର୍ମାନବାସୀଙ୍କର ଆଦରର ସଂପଦ ହୋଇ ପାରିଛି । ଏଭଳି ଅନେକ ସଦ୍‌ଗ୍ରନ୍ଥ ଜର୍ମାନ ଭାଷାରେ ଲିଖିତ ହୋଇ ଇଂରାଜୀର ରୂପାନ୍ତରରେ ବିଶ୍ୱବିଖ୍ୟାତ ହୋଇପାରିଛି । ଆଜି ଜର୍ମାନ ଯେ ଆର୍ଯ୍ୟ ସଂସ୍କୃତିର ପ୍ରକୃତ ଉତ୍ତର ଦାୟାଦ ଏହା ପ୍ରକାଶ କରିବା ଅସମୀଚୀନ ହେବନାହିଁ । (ୟୁରୋପର ଆର୍ଯ୍ୟବର୍ତ୍ତନ ଜର୍ମାନୀ ପ୍ରବଂଧର ସହାୟତା ନିଆଯାଇଛି ।)

 

ବିଶ୍ଵଦରବାରରେ ଭାରତବର୍ଷ ଏହି ଉପଯୁକ୍ତ କାରଣ ହେତୁ ଚିରକାଳ ସମ୍ମାନ ଓ ସମ୍ବର୍ଦ୍ଧନା ଲାଭ କରୁଥିବ । ଭାରତକୁ ଯେଉଁ ରାଷ୍ଟ୍ରମାନେ ସାହାଯ୍ୟ କରୁଛନ୍ତି, ତାହା ସେମାନଙ୍କର କରୁଣା ନୁହେଁ ବରଂ ତାହା ଗୁରୁଦକ୍ଷିଣା ବୋଲି ବିଚାର୍ଯ୍ୟ । ଭାରତର ପ୍ରତ୍ୟେକ ନାଗରିକ ପୁଣ୍ୟାମାଟିର ବୀର/ଋଷି ପ୍ରସବିନୀ ବସୁଂଧରାର ସଂତାନ ଭାବେ ଗର୍ବ କରିବାର ଯଥେଷ୍ଟ କାରଣ ରହିଅଛି ।

 

ବିଂଶ ଶତାବ୍ଦୀରେ ଭାରତୀୟ ସଂସ୍କୃତିର ପ୍ରସାର

ବିଶ୍ଵର ବିକାଶ ସହିତ ବିଭିନ୍ନ ରାଷ୍ଟ୍ର ଆର୍ଥିକ ସାମାଜିକ ଓ ବୈଜ୍ଞାନିକ କ୍ଷେତ୍ରରେ ମଧ୍ୟ ଅନୁରୂପ ଚିନ୍ତାଚେତନାର ଉନ୍ମେଷ ସାଧିତ ହୋଇଅଛି । ପରାଧୀନ ଭାରତ ବର୍ଷରେ ଇଂରେଜୀ ଭାଷା ସଂସ୍କୃତିର ପ୍ରଭାବ ପ୍ରାଚ୍ୟ ଦେଶମାନଙ୍କରେ ପରିଲକ୍ଷିତ ହୋଇଅଛି । ପରସ୍ପର ଚିନ୍ତାର ବିନିମୟ କ୍ଷେତ୍ରରେ ଉଦାରତା ପ୍ରକାଶ ପାଇଅଛି । ତେଣେ ଦୁଇ ଦୁଇଟା ବିଶ୍ଵଯୁଦ୍ଧ ସଂଘଟିତ ହେବା ସହ ମୁକ୍ତିକାମୀ ରାଷ୍ଟ୍ରଗୁଡ଼ିକ ସ୍ଵତନ୍ତ୍ରତା ପାଇଁ ଭୀଷଣ ସଂଗ୍ରାମ କଲେ । ଭାରତବର୍ଷର ମୁକ୍ତି ସଂଗ୍ରାମର ତଦପେକ୍ଷା ଅଧିକ ଗୁରୁତ୍ୱ ଉପଲବ୍ଧ । ଭାରତମାତାର ସୁଯୋଗ୍ୟ ସଂତାନ ନେତାଜୀ ସୁଭାଷ ବୋଷ ୧୯୪୧ରେ ଅନ୍ତର୍ଦ୍ଧାନ ହୋଇଯାଇ ଜର୍ମାନରେ ‘ଆଜାଦ୍‌ ହିନ୍ଦ୍‌ ଫୌଜଗଠନ କରିବା ଓ ଜର୍ମାନରେ ସାତଟା ବେତାର କେନ୍ଦ୍ର ପ୍ରତିଷ୍ଠା କରି ମୁଁ ସୁଭାଷ କହୁଛି’ର ବୀରତ୍ୱ ବ୍ୟଞ୍ଜକ କାହାଣୀ କେବଳ ଇତିହାସ ଦୃଷ୍ଟିରୁ ଚମକ ପ୍ରଦ ନୁହେଁ, ଭାରତବର୍ଷର ସମର ସଂସ୍କୃତିର ଅପୂର୍ବ କୌଶଳ ହିଟଲରଙ୍କୁ ବିସ୍ମିତ କରାଇ ଦେଇଥଲା । ଡଲାର୍ଟ ଲର୍ଡ ହାର୍ଡିଞ୍ଜଙ୍କ ହତ୍ୟା ବ୍ୟାପାରରେ ରାସବିହାରୀ ବୋଷ ଅଭିଯୁକ୍ତ ହୋଇ ଜାପାନରେ ସୈନ୍ୟ ସଂଗଠନ କରିବା ବେଳେ ସୁଭାଷଙ୍କର ସେଠାରେ ନେତୃତ୍ୱ ବ୍ରିଟିଶ୍‌ ସାମ୍ରାଜ୍ୟବାଦୀଙ୍କ ପ୍ରାଣରେ ହୃତ୍‌କଂପନ ସୃଷ୍ଟି କରିଥିଲା । ସାଂସ୍କୃତିକ ବିଚାରବୋଧ ପ୍ରତିଷ୍ଠା ବ୍ୟତୀତ କୌଣସି ମହଦୁଦ୍ଦେଶ୍ୟ ଫଳ ପ୍ରଦ ହୋଇପାରେନାହିଁ । ବିଭିନ୍ନ ଭାଷାଭାଷୀ ଓ ରୁଚିର ମଣିଷମାନଙ୍କ ମଧ୍ୟରେ ଐକ୍ୟ-ସଂହତିର ପ୍ରାଣ ପ୍ରତିଷ୍ଠା କମ୍‌ବଡ଼ କଥା ନୁହେଁ-

 

ଅନ୍ୟତମ ବିପ୍ଳବୀ ଅରବିନ୍ଦ ଘୋଷ ଶ୍ରୀ ଅରବିନ୍ଦରେ ନାମିତ ହୋଇ ୟୁରୋପ ଦେଶଗୁଡ଼ିକରେ ଯେଉଁ ବଳିଷ୍ଠ ଅଧ୍ୟାତ୍ମ ଦର୍ଶନର ପ୍ରଚାର ପ୍ରସାର ଘଟାଇଥିଲେ ତାହାର ପ୍ରଭାବ ଏକବିଂଶ ଶତକର ଆଦ୍ୟ ପାଦରେ ମଧ୍ୟ ଶାନ୍ତି, ପ୍ରୀତି, ମୈତ୍ରୀ ଓ ସହାବସ୍ଥାନର ଆଦର୍ଶକୁ ଗୁରୁତ୍ୱ ସହକାରେ ବିଚାର କରାଯାଇଛି । ମାନବର ଶାରୀରିକ ସୌଷ୍ଠବ ମଧ୍ୟରେ ଅଧିକ କମନୀୟ, ଚିନ୍ତନୀୟ ଓ ପୂଜନୀୟ ଶକ୍ତି ରହିଛି; ଯାହା ମୃତ୍ୟୁକୁ ଦୂରକୁ ଠେଲିଦେଇ ପାରିବ । ବିଶ୍ଵବାସୀ ଯୋଗୀ ଅରବିନ୍ଦଙ୍କ ଦର୍ଶନ ଓ ସ୍ପର୍ଶନ ପାଇଁ ବ୍ୟାକୁଳ ହୋଇ ଉଠିଲେ । ବିଦେଶିନୀ ନାରୀ କିପରି ଭାରତୀୟ ମାଟି, ପାଣି, ପବନରେ ବିଶ୍ଵ ମାତୃତ୍ୱକୁ ଆହରଣ କରି କୋଟି କୋଟି ସଂତାନଙ୍କର ଆଦରର ଶ୍ରୀମା ହୋଇ ପାରିଲେ, ତାହା ମଧ୍ୟ ଅନ୍ୟତମ ସାଫଲ୍ୟ । କେନ୍ଦ୍ରାପଡ଼ା ଅଧିବାସୀ ଶ୍ରୀ କେଦାର ନାଥ ଦତ୍ତ ଗୌଢ଼ୀୟ ବୈଷ୍ଣବ ଧର୍ମ ଗ୍ରହଣ କରିବା ପରେ ତାଙ୍କ ମଧ୍ୟରେ ଜଗନ୍ନାଥ ଓ ଶ୍ରୀକୃଷ୍ଣଙ୍କ ପ୍ରତି ପ୍ରଗାଢ଼ ଭକ୍ତିଜାତ ହେବାପରେ ସେ ପାଲଟି ଯାଆନ୍ତି ଭକ୍ତି ବିନୋଦ ଠାକୁର । ତାଙ୍କର ପ୍ରଶିଷ୍ୟ ପ୍ରଭୁପାଦ ଅଭୟ କୁମାର ଦେଙ୍କର ଆନ୍ତରିକ ନିଷ୍ଠା ଓ ପ୍ରଚେଷ୍ଟାରେ କୃଷ୍ଣ ଚେତନା ସଂଗଠନ ବା ଇସ୍କନ ସଂସ୍ଥା ଆମେରିକାରେ ଆଶାତୀତ ସୁଫଳ ଲାଭ କରେ । ଏପରିକି ବିଶ୍ଵବାସୀଙ୍କ ପାଇଁ ବିସ୍ମୟକର କ୍ଷେତ୍ର ସୃଷ୍ଟି ହୋଇ ପାରିଛି । ଆମେରିକାର ନିଉ ଭର୍ଜେନିଆ ଠାରେ ଦଶହଜାର ଏକର ପରିମିତ ଭୂମିରେ ପ୍ରତିଷ୍ଠିତ ହୋଇଛି ‘ନବବୃନ୍ଦାବନ’ ଯେଉଁଠି ମୂଲ୍ୟବାନ ରତ୍ନରେ ନିର୍ମିତ ରାଧାକୃଷ୍ଣ ଓ ଉତ୍ତୁଙ୍ଗ ମନ୍ଦିର ଏବଂ ଶିଖର ଶୈଳୀ ଜଗନ୍ନାଥଙ୍କ ମନ୍ଦିର ନିର୍ମିତ । ଶ୍ରୀକୃଷ୍ଣ ତଥା ଜଗନ୍ନାଥଙ୍କର ସମସ୍ତ ପର୍ବ ପର୍ବାଣୀ ଓ ରୀତିନୀତି ନିୟମିତ ପ୍ରଚଳିତ ଏହି ଅନନ୍ୟ ଉପହାର ବସ୍ତୁବାଦୀ ଆମେରିକୀୟମାନଙ୍କ ମନରେ ବିଭୁଚେତନାର ଆନନ୍ଦ ମନ୍ଦାକିନୀ ପ୍ରବାହିତ କରାଇପାରିଛି । ବିଶ୍ୱବକ୍ଷରେ ମୁଣ୍ଡନ ବ୍ରତରେ ଅରୁଣ କଷାୟ ବାସରେ ଖୋଳକରତାଳ ତାନରେ ନାଚି ବୁଲୁଛନ୍ତି ଇସ୍କନର ଭକ୍ତଗଣ ଯାହା ଭାରତୀୟମାନଙ୍କ ପାଇଁ ଗର୍ବ ଓ ଗୌରବର କାରଣ । ମାତ୍ର ଏହି ଶ୍ଵେତାଙ୍ଗ ଭକ୍ତଗଣକୁ ହିନ୍ଦୁର ସାର୍ଟିଫିକେଟ୍‌ ଗୋତ୍ରର ଦ୍ଵାହି ଦେଇ ଶ୍ରୀ ଜଗନ୍ନାଥ ମନ୍ଦିରକୁ ପ୍ରବେଶ କରିବାର ଅଧିକାର ମିଳୁନାହିଁ । ଜଗତକରଣ ଯୁଗରେ ରକ୍ଷଣଶୀଳ ହିନ୍ଦୁ ମାର୍କା ହେବା ଠାରୁ ଅଧିକ ହାସ୍ୟାସ୍ପଦର କଥା କ’ଣ ଥାଇ ପାରେ ? ଉପବୀତ ବର୍ଜିତ, ମାଂସ ଭକ୍ଷଣକାରୀ ବ୍ରାହ୍ମଣମାନେ ଯେ ବ୍ରାହ୍ମଣ୍ୟ ସଂସ୍କୃତିକୁ ବହୁଦୂର ପଛରେ ଛାଡ଼ି ଆସିଛନ୍ତି ତାହା ଭୁଲି ଯିବା ଉଚିତ ନୁହେଁ । ଚଣ୍ଡାଶୋକ ଯେଉଁ ଉତ୍କଳୀୟ ବ୍ରାହ୍ମଣର ଚରଣତଳେ ଶାଣିତ ତରବାରୀ ପ୍ରତ୍ୟର୍ପଣ ପୂର୍ବକ ମୁଣ୍ଡନ ଓ କଷାୟ ବସନ ଧାରଣ କରି ପାରିଲେ, ସେ ବ୍ରାହ୍ମଣ ଯେକେହି ସନ୍ନ୍ୟାସୀଠାରୁ ବିଜ୍ଞ ଦାର୍ଶନିକ ଓ ଶ୍ରେଷ୍ଠ । ଓଡ଼ିଶାର ସନ୍ନ୍ୟାସୀଙ୍କ ପ୍ରଭାବରେ ସମଗ୍ର ବିଶ୍ଵରେ ବିଶ୍ଵମ୍ଭର ଶ୍ରୀ ଚୈତନ୍ୟ ଓ ଜଗନ୍ନାଥଙ୍କୁ ସମର୍ପିତ ପ୍ରାଣ ସନ୍ନ୍ୟାସୀମାନଙ୍କୁ ଉଦାର ଅଥଚ ମହନୀୟ ଦୃଷ୍ଟିରେ ବିବେଚନା କରିବା ଆବଶ୍ୟକ । ଅନ୍ନଦା ପ୍ରସାଦ ରାୟଙ୍କ ଭାଷାରେ ‘ଶ୍ରୀ ଅରବିନ୍ଦଙ୍କ ବ୍ୟକ୍ତିତ୍ୱ ଥିଲା, ପ୍ରଚଣ୍ଡ ମନୀଷା, ବିହବତ୍ତା ସତ୍ୟ-ସମୀକ୍ଷା ଏବଂ ନିଗୂଢ଼ ତତ୍ତ୍ୱ ଦର୍ଶିତାରେ ଭବିଷ୍ୟତ ସଂକଳ୍ପ । ଶ୍ରୀ ଅରବିନ୍ଦ ଅତିମାନସସ୍ତରକୁ ମଣିଷ ମନର ସର୍ବୋତ୍ତମ ବିକାଶଧାରା ବୋଲି ଅଭିହିତ କରି ମଣିଷସମାଜ ପାଇଁ ଆତ୍ମ ପରିବ୍ୟାପ୍ତିର ଏକ ବିଶାଳ ଦୃଷ୍ଟି ଉନ୍ମୋଚନ କରିଛନ୍ତି ।’’ ଏହା ବିଶ୍ଵମାନବର ଚିନ୍ତାଧାରାକୁ ଉଦ୍‌ବେଳିତ କରି ଜାଗରୂକତାର ସ୍ୱପ୍ନକୁ ଆତ୍ମିକ ସ୍ତରରେ ଊର୍ଦ୍ଧ୍ୱକୁ ଉନ୍ନୀତ କରି ପାରିଛି-

 

ବିଶ୍ଵକବି ରବୀନ୍ଦ୍ରନାଥ ଠାକୁରଙ୍କର କାବ୍ୟ ଚେତନାରେ ବିଶ୍ଵଚେତନାର ସ୍ପର୍ଶ ଓ ଭଗବତର ସଂଦେଶ ସମଗ୍ର ପୃଥିବୀବାସୀଙ୍କୁ ଚଳଚଞ୍ଚଳ କରି ପାରିଛି । ମଡ଼ର୍ଣ୍ଣ ଯୁଗବୋଲି ଯାହାକୁ କୁହାଯାଇଛି ତାହା ପାଞ୍ଚ/ ଛ ଜଣ ମନୀଷୀଙ୍କର ମନନ-ଚିନ୍ତନ ଓ ସ୍ଵାଧ୍ୟାୟର ସମାହାର ମାତ୍ର । କାର୍ଲମାର୍କସ, ଆଇନ୍‌ଷ୍ଟାଇନ୍‌, ସିଗମଣ୍ଡଫ୍ରଏଡ୍‌, ମହାତ୍ମାଗାନ୍ଧୀ, ବିଶ୍ଵକବି ରବୀନ୍ଦ୍ର ଓ ଟି.ଏସ୍‌. ଏଲିଟ୍‌ଙ୍କର ଜ୍ଞାନ- ବିଜ୍ଞାନର ବିଷ୍ଫୋରଣରେ ସମାଜର ଢାଞ୍ଚ ପରିବର୍ତ୍ତିତ ହେବା ଫଳରେ ମାନବର ଲାଇଫ୍‌ଷ୍ଟାଇଲ ହେଲା ଆଧୁନିକତାର ଯାଦୁକରି ଉପହାର । ଏଠାରେ ଉଲ୍ଲେଖନୀୟ ଯେ ରବୀନ୍ଦ୍ର କାବ୍ୟ କଥା ଚରିତ୍ର ଚିତ୍ର ମଧ୍ୟରେ ଯେଉଁ ଜୀବନ ସତ୍ୟର ପରିସ୍ଫୁଟନ ହୋଇଥିଲା, ତା’ର ମୂଲ୍ୟାଙ୍କନ କରିବା ପାଇଁ ଏକ ପୃଷ୍ଠଭୂମି ପ୍ରସ୍ତୁତ କରିଥିଲେ ଶ୍ରୀ ଅରବିନ୍ଦ” । ରବୀନ୍ଦ୍ରନାଥଙ୍କ ସାହିତ୍ୟ ସୃଷ୍ଟି ଯେତେବେଳେ ନୀରବରେ ଆତ୍ମଜଗର୍ତ୍ତିର ସ୍ଵର ଝଂଙ୍କାରରେ ମଧୁମନ୍ଦ୍ର ସଂଦେଶ ବିତରଣ କରୁଥିଲେ, ସେତେବେଳେ ଶ୍ରୀ ଅରବିନ୍ଦଙ୍କ ଜ୍ଵଳାମୁଖୀ ମୁକ୍ତିମନ୍ତ୍ର ଉଦ୍ଦୀପନା ସୃଷ୍ଟି କରୁଥିଲା । କେବଳ ଭାରତୀୟ ନୁହେଁ ବିଶ୍ଵମାନବର ସୁପ୍ତଚେତନାକୁ ପୁନରୁତ୍‌ଥିତ କରିବାରେ, ଶ୍ରୀ ଅରବିନ୍ଦଙ୍କୁ ମହାଯୋଗୀ, ରବୀନ୍ଦ୍ରନାଥଙ୍କୁ ବିଶ୍ଵକବି କୁହାଯିବାରେ ସେଇ ବିଶ୍ଵାତ୍ମକ ସତ୍ୟ ଦୃଷ୍ଟି ହିଁ ଭାରତୀୟ ମୁକ୍ତି ଅଭିଳାଷକୁ ମହିମାନ୍ଵିତ କରିପାରିଥିଲା । ମାନବତାରେ ଭଗବତ୍ତାର ଅଭିବ୍ୟକ୍ତି ଥିଲା ଉଭୟଙ୍କର ମର୍ମବାଣୀ, ଉଭୟ ଭାରତବର୍ଷର ଆତ୍ମାକୁ ଆବିଷ୍କାର କରିଥିଲେ ତାର ବୈଚିତ୍ର୍ୟ ମଧ୍ୟରେ ପ୍ରକୃତିର ବିପୁଳ ଐଶ୍ଵର୍ଯ୍ୟରେ ଉଭୟେ ଆତ୍ମହରା ହୋଇ ଭାରତର ସେଇ ଚଲାପଥର ରମ୍ୟ ଶାନ୍ତ, କାନ୍ତ, ମୁଗ୍ଧ ମଧୁର ତପୋବନ ସଂସ୍କୃତିର ପୁନର୍ବିନ୍ୟାସ ପାଇଁ ଚେଷ୍ଟା କରିଥିଲେ; ତାହା ନୂତନ ମୂଲ୍ୟବୋଧର ସଂଦେଶ ଦେଇଥିଲା ବିଶ୍ଵବାସୀଙ୍କୁ । କୌଣସି କାଳର ପ୍ରଭାବରେ ଏହା ପ୍ରାସଙ୍ଗିକତା ହରାଇବ ନାହିଁ । ଭାରତବର୍ଷର ଅନ୍ତରାତ୍ମାକୁ କେତୋଟି ଆଶ୍ରମରୁ ଜାଣିବା ସହଜ ହେବ । ଶାନ୍ତିନିକେତନ, ପଣ୍ଡିଚେରୀ ଅରବିନ୍ଦଙ୍କ ଆଶ୍ରମ, ଦେଓଘର ଅନୁକୂଳଚନ୍ଦ୍ର ସତ୍‌ସଙ୍ଗ ବିହାର, ସତ୍ୟସାଇ ବାବାଙ୍କ ପ୍ରତିଷ୍ଠିତ ପ୍ରଶାନ୍ତି ନିଲୟମ, ଋଷିକେଶ ଶିବାନନ୍ଦ ଆଶ୍ରମ ସର୍ବୋପରି ସାବରମତି ବା ଗାନ୍ଧିଜୀଙ୍କ ସେବାଗ୍ରାମ, ଯେଉଁଠାରେ ଭାରତର ଧର୍ମ ଦର୍ଶନମାନ ପ୍ରତିଫଳିତ ହୋଇଅଛି । ପ୍ରଶାନ୍ତି ହେଉ ବା ଶିରିଡ଼ୀ ହେଉ, ବିଶ୍ଵର ବହୁରାଷ୍ଟ୍ରରୁ ଆଗନ୍ତୁକ ଓ ବିଭୁପ୍ରେମୀ ମଣିଷମାନେ ଏଠାକୁ ଧାଡ଼ିବାନ୍ଧିବାରେ ଲାଗିଛନ୍ତି । ଜଗତକରଣ ବିଶ୍ଵରେ ଟିକେ ଆନନ୍ଦ ଶାନ୍ତି ଓ ଆଗାମୀ ଜୀବନର ସାନ୍ତ୍ଵନା ପାଇଁ ଯଥେଷ୍ଟ ପରିମାଣରେ ଆଶ୍ଵାସନା ମିଳିଥାଏ । ପ୍ରଶାନ୍ତି ନିଲୟମ୍‌ରେ ୧୬୧ ରାଷ୍ଟ୍ରର ଜାତୀୟ ପତାକାର ଲୋଳନ ଆକାଶର ନୀଳିମାକୁ ଆହ୍ଵାନ କରୁଛି । ପ୍ରଶାନ୍ତି ଏକ ମୁକ୍ତ ମଞ୍ଚ । ଯେଉଁଠାରେ କୌଣସି ପ୍ରକାର ବିଭେଦ, ବିଭବ ଓ ବିଭୀଷିକା ମଣିଷକୁ ଦୁର୍ବଳ କରିପାରିବ ନାହିଁ । କାରଣ ସେ ଉପଲବ୍ଧି କରିବ ମୁଁ ଈଶ୍ଵରଙ୍କର ଅମୃତ ସନ୍ତାନ । ସମସ୍ତ ସମର୍ପଣ ଓ ତ୍ୟାଗର ହେଉଛି ଆନମ୍ର କାକ୍ୱତି । ଏଠି ମୁକ୍ତ ବିଚାର ଓ ମୁକ୍ତ ଅଭିଳାଷ । ମୁକ୍ତ ଅନୁଭବ ଦ୍ଵାରା ଏକ ମୁକ୍ତ ମାନବତାର ବିଜୟ ଉତ୍ସବ ପାଳିତ ହୁଏ । ସକଳ ସତ୍ୟ, ସକଳ ଅନ୍ୟାୟର ଦୁର୍ଦ୍ଦଷ ବିଜୟୀ ଭଗବାନଙ୍କର କ୍ରାନ୍ତିକାରୀ ଅବତରଣ ବୋଲି ପଣ୍ଡିତ, ଦାର୍ଶନିକ, ଡାକ୍ତର ଓ ବୈଜ୍ଞାନିକମାନଙ୍କର ଏହା ଅନୁଭବର ପର୍ଯ୍ୟାପ୍ତ ମତାଦର୍ଶ ।

 

ଯେଉଁ ପୀଠମାନଙ୍କରେ ଜାତି, ବର୍ଣ୍ଣ ଓ ସଂପ୍ରଦାୟ ସଂକୀର୍ଣ୍ଣତାର ବିଲୋପ ଘଟିଛି, ସେହି ପୀଠମାନ ଭାରତମାତାର ପୂଜା ମନ୍ଦିର ଏବଂ ସେଠାରେ ବିଶ୍ଵବାସୀଙ୍କର ଶୂନ୍ୟତାର ଶୋଷ ପରିଶାନ୍ତ ହୁଏ ଆନନ୍ଦର ଆହ୍ଲାଦିନୀ ଶକ୍ତିମତ୍ତାରେ । ବିଶ୍ଵସଂସ୍କୃତିର ଅଭ୍ୟୁତ୍‌ଥାନ କାଳରେ ବହୁ ମାନବୀୟ ସତ୍ତାର ଅବତାର ଭାରତର ରାଜସ୍ଵ ସୀମାରେ ଆବଦ୍ଧ ନ ହୋଇ ବିଶ୍ଵବାସୀଙ୍କ ମାନସିକ ସଂସ୍କାର ଓ ପରିବର୍ତ୍ତନ ଆଣିବାକୁ ସମର୍ଥ ହୋଇଛନ୍ତି ।

 

ଖଡ଼ିଅଙ୍ଗ, ପୋ/ ଜି : କେନ୍ଦ୍ରାପଡା

 

ସହାୟକ ଗ୍ରନ୍ଥ

୧.

ବୈଦିକ ପଞ୍ଚଯଜ୍ଞ - ଅନାଦି ବେଦସେବକ

୨.

India and World Culture - V. K. Gokak - କେନ୍ଦ୍ର ସାହିତ୍ୟ ଏକାଡେମୀ

୩.

ବିଶ୍ଵକୁ ଭାରତର ଅଜସ୍ର ଅନୁଦାନ - ଶ୍ରୀ ରାମ ଶର୍ମା ଆଚାର୍ଯ୍ୟ

୪.

ଭାରତର ଜ୍ଞାନତତ୍ତ୍ୱ - ପ୍ରଫେସର ଶ୍ରୀରାମ ଚନ୍ଦ୍ର ସାମନ୍ତରାୟ

୫.

ମନୀଷାର ଜିଗୀଷା- ଅନ୍ନଦା ପ୍ରସାଦ ରାୟ (ପ୍ରବଂଧ)

 

 

ଓଡ଼ିଆ ଶିଶୁକବିତାରେ ଶ୍ରୀଜଗନ୍ନାଥ ଚିନ୍ତା ଓ ଚିନ୍ତନ

ଗୋବିନ୍ଦ ପ୍ରସାଦ ଭଟ୍ଟାଚାର୍ଯ୍ୟ

 

ଶ୍ରୀଜଗନ୍ନାଥ ସମଗ୍ର ଜଗତର ଦେବତା ଏ ଜାତିର ଠାକୁର, ପ୍ରଧାନ ଶାସକ, ପ୍ରଧାନ ଗୁରୁ, ପ୍ରଧାନ ସାଧକ ଏବଂ ପ୍ରଧାନ ସ୍ରଷ୍ଟା ମଧ୍ୟ । ସେ କବି ସେ କବିତା । ସେ ଛବି ସେ ସବିତା । ସେ ପୁଣି ଅସାଧାରଣ ହେଲେ ବି ଆମପରି ଏକ ସାଧାରଣ ମଣିଷ । ତାଙ୍କର ଦୈନନ୍ଦିନ ଚାଲି ଚଳଣୀରେ ଆମ୍ଭେମାନେ ତାଙ୍କର ସ୍ଵରୂପ ସଷ୍ଟ ଭାବରେ ଦେଖି ପାରିବା । ସାଧାରଣ ମଣିଷ ପରି ଖାଇବା ସହିତ ରାଜକୀୟ ଆଡ଼ମ୍ବର ମଧ୍ୟ ତାଙ୍କଠାରେ ପରିଲକ୍ଷିତ ହୁଏ ।

 

ସାରଳା ଦାସଙ୍କ ଠାରୁ ଏ ଯାବତ ଯେତେ କବି ଅଛନ୍ତି ତାଙ୍କୁ କେହି ବାଦ୍‌ ଦେଇପାରିନାହାନ୍ତି । ସେ ଅଣାକର ନିରାକାର ଓ ସାକାର ମଧ୍ୟ । ସେ ଗଳ୍ପରେ, ଉପନ୍ୟାସରେ, କାବ୍ୟରେ, ପ୍ରବନ୍ଧରେ, ସମୀକ୍ଷାରେ ସେ ନାଟକରେ ମଧ୍ୟ । ଏଣୁ ଓଡ଼ିଆ ସାହିତ୍ୟ ତାଙ୍କ ପାଇଁ ଆଜି ବିଶ୍ଵଦରବାର ପର୍ଯ୍ୟନ୍ତ ବ୍ୟାପ୍ତ । ଏ କ୍ଷେତ୍ରରେ ଓଡ଼ିଆ ଶିଶୁ-ସାହିତ୍ୟ ବାଦ ପଡ଼ିବ ବା କିପରି ? ଓଡ଼ିଆ ଶିଶୁ ସାହିତ୍ୟରେ ଶ୍ରୀ ଜଗନ୍ନାଥ ବିଶାଳ ଓ ବ୍ୟାପ୍ତ । ଏହି ଦୃଷ୍ଟିକୋଣରୁ ଓଡ଼ିଆ ଶିଶୁ-ସାହିତ୍ୟରେ ଥିବା ଶିଶୁ କବିତାରେ ଶ୍ରୀ ଜଗନ୍ନାଥ ଚିନ୍ତା ଓ ଚିନ୍ତନକୁ ଆଲୋଚନାର ପରିସର ଭୁକ୍ତ କରାଯାଇଛି ।

 

ଓଡ଼ିଆ ଶିଶୁ- ସାହିତ୍ୟ ଉତ୍ପତ୍ତିକୁ ଅନୁଧ୍ୟାନ କଲେ ଜଣାଯାଏ, ପ୍ରାଚୀନ ଲୋକ ସାହିତ୍ୟ ମଧ୍ୟରେ ଶିଶୁ-ସାହିତ୍ୟ ଲୁକ୍କାୟିତ ଭାବରେ ଥିଲେ ବି ଏହା ସ୍ଵତନ୍ତ୍ର ଭାବେ ମୁକ୍ତାପରି ଦୃଶ୍ୟମାନ ହୁଏ । ପ୍ରକୃତ ଭାବରେ ଏହି ଶିଶୁ-ସାହିତ୍ୟର ଉନ୍ମେଷ ଊନବିଂଶ ଶତାବ୍ଦୀର ପ୍ରାକ୍‌କାଳରୁ ଆରମ୍ଭ ହୋଇଛି । ଏହି ଉନ୍ମେଷକୁ ଓଡ଼ିଆ ଶିଶୁ-ସାହିତ୍ୟର ଅଭ୍ୟୁଦୟ ଓ ପ୍ରତିଷ୍ଠା ବୋଲି ଧରାଯାଇପାରେ-। ଓଡ଼ିଆ ଶିଶୁ-ସାହିତ୍ୟର ଏହି ଅଭ୍ୟୁଦୟ ଓ ପ୍ରତିଷ୍ଠା ଦିଗରେ ମଧୁସୂଦନ ରାଓ, ରାଧାନାଥ ରାୟ, ଗୋପାଳଚନ୍ଦ୍ର ପ୍ରହରାଜ, ନନ୍ଦ କିଶୋର ବଳ, ଚିନ୍ତାମଣି ମହାନ୍ତି ଓ ମୃତ୍ୟୁଞ୍ଜୟ ରଥ ପ୍ରମୁଖଙ୍କର ଉଦ୍ୟମ ପ୍ରଶଂସନୀୟ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଯେଉଁ ଶିଶୁ ସାହିତ୍ୟ ସାଧକ ଗଣ ଏହି ଅଭ୍ୟୁଦୟ ଓ ପ୍ରତିଷ୍ଠାର ଅଭିଯାନକୁ ଦୃଢ଼ କରିଥିଲେ ସେମାନଙ୍କ ମଧ୍ୟରେ ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, ଲକ୍ଷ୍ମୀକାନ୍ତ ମହାପାତ୍ର, କାଳୀଚରଣ ପଟ୍ଟନାୟକ, ଉପେନ୍ଦ୍ର ତ୍ରିପାଠୀ, ରାମକୃଷ୍ଣ ନନ୍ଦ, ବାଳକୃଷ୍ଣ କର ପ୍ରମୁଖଙ୍କ ସହିତ ଅନ୍ୟ କେତେକଙ୍କ ଅବଦାନ ମଧ୍ୟ ଯଥେଷ୍ଟ ଅନୁଭୂତ ହୁଏ । ଉଭୟ ଗଦ୍ୟ ଓ ପଦ୍ୟରେ ସେମାନେ ସେମାନଙ୍କର ସୃଷ୍ଟି ସମ୍ଭାରକୁ ଏକ ନୂତନ ଜୀବନ୍ୟାସ ଦେଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ ।

 

ଏମାନଙ୍କ ବ୍ୟତୀତ ଅଗଣୀ ଦାସ, ଅନନ୍ତ ପ୍ରସାଦ ପଣ୍ଡା, ଅଲେଖ ପ୍ରସାଦ ଦାସ, ଉଦୟନାଥ ଷଡ଼ଙ୍ଗୀ, କୃଷ୍ଣମୋହନ ପଟ୍ଟନାୟକ, କୃଷ୍ଣଚନ୍ଦ୍ର କର, କୁଞ୍ଜ ବିହାରୀ ଦାଶ, ଗୋଦାବରୀଶ ମହାପାତ୍ର, ଚକ୍ରଧର ମହାପାତ୍ର, ଚନ୍ଦ୍ରଶେଖର ମିଶ୍ର, ଚନ୍ଦ୍ର ଶେଖର ପାଣି, ଚିନ୍ତାମଣି ଆଚାର୍ଯ୍ୟ, ଜଗନ୍ନାଥ ମହାପାତ୍ର, ପୀତାମ୍ବରୀ ଦେବୀ, ବାସୁଦେବ ମହାପାତ୍ର, ବାଞ୍ଛାନିଧି ମହାନ୍ତି, ବୀର କିଶୋର ଦାସ, ବଂଶୀଧର ସାମନ୍ତରାୟ, ଭଗବାନ ପତି, ଭିକାରୀ ଚରଣ ପଟ୍ଟନାୟକ, ରଘୁନାଥ ପାଣିଗ୍ରାହୀ, ରାମଚନ୍ଦ୍ର ଆଚାର୍ଯ୍ୟ, ସତ୍ୟାନନ୍ଦ ମହାନ୍ତି, ଶ୍ୟାମ ସୁନ୍ଦର ଦାସ, ରାମଚନ୍ଦ୍ର ଦାସ, ମଧୁସୂଦନ ସ୍ୱାଇଁ, ଚିନ୍ତାମଣି ଦେଓ ଭୁବନେଶ୍ଵର ମିଶ୍ର ପ୍ରମୁଖଙ୍କ ଏକ ଲମ୍ବା ତାଲିକା ଏଠାରେ ଉପସ୍ଥାପନର ପ୍ରୟାସ ନଥିଲେ ବି ଏହି ସ୍ରଷ୍ଟାଗଣ ସେମାନଙ୍କର ଶିଶୁ-ସାହତ୍ୟର ସମ୍ଭାରକୁ ଯଥେଷ୍ଟ ସମୃଦ୍ଧ କରିଛନ୍ତି । ଏତଦ୍‌ବ୍ୟତୀତ ଆହୁରି ବହୁ ସ୍ରଷ୍ଟା ସେମାନେ ସେମାନଙ୍କର ଲେଖନୀକୁ ଶିଶୁ ସାହିତ୍ୟ ପାଇଁ ଉତ୍ସର୍ଗ କରି ଦେଇଛନ୍ତି ଯାହାକି ପର୍ଯ୍ୟାୟ କ୍ରମେ ଆଲୋଚନାର ପରିସରକୁ ଆସିଯିବେ । ଉଭୟଗଦ୍ୟ ଓ ପଦ୍ୟ ବିଭାଗକୁ ସେମାନେ ସେମାନଙ୍କର ସ୍ଵସ୍ୱଲେଖନୀ ଚାଳନା କରି ସମଗ୍ର ବିଭାଗଟିକୁ ମହନୀୟ କରି ତୋଳିଛନ୍ତି । ଏଣୁ ଯଥାର୍ଥରେ ଏକ ନବୀନ ବିଭାଗର ଅଭ୍ୟୁଦୟ ଘଟିଲା ।

 

ଶିଶୁ-ସାହିତ୍ୟର ରୂପ ସ୍ଵରୂପକୁ ଅବଲୋକନ କଲେ ଜଣାଯାଏ ଯେ, ଏହା ବହୁରୂପୀ । ଏହାର ଗଦ୍ୟ ସାହିତ୍ୟ ଯେପରି ବହୁ ବର୍ଷର, ପଦ୍ୟ ସାହିତ୍ୟ ମଧ୍ୟ ଗୁଣାତ୍ମକ ଦୃଷ୍ଟିରୁ କିଛି କମ ନୁହେଁ । ଏହାର ପଦ୍ୟ ବା କବିତା ବିଭାଗକୁ କେତୋଟି ବିଭାଗରେ ବିଭକ୍ତ କରାଯାଇପାରେ । ଏଠାରେ ଓଡ଼ିଆ ଶିଶୁକବିତାରେ ‘ଶ୍ରୀଜଗନ୍ନାଥ’ ଶିର୍ଷକ ଆଲୋଚନାରେ ଏହି ଆଲୋଚନାଟିକୁ ସୀମିତ କରିବାର ପ୍ରୟାସ କରାଯାଇଛି । ‘Children and Poetry are natural friends”- Nancy harrick ।

 

ଓଡ଼ିଆ ଶିଶୁ ଗୀତ ବିଭାଗଟି ବୈଚିତ୍ର ପୂର୍ଣ୍ଣ । ଡ:ମନୀନ୍ଦ୍ର ମହାନ୍ତି ଏହି ବିଭାଗକୁ ଟିକିନିଖି ଅନୁଧ୍ୟାନ କରି ଏହାକୁ ପ୍ରାୟ ଚଉଦଟି ବିଭାଗରେ ବିଭକ୍ତ କରିଛନ୍ତି । ଯଥା - ନାନାବାୟା ଗୀତ, ମୌଖିକ ଶିଶୁଗୀତ, କ୍ରୀଡ଼ାଗୀତ, ଗାଥା ଗୀତିକା, ସ୍ତୁତିମୂଳକ ଗୀତ, ପ୍ରକୃତି ବର୍ଣ୍ଣନା, ପରିଚୟାତ୍ମିକ ଗୀତ, ଖାଦ୍ୟଦ୍ରବ୍ୟ ସମ୍ପର୍କୀୟ ଗୀତ, ଭୂଗୋଳଗୀତ, ପାରିବାରିକ ଚରିତ୍ର ଗୀତ, କର୍ମଗୀତ, ଜୀବନୀମୂଳକ ଗୀତ, ଜାତୀୟ ବା ଦେଶାତ୍ମ ବୋଧକ ଗୀତ, ଜୀବଜନ୍ତୁ ପକ୍ଷୀ, କୀଟ ପତଙ୍ଗ ସଂପର୍କୀୟ ଗୀତ । ଏହି ସମସ୍ତ ପ୍ରକାର ଗୀତ ମଧ୍ୟରେ ସ୍ତୁତିଗୀତ ଶିଶୁମାନଙ୍କ ଚରିତ୍ର ଗଠନ ଉପରେ ବହୁ ପ୍ରଭାବ ପକାଇଥାଏ । କାରଣ ଶିଶୁ ସାହିତ୍ୟିକ ଓ କବିଗଣ ସ୍ତୁତି, ଜଣାଣ ପ୍ରାର୍ଥନା, ସ୍ତବ ନୀତିଶିକ୍ଷା ଆଦି ଏହି ବିଭାଗଟିଙ୍କୁ ଅତି ମାତ୍ରାରେ ରସୋତ୍ତିର୍ଣ୍ଣ କରି ତୋଳିଥାନ୍ତି । ଜଗନ୍ନାଥ ଆମର ପ୍ରାଣର ଠାକୁର ହୋଇଥିବାରୁ ତାଙ୍କରି କରୁଣାରେ ଶିଶୁ ଗୀତର ପ୍ରାୟ ସମସ୍ତ ବିଭାଗ ଶୀର୍ଷକୁ ସ୍ପର୍ଶ କରି ପାରିଛି ।

 

ଓଡ଼ିଆ ଶିଶୁଗୀତକୁ ମୁଖ୍ୟତଃ ଦୁଇଟି ପର୍ଯ୍ୟାୟରେ ଆଲୋଚନା କରାଯାଇପାରେ । ଯଥା ମୌଖିକ ଶିଶୁଗୀତ ଓ ଲିଖିତ ଶିଶୁଗୀତ । ମୌଖିକ ଶିଶୁଗୀତ ଜନଶ୍ରୁତି । ଶିଶୁର ଜନନୀ ଅବା ଆତ୍ମୀୟ ସ୍ଵଜନ ଶିଶୁର ମନକୁ ଭୁଲାଇବା ପାଇଁ ଏହା ଗାଇଥାନ୍ତି । ପରିବେଶକୁ ନେଇ ଏହା ଆବୃତ୍ତି ହୋଇଥାଏ । ଏହି ମୌଖିକ ଶିଶୁ କବିତା ବହୁ ପ୍ରକାର, ବହୁ ଛନ୍ଦ ବିଶିଷ୍ଟ ତଥା ଭାବର ମଧ୍ୟ । ଏହି ମୌଖିକ ଶିଶୁଗୀତରେ ଶ୍ରୀ ଜଗନ୍ନାଥଙ୍କୁ ନେଇ ବହୁଗୀତ ଶୁଣାଯାଏ । ପଶ୍ଚିମ ଓଡ଼ିଶାର ପ୍ରଚଳିତ କେତୋଟି ଗୀତରେ ଜଗନ୍ନାଥ, ବଳରାମ ଓ ସୁଭଦ୍ରାଙ୍କୁ ସମ୍ବୋଧନ କରି ଗୀତ ମଧ୍ୟ ଦେଖିବାକୁ ମିଳେ ଯାହାକି ସଂପୂର୍ଣ୍ଣ ଶିଶୁଗୀତ କୁହାଯାଇ ନପାରେ ।

 

ଯଥା-

(କ)

‘କାନୁ ବଳରାମରେ ବଲି ଦୁଇ ଭାଇ । ଏକ ଫାଲେ ଲଙ୍ଗଳରେ ଏକ ଫାଳେ (ଆଉ) ଡୁଲି ପଶି ଲୁଲା ମୋର ଖେଲାଏ । ସୁଭଦ୍ରା ଚାନ୍ଦ ମୁହିଁରେ........... ।

 

ଅଥବା

 

(ଖ)

କାନୁ ବଳରାମରେ ଫାଳିରେ ନଙ୍ଗଲା ପଲିହା ପକାବେଲେ କାଏଁ ଗୋଗୋରୁ ଫୁଟେ ଝାଲ (ଆର) ବାସିଧରି ଯାଏରେ ଭାରିଯା କମଲା, କଁଷି ମରିଚଟା ଲାଲାରେ..... ।

 

ଅଥବା

 

(ଗ)

ଆରେ ବେଲଇ ବୁଡ଼ିଲା ଅନ୍ଧାର ଦୁଇ ଘଡ଼ି । ମାଣିକର ବତି ଜଳଇ ଧାଡ଼ି ଧାଡ଼ି । ବଡ଼ଦାଣ୍ଡେ ଜଗାରେ ବଳିଆ ରହିଲେ ।

 

କିନ୍ତୁ ମୌଖିକ ଶିଶୁଗୀତରେ ମୌଳିକତା ନହରେଇ ସେ ତାର ନିଜର ଧର୍ମ ରକ୍ଷା କରିବାରେ ସକ୍ଷମ ହୋଇଛି ଯଥା-

 

(କ)

ଘଣ୍ଟ ଘାଗୁଡ଼ି ବଜେଇ ବଜେଇ

କିଏ ପୁରସ୍ତମ ଯାଉଛି,

ନଈରେ ଯାଉଛି କାଳିଆ ଘୋଡ଼ା

ପାଣି ଚକ ଚକ ହେଉଛି ।

(ଖ)

ଆଦ୍ୟ ଅବତାରେ ମୁଣ୍ଡରେ ଟୋପି

କୃଷ୍ଣଅବତାରେ ମୋହିଲେ ଗୋପୀ

ରାମ ଅବତାରେ ରାବଣ ମାରି

ଆଜି ହୋଇଯାଇଅଛି-

ସେହି ତରକାରୀ (ଉତ୍ତର-ଜହ୍ନି) ।

(ଲୋକବାଣୀ ସଞ୍ଚୟନ- ୧ମ ଭାଗ)

(ଗ)

ହଳଦୀ ଗଛର ଛାଇ ଗୋ

ଫୁଲ ବଉଳ ବେଣୀ ।

ହଳଦିଆ ପାଟ କାନ୍ଧରେ ପକାଇ

ବୁଲୁଛନ୍ତି ବେନି ଭାଇ

ଫୁଲ ବଉଳ ବେଣୀ ।

 

ଓଡ଼ିଆ ମୌଖିକ ଶିଶୁ ଗୀତରେ ଏପରି ବହୁ ମୂଲ୍ୟ ଉପାଦାନ ଶ୍ରୀ ଜଗନ୍ନାଥଙ୍କୁ ଆଧାର କରି ଦେଖିବାକୁ ମିଳେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହି ଯେ, ମିଶନେରୀମାନଙ୍କର ସର୍ବାଧିକ ଘୃଣାର କେନ୍ଦ୍ର ବିନ୍ଦୁଥିଲେ ପୁରୀର ଶ୍ରୀ ଜଗନ୍ନାଥ । ସେମାନଙ୍କର ମତରେ ସେ ଥିଲେ କୁତ୍ସିତ, ଅସୁନ୍ଦର, ଓ ଅକର୍ମଣ୍ୟ । ତାଙ୍କର ମନ୍ଦିର ହେଉଛି ସମସ୍ତ ପ୍ରକାର ପାପାଚାରର ଏକ ପ୍ରତି ରୂପ ତଥା ସଇତାନର ଆବାସ ସ୍ଥଳ ଏବଂ ପ୍ରତ୍ୟେହ ଏଠାରେ ନଅହଜାର ବ୍ରାହ୍ମଣ ପ୍ରସାଦ ଅର୍ପଣ କରନ୍ତି । ୧୮୬୭ ମସିହାରେ ମୁକୁନ୍ଦ ଦାସଙ୍କ ନାମରେ ‘ଶ୍ରୀ ଜଗନ୍ନାଥ ପରୀକ୍ଷା’ ନାମରେ ଗୋଟିଏ ପୁସ୍ତକ ସର୍ବପ୍ରଥମ ଶ୍ରୀ ଜଗନ୍ନାଥଙ୍କୁ ତାତ୍ସଲ୍ୟ କରି ପ୍ରକାଶ ପାଇଥିବାର ଜଣାଯାଏ । ଯଥା-

 

‘‘କ୍ଷେତ୍ରର ଜଗନ୍ନାଥ ମୂର୍ତ୍ତି

ଅସୁନ୍ଦର ଅଟେ ନିହାତି

।।

ଯାରୂପ ଏପରି କୁତ୍ସିତ

ସେ କି ହୋଇବ ଜଗନ୍ନାଥ

।।

ପୁଣି ଅଟଇ ଅତି ଗୁରୁ

ଟେକି ନପାରେ ଜଣେ ତଳୁ

।।

ସହସ୍ର ବରଷେ ପଥର

ଜଳରେ ନୁହଇ କୋମଳ

।।

କାଠ ଯେ କାଠ ସବୁକାଳେ

କୌଣସି ରୂପ ନବଦଳେ

ଜଗନ୍ନାଥଙ୍କୁ ମାନ୍ୟ କଲେ

ସୁନାରୂପାଦିରେ ମଣ୍ଡିଲେ

।।

ଯେତେହିଁ ମଣ୍ଡିଲେ ପ୍ରମାଣ

ନିମ କାଠରୁ ନୁହେଁ ଆନ

।।

ଯେତେହିଁ ମଣ୍ଡିଲେ ଲେପିଲେ

କାଠର ଗୁଣ ନବଦଳେ

।।

ଜଗା କାଠର ଏହିଗୁଣ

ଜଗନ୍ନାଥଙ୍କ କଥା ଶୁଣ

(ଶ୍ରୀ ଜଗନ୍ନାଥ ପରୀକ୍ଷା)

 

ଏହା ୧୯୨୪ ମସିହାରେ ଓଡ଼ିଶା ମିଶନ୍‌ ପ୍ରେସରେ ୨୩ ସଂସ୍କରଣରେ ପୃଷ୍ଠା-୪ରେ ସ୍ଥାନିତ ହୋଇଛି । ସେଥିରେ ଆହୁରି ମଧ୍ୟ ଅଛି ଯେ ‘‘ଆମ ଖ୍ରୀଷ୍ଟିୟାନ ଧର୍ମ ହେଉଛି ମହାନ ପବିତ୍ର ଓ ଫଳ ଦାୟକ । ଭାରତୀୟ ଧର୍ମ ବ୍ୟବସ୍ଥା ହେଉଛି ନୀଚ୍ଚ, ଭ୍ରଷ୍ଟ ଏବଂ ନିଷ୍ଠୁର । ଧର୍ମବାଦୀ ଉଗ୍ର ଖ୍ରୀଷ୍ଟିୟାନଗଣ ନିଜ ଧର୍ମ ସଂପର୍କରେ ଏହିଭଳି ଘୃଣ୍ୟ ମନୋଭାବ ପୋଷଣ କରିଥିଲେ ।

 

ଲିଖିତ ଓଡ଼ିଆ ଶିଶୁଗୀତ

ଲିଖିତ ଓଡ଼ିଆ ଶିଶୁ ଗୀତକୁ ଅନୁଧ୍ୟାନ କଲେ ମୌଖିକ ଶିଶୁଗୀତର ଛାପ ଏହାଉପରେ ନିଶ୍ଚୟ ପ୍ରତିଫଳିତ ହୋଇଥାଏ । ଏଣୁ ମୌଖିକ ଶିଶୁଗୀତ ଓଡ଼ିଆ ଶିଶୁ ଗୀତରେ ଏକ ସ୍ଵତନ୍ତ୍ର ଆସନ ଅଳଙ୍କୃତ କରିଥିଲେ ବି ଲିଖିତ ଶିଶୁଗୀତ ଓ କବିତାର କ୍ରମବିକାଶ ଫଳରେ ଏହାର ମାନ ସମଗ୍ର ଓଡ଼ିଆ କବିତା ମଧ୍ୟରେ ଶିଶୁ କବିତାର ସ୍ଥାନ ଯଥେଷ୍ଟ ଊର୍ଦ୍ଧ୍ୱରେ । ଏହି ଲିଖିତ ଶିଶୁ ଗୀତର ଶୁଭ ଶଙ୍ଖ ଗୋପାଳ ପ୍ରହରାଜଙ୍କ ଠାରୁ ନିନାଦିତ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ, ଯେଉଁଥିରେ କି ଶ୍ରୀ ଜଗନ୍ନାଥ ଚିନ୍ତା ଓ ଚିନ୍ତନର ଏକ ସ୍ଵରୂପ ଦେଖିବାକୁ ମିଳେ ।

 

ଗୋପାଳଚନ୍ଦ୍ର ପ୍ରହରାଜ.(୧୮୭୪-୧୯୪୫)

ତାଙ୍କର ରଚିତ ‘ବାଳବୋଧରେ’ ସନ୍ନିବେଶିତ ହୋଇଥିବା ଝୁଲ ହାତୀ ଝୁଲ’ କବିତାଟିରେ ଜଗନ୍ନାଥଙ୍କର ଚିନ୍ତା ଓ ଚିନ୍ତନ ମା’ର ସନ୍ତାନଠାରେ ‘କହ୍ନେଇ’ ରୂପରେ ପ୍ରତିଫଳିତ ହୋଇଛି । ରାଜାଙ୍କ ବଗିଚାରେ ହାତୀଟିଏ ଯେପରି ଝୁଲିଝୁଲି କିଆକନ୍ଦା ଖାଇଥାଏ, ସେହିପରି ମାଆର କୋଳରେ ତାର ପ୍ରିୟ ସନ୍ତାନଟି ‘କହ୍ନେଇ’ ରୂପରେ ଝୁଲି ଝୁଲି ଦୁଧ କଳେ ଖାଇଥାଏ । ଯଥା –

 

ହାତୀ ଝୁଲୁଥାଇ            ରାଜା ବଗିଚାରେ

କିଆ କନ୍ଦା ଖାଇବାକୁ ।

କହ୍ନେଇ ଝୁଲଇ            ମୋହରି କୋଳରେ

ଦୁଧ କଳେ ଖାଇବାକୁ ।

ନନ୍ଦ କିଶୋର ବଳ (୧୮୭୫-୧୯୨୮)

 

ନନ୍ଦକିଶୋର ବଳଙ୍କର ନାନା ବାୟା ଗୀତ ପ୍ରଥମ ଭାଗ ଓ ଦ୍ୱିତୀୟ ଭାଗ ୧୯୧୫ ମସିହାରେ ପ୍ରକାଶ ପାଇଥିଲା । ପଲ୍ଲୀ ପ୍ରାଣତା ଏହି ନାନାବାୟା ଗୀତର ମୁଖ୍ୟ ଆକର୍ଷଣ ଥିଲେ ବି ସେଥରେ ଶ୍ରୀ ଜଗନ୍ନାଥଙ୍କର କୃଷ୍ଣ ଲୀଳାର ବର୍ଣ୍ଣନା କରିଛନ୍ତି । ଯଥା –

 

‘‘ମାଣ୍ଡିଆ ବାରିରେ            ଶଲରାବାଡ଼ି ଗୋ

ଟୋକେଇ କୁଣ୍ଢେଇ ଫୁଲ ।

ଟୋପଳିଧରିଣ            କୃଷ୍ଣ ତୋଳି ବେଗେ

କିଏ ଦେବତାର ମୂଲ ।।

ବାଡ଼ି ଚାରି ପାଖେ            କଣ୍ଟେଇ କୋଳି ଗୋ

କୃଷ୍ଣ ତୋଳି ଯିବେ କୋଳି ।

କୋଳି ଖାଉ ଖାଉ            ଶିଆରୀ ଲଟାରେ

କୃଷ୍ଣ ଖେଳୁଥିବେ ଦୋଳି ।।

ଗୋପବନ୍ଧୁ ଦାସ (୧୮୭୭-୧୯୨୮)

 

ପୂଣ୍ୟ ଶ୍ଳୋକ ଗୋପବନ୍ଧୁ ଦାସଙ୍କ ଶିଶୁ ସାହିତ୍ୟ ପ୍ରତି ତାଙ୍କର ଲେଖନୀ ଚଳଚଞ୍ଚଳ ନଥିଲେ ବି ତାଙ୍କ ରଚିତ ଧର୍ମପଦରେ ଶିଶୁ ସାହିତ୍ୟର ଚିହ୍ନ ସ୍ପଷ୍ଟ ବାରିହୁଏ । ଯଥା –

 

‘‘ଇନ୍ଦ୍ରଦ୍ୟୁମ୍ନ ରାଜା            ତୋଳାଇଲେ ଯେବେ

ଶ୍ରୀକ୍ଷେତ୍ରେ ବଡ଼ ଦେଉଳ ।

ହକାରିଣ ନାନା            ଦେଶୁ କାରିଗର

କରାଇଲେ ଆଗେ ଠୁଳ ।।

xxx       xxx       xxx

ମରିଯାଏ ଆହା            ମୋଧନ ମାଳିରେ

କେଡ଼େ ବୁଦ୍ଧି କି ସାହାସ ?

ଜଗନ୍ନାଥ କୃପା            କଲେତୁ ରଖିବୁ

କୁଳ ଗଉରବ ଯଶ ।।

 

ନୀଳକଣ୍ଠ ଦାସ :- (୧୮୮୪-୧୯୬୭)

ଦେଖିବାକୁ ଗଲେ ଓଡ଼ିଆ- ଶିଶୁ- ସାହିତ୍ୟର ଅଭ୍ୟୁଦୟ ଓ ପ୍ରତିଷ୍ଠା ପ୍ରାୟ ନୀଳକଣ୍ଠଙ୍କ ଠାରୁ ଆରମ୍ଭ ହୋଇଛି । ତାଙ୍କର ରଚିତ ପିଲାଙ୍କ ରାମାୟଣ (୧୯୨୧), ପିଲାଙ୍କ ଭାଗବତ ଓ ପିଲାଙ୍କ ମହାଭାରତ (୧୯୨୩) ଏବଂ ପିଲାଙ୍କ ଗୀତ ଶୀର୍ଷକରେ ତାଙ୍କର ଗ୍ରନ୍ଥାବଳୀର (୧ମଭାଗ) ରେ ୨୨ଟି ଗୀତ ସ୍ଥାନିତ ହୋଇଛି । ତାଙ୍କ ରଚିତ ମୋ ରାଜା କବିତାଟି ଏକ ପରିବେଶ ସଂପର୍କିତ କବିତା, ଏହି କବିତାରେ ରଥଯାତ୍ରା ପାଇଁ ଦୁଲିଆକୁ ଢୋଲ ବଜାଇବା ପାଇଁ କୁହାଯାଇଛି । ଯଥା –

 

‘‘ଦୋଳ ଯାଇଥିଲା                  ରଥ ଯାତ ଗଲା

ରାଇଜେ ନଥିଲେ ରାଜା ।

ରାଇଜ ଯାକ ମୋ                  କେଡ଼େ ଅସୁନ୍ଦର

ଦୁଃଖରେ ଥିଲେ ପରଜା । ।

ଆସିବେ ଏଥର ରାଜା ।

ବଜାରେ ଢୋଲିଆ                  ମନ ଆନନ୍ଦେ ତୁ

ତେଲିଙ୍ଗି ବାଇଦ ବାଜା । ।

 

ଲକ୍ଷ୍ମୀକାନ୍ତ ମହାପାତ୍ର - (୧୮୮୮-୧୯୫୩)

ଶିଶୁ ରଚନାର ଲକ୍ଷଣ ଯେତେବେଳେ କ୍ରମେ ନିର୍ଦ୍ଧିଷ୍ଟ ହୋଇଆସୁଥିଲା, ସେତେବେଳେ ଓଡ଼ିଆ ସାହିତ୍ୟିକଙ୍କ ମହଲରେ ଏକ ଆଲୋଡ଼ନ ସୃଷ୍ଟି ହୋଇଥିଲା । ତାଙ୍କ ପ୍ରକାଶିତ ଶିଶୁ ପୁସ୍ତକ ଯଥା ପିଲାଙ୍କ କଥା (୧୯୩୦) ଜୀବ ଜନ୍ତୁ ଓ ଚିଡ଼ିଆଖାନା, ‘କୁମାରୀ’, ‘ସୁନାପୁଅ’, ‘ଧର୍ମ ସଙ୍ଗୀତ’, ‘ବାଳଖି ବୋଲି’, ଶିଶୁ-ସାହିତ୍ୟରେ ଯଥେଷ୍ଟ ଚହଳ ପକାଇଥିଲା । ଏଠାରେ ତାଙ୍କ ରଚିତ କବିତା ‘‘ଶ୍ରୀକ୍ଷେତ୍ର’’ ରେ ଶ୍ରୀ ଜଗନ୍ନାଥ ଚିନ୍ତା ଓ ଚିନ୍ତନ ଖୁବ୍‌ସ୍ପଷ୍ଟ । ଯଥା –

 

ସହସ୍ର ସହସ୍ର ତୀର୍ଥ-ଯାତ୍ରୀ ଗଣ

ଜୟ ଜଗନ୍ନାଥ କରି ଉଚ୍ଚାରଣ

ଶତବାଧା ବିଘ୍ନ କରି ଅବହେଳା

ଜଗନ୍ନାଥ ସ୍ଵାମୀ ନାମେ ବାନ୍ଧିଭେଳା

ଭୁଲି କ୍ଷୁଧା-ଜ୍ଵାଳା ଭୁଲିଣ ପିପାସା

ଭୁଲି ପଥଶ୍ରମ ଧରିଏକ ଆଶା

ଜୟ ଜଗନ୍ନାଥ ଗୀତ ଗାଇ ଗାଇ

ତୋହରି ଆଡ଼କୁ ଯାଉଛନ୍ତି ଧାଇଁ

 

ଚିନ୍ତାମଣି ମହାନ୍ତି - (୧୮୭୬-୧୯୪୩)

କବି ଚିନ୍ତାମଣି ମହାନ୍ତି ବ୍ରହ୍ମପୁରସ୍ଥ ରଙ୍ଗ ଭଟ୍ଟଲ ଗୁନ୍ନାୟା-ଶାସ୍ତ୍ରୀଙ୍କ ତତ୍ତ୍ଵାବଧାନରେ ‘ସ୍ଵଦେଶ ଲକ୍ଷ୍ମୀ’ ନାମକ ଏକ କୃଷି, ଶିଳ୍ପ ଭିତ୍ତିକ ପତ୍ରିକାର ସମ୍ପାଦନା କଲାବେଳେ ‘ନୀତିକୁସୁମ’, ଗୀତଟି ରଚନା କରିଥିଲେ । ସେ ଜଣେ ପ୍ରତିଷ୍ଠିତ କାବ୍ୟକାର ଭାବରେ ପରିଚିତ ଥିଲେ । ତେଣୁ ତାଙ୍କ ଲେଖନୀରୁ ଶିଶୁ-ସାହିତ୍ୟ ଖୁବ୍‌ କମ୍‌ ବାହାରିଛି । ତଥାପି ତାଙ୍କ ରଚିତ ଶିଶୁ-କବିତା କିଛି କମ୍‌ନଥିଲା ଏବଂ ସେଥିରେ ଶ୍ରୀଜଗନ୍ନାଥ ଚିନ୍ତା ଓ ଚିନ୍ତନ କିଛି ପରିମାଣରେ ପରିଲକ୍ଷିତ ହୁଏ । ତାଙ୍କ ରଚିତ ‘ତୁଳସୀ ମାଳା’ ଗୀତିଗୁଛରେ ଭଜନ, ଜଣାଣ, ମାଗୁଣି, ଗୁହାରୀ, ପ୍ରାର୍ଥନା ଆଦି ଶିଶୁ ଉପଯୋଗୀ ଗୀତ ଭାବେ ପରିଚିତ । ଯଥା-

 

ଜୁହାରି ପୟରେ            ଗୁହାରି କରୁଛି

ଘେନା ହେଉ ମୋ ଆରତି ।

ନୀଳଗିରି-ଦରି            ବିହାରୀ ହେ ହରି

ଜଗନ୍ନାଥ ବିଶ୍ଵପତି । ।

 

ମନମୋହନ ପଟ୍ଟନାୟକ-( ୧୮୯୦-୧୯୬୭)

କବିଙ୍କର ବହୁ କବିତା, ପ୍ରବନ୍ଧ, ‘ମୁକୁର’, ‘ଉତ୍କଳ ସାହିତ୍ୟ’, ସହକାର ପ୍ରଭୃତିରେ ପ୍ରକାଶିତ । ସେ ମଧ୍ୟ କେତେକ ଶିଶୁ-କବିତାର ସ୍ରଷ୍ଟା । ‘ଚକା ଚକା ଭଉଁରୀ’ କବିତାରେ କବି ତାଙ୍କର ନିଜର ଚିନ୍ତା ଓ ଚିନ୍ତନରେ ମା ଟିଏ ତାର ପ୍ରିୟ ସନ୍ତାନକୁ ଜଗନ୍ନାଥଙ୍କ କାହ୍ନୁ ଭାବେ ସମ୍ବୋଧନ କରିଛି । ଯଥା-

 

‘‘ଫଗୁ ଖେଳେ ମନ ନାହିଁ, କାହ୍ନୁ ମୋର ଅଝଟ

ଆ, ଆ ଜହ୍ନମାମୁଁ, ଦେଇଯା ତା’ ପାଟ’’ ।।

 

ଏହି ଚକା ଚକା ଭଉଁରୀ କବିତାଟି ୧୩୩୯ ସାଲ ଫାଲଗୁନ ସଂଖ୍ୟା ‘ଜହ୍ନମାମୁଁ’ ରେ ପ୍ରକାଶିତ ।

 

କାଳୀଚରଣ ପଟ୍ଟନାୟକ - (୧୮୯୭-୧୯୭୮)

କବି କାଳୀଚରଣ ପଟ୍ଟନାୟକ ସଙ୍ଗୀତଜ୍ଞ, ସୁରସାଧକ, ତଥା ନାଟ୍ୟକାର ଥିଲେ । ତଥାପି ତାଙ୍କର ଶିଶୁ-ସାହିତ୍ୟରେ କବିତା ରଚନା କିଛି କମ ନଥିଲା । ତାଙ୍କ ରଚିତ କଳାହାଣ୍ଡିଆ ମେଘ (୧୯୧୭) ବାଇଧନଟି (୧୯୨୧) କଳାହାଣ୍ଡିଆ ମେଘ (୧୯୧୭), ଫୁଲବଉଳବେଣୀ (୧୯୨୧), ଶିଶୁ ଖେଳଗୀତ (୧୯୪୧)ରେ ପ୍ରକାଶିତ ହୋଇଥିଲା ।। ୨୫ ।। ତାଙ୍କ ରଚିତ ଚଉବାହା ତୋର ସାହା’ କବିତାଟିରେ କବି ତାଙ୍କର ନିଜସ୍ଵ ଚିନ୍ତା ଓ ଚିନ୍ତନରେ ଶ୍ରୀ ଜଗନ୍ନାଥଙ୍କୁ ଚଉବାହା ଭାବେ ଗ୍ରହଣ କରି ଶିଶୁଟିକୁ ଖଟି ଖାଇବାକୁ ପ୍ରେରଣା ଦେଇଛନ୍ତି । ଯଥା-

 

ଖଟି ଖାଇବାକୁ                  ଡରିଯିବୁ ନାହିଁ

ଥାଉ ଥାଉ ଚଉ ବାହା ।

ଖାତିର ନକରି                  ସତ କହିବୁରେ

ଚଉବାହା ତୋର ସାହା ।।

 

ଚନ୍ଦ୍ରଶେଖର ମିଶ୍ର - (୧୯୦୦)

ଚନ୍ଦ୍ରଶେଖର ମିଶ୍ର ଦୁଇଜଣ ଅଛନ୍ତି । ଶିଶୁ ଶୟନ ସଙ୍ଗୀତ ଶୀର୍ଷକରେ କବି ଶ୍ରୀ ଜଗନ୍ନାଥଙ୍କୁ ଜଗତ ଠାକୁର ଭାବରେ ମନରେ ଚିନ୍ତାକରି ସନ୍ତାନଟିକୁ ଶୟନରେ ସାନ୍ତ୍ଵନା ଦେଇଛନ୍ତି-। ଯଥା-

 

ଶୋଇପଡ଼ ବାୟା ମଣିରେ

ରାତି ଆସୁଛି ଧାଇଁ ।

ଜଗତ ଠାକୁର ରଖିବେ

ତୋତେ ଘଣ୍ଟଘୋଡ଼ାଇ ॥

 

ଉପେନ୍ଦ୍ର ତ୍ରିପାଠୀ - (୧୯୦୩-୧୯୦୪)

ଶିଶୁର ଦୈନନ୍ଦିନ ଜୀବନ ଅଥବା ସାମାଜିକ ଓ ପାରିବାରିକ ଜୀବନ ମଧ୍ୟରେ ଯେଉଁ ବସ୍ତୁ ବ୍ୟକ୍ତି କିମ୍ବା ଘଟଣା ସଂସ୍ପର୍ଶରେ ଶିଶୁମାନେ ଆସିଥାନ୍ତି ତାହାକୁ ପୃଷ୍ଠଭୂମି କରି କବି ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ଶିଶୁଗୀତ ଗୁଡ଼ିକ ରଚନା କରିଛନ୍ତି । ତେଣୁ ଶିଶୁମାନଙ୍କ ଗହଣରେ ସେ ବେଶ ପରିଚିତ । ସତ୍ୟକୁ ଜୀବନର ସାଥିକରି ଓ ସତ୍ୟପଥରେ ଯାତ୍ରୀ ହେବାର କାମନା ପତିତପାବନ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କଠାରେ ମାଗୁଣି କରୁଛି । ଯଥା-

 

ହେ ପ୍ରଭୁ ପତିତ ପାବନ

ସତ୍ୟମୋ ରହୁ ବାକ୍ୟମନ

ହେ ପ୍ରଭୁ ପରମ ସୁନ୍ଦର

ସତ୍ୟ ମୋହର ହୃଦହାର

ହେ ପ୍ରଭୁ କମଳା ରମଣ

ସତ୍ୟ ମୋହର ଗଣ୍ଠିଧନ

ହେ ପ୍ରଭୁ ଦୁଃଖୀ ଦୁଃଖହର

ସତ୍ୟରେ ରହୁ ମୋ ଅନ୍ତର

ହେ ପ୍ରଭୁ ଅଗତିର ଗତି

ସତ୍ୟ ମୋହର ଚିର ସାଥ୍ର

ହେ ପ୍ରଭୁ ଅନାଥର ନାଥ

ମୋ ପଥ ହେ ସତ୍ୟ ପଥ

 

ରାମକୃଷ୍ଣ ନନ୍ଦ (୧୯୦୬-୧୯୯୪)

ଏକ ସାମଗ୍ରିକ ଦୃଷ୍ଟି କୋଣରୁ ବିଚାର କଲେ ଓଡ଼ିଆ ଶିଶୁ- ସାହିତ୍ୟକୁ ତାଙ୍କର ଦାନ ଅବିସ୍ମରଣୀୟ । ତାଙ୍କର ଶିଶୁ ପ୍ରାର୍ଥନା ଓଡ଼ିଶାର ପୁରପଲ୍ଲୀକୁ ସ୍ପର୍ଶ କରିପାରିଛି । ତାର ଉଦାହରଣ- ଆହେ ଦୟାମୟ ବିଶ୍ଵବିହାରୀ । ଘେନ ଦୟା ବହି ମୋର ଗୁହାରୀ । ରାମକୃଷ୍ଣ ନନ୍ଦଙ୍କର ଏକ ଶିଶୁଗୀତ ସଙ୍କଳନକୁ ୧୯୮୪ ମସିହାରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଭୁବନେଶ୍ଵର ପ୍ରକାଶ କରିଥିଲେ । କବି ନନ୍ଦ ତାଙ୍କର ଶିଶୁ- ସଙ୍ଗୀତକୁ ସାତପ୍ରକାରର ବିଭିନ୍ନ ବର୍ଗୀକରଣରେ ବିଭକ୍ତ କରିଛନ୍ତି । ଯଥା- (୧) ଗେଲ କରିବା, ଝୁଲାଇବା, ନଚାଇବା ଗୀତ, (୨) କାନ୍ଦୁଥିଲେ ବୁଝାଇବା ଗୀତ, (୩) ଖୁଆଇବା ଗୀତ, (୪) ଶୁଆଇବା ଗୀତ, (୫) ଖେଳ କୌତୁକ ଗୀତ (୬) ଶିକ୍ଷାଗୀତ ଓ କଥାଣୀ, ଏବଂ (୭) ବିବିଧଗୀତ । ଏଗୁଡ଼ିକ ନାନାବାୟା ଗୀତ ପର୍ଯ୍ୟାୟଭୁକ୍ତ ।

 

(୧) ଗେଲ କରିବା ଝୁଲାଇବା ଓ ନଚାଇବା ଗୀତର କେତୋଟି ଉଦହାରଣ ଦିଆଯାଇପାରେ ।

 

(କ)

ହାତୀଟି କାଳିଆ            ଅସଲ ମେଳିଆ

ନଜାଣଇ ଖାଲ ଖମା ।

ଗୋପ ପୁରେ ଥାଇ            ଦୁଧ ସରଖାଇ

ହେଉଛି ଧୂସର ଧୁମା ।

ମୋ ହାତୀ ଝୁଲରେ            ବାଆ ପାଣି ଖାଇ ଫୁଲରେ ।

 

(ଖ)

ମୋ କୃଷ୍ଣ ନାଚୁଥିବେ      ଢଳି ଢଳି

ଅଣ୍ଟାରେ ଘାଗୁଡ଼ି            ମାଳିକି ମାଳି ।

କୃଷ୍ଣ ନାଚୁଥିବେ            ବାରିଆଡ଼େ

ଅଣ୍ଟା ଲାଗିଗଲା            ଚାରିଆଡ଼େ ।

 

(ଗ)

ତୁମୋ କଳା କାଇଁଚ

ସରଲବଣୀ ମାଗୁତୁ ଲାଞ୍ଚ

ଯଶୋଦା ଉଭା ଦୁଆରେ ଲୋ ସଜନୀ

ଯଶୋଦା ଉଭା ଦୁଆରେ,

ମୋ କୃଷ୍ଣ ଆସନ୍ତି ଗୋରୁ ପଛରେ ସେ

ଚାଲୁଥାନ୍ତି ଧୀରେ ଧୀରେ ।

 

(ଘ)

ହାତୀ ଝୁଲୁଛିରେ      ଦିଶୁଛି କେଡ଼େ ସୁନ୍ଦର

ଅପରୂପ ହାତୀ            କାହୁଁସେ ଆଇଲା

କି ଅବା ନୀଳମନ୍ଦର ।

କେବୋଲେ ଏ ହାତୀ      ରାଈ ରାଜାଙ୍କର

ଆସିଛି ଗୋପନଗର ।

ଏହି ନୀଳ ହାତୀ            ବଡ଼ ଦୁରୁଦଣ୍ଡ

ଭାଙ୍ଗି ଦେବ ଘର ଦ୍ଵାର ।

 

(୨) କାନ୍ଦୁଥିଲେ ବୁଝାଇବା ଗୀତ:

କାନ୍ଦନା କାନ୍ଦନା କଳା ମାଣିକରେ

କାନ୍ଦନାରେ ପଦ୍ମମୁଖ,

କାନକଟା କାନ କାଟେ ସବୁ ପିଲାଙ୍କର

କାନ୍ଦନା କାନ୍ଦନା କଳା ମାଣିକ ମୋର ।

 

(୩) ଖୁଆଇବା ଗୀତ :

ନଡ଼ିଆର ଖଣ୍ଡି            ମାରିଲେ ଖୁଣ୍ଡି

ଲବଣୀ ଦୁଧ ସର ।

ନାମ ନ ଆସଇ            କି ବୋଲି ଡାକିବି

ଆସ ମୋ ସାରଙ୍ଗଧର ।

 

(୪) ଖେଳ କୌତୁକ ଗୀତ:

 

(କ)

ଏକ ତାରା,      ମଣିଷ ମରା ।

ଦୁଇ ତାରା,      କତରା ଘୋଡ଼ା

ତିନି ତାରା,      ନାହିଁ ଦୋଷ,

ଚାରିତାରା,      ଘରେ ପଶ

ପାଞ୍ଚ ତାରା,      ନନ୍ଦିଘୋଷ

ଛଅ ତାରା,      ବୈକୁଣ୍ଠେ ବସ ।।

ସନ୍ଧ୍ୟାବେଳେ ତାରାଗଣି ଖେଳୁଥିବା ଗୀତ ।

(ଖ)

ଇକନ ମକନ      ଚାଇଁକି ଚିକନ

ପବନ ଘଣ୍ଟା      ନାରବା ଲଟା ।

ଲେ ମୋର ।

କହ୍ନାଇ ବାଡ଼ିରେ ଦନାଇ ଚୋର ।

 

(୫) ଶିକ୍ଷାଗୀତ ଓ କଥାଣୀ-

ବର୍ଣ୍ଣଶିକ୍ଷା ଚଉତିଶା ଶ୍ୟାମସୁନ୍ଦର ରାଜଗୁରୁ ପ୍ରବନ୍ଧାବଳୀ ‘କ’ ଠାରୁ ‘କ୍ଷ’ ଯାଏ ସବୁ ଅକ୍ଷରକୁ ନେଇ ପ୍ରାୟ ଜଗନ୍ନାଥଙ୍କ ନାମରେ ଥିବା ଶବ୍ଦରେ ଶୋଭିତ ହୋଇଥିବାର ଦେଖାଯାଏ ।

 

ଯଥା :-      

      ‘କ’            କାଳନ୍ଦୀତୀରେ

      ‘ଖ’            ଖେଳନ୍ତିଧୀରେ

      ‘ବ’            ବଂଶୀଧାରିଆ

      ‘ଶ’            ଶ୍ୟାମଘନିଆ

      ‘ସ’            ସାରଙ୍ଗ ପାଣି

କ୍ଷ      ‘କ୍ଷ’            କ୍ଷମା କାରିଆ

 

(୬) ବିବିଧ :

(କ)

ଚନ୍ଦନ କାଠୁଆ ଚାଳରେ ଖୋସିଲି

ଚାଳେ ଚାଳେ ମହକିଲା,

ବଡ଼ ଦେଉଳରେ ମୁଣ୍ଡ ମାରିଲି ମୁଁ

ବାବୁ ଆସି ପହଞ୍ଚିଲା ।

(ଖ)

ବାଇ ଚଢ଼େଇରେ ବାଇ ଚଢ଼େଇ

ଆଗ ଡାଳେକରୁ ବସା

ସଖା ନାହିଁକି ସୋଦର ନାହିଁ,

ଏକା ଗୋବିନ୍ଦ ଭରସା ।

(ଗ)

କିଆବନେ ବନେ ଲୋ,

କେତକୀ ବନେ ବନେ ।

କହ୍ନେଇ ହାତରେ ନାଲିବଇଁଶୀ

ବାଜେ ଘନେ ଘନେ ।

 

ରଘୁନାଥ ମହାନ୍ତି -(୧୯୨୧-)

ରଘୁନାଥ ମହାନ୍ତିଙ୍କର ‘ମଧୁପ ଗୁଞ୍ଜନ’ ଓ ଗାଁ ମାଇପିଙ୍କ ଗୀତ ଦୁଇଟି ପ୍ରକାଶିତ । ଗାଁ ମାଇପିଙ୍କ ଗୀତଟି ଶିଶୁଗୀତ ପର୍ଯ୍ୟାୟଭୁକ୍ତ ଅଟେ । ଏଥିରେ ସନ୍ନିବେଶିତ ଥିବା ‘ପୁଅ ଖେଳାଇବା ଗୀତ’ ଶୀର୍ଷକ ଜଗନ୍ନାଥଙ୍କୁ ଲକ୍ଷରଖି ମାଆଟି ତାର ପୁଅକୁ କହେ –

 

ତୋ ରୂପ ମାଧୁରୀ ତୋ ରୂପ ଚାତୁରୀ

ଲାଗେ କଉତୁକ ପରା

ଡାକିଲେ ପାଖକୁ ପଳାଉ ଦୂରକୁ

ନପଡ଼ୁ ହାତରେ ଧରା ।

 

ନଦୀୟା ବିହାରୀ ମହାନ୍ତି - (୧୯୩୧-)

ଆଧୁନିକ ଓଡ଼ିଆ ଶିଶୁ-ସାହିତ୍ୟରେ ନଦୀୟା ବିହାରୀ ମହାନ୍ତି (ବଡ଼ଭାଇ) ଏକ ସୁପରିଚିତ ନାମ । ଆକାଶ ବାଣୀ ଭଳି ଏକ ଗଣ ମାଧ୍ୟମରେ ଶିଶୁ ବିଭାଗର ସଫଳ ପ୍ରଯୋଜକ ଭାବେ କାର୍ଯ୍ୟ କରି ଶିଶୁ-ସାହିତ୍ୟକୁ ବହୁ ପରୀକ୍ଷା ନିରୀକ୍ଷା କରି ସଫଳତା ଅର୍ଜନ କରିଛନ୍ତି । ସେ ଶିଶୁ ଉପନ୍ୟାସ, ଗଳ୍ପ, କବିତା ଓ ନାଟକ ଆଦିରେ ଲେଖନୀ ଚାଳନା କରି ଓଡ଼ିଆ ଶିଶୁ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ସେ ଉପନ୍ୟାସ ଓ ଗଳ୍ପରେ କବିତାକୁ ପ୍ରୟୋଗ କରି ସଫଳତା ଅର୍ଜନ କରିଛନ୍ତି । ତାଙ୍କର କବିତା ମଧ୍ୟରେ ଶିଶୁ ସଙ୍ଗୀତ, ଦେଶବନ୍ଦନା, ବିଭୁ ସଙ୍ଗୀତ ଓ ଋତୁ ଭିତ୍ତିକ ସଙ୍ଗୀତ ତାଙ୍କର କାବ୍ୟିକ ଶୈଳୀର ପରିଚୟ ଦିଏ । ‘ଉଠ ସକାଳ ହେଲା’ କବିତାରେ ତାଙ୍କର ଶ୍ରୀ ଜଗନ୍ନାଥଙ୍କ ପ୍ରତି ଯଶୋଦାଙ୍କର ଉକ୍ତିକୁ ଭକ୍ତ ଓ ଭଗବାନ ଉଭୟଙ୍କୁ ମହିମାନ୍ଵିତ କରିଛି । ଯଥା-

 

‘‘ଆରେ ନନ୍ଦଚାଟ            ନକରତୁ ମଠ

ଗୋପାଳବାଳକ ହେଲେଣି ଠୁଳ

ଶିଙ୍ଗା ଶବଦରେ            ଗୋପଦାଣ୍ଡପୁରେ

ଶେଯଛାଡ଼ ବେଗେ ମୋ ଗଳାମାଳ ।

 

ସ୍ନେହଲତା ମହାନ୍ତି - (୧୯୩୨-)

ଆଧୁନିକ ଓଡ଼ିଆ ଶିଶୁ-ସାହିତ୍ୟର ଅନ୍ୟତମ ସ୍ରଷ୍ଟାଭାବେ ସ୍ନେହଲତା ମହାନ୍ତିଙ୍କ ନାମ ବେଶ ଜଣାଶୁଣା । ଶିଶୁ ଉପଯୋଗୀ କବିତା ଓ ଗଳ୍ପ ସୃଷ୍ଟି କରିବାରେ ସେ ସିଦ୍ଧହସ୍ତ । ତାଙ୍କ ରଚିତ ନତିଅଣ ଛ ଭଜା, ‘କାଉ କୋଇଲି’, ସବୁଠାରୁ ବଡ଼ ମନଲାଖିଗୀତ ଶିଶୁଗୀତିକାରେ ଚାରିଶହରୁ ଊର୍ଦ୍ଧ୍ୱ ପଙ୍‍କ୍ତିକୁ ନେଇ ଓଡ଼ିଶା ସାହିତ୍ୟ ଏକାଡେମୀ ୧୯୯୩ ମସିହାରେ ଏକ ପୁସ୍ତକ ପ୍ରକାଶନ କରିଛନ୍ତି । ଏଠାରେ ଜଗନ୍ନାଥଙ୍କ ପ୍ରତି ତାଙ୍କର ଭକ୍ତି ନୈବେଦ୍ୟର ଚିନ୍ତା ଓ ଚିନ୍ତନକୁ ଶିଶୁମାନଙ୍କ ମନଲାଖି ବିଭିନ୍ନ ଶୈଳୀ, ବିଭିନ୍ନ ରୂପ ଓ ବିଭିନ୍ନ ଛନ୍ଦରେ ଉପସ୍ଥାପିତ କରି ଓଡ଼ିଆ ଶିଶୁ- ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ତାର କେତୋଟି ଉଦାହରଣ ଏଠାରେ ଦିଆଯାଇପାରେ ।

 

(କ)

ଆମ ଜଗନ୍ନାଥ ଦାରୁଦେବତା

ଭାଇ ଭଉଣୀଙ୍କୁ ସାଥିରେ ଧରି ।

ଚକା ଆଖି ମେଲି ଦେଉଳେ ବିଜେ,

ଦିଅରେ ଦିଅରେ ଜୁହାର କରି ।

 

(ଖ)

ବଗଚାଲେ ଡଗ ଡଗ

ବଗ ବେଙ୍ଗ ଦୁହେଁ ସଙ୍ଗାତ ବସିଲେ,

ଦେଖି କାହାଳିଆପାଗ,

ଦେଉଳେ ବାନ୍ଧିଲେ ନେତ

ସାଥି ହୋଇ କରି ଦେଖିବାକୁ ଗଲେ

ଜଗନ୍ନାଥଙ୍କର ରଥ ।

 

(ଗ)

ବାରି ପଛଆଡ଼େ                  ବାଉଁଶ ବୁଦାଲୋ,

କାଟିଗଲି ସରୁବତା,

ରୁବି ଯାଉଥିଲା,                  ଖରାଟାରେ ଚାଲି,

ଭାଇଧରିଥିଲେ ଛତା,

ଛତାରେ ରେଶମ କନା

ତିନି ରଥେ ବିଜେ                  ତିନିଠାକୁରଟି

ମନଥୟ କରି ଅନା ।

 

(ଘ)

ଗଛ ତ ଗଛ ନଡ଼ିଆ ଗଛ

ଗଛରୁ ପଇଲା ଦାଆ,

ପାଟକନାଟିଏ କାନ୍ଧରେ ପକେଇ

କୀରିତନ କରି ଯାଆ ।

ଖୋଳ କରତାଳବଜା,

ପୁରୀ ବଡ଼ ଦାଣ୍ଡେ ନାଚି ନାଚି ଯାଆ

ଦେଖିବେ ଠାକୁରରଜା ।

 

(ଡ)

ରାଉ, ରାଉ, ରାଉ            ନରାବିତୁ କାଉ

କୋଣାରକ ଉଡ଼ି ଯାଆ ।

ଚନ୍ଦର ଭାଗାରେ            ବୁଡ଼ ଦେଇ ସାରି ।

ଭୁବନେଶ୍ୱରକୁ ଯାଆ । ।

ଭୁବନେଶ୍ୱରରେ            ଲିଙ୍ଗରାଜ ପୁଜି

ପୁରୀ ସହରକୁ ଯିବୁ ।

ବଡ଼ ଦେଉଳରେ            ବାଇଶି ପାବଚ୍ଛ

ଗୋଟି ଗୋଟି ଚଢ଼ୁଥିବୁ । ।

ବାବା ବିଶ୍ଵନାଥ            ଗଣେଶ ଦେଖିବୁ

ଦେଖିବୁ ମାଆ ବିମଳା ।

ରତ୍ନ ସିଂହାସନେ            ବିଜେ କରିଛନ୍ତି

ପ୍ରଭୁ ଜଗନ୍ନାଥ ପରା ।।

ପାଖରେ ଗେହ୍ଲେଇ            ଭଉଣୀ ସୁଭଦ୍ରା

ବଳରାମ ବଡ଼ ଭାଇ ।

ଆନନ୍ଦ ବଜାରେ            ଅବଢ଼ା ଖାଇତୁ

ଆଣିବୁ ମୋ ପୁଅ ପାଇଁ ।

 

(ଚ)

କାର୍ତ୍ତିକ ଧରମ ମାସ

ବଗ ବଗୁଲାଏ            ଆଇଁଶ ଛାଡ଼ିବେ

କରିବେ ସେ ଉପବାସ । ।

ଅଜା ଆଈ ଦୁଇଜଣ ।

ପୁରୀ ଦେଉଳରେ            ହବିଷ କରି ସେ

ଖାଇବେ ଅବଢ଼ା ଅନ୍ନ । ।

କାର୍ତ୍ତିକ ପୁନେଇ ଦିନ ।

ଗଡ଼ ଗଡ଼ିଆରେ            ବାଲିଯାତ୍ରା ଦେଖି

ଖୁସିହେବ କୁନା ମନ । ।

 

 

ଏତଦ୍‌ଭିନ୍ନ ତାଙ୍କ ରଚିତ ‘ବାଇଆ ମାଆ ଲୋ’ କବିତାର ପ୍ରଥମ ପଦରେ ମଧ୍ୟ ଜଗନ୍ନାଥଙ୍କ ବଡ଼ ଦେଉଳ ବାନାର ଅବତାରଣାରେ ସେ ଗାଇଛନ୍ତି -

 

‘‘ବାଇଆ ମାଆଲୋ ସରୁକାଟେଣୀ

ପୁଅକୁ ପିନ୍ଧାଉ ପାଟ ପିତନୀ ।

ଝିଅକୁ ପିନ୍ଧାଉ ନେତ ।

ବଡ଼ ଦେଉଳରେ ଉଡ଼ୁଛି ବାନାଲୋ,

ମାପିଲେ ସେ ବାରହାତ ।

 

ରମେଶ ଭଞ୍ଜ :-

କବି ରମେଶ ଭଞ୍ଜଙ୍କର ବହୁ କବିତା ମଧ୍ୟରୁ ଏଠାରେ ତାଙ୍କର ଗୋଟିଏ ଉଦାହରଣ ଦିଆଯାଇପାରେ ।

 

ବଡ଼ ଠାକୁର ହେ,

ଟିକିଏ କରୁଣା      ଏ ଜୀବନେ ଯାଉ ମିଳି ।

ଟିକି ଠାରୁ ଟିକ      ହୁଏ ପଛେ ମୋର

ଏତିକି ମାତର ଅଳି ।

(ଭେରୀ, ତୁରୀ, ମହୁରୀ, ପୃ-୧୧)

 

ଶ୍ରୀ ଜଗନ୍ନାଥ ହେଉଛନ୍ତି, ଉତ୍କଳର ଆଧ୍ୟାତ୍ମିକ ଚେତନାର କେନ୍ଦ୍ର ବିନ୍ଦୁ । ଭାରତର ପ୍ରଧାନ ଚାରିଗୋଟି ବୈଷ୍ଣବ ପୀଠମଧ୍ୟରୁ ପୁରୀ ହେଉଛି ଏକତମ । ଏଠାରେ ବହୁଧର୍ମ, ବହୁମତ, ବହୁସଂପ୍ରଦାୟର ମିଳନ ଘଟିଛି । ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ର କରି ଭଜନ, ଜଣାଣ, ଚଉତିଶା ଇତ୍ୟାଦି ବହୁ ଭକ୍ତି ସଙ୍ଗୀତ ରଚନା କରାଯାଇଛି ଓ କରାଯାଉଛି ମଧ୍ୟ । ଅଲୌକିକ ପୁରୁଷ ଲୌକିକତାର ସ୍ତରକୁ ଓହ୍ଲାଇ ନଆସିଲେ ଏବଂ ଜନଜୀବନର ହସ, ଅଶ୍ରୁ, ଆନନ୍ଦ ବା ପ୍ରାତ୍ୟହିକ ଜୀବନ ଜୀବିକା ସହିତ ମିଳିତ ହୋଇ ନପାରିଲେ, ଶିଶୁଗୀତ ତାହାଙ୍କୁ ଧାରଣ କରିବାରେ ଅସମର୍ଥ ହୁଏ । ନାନାବାୟାଗୀତଠାରୁ ଆରମ୍ଭ କରି କ୍ରୀଡ଼ାଗୀତ, ଢଗଢ଼ମାଳୀ ପର୍ଯ୍ୟନ୍ତ ସବୁଠାରେ ଏହି ଅଧ୍ୟାତ୍ମ ପୁରୁଷ ଶ୍ରୀ ଜଗନ୍ନାଥ ବିଦ୍ୟମାନ । ପଲ୍ଲୀ ଅଞ୍ଚଳର ମାଆମାନଙ୍କର ତୁଣ୍ଡରେ ଅଦ୍ୟାବି ଆବୃତ୍ତି ହେଉଥିବା ଆ ଜହ୍ନ ମାମୁଁ ସରଗ ଶଶୀ, ମୋ କାହ୍ନୁ ହାତରେ ପଡ଼ରେ ଖସି’, ନାନାବାୟା ଗୀତଟିରେ ଶ୍ରୀ ଜଗନ୍ନାଥଙ୍କ ଚିନ୍ତା ଚିନ୍ତନକୁ ଉଜ୍ଜୀବୀତ କରି ପ୍ରଭୁଙ୍କର ସ୍ଥିତିକୁ ଦୃଢ଼ କରେ । ମାଆମାନେ ନିଜ ନିଜର ସନ୍ତାନମାନଙ୍କୁ ‘ଗୁଣ୍ଠୁଣୀ ହାତୀ’, ‘କଳାଜହ୍ନ’, ‘କଳାମାଣିକ’, ‘ନୟନ ପିତୁଳା’, ‘ଦୁଃଖୀଧନ’, ଇତ୍ୟାଦି ଯେଉଁ ଯେଉଁ ସ୍ନେହଶିକ୍ତ ନାମରେ ନାମିତ କରିଥାନ୍ତି ତାର ପଶ୍ଚାତ ପଟ୍ଟରେ ଶ୍ରୀ ଜଗନ୍ନାଥ ଚେତନାର ଚିନ୍ତା ଓ ଚିନ୍ତନର ସ୍ପର୍ଶ ନିହିତ ଥାଏ । ଏଠାରେ ପ୍ରତ୍ୟେକ ମାଆ ତାର ପ୍ରିୟ ସନ୍ତାନ ‘କଳା କାହ୍ନୁର’ ଜଣେ ଯଶୋଦା ରୂପୀ ପ୍ରତିନିଧି ।

 

ଓଡ଼ିଶାର ପୁରପଲ୍ଲୀର ଶିଶୁ କବିତାକୁ ଶ୍ରୀ ଜଗନ୍ନାଥ ପ୍ରଭାବିତ କଲାପରି ଆମର ପଡ଼ୋଶୀ ରାଜ୍ୟର ଶିଶୁକବିତାକୁ ମଧ୍ୟ ଶ୍ରୀ ଜଗନ୍ନାଥ ପ୍ରଭାବିତ କରିଥିବାର ଲକ୍ଷ କରାଯାଏ । ଯଥା-

 

‘‘ଦୋଲ ଦୋଲ ଦୋଲନ ହରି

କେ ଦେଖେଚେ ହରି ?

ଝୁଲନାତେ ଝୁଲଛେ ଆମାର

ଐ ଗିରିଧାରୀ ।

 

ସେହିଭଳି ପିଲାକୁ ଦୁଧ ପିଆଉଥୁବା ବେଳେ, ମାଆମାନେ ମଧ୍ୟ ଗାଇଥାନ୍ତି-

 

ଧନ ଗେଛେ ଗୋ ବେଡ଼ାତେ,

ପାୟେର ନୁପୁର ହାରାତେ,

ଯାକ୍‌ରେ ନୁପୁର ହାରିୟେ,

ଆବାର ଦେବ ଗଢ଼ିୟେ,

ଆୟରେ ଗୋପାଲ ଘରେ ଆୟ

ଆଓଟା ନୋ ଦୁଧ ଜୁଡ଼ିଏ ଯାଏ ।

 

ଉପସଂହାର :-

ଶ୍ରୀ ଜଗନ୍ନାଥ ଚିନ୍ତା ଓ ଚିନ୍ତନ ଉଭୟ ବୌଦ୍ଧିକ ସାହିତ୍ୟ ଓ ଶିଶୁ-ସାହିତ୍ୟକୁ ସମୃଦ୍ଧ କରିଛି-। ବିଶେଷ ଭାବରେ ସରଳ ଶିଶୁ ପ୍ରାଣକୁ ସହଜରେ ବିଗଳିତ କରି ପାରିଥାନ୍ତି । ବିଭିନ୍ନ ଖେଳନା ମଧ୍ୟରେ ଶ୍ରୀ ଜଗନ୍ନାଥର ମୂର୍ତ୍ତିଟିଏ ତାକୁ ଧରାଇ ଦେଲେ ସେ ସମସ୍ତ ଖେଳନାକୁ ଆଡ଼େଇ ନେଇ ଜଗନ୍ନାଥଙ୍କୁ ଧରି ମିଛିମିଛି ଗେଲକରେ ଏବଂ ମିଛ ମିଛି ତୁଳସୀ ପତ୍ରରେ ତାକୁ ପୂଜା କରିବସେ । ଶ୍ରୀ ଜଗନ୍ନାଥ କେବଳ ଓଡ଼ିଆ ଶିଶୁକବିଙ୍କଠାରେ ଆରାଧ୍ୟ ନହୋଇ ପଡ଼ୋଶୀ ରାଜ୍ୟମାନଙ୍କରେ ମଧ୍ୟ ଆରାଧ୍ୟ ହୋଇଛନ୍ତି । ଏଣୁ ଶିଶୁର ନରମ କୋମଳ ପ୍ରାଣକୁ ଶ୍ରୀ ଜଗନ୍ନାଥ ଯେପରି ଭାବରେ ବଶୀଭୁତ କରିପାରନ୍ତି, ସେପରି ବୟସ୍କ ଲୋକଟିଠାରେ ତାହା ଦେଖାଯାଏ ନାହିଁ । ଏଣୁ ଶିଶୁ ସାହିତ୍ୟିକଗଣ ଜଗନ୍ନାଥଙ୍କର ଭିନ୍ନ ଭିନ୍ନ ଭାବକୁ ଭିନ୍ନ ଭିନ୍ନ ଶୈଳୀରେ ଉପସ୍ଥାପନ କରି ଓଡ଼ିଆ ଶିଶୁ କବିତାକୁ ସମୃଦ୍ଧ କରାଇବାର ପ୍ରୟାସ ଜାରି ରଖିଛନ୍ତି । ଏହା ଓଡ଼ିଆ ଶିଶୁ-ସାହିତ୍ୟର ଏକ ସଫଳ ରୂପାୟନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଣୁ ଶ୍ରୀ ଜଗନ୍ନାଥଙ୍କର ଅପାର କରୁଣା ଶିଶୁ-ସାହିତ୍ୟର ଏହି ବିଭାଗର ଧାରାଟିକୁ ସୁଦୂର ପ୍ରସାରି କରିଛି । ଆସନ୍ତୁ, ସେହି ପ୍ରଭୁଙ୍କ ଚରଣ ତଳେ ଶରଣ ନେଇ ଓଡ଼ିଆ-ଶିଶୁ ସାହିତ୍ୟର କବିତା ବିଭାଗଟିକୁ ସ୍ଵସ୍ଵ ଲେଖନୀ ମୁନରେ ଅଧିକରୁ ଅଧିକ ସମୃଦ୍ଧ କରାଇବାର ସଙ୍କଳ୍ପ ନେବା ।

 

ଭାଟପଡ଼ା, ତିହିଡ଼ି

***

 

ମଧ୍ୟଯୁଗୀୟ କାବ୍ୟ ପରମ୍ପରା ଓ କବି ଦୀନକୃଷ୍ଣଙ୍କ ‘ରସବିନୋଦ’

ଡକ୍ଟର ଦୁର୍ଗାମାଧବ ପୃଷ୍ଟି

 

ଖ୍ରୀଷ୍ଟିୟ ସପ୍ତଦଶ ଶତାବ୍ଦୀ ସାର୍ବଜନନୀ କାବ୍ୟ ଓ ସାହିତ୍ୟ ଇତିହାସରେ -ଏକ ବିବର୍ତ୍ତନର କାଳ ଅଟେ । ଇଂରାଜୀ କାବ୍ୟ ସାହିତ୍ୟରେ ଏହି କାଳର ଶୈଳୀ ଓ ରୀତି ଦୃଷ୍ଟିରୁ କେତେକ ଉଲ୍ଲେଖ ଯୋଗ୍ୟ ଅନୁଶୀଳନର ସୂତ୍ରପାତ ହୋଇଥିଲା । ମିଲଟନଙ୍କ ‘‘କାବ୍ୟିକ ଅମ୍ରିତାକ୍ଷର ଓ ଆଲେକଜାଣ୍ଡାର ପୋପ୍‌ଙ୍କ ଦ୍ଵାରା ପ୍ରବର୍ତ୍ତିତ, ‘ହିରୋଇନ୍‌, କପ୍‌ଲେଟ୍‌’ ବା ପୟାର, ଇଂରାଜୀ କାବ୍ୟାନୁଶୀଳନୀକୁ ସୁସମୃଦ୍ଧ ଓ ଗତିଶୀଳ କରିଥିଲା । ସପ୍ତଦଶ ଶତାବ୍ଦୀର ଶେଷ ଆଡ଼କୁ ଓଡ଼ିଆ କାବ୍ୟ ଅଭିବୃଦ୍ଧିରେ ମଧ୍ୟ ଆଳଙ୍କାରିକ ରୀତିରେ, ସେହିପରି ଏକ ନୂତନ ପର୍ଯ୍ୟାୟ ସୃଷ୍ଟି ହୋଇଥିଲା । ଏହାକୁ ଓଡ଼ିଆ ସାହିତ୍ୟର ଐତିହାସିକ ଓ ଆଲୋଚକମାନେ ‘ରୀତିକାଳ’ ରୂପେ ଚିହ୍ନିତ କରିଅଛନ୍ତି । କିନ୍ତୁ ‘ରୀତି’ ର ସଂଜ୍ଞା ଦୃଷ୍ଟି ଏହାକୁ ‘ରୀତି-କାଳ’ ପରିବର୍ତ୍ତେ ‘ଅଳଙ୍କାର କାଳ-କହିବା - । ଅଧିକ ଯୁକ୍ତିଯୁକ୍ତ ହେବ । (୧)

 

‘ରୀତିବାଦ’ ର ପ୍ରବକ୍ତା ‘ବାମନ’ଙ୍କ ମତରେ ବିଶିଷ୍ଠ ପଦ ରଚନା ପ୍ରଣାଳୀକୁ ରୀତି କୁହାଯାଇଥାଏ । ଏହା ପୁଣି କାବ୍ୟିକ ଗୁଣ ସମ୍ପନ୍ନ ହେବା ବିଧେୟ । ଅର୍ଥାତ୍‌ ସେଥିରେ କେବଳ ଶୈଳୀର ଚାତୁରୀ ଥିଲେ ହେବ ନାହିଁ, କାବ୍ୟ ଗୁଣ ଥିବା ମଧ୍ୟ ଆବଶ୍ୟକ । ଆଳଙ୍କାରିକ ଦଣ୍ଡୀ ଅଳଙ୍କାର ଓ ଗୁଣ ମଧ୍ୟରେ ଅଭେଦତ୍ୱ ପ୍ରତିପାଦନ କରିଅଛନ୍ତି । ସେହିପରି ଭାମହ ‘ରୀତି’ ଓ ‘ଗୁଣ’ ର ଅଭିନ୍ନ ସଂପର୍କ ରକ୍ଷା କରି କହନ୍ତି- ‘ସୁନ୍ଦରୀର ମୁଖଛବି ଯେତେ କମନୀୟ ହେଉ ପଛେ, ଭାଷା ହୀନ ହେଲେ, କିନ୍ତୁ ତାହା ଶୋଭା ପାଏ ନାହିଁ ।’’ ଏହି ଅଳଙ୍କରଣ, ଅଳଙ୍କାରୀବାଦୀମାନଙ୍କ ଦ୍ଵାରା କାବ୍ୟର ଆତ୍ମା ରୂପେ ବିବେଚିତ ହୋଇଅଛି । ଗୁଣର ପ୍ରସାଦ ପରିବର୍ତ୍ତେ ଅଳଙ୍କରଣର ଚମତ୍କାରିତା ଏଥିରେ ପ୍ରଧାନ ଆଭିମୁଖ୍ୟ ରୂପେ ବିବେଚିତ ହୋଇଥାଏ । ଉତ୍ତର ମଧ୍ୟଯୁଗରେ ଏହି ଅଳଙ୍କାର- ତତ୍ତ୍ଵ ଓଡ଼ିଆ କାବ୍ୟର ଅଭିବ୍ୟକ୍ତିକୁ ଓତଃପ୍ରୋତ ଭାବରେ ପ୍ରଭାବିତ କରିଥିଲା । ନିରୋଳା ରୀତି-ଧର୍ମ ଗୁଣ- ସମନ୍ଵିତ ଓଡ଼ିଆ ଆଳଙ୍କାରିକ କାବ୍ୟର କ୍ଷୀଣ ଅନୁଶୀଳନ ବରଂ ସପ୍ତଦଶ ଶତାବ୍ଦୀର କବିମାନଙ୍କ କାବ୍ୟରେ ପରିଲକ୍ଷିତ ହୋଇଥାଏ । କବି ଦୀନକୃଷ୍ଣଙ୍କ କାବ୍ୟ ‘ରସକୋଲ୍ଲଳ’ ଆଳଙ୍କାରିକ କାବ୍ୟ ହେଲେ ହେଁ, ଗୁଣ ସମନ୍ଵିତ ରୀତିର ପ୍ରଭାମୟ କାନ୍ତିରେ ଏହା ଚିରାୟତ ସୌନ୍ଦର୍ଯ୍ୟ ଲାଭ କରିପାରିଛି । (୨) ଉତ୍ତର ମଧ୍ୟଯୁଗର କବି ଉପେନ୍ଦ୍ର ଭଞ୍ଜଙ୍କ ପରି କବିମାନଙ୍କ ରଚନାରେ ମଧ୍ୟ ଅନେକ ସ୍ଥାନରେ ‘ରୀତି’ର କାନ୍ତି ଉଦ୍‌ଭାସିତ । ତଥାପି ଏହି ମଧ୍ୟ ଯୁଗୀୟ ସାହିତ୍ୟ ରୀତି ଅପେକ୍ଷା ଅଳଙ୍କାର କାବ୍ୟ ମୁଖ୍ୟ ବିଭାବରେ ପରାଙ୍ଗପୁଷ୍ଟ ।

 

ସପ୍ତଦ୍ଦଶ ଶତାବ୍ଦୀର ମଧ୍ୟଭାଗରୁ (ଖ୍ରୀ.ଅ: ୧୬୭୦ ଠାରୁ ଖା.ଅ: ୧୮୫୦) ଉନ୍ନବିଂଶ ଶତାବ୍ଦୀର ମଧ୍ୟ ଭାଗ ପର୍ଯ୍ୟନ୍ତ ଅର୍ଥାତ୍‌ ଧନଞ୍ଜୟ ଭଞ୍ଜଙ୍କ ଠାରୁ ଯଦୁମଣି ଗୋପାଳକୃଷ୍ଣଙ୍କ ପର୍ଯ୍ୟନ୍ତ ପ୍ରାୟତଃ ଦୁଇ ଶତାବ୍ଦୀର କାଳକୁ ଉତ୍ତରମଧ୍ୟଯୁଗର ଅନ୍ତର୍ଭୁକ୍ତ କରାଯାଇଛି ।

 

କାବ୍ୟର ପ୍ରକୃତି ଦୃଷ୍ଟିରୁ ଦୁଇ ଯୁଗର କାବ୍ୟ ମଧ୍ୟରେ ପାର୍ଥକ୍ୟ ଅତି ସାମାନ୍ୟ କହିଲେ ଚଳେ । ଆଦ୍ୟ ମଧ୍ୟଯୁଗରେ ସେହି ଏକ ବିଷୟବସ୍ତୁର ରୋମନ୍ଥନରେ, ଉତ୍ତର- ମଧ୍ୟଯୁଗୀୟ କାବ୍ୟ ଯେପରି ବୈଚିତ୍ର୍ୟହୀନ ସେହିପରି ଏକ ଆହରଣ ମଧ୍ୟ । ଆଦ୍ୟ-ମଧ୍ୟ ଯୁଗରେ ସେହି ଏକ ବିଷୟବସ୍ତୁ, ଭିନ୍ନ ଆଙ୍ଗିକ ଓ ଭିନ୍ନ ଶୈଳୀରେ କେବଳ ପରିବେଶିତ କିନ୍ତୁ ଉତ୍ତର-ମଧ୍ୟ ଯୁଗରେ ଆଉ କେତେକ ଆଖ୍ୟାୟିକା ଏହା ସହିତ ସନ୍ନିବେଶିତ ହୋଇଛି ।

 

ଆଖ୍ୟାୟିକା, କାବ୍ୟ ସବୁ ସେହି ଦେହଜ ପ୍ରେମ ଓ ଶୃଙ୍ଗାର ଚର୍ଯ୍ୟା ବ୍ୟତୀତ ଅନ୍ୟ କୌଣସି ନୂତନ ବିଷୟବସ୍ତୁ ଆହରଣ କରିପାରିନାହିଁ । ରାଗାନୁଗା- ଭକ୍ତି ପ୍ରଣୋଦିତ କୃଷ୍ଣଲୀଳାତ୍ମକ କାବ୍ୟମାନଙ୍କରେ ଶୃଙ୍ଗାର ବା ଆଦିରସ ଚନ୍ଦନଛିଟାର୍ଚ୍ଚିତ ତୁଳସୀ ଦଳ ଶୋଭିତ ହୋଇ ‘ଉଜ୍ଵଳ-ରସ’ରେ ନାମାନ୍ତରିତ ହୋଇଛି ମାତ୍ର । ପୁଣି ସେଇ ଏକା ରୀତିରେ ନାୟକ-ନାୟିକା ବର୍ଣ୍ଣନା, ଉଦ୍ୟାନ ଚିତ୍ର, ଋତୁ ଚିତ୍ରର ଓ ପ୍ରେମ ପ୍ରଣୟ ପ୍ରଭୃତି କାବ୍ୟର ବିଭିନ୍ନ ବିଭାବ, ଏଇ ଯୁଗର କାବ୍ୟମାନଙ୍କରେ ପରିଲକ୍ଷିତ ହୋଇଥାଏ ।

 

କାମଶାସ୍ତ୍ରୋକ୍ତ ଶୃଙ୍ଗାର ରସଚର୍ଯ୍ୟା ଓ ପରକୀୟା ପ୍ରୀତି ମଧ୍ୟଯୁଗୀୟ କାବ୍ୟର ପ୍ରଧାନ ଅବଲମ୍ବନ । ଏପରିକି ବିଶ୍ଵ ସାହିତ୍ୟ ଜଗତରେ ଯଥା-ରୋମାନ୍‌ସ୍‌ କାବ୍ୟମାନଙ୍କରେ ମଧ୍ୟ ରାଜଅନ୍ତଃପୁରରେ ପ୍ରେମ ଚର୍ଯ୍ୟା ଏକମାତ୍ର ଉପଜୀବ୍ୟ ଥିଲା । ଫରାସୀ ସାହିତ୍ୟରେ ଏହି ଶ୍ରେଣୀୟ ରୋମାନ୍ଵଗୁଡ଼ିକୁ ନାମରେ ଅଭିହିତ କରାଯାଇଅଛି । ଓଡ଼ିଆ ସାହିତ୍ୟ ମଧ୍ୟ ଏହିପରି ଗଡ଼ଡ଼ାଳିକା- ପ୍ରବାହରୁ ମୁକ୍ତ ରହିପାରିନାହିଁ । ମଧ୍ୟ ଯୁଗୀୟ କାବ୍ୟ ସାହିତ୍ୟରେ ଏହି ରୀତି ସମାନ ଭାବରେ ପରିଲକ୍ଷିତ ହୋଇଅଛି । ବିଷୟବସ୍ତୁ ଦୃଷ୍ଟିରୁ ଏହି ତଦ୍‌ଯୁଗୀୟ କାବ୍ୟଗୁଡ଼ିକୁ ନିମ୍ନଭାବରେ ବିଭକ୍ତ କରାଯାଇପାରେ ।

 

(କ)

ପୌରାଣିକ- ମହାଭାରତ ଓ ରାମାୟଣ ବର୍ଣ୍ଣିତ ବିଷୟବସ୍ତୁ

(ଖ)

ଲୋକପ୍ରଚଳିତ ଆଖ୍ୟାୟିକା ବା ଗାଥା

(ଗ)

ଭାଗବତୋକ୍ତ କୃଷ୍ଣଲୀଳା

(ଘ)

ରାଗାନୁଗା ଭକ୍ତି ଆଧାରିତ ରାଧାକୃଷ୍ଣ ଅପ୍ରାକୃତ ପ୍ରେମଲୀଳା

 

ରେନେସାଁ ମଧ୍ୟଯୁଗୀୟ ସାହିତ୍ୟରେ ମୋଡ଼ ପରିବର୍ତ୍ତନ କରିଦେଇ, ଗତାନୁଗତିକତାର ପ୍ରବାହରୁ ମୁକ୍ତ କରି ସେଥିରେ ନାନା ନୂତନ ବୈଚିତ୍ର୍ୟତାର ଆଭିମୁଖ୍ୟ ଅନୁପ୍ରବେଶ କରାଇଲା । ମାତ୍ର ସପ୍ତଦଶ ଅଷ୍ଟାଦଶ ଶତାବ୍ଦୀରେ ଭାରତର ରେନେସାଁ ଆରମ୍ଭ ପାଇଁ ବହୁ ବିଳମ୍ବ ଥଲା । ଉନବିଂଶ ଶତାବ୍ଦୀର ତୃତୀୟପାଦ ପର୍ଯ୍ୟନ୍ତ ସୁଦ୍ଧା ଓଡ଼ିଆ ମଧ୍ୟଯୁଗୀୟ କାବ୍ୟ ସାହିତ୍ୟର ପ୍ରକୃତି ଓ ପ୍ରବୃତ୍ତି ମଧ୍ୟଯୁଗୀୟ ଗତାନୁଗତିକତା ମଧ୍ୟରେ ଅପରିବର୍ତ୍ତିତ ରହିଥିଲା ।

 

ତତ୍‌କାଳୀନ ସମାଜ କଠୋର ପ୍ରଥାବଦ୍ଧ ଥିବାରୁ ସାହିତ୍ୟ ମଧ୍ୟ ସ୍ଵାଭାବିକ ରୀତିରେ ପରମ୍ପରାନୁଗାମୀ ହୋଇପଡ଼ିଥିଲା । ଏଭଳି ପରିସ୍ଥିତିରେ କାବ୍ୟ ସବୁ ରାଜପୁତ୍ର ଓ ରାଜକନ୍ୟାଙ୍କ ମଧ୍ୟରେ ସ୍ଥୁଳ ହୋଇପଡ଼ିଥିଲା । ଏଭଳି ପରିସ୍ଥିତିରେ କାବ୍ୟ ସବୁ ରାଜପୁତ୍ର ଓ ରାଜକନ୍ୟାଙ୍କ ମଧ୍ୟରେ ସ୍ଥୁଳ ଦେହଜ ପ୍ରେମ ଅଥବା ରାଧାକୃଷ୍ଣଙ୍କ ଅପ୍ରାକୃତି ପ୍ରେମଲୀଳା ବା ରାଗାନୁଗା ଭକ୍ତିର ନେପଥ୍ୟରେ ସେହି ପ୍ରାକୃତ ପ୍ରେମ ବ୍ୟତୀତ ଅନ୍ୟ କୌଣସି ବିଷୟବସ୍ତୁ ଆହରଣ କରିପାରିନଥିଲା-। ପ୍ରତ୍ୟେକ ଆଖ୍ୟାୟିକା କାବ୍ୟରେ ଅଭିବ୍ୟକ୍ତି ଓ ପ୍ଳଟ୍‌ ବା କଥା ବସ୍ତୁର ଉନ୍ମୀଳନ ଯେପରି ସମାନ ରାଗାନୁଗା ଭକ୍ତି ରସାଣିତ, ରାଧାକୃଷ୍ଣ ଲୀଳା ସମ୍ବଳିତ କାବ୍ୟମାନଙ୍କରେ ମଧ୍ୟ ବାତ୍ସଲ୍ୟ, ଶୃଙ୍ଗାର ପ୍ରଭୃତି ରସବିନ୍ୟାସର ଆଙ୍ଗିକ ଭାବ ଓ ବିଭାଗର ସେହି ଏହି କଳାର ପୁନରାବୃତ୍ତି । ଏହି ସବୁ କାବ୍ୟରେ, ବର୍ଣ୍ଣନାରୀତି, ଭାବ ଓ ଭାଷାରେ ମଧ୍ୟ କେତେକ କାବ୍ୟକର୍ତ୍ତା ଓ ସେମାନଙ୍କ କାବ୍ୟ ମଧ୍ୟରେ ନିବିଡ଼ ସାମଞ୍ଜସ୍ୟ ପରିଲକ୍ଷିତ ହୋଉଥାଏ ।

 

ନାୟିକାର ‘ନଖଶିଖ’ ବର୍ଣ୍ଣନାଠାରୁ ଆରମ୍ଭ କରି ଋତୁ ଓ ଉପବନ ବର୍ଣ୍ଣନା ପର୍ଯ୍ୟନ୍ତ କାବ୍ୟରେ ପ୍ରତ୍ୟେକ ବିଷୟ ବର୍ଣ୍ଣନା କରିବାର ରୀତି ପୁଣି ଉପମା, ଉପମେୟ ଓ ରୂପକ ବିନ୍ୟାସ ‘କୌଶଳ’ ଗୋଟିଏ ନିର୍ଦ୍ଦିଷ୍ଟ ସୂତ୍ରରେ ଗ୍ରନ୍ଥିତ ହୋଇ ସାରିଥିଲା । ସେଥିପାଇଁ ପ୍ରତ୍ୟକ କବିଙ୍କ ରଚନାରେ ଊଣା ଅଧିକେ ଅନ୍ୟ କବିମାନଙ୍କର ପ୍ରତିଧ୍ୱନି ଏପରିକି ପ୍ରତିଲିପି ସୁଦ୍ଧା ସ୍ଥାନେ ସ୍ଥାନେ ପରିଲକ୍ଷିତ ହୋଇଥାଏ । ଉତ୍ତର-ମଧ୍ୟଯୁଗୀୟ ସମାଜ, ବୌଦ୍ଧିକ, ସାମାଜିକ -ଓ ରାଜନୈତିକ କ୍ଷେତ୍ରରେ ଗତିଶୀଳତାର ସବୁ ସ୍ପନ୍ଦନ ହରାଇ, ଅଚାଳୟତନ ସ୍ଥାଣୁତ୍ୱ ମଧ୍ୟରେ ପର୍ଯ୍ୟବସିତ ହୋଇଥିବାରୁ, କାବ୍ୟ ମଧ୍ୟ କ୍ରମେ ଏକ ଅନୁଶୀଳନ ଓ ବଦ୍ଧ-ସଂସ୍କାରରେ ପରିଣତ ହୋଇପଡ଼ିଥିଲା-। କବିତ୍ୱ କ୍ରମେ କସରତିଆ କାରିଗରୀରେ ରୂପାନ୍ତରିତ ହେବାରୁ ଏଥିରେ କବିମାନଙ୍କୁ ତାଲିମ୍‌ ଦେବାର ଆବଶ୍ୟକତା ଅନୁଭବ କରାଯାଉଥିଲା । ଏଥିପାଇଁ ‘କବି-ଶିକ୍ଷା’ ନାମରେ ଏକ ଶାସ୍ତ୍ର ଉତ୍ପତ୍ତି ମଧ୍ୟ ହୋଇଥିଲା । କ୍ଷେମେନ୍ଦ୍ର, ଅମରଚନ୍ଦ୍ର, ଦେବେଶ୍ଵର ଓ ରାଜଶେଖର ପ୍ରମୁଖ, କବି ଶିକ୍ଷାର ଆଚାର୍ଯ୍ୟ ଥିଲେ (୩) ଉତ୍ତର ମଧ୍ୟଯୁଗୀୟ କାବ୍ୟରେ ଏହାର ପ୍ରବଳ ସଂକ୍ରମଣ ପରିଲକ୍ଷିତ ହୋଇଥାଏ ।

 

ଉତ୍ତର ମଧ୍ୟଯୁଗରେ କାବ୍ୟ ରୀତି ସର୍ବାଧିକ ଭାବରେ ଆଳଙ୍କାରିକ ଥିଲା । ବସ୍ତୁତଃ ରୀତିରେ ଗୂଢ଼ାର୍ଥ, (ବହୁ ଅର୍ଥ ଯୁକ୍ତ ବାକ୍ୟ) ନିହିତାର୍ଥ, ନରିର୍ଥକ, ସଂଶୟ, ଅଶ୍ଲୀଳ, ଗୂଢ଼ ଶବ୍ଦାଭିଧାନ ବା ଦୁର୍ବୋଧ୍ୟ କ୍ଳିଷ୍ଟ ଶବ୍ଦ ସମଷ୍ଟି ‘ପ୍ରଭୂତିକୁ, ‘କାବ୍ୟ ଦୋଷ’ ରୂପେ, ଭାମହ, ମମ୍ମଟ ପ୍ରଭୃତି ରୀତିବାଦୀ ଆଳଙ୍କାରିକମାନେ ଅଭିହିତ କରିଥିଲେ ହେଁ, ଉତ୍ତର ମଧ୍ୟ ଯୁଗୀୟ ଓଡ଼ିଆ କାବ୍ୟକର୍ତ୍ତାମାନେ ସେମାନଙ୍କ କାବ୍ୟରେ ଏ ସବୁର ଯଦୃଚ୍ଛା ପ୍ରୟୋଗ କରିଥିଲେ । ଅର୍ଥାତ୍‌ ‘ରୀତି’- ତତ୍ତ୍ୱରେ ଯାହାକୁ କାବ୍ୟଦୋଷ’ ରୂପେ ନିଷିଦ୍ଧ କରାଯାଇଥିଲା । ଉତ୍ତର ମଧ୍ୟ ଯୁଗୀୟ ଓଡ଼ିଆ କାବ୍ୟମାନଙ୍କରେ ସେ ସବୁର ‘କାବ୍ୟଗୁଣ’ ରୂପେ ଚଳାଇ ନେବାର ଚେଷ୍ଟା ହୋଇଥଲା । ସେଥିପାଇଁ ଓଡ଼ିଆ ସାହିତ୍ୟରେ ଉତ୍ତର-ମଧ୍ୟ ଯୁଗକୁ, ରୀତିଯୁଗ ଅପେକ୍ଷା ଆଳଙ୍କାରିକ ବା ‘ଅର୍ଣେଟ’ ବା ବରୋକ୍‌ ଯୁଗ କହିବା ଯୁକ୍ତି ହେବ (୪)

 

ଧର୍ମ ଉପରେ ମଧ୍ୟ ଏହି ଯୁଗ ଋଚିର କମ୍‌ପ୍ରଭାବ ପଡ଼ିନଥିଲା । ଉତ୍ତର ଭାରତରେ ବୈଷ୍ଣବ ଧର୍ମରେ ବିଭିନ୍ନ ଶାଖା ପ୍ରସାର ଲାଭ କରିଥିଲା । ତନ୍ମଧ୍ୟରେ ପ୍ରଧାନ ଥଲା କୃଷ୍ଣ ଭକ୍ତି ଶାଖା । ଯେହେତୁ ଯୁଗ ଋଚିକୁ ଏହା ସୁହାଉଥିଲା । କୃଷ୍ଣ ଭକ୍ତ ସଂପ୍ରଦାୟ ମଧ୍ୟ କେତେଗୁଡ଼ିଏ ଶାଖାରେ ବିଭକ୍ତ ହୋଇଥିଲା ଏବଂ ପ୍ରତ୍ୟେକ ଶାଖା ବିଭିନ୍ନ ସ୍ଥାନରେ ନିଜ ନିଜର ମଠ ଓ ଆସ୍ଥାନ ପ୍ରତିଷ୍ଠା କରିଥିଲେ । କ୍ରମେ ଏହି ମଠଗୁଡ଼ିକ ଉପରେ ଯୁଗରଚିର ପ୍ରଭାବ ପଡ଼ିଥିଲା । ଏଗୁଡ଼ିକ ମଧ୍ୟ ବୈଭବ ଓ ବିଳାସର ପୀଠସ୍ଥଳୀ ହେଲା । ଗୋସ୍ଵାମୀ ଅର୍ଥାତ୍‌ କୃଷ୍ଣ ସଂପ୍ରଦାୟର ଗୁରୁମାନେ ବିଶେଷ ଭାବେ ରାଜା, ସାମନ୍ତ ବା ଧନଶାଳୀ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କଲେ ଏବଂ ସେମାନଙ୍କୁ ଦୀକ୍ଷାଦେବା ପାଇଁ ଲାଳାୟିତ ହେଲେ । ସାଧାରଣ ଜନତାଙ୍କ ସହିତ ସେମାନଙ୍କ ସମ୍ପର୍କ କ୍ଷୀଣ ହୋଇଆସିଲା । ଯେହେତୁ ସାଧାରଣ ଜନତା ଏମାନଙ୍କୁ ତୁଷ୍ଟିକର ଦକ୍ଷିଣା ଦେଇପାରୁନଥିଲା । ମଠ, ମନ୍ଦିରମାନଙ୍କରେ ରାଜକୀୟ ଆଡ଼ମ୍ବର ପ୍ରବେଶ କଲା । ଗୋସ୍ଵାମୀମାନେ ଐହିକ ଭୋଗବିଳାସରେ ଜୀବନଯାପନ କଲେ । ସାଧନା ବା ତତ୍ତ୍ଵ ଚିନ୍ତନର ପଥ ରୁଦ୍ଧ ହୋଇଗଲା । ତା ସ୍ଥାନରେ ଭକ୍ତିର ବାହ୍ୟ ବିଳାସ ପ୍ରକଟିତ ହେଲା । ଦେବଦେବୀମାନଙ୍କର ସେବା ପୂଜାରେ ସୂକ୍ଷ୍ମାତି ସୂକ୍ଷ୍ମ ବିଧିବିଧାନ ଅନୁସୃତ ହେଲା । ଭକ୍ତମାନେ ନିଜେ ଐଶ୍ଵର୍ଯ୍ୟ ବିଳାସ ଓ ଆଡ଼ମ୍ବରରେ ବୁଡ଼ି ରହିଲେ ଓ ତତ୍‌ସଙ୍ଗେ ସଙ୍ଗେ ଭଗବାନଙ୍କୁ ମଧ୍ୟ ସେଥିରେ ଜଡ଼ିତ କରାଇଲେ ।

 

ଗୋସ୍ଵାମୀ ବା ମଠ ମହନ୍ତମାନଙ୍କର ଜୀବନଯାତ୍ରା ଏଭଳି ବିଳାସପୂର୍ଣ୍ଣ ହେଲା ଯେ, ରାଜା, ଜମିଦାରମାନେ ମଧ୍ୟ ତାହାର ଅନୁକରଣ କରିବାକୁ ଶ୍ରେୟ ମନେ କଲେ । ମଠଗୁଡ଼ିକ ହେଲା ସାଂସାରିକ ବୈଭବର କୁବେର ଭଣ୍ଡାର । ବଲ୍ଲଭ, ମାଧବ, ନିମ୍ବାର୍କ, ଚୈତନ୍ୟ ପ୍ରଭୃତି ସକଳ କୃଷ୍ଣଭକ୍ତି ସଂପ୍ରଦାୟର ମଠ ବା ଆସ୍ଥାନ ଏହିପରି ଐଶ୍ଵର୍ଯ୍ୟର ପୀଠ ହେଲା । କୃଷ୍ଣ ସଂପ୍ରଦାୟରେ ରାଧାଙ୍କର ମହତ୍ତ୍ଵ ବୃଦ୍ଧି ହେତୁ, ଏସବୁ ମଠ ମନ୍ଦିରରେ ଶୃଙ୍ଗାର ଲୀଳା ଚାଲିଲା । (୫)

 

ପ୍ରେମ ଭକ୍ତି ଶ୍ରେଷ୍ଠ ଭକ୍ତି ବୋଲି ଚୈତନ୍ୟ ସମ୍ପ୍ରଦାୟର ଭକ୍ତମାନେ ପ୍ରଚାର କରୁଥିଲେ । କୀର୍ତ୍ତନ ଏକ ଲୋକପ୍ରିୟ ମାଧ୍ୟମ ହେବାରୁ ଜନସାଧାରଣଙ୍କ ଉପରେ ଏହାର ବେଶ୍‌ ପ୍ରଭାବ ପଡ଼ିଲା-। ଏହି ସଂପ୍ରଦାୟର ଗୋସ୍ଵାମୀମାନେ ପରକୀୟା ପ୍ରେମକୁ ଅତ୍ୟନ୍ତ ଉତ୍ସାହିତ କଲେ । ଆଗରୁ ସଂସ୍କୃତ ଅଳଙ୍କାର ଶାସ୍ତ୍ରରେ ଯେଉଁ ନାୟିକା ଭେଦ ସବୁଥିଲା, ସେ ସମସ୍ତ ଗୋସ୍ଵାମୀମାନେ କୃଷ୍ଣଭକ୍ତିରେ ହିଁ ଖଞ୍ଜି ଦେଲେ ଏବଂ ରାଧାକୃଷ୍ଣ ବିଷୟକ କାବ୍ୟ ନାଟକାଦି ଲେଖି ସେଥିରେ ପରକୀୟା ପ୍ରେମର ମାଧୁରୀ ପ୍ରତିପାଦନ କଲେ । (୬)

 

ଅନ୍ୟ ସଂପ୍ରଦାୟମାନଙ୍କରେ ମଧ୍ୟ ଊଣା ଅଧିକ ଏହି ଅବସ୍ଥା ଘଟିଥିଲା । ଧର୍ମ ପ୍ରତି ଯଥାର୍ଥ ଆସ୍ଥା କାହାରି ନ ଥିଲା । କେବଳ ଧର୍ମଭୀରୁତା ହିଁ ରହିଥିଲା । ମୋଗଲ ସମ୍ରାଟମାନଙ୍କର ଦୃଷ୍ଟିକୋଣ ଥଲା ପୁରାପୁରି ପାର୍ଥିବ । ତେଣୁ ଉଚ୍ଚ ବର୍ଗ ମଧ୍ୟରେ ପାର୍ଥିବ ଦୃଷ୍ଟିକୋଣ ପ୍ରାଧାନ୍ୟ ଲାଭ କରିଥଲା । ହିନ୍ଦୁମାନଙ୍କ ପକ୍ଷରେ ଏଥିରେ ନିମଜ୍ଜିତ ହୋଇଯିବା ସତେ ଯେମିତି କଷ୍ଟକର ବ୍ୟାପାର ଥିଲା । ହିନ୍ଦୁମାନେ ଏକ ଦିଗରେ ପାର୍ଥିବ (ସାଂସାରିକ) ଭୋଗ ବିଳାସ ପ୍ରତି ଆକୃଷ୍ଟ ହେଉଥିଲେ, ଅନ୍ୟ ଦିଗରେ ପରଲୋକ ଚିନ୍ତାରୁ ମୁକ୍ତ ହୋଇପାରୁନଥିଲେ ।

 

ଫଳରେ ନୈତିକତା ଓ ବିବେକ ବୁଦ୍ଧି ସହିତ ଧର୍ମର ସମ୍ବନ୍ଧ ତ୍ରୁଟିଗଲା ଏବଂ ଧର୍ମ ବିଭିନ୍ନ କାଳ୍ପନିକବାଦରେ ପରିଚିତ ହୋଇଗଲା । ଧର୍ମର ଆତ୍ମିକ ଶକ୍ତି କ୍ଷୀଣ ହୋଇ ବାହ୍ୟ ଆଡ଼ମ୍ବର ଓ ଚାକଚକ୍ୟ ବଢ଼ିଲା । ଲୋକେ ଅନୈତିକ କାର୍ଯ୍ୟ କଲେ, କିନ୍ତୁ ଧର୍ମର ବାହ୍ୟ ଆବରଣ ସବୁ ଅବଲମ୍ବନ କଲେ ।

 

ମଧ୍ୟଯୁଗୀୟ ବା ରୀତିକାଳୀନ ସାହିତ୍ୟ ଯେଉଁ ସବୁ ଉପାଦାନ ବହନ କରି ଗଠିତ, ସେ ସବୁରେ ରହିଛି ଦେଶର ଏହିପରି ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ଅବସ୍ଥାର ଚିତ୍ର । କିନ୍ତୁ ରୀତିକାଳୀନ କବି ଦୀନକୃଷ୍ଣ ଏହି ଯୁଗୀୟ ଅଭିରୁଚିରୁ ଅଲଗା ରହି ସ୍ୱତନ୍ତ୍ର ଭାବେ ନିଜର ଭାବଧାରାକୁ ବ୍ୟକ୍ତ କଲେ । ଅବଶ୍ୟ ଏକଥା କୁହାଯାଇ ନପାରେ ଯେ, କବି ଦୀନକୃଷ୍ଣ ରୀତି ସାହିତ୍ୟର ଧାରାକୁ ଏକାବେଳକେ ପରିହାର କରିଅଛନ୍ତି । ତଥାପି ତାଙ୍କ ରଚିତ ରସକଲ୍ଲୋଳ ମଧୁମଙ୍ଗଳ, ଜଗମୋହନହଛାନ୍ଦ, କମଳାକାନ୍ତ ଚଉତିଶା, ସ୍ନାନସ୍ମରଣ ଚଉତିଶା ଆଦି କେତେକ ଗ୍ରନ୍ଥକୁ ବାଦ ଦେଲେ ଅଧିକାଂଶ କାବ୍ୟ ରୀତି ପୂର୍ବବର୍ତ୍ତୀ ପୁରାଣ ଯୁଗର ସଂବିଧାନରେ ଗଢ଼ା । ସମାଜକୁ ବିଭତ୍ସ ଶୃଙ୍ଗୀରୀକତାର ଆର୍ଦ୍ଦୋଳୀ ଭିତରୁ, ମନୋରଞ୍ଜନକାରୀ ସାହିତ୍ୟ ଆତ୍ମିକତାରୁ ମୁକ୍ତ କରି ଶୃଙ୍ଖଳିତ କରିବା ପାଇଁ କବି ତାଙ୍କର କାବ୍ୟରାଜିକୁ ଶାଣିତ ତରବାରୀ ଜଳି ସଜିତ କରି ରଖିଛନ୍ତି । କବି ସ୍ଵାଧୀନ, ସ୍ଵାଧୀନ ଚିନ୍ତା, ସ୍ୱାଧୀନ ବକ୍ତବ୍ୟ କବିକୁ ଭାବନା ରାଜ୍ୟରେ ଅଧିଶ୍ଵର କରିଥାଏ । ସେଥିପାଇଁ ସେ କାହାର ଦୟାର ଦାନ କିମ୍ବା ସମ୍ବେଦନଶୀଳତାର ମନୋବୃତ୍ତିରେ ବଞ୍ଚି ରହିବାକୁ ଇଚ୍ଛା କରେ ନାହିଁ । ନିଷ୍ଠୁର ଭାଗ୍ୟରେଖାକୁ ଧୈର୍ଯ୍ୟର ସହ ସମ୍ଭାଳି ନେବାକୁ ସେ ପ୍ରସ୍ତୁତ ରହିଥାଏ । ନିଜର ସାରସ୍ଵତ ସାଧନାଗ ମାନସ ସନ୍ତାନକୁ ଉପଯୁକ୍ତ ରସିକ ପାଖରେ ଲାଳନ ପାଳନ ପାଇଁ ସେ ଛାଡ଼ି ଦେଇଯାଏ । କୁମତି ଗୁଆଁର ହାତରେ ଟେକି ଦେଇ ସେ ତା’ର ପିତୃତ୍ୱକୁ ହତ୍ୟା କରିବାକୁ ପଶ୍ଚାଦ୍‌ପଦ ହୁଏ । ଏହିଭଳି ଏକ ଆଦର୍ଶବାଦ ଭିତରେ ଦୀନକୃଷ୍ଣ ଦାସ ନିଜର କବିତ୍ଵ ବଳୟକୁ ସୁଶୋଭିତ କରିତୋଳିଥିଲେ ।

 

ମଧ୍ୟଯୁଗୀୟ କାବ୍ୟ ଯେତେବେଳେ ଆଳଙ୍କାରିକ ଆଟୋପ ଭିତରେ ବିଭବଶାଳୀ, ସାଙ୍ଗୀତିକ ମୁର୍ଚ୍ଛନାରେ ଯେତେବେଳେ ନିନାଦିତ, ଦରବାରୀ ସାମନ୍ତବାଦୀ ମୁଷ୍ଟିମେୟ ସମାଜର ଆମୋଦର ସାମଗ୍ରୀ, ନୀତିହୀନ, ଗତିହୀନ କଳ୍ପନା ବିଳାସୀ ଦିଗହରା ଭାବରାଜିରେ ସମୃଦ୍ଧ, ସେତିକିବେଳେ କବି ଦୀନକୃଷ୍ଣ ଜ୍ଞାନପଣ୍ଡିତ ଯୋଗଶାସ୍ତ୍ର । ଆଧାରିତ ବୈଷ୍ଣବୀୟ ତତ୍ତ୍ୱମୂଳକ ଉପାଖ୍ୟାନକୁ ଅବଲମ୍ବନ କରି ରଚନା କଲେ ‘ରସ ବିନୋଦ’ ଭଳି ଗ୍ରନ୍ଥ ଗୌଡ଼ୀୟ ବୈଷ୍ଣବ ସୁଲଭ ପ୍ରେମଧାରାର ବିଭତ୍ସତା ଭିତରୁ ନାରୀ ଓ ପୁରୁଷ ଉଭୟକୁ ମୁକ୍ତି ଦେଇ ସୁଚାଇ ଦେଲେ ପରକୀୟା ପ୍ରୀତିର ଭୟାବହ ଦୁର୍ଦ୍ଦଶା ସାମାଜିକ ସୁସ୍ଥ ସଂସ୍କୃତି ଭିତରେ ଧର୍ମୀୟ ବାତାବରଣ ନେଇ ସ୍ଵଦେଶ ପ୍ରୀତିର ଅଭିରଚିରେ ‘ଶ୍ରୀ ଜଗନ୍ନାଥ’ କୈନ୍ଦ୍ରିକ ତତ୍ତ୍ଵ ଆଲୋଚନା କରି ସମନ୍ଵୟର ଭିତ୍ତି ସ୍ଥାପନ କଲେ ନିଜର କାବ୍ୟରେ । ସୁଶାସନ ଓ ପ୍ରଜାପାଳନର ସଂବିଧାନ ସ୍ଥାପନ କରାଇବାକୁ ଯାଇ ବିଭିନ୍ନ ଉପାଖ୍ୟାନ ଭିତ୍ତିରେ ଦେଶରେ ପ୍ରତିଷ୍ଠା କଲେ ଶାନ୍ତି । ସର୍ବୋପରି ଦାର୍ଶନିକ ଚିନ୍ତା ଚେତନା ଦୃଷ୍ଟିରେ ନୈତିକତାର ଶାସନ ଦଣ୍ଡ ସର୍ବସାଧାରଣଙ୍କ ପାଇଁ ସଜେଇ ଦେଲେ ଜାଗ୍ରତ ପ୍ରହରୀ ତାଙ୍କ ରଚିତ ‘ରସ ବିନୋଦ’ ଗ୍ରନ୍ଥକୁ । ସୁତରାଂ ପୌରାଣିକ କାବ୍ୟର ଅଙ୍ଗସଜ୍ଜାରେ କାବ୍ୟଟି ସୌଷ୍ଠବତା ରକ୍ଷା କରି କବିଙ୍କର ପାଣ୍ଡିତ୍ୟ ଓ କବିତ୍ୱର ଦ୍ୟୋତନା ପ୍ରକଟିତ କରିବାରେ ଯେତିକି ସଫଳତା ଲାଭ କରିଛି, ଯୁଗୀୟ ପରମ୍ପରାରେ କବିଙ୍କ ସ୍ଵତନ୍ତ୍ରତା ମର୍ଯ୍ୟାଦା ଦାବିରେ ସେତିକି ହୋଇଉଠିଛି ଭାବଗମ୍ଭୀର ।

 

 

କ୍ୱା.ନଂ : ଏମ୍‌/୧୭,

ହାଉସିଂବୋର୍ଡ଼ କଲୋନୀ, ଢ଼େଙ୍କାନାଳ

 

 

ସହାୟକ ଗ୍ରନ୍ଥ : ସଂକେତ ସୂଚୀ :

(୧)

ଓଡ଼ିଆ ସାହିତ୍ୟର କ୍ରମ ବିକାଶ - ସୁରେନ୍ଦ୍ର ମହାନ୍ତି - ପୃଷ୍ଠା - ୬୫

(୨)

ଓଡ଼ିଆ ସାହିତ୍ୟର କ୍ରମ ବିକାଶ - ସୁରେନ୍ଦ୍ର ମହାନ୍ତି-ପୃଷ୍ଠା-୬୬

(୩)

ସୁଶୀଳ କୁମାର ଦେ- ‘‘History of Sanskrit Poetics’’ Vo-II-page-72

(୪)

ଓଡ଼ିଆ ସାହିତ୍ୟର କ୍ରମ ବିକାଶ- ସୁରେନ୍ଦ୍ର ମହାନ୍ତି - ପୃଷ୍ଠା-୭୨

(୫)

ସାହିତ୍ୟ ତତ୍ତ୍ଵ ଡକ୍ଟର ଧନେଶ୍ୱର ମହାପାତ୍ର- ପୃଷ୍ଠା-୧୬୪

(୬)

ସାହିତ୍ୟ ତତ୍ତ୍ୱ- ଡକ୍ଟର ଧନେଶ୍ୱର ମହାପାତ୍ର- ପୃଷ୍ଠା- ୧୬୪ ।

 

***

 

Unknown

‘ଶୈଳକଳ୍ପ’ ଏକ ଅନନ୍ୟ କ୍ଲାସିକ ସୃଷ୍ଟି

ମନୋଜ ମେହେର

 

ସମକାଳର ଓଡ଼ିଆ କବିତା କ୍ଷେତ୍ରରେ କବି ରାଜେନ୍ଦ୍ର କିଶୋର ପଣ୍ଡା ଏକ ସ୍ପର୍ଦ୍ଧିତ ଉଚ୍ଚାରଣ । ବିଶେଷତଃ ରାଜେନ୍ଦ୍ର ଅଧା ବାମପନ୍ଥୀ ଓ ରୋମାଣ୍ଟିକ କବି ପରି ମନେ ହେଉଥିଲେ ହେଁ ଉଦାର ମାନବବାଦର ସ୍ଵରରେ ସେ ଯେଉଁ କାବ୍ୟସୌଧ ନିର୍ମାଣ କରିଛନ୍ତି, ତାହା ତାଙ୍କୁ ଜଣେ ମହତ ସାହିତ୍ୟଋଷିର ମାନ୍ୟତା ଦିଏ । ଜଣେ ବିଦ୍ରୋହୀ କବି, ପ୍ରେମିକ କବି ସର୍ବୋପରି ମାନବବାଦର କବି ଭାବେ ରାଜେନ୍ଦ୍ରଙ୍କ କାବ୍ୟପୁରୁଷ ବୈଭବଶାଳୀ ଓ ବିଚିତ୍ରବର୍ଣ୍ଣା ।

 

ରାଜେନ୍ଦ୍ରଙ୍କ ପ୍ରେମରେ ଅଛି ଦମ୍ଭୋକ୍ତି, ବିଦ୍ରୋହରେ ଅଛି ଆହ୍ଵାନ ଏବଂ ଭଲପାଇବାପଣରେ ଅଛି ନିର୍ଲିପ୍ତତା । ଯାହାକୁ ସେ ଭଲପାଆନ୍ତି ପ୍ରାଣଭରି ଭଲପାଆନ୍ତି । ଏକାବେଳେ ଜଣେ ସନ୍ନ୍ୟାସୀ ଓ ସଂସାରୀର ସ୍ଵରକୁ ଠାବ କରିହୁଏ ତାଙ୍କଠି । ବୋମା ଫୁଟାବେଳ ଓ କଢ଼ ଫୁଟାବେଳ ଭିତରେ ତାଙ୍କ ପାଇଁ ବିଶେଷ ଫରକ୍‌ ନାହିଁ । ଯୁଦ୍ଧ ଅଭିମୁଖ ଘୋଡ଼ାର ଟାପୁ ଓ ସଦ୍ୟଜାତ ଶିଶୁର କୁଆଁକୁଆଁ ତାଙ୍କୁ ଶୁଭାଯାଏ ଏକାଭଳି । ସମାଜ ପାଇଁ ବନ୍ଧୁକ ଓ ବୋମା, ନିହାଣ ଓ ମୁଗୁରର ଯେପରି ଆବଶ୍ୟକତା ରହିଛି ତୁଳୀ ଓ କଲମର ଅନୁରୁପ ଆବଶ୍ୟକତା ଉପରେ ଯଥେଷ୍ଟ ଗୁରୁତ୍ଵ ଦିଅନ୍ତି ସେ । ଭାଷା ବ୍ୟବହାରେ ରାଜେନ୍ଦ୍ରଙ୍କ ଶବ୍ଦେଶ୍ଵର୍ଯ୍ୟର ତୁଳନା ନାହିଁ । ଶବ୍ଦର ମାୟାଜାଲ ସୃଷ୍ଟି କରିବାରେ ତାଙ୍କର ଯାଦୁକରୀ ଶକ୍ତି ଅପରିସୀମ । ନୂତନ ଶବ୍ଦରାଜି ସୃଷ୍ଟି କରି ଓଡ଼ିଆ ଭାଷାଭଣ୍ଡାରକୁ ସମୃଦ୍ଧ କରିଚାଲିଛନ୍ତି । କାବ୍ୟଶୈଳୀ, ମିଥ୍‌, ପ୍ରତୀକ, ଚିତ୍ରକଳ, ରୂପକଳ୍ପ, ଆର୍କେଟାଇପ ନିର୍ମାଣ ସାଙ୍ଗକୁ । କବିତାକୁ କଳାରୂପ ଦେବା ନିଶାରେ ସେ ଜଣେ ଅସାମାନ୍ୟ ଶବ୍ଦସ୍ଥପତି । ପରମ୍ପରା, ସଂସ୍କୃତି ଓ ସଂସ୍କାର ଆଦିରେ ତାଙ୍କର ଅବବୋଧ ତୀକ୍ଷ୍ମ ଓ ଗଭୀର । ମୁକ୍ତ, ଦୃପ୍ତଉଚ୍ଚାରଣ ଓ ନିର୍ଯ୍ୟାସର କବି ସେ । ମୁହୂର୍ତ୍ତର ଦୃଶ୍ୟପଟ୍ଟରେ ଗୋଟିଏ ଶିଖରରୁ ଆଉ ଗୋଟିଏ ଶିଖରକୁ ଆରୋହଣ କରେ ତାଙ୍କ କବିତା । ଚରମ ସତ୍ୟ ବା ସିଦ୍ଧାନ୍ତ ବୋଲି କିଛି ନାହିଁ ତାଙ୍କଠି । ମୃତ୍ୟୁ ଥାଉ କି ଅମରତ୍ୱ ଶିଖର ମାତ୍ରେ ହିଁ ଆରୋହ୍ୟ - ଏପରି ବିଶ୍ୱାସବୋଧ ପ୍ରତି ସେ ଅନୁରକ୍ତ । ମୁଖ୍ୟତଃ ଜୀବନଭିତ୍ତିକ-ଆତ୍ମଜୀବନୀଭିତ୍ତିକ ସ୍ପର୍ଦ୍ଧାରେ ଓଜଃବାନ ରାଜେନ୍ଦ୍ରଙ୍କ କାବ୍ୟପୁରୁଷ ପ୍ରତ୍ୟେକ ବିଷୟ ଓ ଭାବବସ୍ତୁ ପାଇଁ ନୂଆ ନୂଆ ରୂପ ନିଏ, ସେ ଅନୁସାରେ ଭାଷା ଓ ଶୈଳୀର ବି ଘଟେ ପରିବର୍ତ୍ତନ । ଜୀବନରେ ମୋକ୍ଷଫୋକ୍ଷ ନୁହେଁ, ‘ସୁଖଦୁଃଖ’ ‘ବିଷାଦାନନ୍ଦ’ ଭିତରେ କାଳାଳିପାତ କରିବାକୁ ଶ୍ରେୟ ମଣନ୍ତି । ସ୍ପର୍ଦ୍ଧା ଓ ସ୍ୱାଭିମାନର କାବ୍ୟପୁରୁଷ ସେ । ରାଜେନ୍ଦ୍ର ହିଁ ଜଣେ ଯିଏ ସାରା ମାନବଜାତି ବିରୋଧରେ ପ୍ରେମ ଘୋଷଣା କରିପାରନ୍ତି, ନିଜକୁ ନିଜର ଓ ଈଶ୍ୱରଙ୍କ ପ୍ରତିଦ୍ୱନ୍ଦ୍ଵୀ ଦାବି କରନ୍ତି । ରାଜେନ୍ଦ୍ରଙ୍କ କବିତାରେ ମନ୍ତ୍ରଧ୍ୱନିକୁ ଯେଉଁ ପରିମାଣରେ ଠାବ କରିହୁଏ, ଜଣେ ବିଦ୍ରୋହୀ - ଯୋଦ୍ଧାର ରଣହୁଙ୍କାରକୁ ସମପରିମାଣରେ ଠାବ କରିହୁଏ । ନୀରବତାର ସ୍ଵରରେ ରାଜେନ୍ଦ୍ର ଲାଗନ୍ତି ନିଆରା । ସଚ୍ଚି ରାଉତରାୟଙ୍କ ପରବର୍ତ୍ତୀ ପୀଢ଼ିର କବି ହିସାବରେ କେବଳ ରାଜେନ୍ଦ୍ରଙ୍କୁ ହିଁ ତୀର୍ଥଜ୍ଞାନ କରିହୁଏ ।

 

‘ଗୌଣଦେବତା’ (୧୯୭୫), ‘ଅନବତାର ଓ ଅନ୍ୟଅନ୍ୟ’ (୧୯୭୬), ‘କ୍ଷୁଣାକ୍ଷର’ (୧୯୭୭), ଶତଦ୍ରୁଅନେକ (୧୯୭୭), ‘‘ନିଜ ପାଇଁ ନାନାବାୟା’ (୧୯୮୦), ‘ଚୌକାଠରେ ଚିରକାଳ’ (୧୯୮୧), ‘ଶୈଳକଳ୍ପ’ (୧୯୮୨), ‘ଅନ୍ୟା’ (୧୯୮୮), ‘ବହୁବ୍ରିହୀ’ (୧୯୯୧), ‘ବୋଧିନଭ’ (୧୯୯୬) ଓ ‘ଈଷଖେଳ’ (୧୯୯୯), ‘ସତ୍ୟୋତ୍ତର’, ‘ବୈରାଗୀ ଭ୍ରମର’, ‘ଦୁଜାନାରୀ’ ଓ ‘ଦ୍ରୋହକାବ୍ୟ’ (୨୦୦୩) ଶୀର୍ଷକ କାବ୍ୟଗ୍ରନ୍ଥ କବିଙ୍କ କାବ୍ୟସାଧନାର ଉଜ୍ଜଳ ସ୍ଵାକ୍ଷର ।

 

ଆରମ୍ଭରୁ ସ୍ପଷ୍ଟ କରିଦେବା ସମୀଚିତ ହେବ ଯେ ପ୍ରଥମତଃ ସତୁରୀ ଦଶକ ପରବର୍ତ୍ତୀ କାଳର କାବ୍ୟକୃତି ହିସାବରେ ‘ଶୈଳକଳ୍ପ’ କୁ ଅନନ୍ୟ କ୍ଳାସିକ କାବ୍ୟକୃତି ପ୍ରତିପାଦିତ କରିବା ଆଭିମୁଖ୍ୟ ନେଇ ଏହି ପ୍ରବନ୍ଧ ସଂରଚିତ । ଦ୍ୱିତୀୟରେ କବିଦୃଷ୍ଟି ନେଇ ଜଣେ ସହୃଦୟ ପାଠକ ହିସାବରେ ‘ଶୈଳକଳ୍ପ’ର ଏକ ଉଚ୍ଛ୍ୱସିତ ମୂଲ୍ୟାୟନ କରିବା ଦିଗରେ ପ୍ରୟାସୀ ହୋଇଛି ।

 

‘ଶୈଳକଳ୍ପ’ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ସପ୍ତମ କବିତାଗ୍ରନ୍ଥ । ‘ଡଅଁର ଭିତରେ ଡଙ୍ଗା ଓ ‘ପଣ୍ଚିମାଶା ପୂର୍ବମୟ’ ଏହିପରି ଦୁଇଟି ଭାଗରେ ବିଭକ୍ତ କରି ଗ୍ରନ୍ଥରେ କବିତାଗୁଡ଼ିକୁ ସନ୍ନିବିଷ୍ଟ କରାଯାଇଛି । ‘ଡଅଁର ଭିତରେ ଡଙ୍ଗା’ରେ ଥିବା ପ୍ରିୟ ସହକବି, ଝିଅ ପାଇଁ ଗୋଟିଏ କବିତା, ଶିଶୁ, ଉଷା, ଢେଉ, ଆଶ୍ଵାସ, ଆକାଶପାୟୀ ପାତାଳସ୍ପର୍ଶୀ, ପତ୍ନୀପ୍ରତି, ଜୀବନପ୍ରତି କବିତାରେ ମୁଖ୍ୟତଃ ଉପନିଷଦୀୟ ସ୍ଵର ତୀବ୍ର ଥିଲେ ହେଁ ବ୍ୟାପ୍ତିର ନିକଟବର୍ତ୍ତୀ ହେବା କିମ୍ବା ବ୍ୟାପ୍ତିର ଏକ ଅଂଶ ବିଶେଷ କରିବା ନେଇ କବି ନିଜ ସହିତ, ନିଜର ନଶ୍ଵରତା ସହତ ଲୁଚକାଳି ଖେଳିଛନ୍ତି । ଦୁଃଖ, ଗ୍ଳାନି, ପରାଜୟ, ଏପରିକି ମୃତ୍ୟୁରେ ମଧ୍ୟ ଯେଉଁ ପ୍ରତ୍ୟୟବୋଧର ନିରଜନା ହୋଇଛି ତାହା ସକଳ ସମ୍ଭାବନା ଓ ପ୍ରତିଶ୍ରୁତିର ଚରମ ସୀମାକୁ ଟପିଛି । ସର୍ତ୍ତବିହୀନ ଭଲପାଇବା ପ୍ରତି ଉଠାଯାଇଥିବା ଉଦାର ମାନବିକତାର ସ୍ଵରରେ ଜୀବନ ପାଇଛି ଭୂମି ଓ ଭୂମାର ଅଭିମନ୍ତ୍ର ।

 

‘ପଶ୍ଚିମାଶା ପୂର୍ବମୟ’ ର ବଜ୍ରକୀଟ, ଜିଆ, ଅଭିଯାନ ଦାକ୍ଷିଣାତ୍ୟ, ଶୈଳକଳ୍ପ, ପଶ୍ଚିମାଶା ପୂର୍ବମୟ କବିତାରେ ଦମ୍ଭୋକ୍ତିର ଏକ ପ୍ରଜାପତୟ ଉଡ଼ାଣ ରହିଛି ନିଶ୍ଚୟ । କିନ୍ତୁ ସବୁକିଛିକୁ ଏକାକାର ଏବଂ ଗୋଟିଏ ବିନ୍ଦୁରେ ଜନ୍ମମୃତ୍ୟୁକୁ, ଯୁଦ୍ଧପ୍ରେମକୁ/ ଜୟପରାଜୟକୁ, ଉଦୟଅସ୍ତକୁ, ଆଲୋକ ଅନ୍ଧାରକୁ, ପାପପୁଣ୍ୟକୁ ଦେଖିବାର ପଥ ପରିଷ୍କାର ହୋଇଛି । ଏଥିରେ ତତ୍କାଳୀନ ଅବସ୍ଥାର ମନୋଭୂମିରେ ବପନ ହୋଇଛି ସର୍ବକାଳର ବାନସ୍ପତେୟ । ସିନ୍ଦୁରା ଫାଟିବାର ଅବିନଶ୍ଵରତାକୁ ପୂର୍ବାରାଗ-ଅସ୍ତରାଗରୁ ଦିଆଯାଇଛି ମୁକ୍ତ । ପଶ୍ଚିମାଶା ପୂର୍ବମୟ, ଶେଷ ଓ ଆରମ୍ଭର ଏକ ଦର୍ପଣବିନ୍ଦୁ । ଗୋଟିଏ ଜାଗାରେ ସୂର୍ଯ୍ୟ ଅସ୍ତ ଯାଉଛି ମାନେ ଠିକ୍‌ ସେହି ସମୟରେ ଅନ୍ୟ କେଉଁଠି ଉଦୟ ହେଉଛି । ଅସ୍ତକାଳୀନ ବିରାଗରେ ଉଦୟକାଳୀନ ଅନୁରାଗ ସ୍ଵକୀୟ ବିରୋଧାଭାସର ସ୍ଵର ସୃଷ୍ଟି କରି ପଶ୍ଚିମାଶା ପୂର୍ବମୟକୁ କରୁଛି ଗରୀୟାନ ।

 

କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ସମସାମୟିକ ସତୀର୍ଥ କବି ରମାକାନ୍ତ ରଥଙ୍କ ‘ଶ୍ରୀରାଧା’ ସୀତାକାନ୍ତ । ମହାପାତ୍ରଙ୍କ ‘ଆରଦୃଶ୍ୟ’, ‘ଅଷ୍ଟପଦୀ’, ସୌଭାଗ୍ୟ କୁମାର ମିଶ୍ରଙ୍କ ‘ଅନ୍ଧମହୁମାଛି’, ‘ଦ୍ୱାସୁପର୍ଣ୍ଣା’ ଓ ସୌରୀନ୍ଦ୍ର ବାରିକଙ୍କ ‘ଆକାଶ ପରି ନିବିଡ଼’ ଆଦି କ୍ଳାସିକଧର୍ମୀ କବିତାଗ୍ରନ୍ଥ ପ୍ରେକ୍ଷାପଟରେ ‘ଶୈଳକଳ୍ପ’ ଏକ ଅନନ୍ୟ କ୍ଳାସିକ ସୃଷ୍ଟିର ମାନ୍ୟତା ଦାବି କରେ ।

 

‘ଶ୍ରୀରାଧା’ରେ ଜଣେ ଅସାଧାରଣ କ୍ରାଫ୍ଟମ୍ୟାନ୍‌ ଭାବେ କବି ରମାକାନ୍ତଙ୍କ ଆବିର୍ଭାବ ଘଟିଛି । ଅତିବୌଦ୍ଧିକତାକୁ ସୁକ୍ଷ୍ମାଦିସୂକ୍ଷ୍ମ ଭାବେ ଏବଂ କଥାକୁହା ଶୈଳୀରେ ପ୍ରଥମଥର ପାଇଁ ଏଡ଼େ ସାର୍ଥକ ଭାବେ ରମାକାନ୍ତ ‘ଶ୍ରୀରାଧା’ରେ ବ୍ୟବହାର କରିଛନ୍ତି । ଆତ୍ମଦହନର ଜ୍ଵଳନରେ ଧୂପଶିଖାର ମର୍ମଦାହ ରମାକାନ୍ତଙ୍କୁ କରିଛି ମହିମାମଣ୍ଡିତ । ସ୍ମୃତି ଅପେକ୍ଷା ବିସ୍ତୃତି, ମିଳନ ଅପେକ୍ଷା ବିରହ ଏବଂ ଜୀବନ ଅପେକ୍ଷା ମୃତ୍ୟୁ ସଂରଚନାବେଳେ ଶ୍ରୀରାଧାର କାବ୍ୟପୁରୁଷ ଲାଗନ୍ତି ବେଶୀ ବେଶୀ ଉଜ୍ଜ୍ୱଳ । ଦ୍ୱିଧା, ସଂଶୟ, ହତାଶା, ଗ୍ଳାନି ଓ ତାଡ଼ନାଜନିତ ଜୀବନାନୁଭୂତିର କାବ୍ୟିକ ପରିପ୍ରକାଶରେ ସୌନ୍ଦର୍ଯ୍ୟବୋଧ ଓ ନାନ୍ଦନିକତା ଅଧିକରୁ ଅଧକ ସ୍ପଷ୍ଟ ତଥା କାଳାତୀତ ମନେହୁଏ-। ପ୍ରାପ୍ତିଅପ୍ରାପ୍ତି, ପାଇନପାଇବା, ନପାଇପାଇବା ସୁଖଦୁଃଖ ତାଙ୍କ ପ୍ରେମିକପଣକୁ ପରିପ୍ଳୁତ କରି ରଖିଥିଲେ ହେଁ ପ୍ରେମକୁ ନେଇ ସେ ଯେଉଁ ସମୀକ୍ଷା ଆରମ୍ଭ କରିଦେଇଛନ୍ତି ସେଥିରେ ନିର୍ଲିପ୍ତତା, ନିବିଡ଼ତା, ଅନ୍ତରଙ୍ଗତା ଏବଂ ମରିମରି ଜୀଇଁବାର ଭାବ ତାଙ୍କୁ ମହାର୍ଘ କରି ଗଢ଼ିତୋଳିଛି । ‘ତମେ’ କିମ୍ବା ‘ମୁଁର’ ଯେତେବେଳେ ଅଙ୍କନ କରୁଛନ୍ତି ଏକ ବିଦେହୀଚେତନା ତାକୁ ଘାରିଛି, ତାଙ୍କୁ ପରମାର୍ଥ ହତାଶାର, ବିଚ୍ଛେଦର, ମରଣର ମହାମହିମ କରିଛି । ସୀତାକାନ୍ତ ମହାପାତ୍ରଙ୍କ ‘ଅଷ୍ଟପଦୀ’ରେ ଯୁଗଯନ୍ତ୍ରଣାର ଛବି ଚିତ୍ରାୟିତ । ପ୍ରଖ୍ୟାତ ଇଂରାଜୀ କବି ଟି.ଏସ.ଏଲିଅଟଙ୍କ କାବ୍ୟପ୍ରଭାବରେ ‘ଅଷ୍ଠପଦୀ’ର ସୃଷ୍ଟି । ଏଥିରେ ପୁରାଣର ମହାଭାରତ ଯୁଦ୍ଧପ୍ରସଙ୍ଗ ସହ ଦ୍ୱିତୀୟ ବିଶ୍ଵଯୁଦ୍ଧ ଏବଂ ତତ୍‌ସମ୍ପର୍କିତ ବିଭିଷୀକା- ଅବବୋଧକୁ ସମୀକରଣ କରି ମିଥ୍‌ରଚନାରେ ସୀତାକାନ୍ତ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କର ମାଟିପ୍ରୀତି ଓ ସଂସ୍କୃତିପ୍ରୀତିର ଏକ ଅଭିନବ ଯୁଗଳବନ୍ଦୀ ମନମୟୂରକୁ ଆନ୍ଦୋଳିତ କରେ । ଆବେଗତା ଏବଂ ବୌଦ୍ଧିକତାର ସମ୍ମିଶ୍ରଣରେ ବି ଯେଉଁ ରୂପପଦ୍ମ ପ୍ରସ୍ଫୁଟିତ ତାର ପାଖୁଡ଼ା ପାଖୁଡ଼ାରେ ପୀଆଜିୟ ଦର୍ଶନ ଉପବିଷ୍ଟ ।

 

ସେହିପରି ‘ଆରଦୃଶ୍ୟ’ ସୀତାକାନ୍ତଙ୍କ ମିଥ୍‌ ଆଶ୍ରିତ ଏକ ସଫଳ କାବ୍ୟ ଫସଲ । ‘ଆରଦୃଶ୍ୟ’ର ଜୀବନ ସମ୍ପର୍କରେ ଉଠାଇଥିବା ଚରମ ପ୍ରଶ୍ନମାନଙ୍କର ଅର୍ଥସୂତ୍ର ଆତ୍ମଜ୍ଞାନିକ ମାର୍ଗକୁ ନେଇଯାଏ । ଖୁବ୍‌ଆତ୍ମୀୟ ଭାବେ ପ୍ରାଣ ଓ ସୌନ୍ଦର୍ଯ୍ୟର ପରିଭାଷିକ ଛବି ଦିଆଯାଇଛି । ଅସ୍ତିତ୍ୱର ସତ୍ୟକୁ ଯୌକ୍ତିକ ଅବବୋଧ ଦ୍ଵାରା ନୁହେଁ ଆତ୍କଲସତ୍ତାର ଏକାକୀତ୍ୱ ଉପଲବ୍ଧି ହିଁ ଯଥେଷ୍ଟ - ଏକଥାକୁ କୁହାଯାଇଛି ମେଟାଫିଜିକାଲ ଏବଂ ଆର୍କେଟାଇପିକାଲ ଦୃଷ୍ଟୀଭଙ୍ଗୀ ନେଇ ।

 

ସୌଭାଗ୍ୟ ମିଶ୍ରଙ୍କ ‘ଅନ୍ଧମହୁମାଛି’ ଓ ‘ଦ୍ଵାସୁପର୍ଣ୍ଣା’ ସମକାଳର ଚମତ୍କାର କାବ୍ୟଗ୍ରନ୍ଥ । ରମାକାନ୍ତ ରଥଙ୍କ ପରବର୍ତ୍ତୀ ପୀଢ଼ିର କବି ଭାବରେ ସୌଭାଗ୍ୟ ହିଁ ସବୁଠାରୁ ଅଧିକ ଆଧିନିକ ଦୃଷ୍ଟିସମ୍ପନ୍ନ କବି । ସୌଭାଗ୍ୟଙ୍କ ଦୃଷ୍ଟିଭଙ୍ଗୀରେ ନବୀନତା ଏବଂ ବାକ୍‌ଚାତୁରୀରେ ଯାଦୁ ରହିଛି । ଆବେଗତା ତାଙ୍କ କବିତାର ପ୍ରବହମାନ ସ୍ରୋତ । କଥାକୁହା ଶୈଳୀରେ ଶବ୍ଦକୁ ଏଡ଼େ ଗେହ୍ଲା କରି ବ୍ୟବହାର କରିବାରେ ଏବଂ ବୋଲ୍‌ ମନାଇବାରେ ସମସ୍ତ ଶ୍ରେୟତା ସୌଭାଗ୍ୟଙ୍କ ପାଖକୁ ଯାଇଛି-। ‘ଅନ୍ଧ ମହୁମାଛି’ରେ ମହୁପାଗଳ ମହୁମାଛି ପାପପୁଣ୍ୟ, ଭଲମନ୍ଦ କିଛି ନବିଚାରି ଚୋଷି ଚାଲିଛି ମହୁ । କୁଷ୍ଠରୋଗୀର ଘା’ରେ ମହୁର ପରିକଳ୍ପନା ସମସ୍ତ ପାରମ୍ପରିକତାରୁ ମୁକ୍ତି ଦେଇ ଜଡ଼ବତ୍‌ ଜୀବନର ତୁଚ୍ଛ ବିଚାର ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରେ । ଏଥିର ମୃତ୍ୟୁ ଓ ସମୟ ସମ୍ପର୍କିତ ଅବବୋଧ ସାମ୍ପ୍ରତିକ ମାନବିକ ସମାଜର ଯୁଗୀୟ ପରିସ୍ଥିତି ଓ ଦୁରବସ୍ଥାକୁ ଇଙ୍ଗିତ କରେ ।

 

‘ଦ୍ୱା-ସୁପର୍ଣ୍ଣ’ରେ ସୌଭାଗ୍ୟଙ୍କ ‘ଅନ୍ଧମହୁମାଛି’ର ଏକ କ୍ରମବିକାଶ ଘଟିଛି । ତାଙ୍କର ଦ୍ଵା-ସୁପର୍ଣ୍ଣିୟ ବିଚାରରେ ରହିଛି ଡେଣା ଓ ସ୍ପନ୍ଦନ । ଦ୍ୱିଧାବିଭକ୍ତ ଓ ଦ୍ୱିଧାକୁଳ ହୋଇ କବି ଆତ୍ମବିଶ୍ଵାସର ଛବି ଅଙ୍କନ କରିଛନ୍ତି । ଭିତରବାହାର ସବୁଠି ଆତ୍ମଉପଲବ୍ଧି ଓ ଆତ୍ମଆବିଷ୍କାର ପାଇଁ ସେ ସ୍ଵପ୍ନ ଓ ବାସ୍ତବତାକୁ ଆପେକ୍ଷିତାର ମାପଦଣ୍ଡରେ ତଉଲିଛନ୍ତି । ଅନେକନ୍ତୁ ବିସ୍ମିତ ପରିବେଶ ସୃଷ୍ଟି ପାଇଁ ନେତିବାଦୀ ତତ୍ତ୍ଵ ପ୍ରୟୋଗ କରି ଜୀବନବୋଧର ଜଟିଳତମ ଓ ପରାଭବମୟ ଦିଗକୁ ସୂଚାଇଛନ୍ତି । ଦୃଶ୍ୟମୟତା ଓ ଚିତ୍ରମୟତା ପ୍ରଦାନରେ ଦ୍ୱା-ସୁପର୍ଣ୍ଣାର ବୈଦ୍ୟୁତିକ ସ୍ପର୍ଶ ଅନନ୍ୟ ।

 

ବର୍ତ୍ତମାନର କବିମାନଙ୍କ ମଧ୍ୟରେ ସୌରୀନ୍ଦ୍ର ସର୍ବପ୍ରଥମ କବି ଯିଏ ସହଜ ସରଳ ଭାବରେ, ଭାଷାରେ । କବିତା ରଚନା କରି ‘ଆକାଶ ପରି ନିବିଡ଼’ରେ ଏତେ ବଡ଼ ସଫଳତା ହାସଲ କରିଛନ୍ତି । ସୌରୀନ୍ଦ୍ରଙ୍କ ଜୀବନାନୁଚିନ୍ତା ଏବଂ କାବ୍ୟିକଦର୍ଶନରେ ସ୍ଵଚ୍ଛନ୍ଦବାଦୀ ଚେତନା ସ୍ପଷ୍ଟ । ସ୍ନେହସିକ୍ତ ସମ୍ପର୍କର ସ୍ଵିଗ୍ଧ ସ୍ପର୍ଶ ଦେଇ ଆକାଶ ପରି ନିବିଡ଼ରେ ସ୍ଵକୀୟତାର ସତ୍ୟପାଠ କରିଛନ୍ତି । ସକଳ ଶୂନ୍ୟତା, ଅଭାବବୋଧ ଓ ହତାଶା ଭିତରେ ଜୀବନ ପ୍ରତି ଦାୟବଦ୍ଧତା ହେବା ଏବଂ ଆପଣା ପ୍ରତି ସତ୍ୟଶାଳୀ ହେବା ‘ଆକାଶ ପରି ନିବିଡ଼’ର ସାରବତ୍ତା ।

 

କିନ୍ତୁ ଏଠାରେ ଉଲ୍ଲିଖିତ ସମସ୍ତ କବିତାଗ୍ରନ୍ଥ ତୁଳନାରେ ‘ଶୈଳକଳ୍ପ’ ଏକ ଅନନ୍ୟ କ୍ଳାସିକ ସୃଷ୍ଟି । ‘ଶୈଳକଳ୍ପ’ ରେ ପ୍ରେମର ହେଉ କି ସ୍ପର୍ଦ୍ଧାର ହେଉ, ମୀନବବାଦର ହେଉ କି ବିଦ୍ରୋହର ହେଉ ସ୍ଵରଗୁଡ଼ିକ ଅଧିକତର ମୁକ୍ତ, ପ୍ରଖର, ପୌରୁଷପୂର୍ଣ୍ଣ, ବୈଚିତ୍ୟ୍ୟମୟ ଓ ନିଜସ୍ଵ ଓଜଃରେ ତେଜୀୟାନ । ଭାବରେ, ଭାଷାରେ କବିତାଗୁଡ଼ିକ ଅତ୍ୟନ୍ତ କଂକ୍ରିଟ ଓ କବିତାର ପ୍ରତ୍ୟେକ ମୋଡ଼ାଣିରେ ରହସ୍ୟ ରହିଛି । ଯେତେବେଳେ ରହସ୍ୟ ଫିଟେଇବେ ସେତେବେଳେ ଫର୍ଚ୍ଚା ଓ ସୁଗଭୀର ଲାଗିବ କାବ୍ୟିକ ଆକାଶ, କାବ୍ୟିକ ମନୋଭୂମି ।

 

ଅନ୍ୟ ପକ୍ଷରେ କହିବାକୁ ଗଲେ ସାମ୍ପ୍ରତିକ ସମାଜ ଯେପରି ଜଟିଳ ଓ ଗଳାକଟା ପ୍ରତିଯୋଗିତାପୂର୍ଣ୍ଣ ହେଇଉଠିଛି ସେଥିରେ ଅନ୍ୟପ୍ରତି ବିଶ୍ଵାସ ମାତ୍ରାଧିକ ତୁଟିବାରେ ଲାଗିଛି ଏବଂ ମଣିଷ ନିଜଠାରୁ ନିଜର ଆସ୍ଥା । ତୁଟେଇବାକୁ ବସିଲାଣି । ଜୀବନ ବ୍ୟର୍ଥ, ବିପର୍ଯ୍ୟୟ, ଅର୍ଥହୀନ, ଲକ୍ଷ୍ୟହୀନ ହୋଇଚାଲିଛି ବି । ଏ ପ୍ରେକ୍ଷାପଟରେ ଜୀବନରୁ ହିଂସା, ଦ୍ଵେଷ, କୁତ୍ସିତ ଇତରତା ପରିହାର କରି ଅନ୍ୟକୁ ଭଲପାଇ ଅନ୍ୟର ଜୀବନକୁ ସମ୍ମାନ ଦେଇ ଅନ୍ୟ ପାଇଁ ଜିଇଁ ପୁଣି ସେଥିପାଇଁ ଜୀବନୋତ୍ସର୍ଗ କରି କିପରି ମଣିଷପଣିଆକୁ ବଜାୟ ରଖିହେବ ଶୈଳକଳ୍ପୀୟ ବିଚାରର ସେଥିପାଇଁ ଆବଶ୍ୟକତା ରହିଛି । ‘ଶୈଳକଳ୍ପ’ର କବିତା ସଂସ୍ପର୍ଶରେ ଆସିବା ମାତ୍ରକେ ଜୀବନ ପ୍ରତି ଜାଗେ ଏକ ସ୍ଵତନ୍ତ୍ର ମୋହ, ନିଜ ଭିତରେ ବଢ଼େ ଆତ୍ମବିଶ୍ଵାସ, ଦୁଃଖକୁ ସାମ୍ନା କରିବାର -ଅସାଧାରଣ ସାମର୍ଥ୍ୟ ଆସେ । ଅନ୍ୟକୁ ପ୍ରେମ କରିବା ପାଇଁ, ଅନ୍ୟର ଦୁଃଖସୁଖରେ ସହଭାଗୀ. ହେବା ପାଇଁ ଯେତିକି ପ୍ରେରଣା ଯୋଗାଏ, ତତୋଧିକ ଅବ୍ୟବସ୍ଥା ବିରୋଧରେ ସ୍ଵର ଉତ୍ତୋଳନ ଏବଂ ନିଜ ଭିତରେ ଥିବା ଶତ୍ରୁକୁ ଦମନ କରିବା ପାଇଁ ଆଗଭର ହୁଏ ।

 

ପ୍ରିୟ ସହକବି, ଝିଅ ପାଇଁ ଗୋଟିଏ କବିତା, ଆଶ୍ଵାସ, ଜୀବନପ୍ରତି, ପତ୍ନୀପ୍ରତି, ଜିଆ, ଶୈଳକଳ୍ପ କବିତାର ମାନ୍ତ୍ରିକ ଦିଗ ଏତେ ପ୍ରଭାବଶାଳୀ ଯେ ମଣିଷ ବିଷାଦରେ, ଦୁଃଖରେ, ଶୋକରେ, ଏକ୍ଲାପଣରେ, ମୃତ୍ୟୁକାମନାରେ ମ୍ରିୟମାଣ ଥିବାବେଳେ କବିତାର ଧାଡ଼ି ଧାଡ଼ି ଆସି ଅର୍ଥପୂର୍ଣ୍ଣ ଭାବେ ବଞ୍ଚିବାକୁ, ଅଧିକ ସଂଘର୍ଷମୁଖୀ ହେବାକୁ, ଧୈର୍ଯ୍ୟବାନ ହେବାକୁ, ଦୁଃଖକୁ ଅତିକ୍ରମ କରିଯିବାକୁ, ସାହାସୀ ହେବାକୁ ପ୍ରେରଣା ଯୋଗାଏ, ମନରେ ଜଗାଏ ଆଶ୍ଵାସନା, ହୃଦୟରେ ବିରାଜମାନ କରାଏ ଶାନ୍ତି ।

 

ଅସୀମଧୈର୍ଯ୍ୟରେ ଗଢ଼ା ଉପାଦାନ

ବିଶ୍ଵାସରୁ ସାହିତ୍ୟ ସୃଷ୍ଟି । ବିଶ୍ଵାସ ମୂଳେ ଏ ଜଗତ । ବିଶ୍ଵାସ-ସଂଘର୍ଷ ପାଇଁ ପ୍ରେରଣା ଯୋଗାଏ । ସନ୍ଥକବି ଭୀମଭୋଇ ସବୁବେଳେ ଗୋଟିଏ କଥା କହୁଥଲେ- କାହାରିକୁ ହିଂସା କରନାହିଁ, କାହା ପ୍ରତି ଅବିଶ୍ୱାସ କର ନାହିଁ, ସମସ୍ତଙ୍କୁ ଭଲ ପାଅ । ସାହିତ୍ୟ ଓ ବିଶ୍ଵାସ ପରସ୍ପର- ପରିପୂରକ । ବିଶ୍ଵାସହୀନତା ମଧ୍ୟ ଏକ ବିଶ୍ଵାସ । ବିଶ୍ଵାସ ବଳରେ ଅସମ୍ଭବକୁ ସମ୍ଭବ କରାଯାଇପାରେ । ସୁତରାଂ, ସାହିତ୍ୟିକ ମଧ୍ୟ ବିଶ୍ଵାସର ପୂଜାରୀ । ରାଜେନ୍ଦ୍ର ‘ଶୈଳକଳ୍ପ’ରେ ଜୀବନ ଓ ପୃଥିବୀଠାରୁ କିଛି ଆଶା ନରଖି ଜୀବନ ଓ ପୃଥିବୀକୁ କ’ଣ ଦେଇପାରିବେ ସେଥିପ୍ରତି ଯେଉଁ ଅନନ୍ତ ଆତ୍ମା ପ୍ରକଟ କରିଛନ୍ତି ତାହା ଅସୀମ ଧୈର୍ଯ୍ୟର ଉପାଦାନରୁ ସମ୍ଭୂତ । ‘ଶୈଳକଳ୍ପ’ରେ ଆତ୍ମଶକ୍ତି ଓ ଆତ୍ମପ୍ରତ୍ୟୟବୋଧର ସ୍ଥିତାବସ୍ଥା ସୁଦୂଢ଼-ସୁଗଭୀର-ସୁବିପୁଳ । କାବ୍ୟପୁରୁଷ ସକଳ ବିରୋଧାଭାସ, ଦୁଃସ୍ଥିତି ଓ ବିପର୍ଯ୍ୟୟକୁ ସାମ୍ନା କରିବାକୁ ପ୍ରସ୍ତୁତ ହେଉଛନ୍ତି ।

 

ବରଂ ଯଦି ପାରୁ ପହ୍ନାମୟ ହୋଇଯିବୁ

ନିଜକୁ ନିଜେ ଉଖାରି ଦେବୁ ।

ଆଞ୍ଚୁଡ଼ାରେ ପାତାଳଗଙ୍ଗାର ଫୁଆର ମା’

ଅନ୍ଧାର ଘନେଇ ପାଷାଣ ହୋଇ ବିଦୀର୍ଣ୍ଣ ହୋଇଗଲେ

ସିନ୍ଦୁରା ଆକାଶରେ ଫଜେରା ଫାଟିବାର ଦୃଶ୍ୟ ।

ମାଟିକୁ ଫାଟିଯା ବୋଲି କେବେ କହିବୁନି ଝିଅ

ବରଂ ତୁ ଦେବକୀ ପରି ନିଜେ ଫାଟିଯିବୁ ।

ଈଶ୍ୱରଙ୍କ ପାଇଁ ଦ୍ଵାର ଖୋଲିଦେବୁ ।

(ଝିଅ ପାଇଁ ଗୋଟିଏ କବିତା)

 

ନିଦାରୁଣ - ଯନ୍ତ୍ରଣା କେବଳ ସହନୀୟ ନୁହେଁ, ଆକର୍ଷଣୀୟ ମଧ୍ୟ । ଦୁଃଖରେ ବି ସାଇତା ହେଇରହିଛି ସୁଖଦଉଦ୍ଭିଦ । ଦୁଃଖ ପ୍ରଶସ୍ତ ମାର୍ଗଫିଟାଏ ମହାସୁଖ ପାଇଁ, ଦୁଃଖର ସମୁଦ୍ରରେ-ଆକାଶରେ ବିନ୍ଦୁଏ ସୁଖ ବା ତାରକାଏ ସୁଖ ପାଇବା ଅର୍ଥ ବ୍ୟକ୍ତିଆତ୍ମାକୁ ଶାନ୍ତ୍ୱନା ଦେବା ପାଇଁ ଯଥେଷ୍ଟ ହେବ ।

 

ମୁକ୍ତାଟିଏ ଫିଟିପଡ଼ିବା ଏତେ ମନୋହର ଯେ

ଶାମୁକା ଦିଫାଳ ହେବାର କଷ୍ଟ ସହି ନେଇହୁଏ

କବିତାଟିଏ ଜନ୍ମନେବା ଏଡ଼େ ସୁଖଦ ଯେ

ତା’ ପୂର୍ବର ବେଦନା ବ୍ୟାକୁଳତା ତ ଜମା କିଛି ନୁହେଁ ।

ଦୁଃଖ ସେମିତି ନିଧୁବନର ଶ୍ରମ ପରି

ଶାମୁକା ଦି’ଫାଳ ହେବା, କବିତାକୁ ଅପେକ୍ଷା କରିବା ପରି

ପ୍ରସ୍ତୁତି ମାତ୍ର, ମହାସୁଖ ପାଇଁ ।

(ଜୀବନ ପ୍ରତି)

ବହୁମତର ସମର୍ଥନ ଜୁଟାଇବା ପାଇଁ ଲେଖକଙ୍କୁ ପବିତ୍ରତା, ନିଷ୍ଠା ଓ ବୌଦ୍ଧିକ ପ୍ରତିବଦ୍ଧତାର ପଦାଙ୍କ ଅନୁସରଣ କରିବାକୁ ହୁଏ । ତେବେ ସ୍ଵପ୍ନ ଓ ସମ୍ଭାବନାକୁ ପୁଷ୍କଳ କରିବା ନେଇ ମଣିଷ ଯେତେବେଳେ ଅସହାୟ ହୋଇଉଠେ, ଶରଣାଗତ ହୁଏ ପ୍ରାର୍ଥନାର । ଦମ୍ଭୋକ୍ତି ଓ ପ୍ରାର୍ଥନାରେ ବିଶ୍ଵାସର ସ୍ଥାପନକୁ ଲକ୍ଷ୍ୟ କରାଯାଉ ।

 

ବେଳେବେଳେ କ’ଣ ଲାଗେ ନା’

ଜୀବନ ଏକ ପୃଷ୍ଠାବହୁଳ ପରାଜୟ

ଯାହାର ପ୍ରତି ଅଧ୍ୟାୟ ପ୍ରତି ପରିଚ୍ଛେଦ ପ୍ରତି କାବ୍ୟରେ

ଦୃଷ୍ଟିଭ୍ରମରେ ଦିଶେ କେବଳ ଗୋଟିଏ ଶବ୍ଦ ‘ବିଜୟ’ ?

ନା’ ଏଠି ହାରଜିତ ନାହିଁ, ସାମ୍ରାଜ୍ୟ ନାଇଁ, ସିଂହାସନ ନାହିଁ

ଶିଖର ବୋଲି କିଛି ନାହିଁ

କୁହୁଣେଇ ଉହୁଙ୍କ ନାଇ, ଆସ

ହାତ ମିଳାଅ/ବୁକୁ ମିଳାଅ ।

ଧାନଶିଷାଁରେ ଆହରି କ୍ଷୀର, ତୁତ୍‌ପୋକଠି ଆହୁରି ରେଶମ

ଅରଣି ଭିତରେ ଆହୁରି ନିଆଁ

ଆଖୁ ଭିତରେ ମହୁ ଭିତରେ ଆହୁରି ମିଠା

ସଲପ ଗଛରେ ଅଧିକା ରସ

ଆକାଶ ଭିତରେ ଆହୁରି ଆହୁରି ମାନବିକତା

ଭରିଦେ ଭରିଦେ ବୋଲି

ଆଜ୍ଞା ଦେଇପାରିବାନି ସିନା, ପ୍ରାର୍ଥନା କରିବା ଆସ ।

(ପ୍ରିୟ ସହକବି)

 

ପ୍ରେମ କରିବାକୁ ହେଲେ ହୃଦୟ ଦରକାର, ରସାଳ ହୃଦୟ । ପ୍ରେମର ଅଙ୍ଗୀକାରରେ ସୁନ୍ଦରତର ହୁଏ । ପୃଥିବୀ, ଚନ୍ଦ୍ରିକାମୟ ହୁଏ ଆକାଶ, ସମୁଦ୍ର ବିଚିମୟ ହୁଏ, ଜୀବନ ହୁଏ ଊର୍ମିଳ । ଏ ଅନୁଚିନ୍ତାରୁ ଜଣାଯାଏ ଯେ ରାଜେନ୍ଦ୍ରଙ୍କ ଜୀବନଚର୍ଯ୍ୟାର ପୂଷ୍ଠଭୁମି ଖୁବ୍‌ ବ୍ୟାପକ ଓ ଆଶାବାଦୀ ଚେଚନା ଦ୍ଵାରା ପରିପୃଷ୍ଟ ।

 

ମୃତ୍ୟୁ ପ୍ରିୟତମ ଆକର୍ଷଣ

ପତନରେ, ପରାଜୟରେ, ଅବସାନରେ, ମୃତ୍ୟୁରେ ନୀଡ଼ ରଚିବା ଆସ୍ପର୍ଦ୍ଧା କରିପାରନ୍ତି କେବଳ ରାଜେନ୍ଦ୍ର ହିଁ । ତାଙ୍କ ପାଇଁ ମୃତ୍ୟୁ ସୌନ୍ଦର୍ଯ୍ୟ ଓ ଲୋଭନୀୟତାର ଏକ ଆଧାରଶୀଳା । ବେପରୁୱ୍ଵା ଭାବେ ମୃତ୍ୟୁକୁ ପରିଚର୍ଯ୍ୟା କରିବାରେ ସେ ଯେପରି ଓସ୍ତାଦ, ନମନୀୟ କମନୀୟ ଭାବେ ସ୍ଵାଗତ କରିବାରେ ବି କମ୍‌ ଧୁରନ୍ଧର ନୁହନ୍ତି । ‘ଦମ୍ଭ’ ଉପରେ ନିଜର ସମ୍ଭାଷଣ ଜଣାଇବା ଅବକାଶରେ ମୃତ୍ୟୁ ପ୍ରତି ଥିବା ତାଙ୍କ ସ୍ଵୀକାରୋକ୍ତିକୁ ଲକ୍ଷ୍ୟ କରାଯାଉ-

 

ସବୁଠୁ ବଡ଼ ବିଜୟ ମୋର

ଦମ୍ଭ ଉପରେ ନିଜର ।

ବିଷାଦ ନାଇଁ ଢଳିବାରେ

ପତନକୁ ମୁ ସ୍ଵୀକାର କରିନିଏ ।

ଦେଖ, ମୋର ନିଜର ପଶ୍ଚିମରେ, ନିଜର ଗହ୍ୱରେ

ମୁଁ ଅସ୍ତଯାଏ,

ସୁନ୍ଦର କୋମଳ ପବିତ୍ର ଭାବରେ

ଅସ୍ତଯାଏ ।

(ପଶ୍ଚିମାଶା ପୂର୍ବମୟ)

 

ବଡ଼ ବିଡ଼ମ୍ବନା- ଆଶ୍ଵାସନାର ସ୍ଵରକୁ ଉଜ୍ଜିବୀତ କରିବାରେ ବି କବି ‘ମୁଁ’ ପ୍ରତ୍ୟୟବୋଧକୁ ବାଜି ଲଗାଇ ଦେଇଛନ୍ତି । ମୃତ୍ୟୁକୁ ଆଲିଙ୍ଗନ କରିବାରେ ତିଳେ ହେଲେ ଗ୍ଳାନି ନାହିଁ, ଅନୁଶୋଚନା ନାହିଁ । ବରଂ ସବୀଶୋଷ ବୋଲି କିଛି ନାହିଁ- ଏପରି ଏକ ଆଶ୍ଵାସ ପ୍ରତି ଅନୁରକ୍ତ ହୋଇ ସ୍ଥିର-ଅସ୍ଥିର ବିନ୍ଦୁର ଜ୍ୟାମିତିକ ପରିଭାଷା ଖୋଜିଛନ୍ତି ।

 

ମୃତ୍ୟୁ ଥାଉ କି ଅମରତ୍ୱ ଆଉ ସେଇଠି

ଶିଖର ମାତ୍ରେ ହିଁ ଆରୋହ୍ୟ ।

ଦେଖ, ଦେଖ ଈଶ୍ଵରଙ୍କ ଉତ୍ତୋଳିତ ହାତରେ

ଆଙ୍ଗୁଠି ଉପରେ ଗୋବର୍ଦ୍ଧନ ପରି ତୁ

ଆଉ ଗୋବର୍ଦ୍ଧନ ଚୂଡ଼ାର ଉଚ୍ଚତମ ବିନ୍ଦୁରେ

କେନାଏ କୋମଳ କିଶଳୟ ପରି ମୁଁ

ସ୍ଥିର ହୋଇ ଠିଆ ହୋଇଛି ।

ହଁ, ସେତିକି ନିର୍ଦ୍ଧିଷ୍ଟ ଉଚ୍ଚତାରେ ମୁଁ ସ୍ଥିର ହୋଇଯାଇଛି

ଅନିବାର୍ଯ୍ୟ ବଜ୍ର ପାଇଁ ଅପେକ୍ଷା ରଖିଛି ।

(ଶୈଳକଳ୍ପ)

 

ମୃତ୍ୟୁ ସହିତ ଶିଶୁକୁ ସମ୍ପର୍କିତ କରି ଜୀବନ ପ୍ରତି ଦାୟବଦ୍ଧ ହେବା ଏବଂ ଆତ୍ମପରିଚୟ ଓ ଆତ୍ମବିଲୟ ମଧ୍ୟରେ ସାତ୍ତ୍ୱିକ ଅନ୍ଵେଷଣର ପକ୍ଷଭୁକ୍ତ ହେବା ରାଜେନ୍ଦ୍ରଙ୍କ ବ୍ୟକ୍ତି ସ୍ଵାତନ୍ତ୍ର୍ୟର ଏକ ବଡ଼ ପରିଚୟ । ମୃତ୍ୟୁ ଦୂର ଆକାଶର ଲୋଭନୀୟ ନକ୍ଷତ୍ର ପରି ନୁହେଁ, ମହାଜୀବନର ସ୍ତରରେ ଅମୃତମୟ ବିନ୍ଦୁରେ ସନ୍ଧାନ ପାଇଛନ୍ତି ।

 

ତୁ ମୋର ମୃତ୍ୟୁ-କିନ୍ତୁ କେତେ ସୁନ୍ଦର ମୃତ୍ୟୁ

କେତେ ପ୍ରିୟ ମୃତ୍ୟୁରେ ପ୍ରିୟ ଶିଶୁ ।

ମୃତ୍ୟୁ ଯେଉଁଠି ମହାଜୀବନର ସ୍ତରରେ

ଅମୃତମୟ ବିନ୍ଦୁରେ

ସେଇଠି ତୁ, ସେଇଠି ତୁ

ସେଇଠି ତୁ !

(ଶିଶୁ)

 

ଈଶ୍ଵରଠୁ ବି ବଡ଼

‘ଶୈଳକଳ୍ପ’ରେ ଶିଶୁ ଉପସର୍ଗ ରାଜେନ୍ଦ୍ରଙ୍କ ଏକ ସୁକୁମାର ଲାଳନ । ହସରେ, କାନ୍ଦରେ, ବିଷାଦରେ, ବୈରାଗ୍ୟରେ ନିଜଠି ଶିଶୁସୁଲଭତାକୁ ଜଗାଇ ମାପଚୁପ ଜୀବନର ପାଇବା ନ ପାଇବା ଗଣିତଠୁ ନିଷ୍ପତି ପାଇବା ପାଇଁ ପ୍ରୟାସ ଜାରି ରଖନ୍ତି । ତାଙ୍କ ବିଚାରଧାରାରେ ଶିଶୁଟିଏ ହୋଇପାରିଲେ ହିଁ ସକଳ ଦୁଃଖରୁ ରକ୍ଷା ମିଳିବ । ଶିଶୁ ହିଁ ସତ୍ୟ, ଶିବ ଓ ସୁନ୍ଦର, ଶିଶୁ ହିଁ ଅନ୍ୟତମ ଈଶ୍ୱର, ଶିଶୁ ହିଁ ମନରେ ଜଗାଇ ପାରିବ ଭେଦଭାବକୁ, ଦୁଃଖକୁ, ଗ୍ଳାନିକୁ ଭୁଲାଇପାରିବାର ପ୍ରେରଣା । ବିନା ଶିଶୁଭାବରେ ନିଜଠି ଅନାବିଳତ୍ୱ ଆଣିବା ଅସମ୍ଭବ ବ୍ୟାପାର;ପାପପୁଣ୍ୟ ବିଚାରଠୁ ମଧ୍ୟ ରକ୍ଷା ମିଳିବ ନାହିଁ ।

 

ଶିଶୁତ୍ୱରେ କେବଳ ଦେବତ୍ଵ ନୁହେଁ, ଶିଶୁକୁ ଈଶ୍ୱରଠୁ ବଡ଼ ବୋଲି ବିବେଚନା କରି କବି ଏକ ଅସଚେତନ ପରିଧି ସର୍ଜନ କରିଛନ୍ତି । ବୋଧହୁଏ ସଚେତନତା ହିଁ ସବୁ ଦୁଃଖର ମୂଳଉତ୍ସ ଏହା କହିବା ପାଇଁ ଏପରି ଆୟୋଜନ । ଶିଶୁ ମୋଟେ ଇ ସଚେତନ ନୁହେଁ ନିଜର ଐଶ୍ଵରୀକତାର-। ସୁତରାଂ ଶିଶୁମୟ ପୃଥିବୀ କଳନା ପଛରେ ରାଜେନ୍ଦ୍ରଙ୍କ ଦ୍ରଷ୍ଟାପଣ ବିଶୁଦ୍ଧ ମନ୍ମୟତାର ଆବେଗର ଗତିବାନ ।

 

ସବୁ ମଲାଲୋକ ଲେଉଟି ଆସନ୍ତୁ ଶିଶୁ ହୋଇ

ସବୁ ବଡ଼ମଣିଷ ଶିଶୁ ପାଲଟି ଯାଆନ୍ତୁ ।

ସବୁ ଶିଶୁ ରହିଥାଆନ୍ତୁ ଶିଶୁ ହୋଇ

ସବୁ ଶିଶୁ କବି ହୋଇ ରହିଥାଆନ୍ତୁ ।

(ଶିଶୁ)

 

ଦର୍ଶନ, ପୁଣି ବାଦରେ ଊର୍ଦ୍ଧ୍ୱରେ

‘ଶୈଳକଳ୍ପ’ରେ ରାଜେନ୍ଦ୍ରଙ୍କର ଦାର୍ଶନିକ ଅନୁଚିନ୍ତା କୌଣସି ବାଦ୍‌ ଉପର ପ୍ରତିଷ୍ଠିତ ନୁହେଁ-। ମାନବ ତଥା ବିଶ୍ଵକଲ୍ୟାଣ ନିମନ୍ତେ ମାନବୀୟ ବିଚାରବୋଧକୁ ପାଥେୟ କରି ସେ କାବ୍ୟିକ ଉପପାଦ୍ୟ ପ୍ରତିଷ୍ଠା କରିଛନ୍ତି । ନିର୍ଦ୍ଦିଷ୍ଟ ଅଟକି ରହି ନାହାନ୍ତି, ସବୁବେଳେ ବିଅଣ୍ଡ ଆଡ଼କୁ ତାଙ୍କର ପ୍ରଥମ ନଜର ଯାଇଛି । ତେବେ, ରାଜେନ୍ଦ୍ରଙ୍କ ଦାର୍ଶନିକ ବିଚାରବୋଧ ଅବତାରଣାରେ ‘ମୁଁ’ ପ୍ରତ୍ୟୟବୋଧ ତୀବ୍ର । ପ୍ରଥମ ଓ ଶେଷ କାବ୍ୟପୁରୁଷ ଭାବେ ସଦାବେଳେ ନିଜକୁ ସମ୍ମୁଜ୍ୱଳ କରିଛନ୍ତି । ‘ତମେ’ ପ୍ରତ୍ୟୟ ବୋଧ ଗୌଣ । ହିସାବନିକାସର ଉର୍ଦ୍ଧ୍ୱରେ ଚାଲବୁଲ କରୁଥିବା ତାଙ୍କର କାବ୍ୟପୁରୁଷ ମଧ୍ୟ ଅନେକ ସମୟରେ ଭେଟିବାକୁ ହୁଏ ସ୍ଥିତପ୍ରାଜ୍ଞ ମୁଦ୍ରାରେଥ ନୀରବତାରେ ସେ ଲାଗନ୍ତି କଳରବମୟ । କବିଙ୍କ ଭାଷାରେ - ଗୋଟିଏ ଗୋଟିଏ ଭୂମି ଆସେ ଜୀବନରେ, ଯେତେବେଳେ ପହଞ୍ଚିଯିବାର ବିଭ୍ରମ ଜାଗେ ଅର୍ଦ୍ଧପଥରେ । ସେଇ ମାୟାଭୂମିରୁ ଦିଶିଯାଏ ସୁଗଭୀର ତଳବିତଳ । ଦ୍ୱିଧାବିଭକ୍ତ ହୋଇ ମାଡ଼ିଯାଏ ମୁଁ ସେତେବେଳେ ଅଲୌକିକ ଗୋଟିଏ ପକ୍ଷୀ ଆଉ ପ୍ରଖର ଗୋଟିଏ ଗିରିନିର୍ଝର କରି, ଉତ୍‌ଥାନ ଆଉ ପତନ ଉଭୟ ଆଡ଼େ ସମାନ ବେଗରେ । ସେଇ ଗତି ଦୁର୍ଗତି କିନ୍ତୁ ବସାଇ ଦେଇପାରେନା ମୋତେ ଶିଖରରେ କି ନିପାତ କରିଦେଇପାରେନା କଚାଡ଼ି ଦେଇ ସବାତଳ ବିନ୍ଦୁରେ । ଫେରିଆସେ ମୁଁ ଉଭୟ ଆଡ଼ୁ, ପୁଣିଥରେ ବିପରୀତ ଗତିରେ ।

 

ମୋଟ ଉପରେ କହିବାକୁ ଗଲେ, ଉପରକୁ ତଳକୁ ଯିବା କଥା ବଡ଼ ନୁହେଁ । ନିଜମନସ୍କତାକୁ ନେଇ ଗତି ଜାରି ରଖିବା, ମୁଁ’ ର ସ୍ୱରୂପକୁ ଉଦ୍‌ଘାଟିତ କରିବା ଏବଂ କବିତାରେ, ଜୀବନଚର୍ଯ୍ୟାରେ ନିଜକୁ ଭୁଲିଯିବା ହିଁ ଶୈଳକଳ୍ପୀୟ ଦାର୍ଶନିକ ମନୋଭୂମି ଓ କାବ୍ୟାକାଶ ।

 

ପ୍ରଶ୍ନ ନାହିଁ ସାଲିସ ମାଲିସର

ଦମ୍ଭୋକ୍ତି ଉଚ୍ଚାରଣରେ ‘ସ୍ପର୍ଦ୍ଧ୍ୱା’ ଓ ‘ସ୍ଵାଭିମାନ’ ରାଜେନ୍ଦ୍ରଙ୍କ ଦୁଇଟି ବିମୁକ୍ତ ପକ୍ଷୀ । ଦମ୍ଭୋକ୍ତି ପରିପ୍ରକାଶରେ ସମକାଳର କବି ହିସାବରେ ସେ ଅଦ୍ୱିତୀୟ । ପରାଜୟକୁ, ପତନକୁ, ମୃତ୍ୟୁକୁ ସ୍ଵୀକାର କରାଯାଇପାରେ । କିନ୍ତୁ ଯେଉଁଠି ସ୍ପର୍ଦ୍ଧା ଓ ସ୍ୱାଭିମାନର ପ୍ରଶ୍ନ ଉଠୁଛି ସେଠାରେ କବି ସାଲିସମାଲିସର ଉର୍ଦ୍ଧ୍ୱରେ । ଏକାକିତ୍ଵକୁ ଜାହିର କରିବାକୁ ଯାଇ ଉଦ୍‌ଘୋଷଣା କରିଛନ୍ତି –

 

ଏପରିକି ଛତୁଟାଏ ବି

ଦଣ୍ଡେ ହେଉ କି ଘଣ୍ଟେ ହେଉ-

ଠିଆ ହୋଇ ରହେ ତା’ ଭୂମିରେ ଅବିଚଳ ହୋଇ

ଅନାଇ ପାରେ ସୂର୍ଯ୍ୟକୁ ସିଧା ।

(ପତନ ଚିରନ୍ତନ)

ମଣିଷ କାନ୍ଦନା !

ଦୁଃଖ ଉପସର୍ଗ, ଦୁଃଖପରିଧି ନିର୍ମାଣ କରି ସେଥିରେ ପ୍ରତ୍ୟୟବୋଧର, ସ୍ୱପ୍ନର ବୀଜ ବପନ କରିବାରେ ରାଜେନ୍ଦ୍ରଙ୍କ ଦୃଷ୍ଟିଭଙ୍ଗୀ ଖୁବ୍‌ ଅର୍ଥଦ୍ୟୋତକ । ଏ ଅନୁସଙ୍ଗରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ‘ବିଶ୍ୱଦେଖ ମଧୁମୟ’ ଏବଂ ବୈକୁଣ୍ଠନାଥ ପଟ୍ଟନାୟକଙ୍କ ‘ଜୀବନପାତ୍ର ମୋ ଭରିଛ କେତେ ମୋତେ’, ସନ୍ଥକବି ଭୀମଭୋଇଙ୍କ ‘ଜଗତ ଉଦ୍ଧାର ହେଉ’ ଅନୁଚିନ୍ତା କବିଙ୍କୁ ବେଶ୍‌ ଘାରିଛି । ‘ଉଷା’ କବିତାରେ ‘ଦୁଃଖ ଦିଅ, ଦୁଃଖ ପାଅନା’, ଆଶ୍ଵାସ’ କବିତାର ‘ଯେଉଁଠି ଯେତେବେଳେ ଯିଏ ବି କାନ୍ଦୁ, ତାରି ପାଖରେ ଠିଆ ହୁଅନ୍ତି ଘଡ଼ିଏ । ପୋଛି ଦିଅନ୍ତି ଲୁହ, କହନ୍ତି:ମଣିଷ ।- କବିତାଂଶଗୁଡ଼ିକୁ ଲକ୍ଷ୍ୟ କଲେ ମନେହୁଏ : ଦୁଃଖକୁ, କାନ୍ଦକୁ ପଦାନତ ପାଇଁ କବି ଶିଶୁସୁଲଭତାକୁ ଆପଣେଇ ନେବାଟାକୁ ଶ୍ରେୟସ୍କର ମାର୍ଗ ବୋଲି ଧରି ନେଇଛନ୍ତି ଏବଂ ସମସ୍ତ ଦୁଃଖବୋଧକୁ ଅନାୟାସରେ ହୃଦୟସ୍ଥ କରି ସ୍ଥିତପ୍ରଜ୍ଞତାର ଚରମ ଦୃଷ୍ଟାନ୍ତ ଦେଇଛନ୍ତି । ଦୁଃଖବିହୀନ ପୃଥିବୀର କଳ୍ପନା ତାଙ୍କ କାବ୍ୟଚେତନାରେ ଯେତିକି ସ୍ପଷ୍ଟ ନୁହେଁ, ସମସ୍ତ ଦୁଃଖକୁ ନିଜେ ପାହାଡ଼ ପରି ଆପଣେଇବାରେ ଆଗଭର ହୋଇଛନ୍ତି ।

 

ଚମତ୍କାର ରସ

ରାଜେନ୍ଦ୍ର ପରକୀୟା ପ୍ରୀତିର ଯେପରି ଚରମ ନିଦର୍ଶନ ଆଙ୍କିଯାଇଛନ୍ତି, ସେ ଯେ ପତ୍ନୀପ୍ରେମର ଆରାଧନା କରିପାରିବେ, ଏକଥା ସହଜରେ ବିଶ୍ଵାସ ଯାଏନି । ତେବେ, ‘ପତ୍ନୀପ୍ରତି’ କବିତାରେ ସେ ପତ୍ନୀଙ୍କୁ ପତ୍ନୀତ୍ୱରୁ ମୁକ୍ତି ଦେଇ ପତ୍ନୀପ୍ରେମର ଅମୃତମୟ- ମଧୁମୟଭାବର ଅବତାରଣା କରି ଏକ ଆଦର୍ଶ ସୃଷ୍ଟି କରିପାରିଛନ୍ତି । ସ୍ଵାଧୀନୋତ୍ତର ଓଡ଼ିଆ କବିତାରେ ସୀତାକାନ୍ତ, ସୌରୀନ୍ଦ୍ର ପ୍ରମୁଖଙ୍କ କବିତାରେ ପତ୍ନୀପ୍ରେମର ଅସାମାନ୍ୟ କୃତିତ୍ୱ ପ୍ରଦର୍ଶନ କରିଥିଲେ ହେଁ ରାଜେନ୍ଦ୍ରଙ୍କ କବିତାରେ ଯେଉଁ ଆଶ୍ଵାସ, ଆସ୍ଥା ଓ ବ୍ୟାପ୍ତିର କଳନା ହୋଇଛି ତାହା ଅପୂର୍ବ । ପତ୍ନୀ କବିଙ୍କ ପାଇଁ ଏପରି ଏକ ସମୁଦ୍ର ଯେଉଁଠି ନାଆ ମେଲି ଚାଲିଯାଇ ହୁଏ ଦୂରଦୂରାନ୍ତର, ବେପରୁଓ୍ୱା ଭାବେ ବାଟବଣା ହୋଇହୁଏ ବି । କିନ୍ତୁ ଆଶ୍ଚର୍ଯ୍ୟ ଯେ ହତାଶ ଲାଗିବା ମାତ୍ରକେ ବନ୍ଦର ପହଞ୍ଚିଯାଏ ନିମିଷକେ ଏବଂ ନାଆମଙ୍ଗ ତଟଭୂମି ଛୁଏଁ ।

 

ଅନ୍ୟ ପକ୍ଷରେ କହିଲେ, ନବରସକୁ ଛାଡ଼ିଦେଲେ ‘ଚମତ୍କାର ରସ’ ବିଷୟରେ ସାହିତ୍ୟପଣ୍ଡିତମାନେ ମଧ୍ୟ ବାଢ଼ନ୍ତି । ଏ ଦିଶାରେ ପତ୍ନୀପ୍ରେମରେ ରାଜେନ୍ଦ୍ର ‘ଚମତ୍କାର ରସ’ର ଚମତ୍କାରିତା ଦେଖାଇଛନ୍ତି ପତ୍ନୀଙ୍କୁ ଧର୍ତନୀ ଓ ଈଶ୍ଵରୀର ପର୍ଯ୍ୟାୟକୁ ନେଇଯାଇ । ଦେହଜ ପ୍ରେମ, ସ୍ମୃତିବିସ୍ତୃତି ରୋମନ୍ଥନର ଉର୍ଦ୍ଧ୍ୱକୁ ଯାଇ ସେ ପତ୍ନୀପ୍ରେମର ମୁକ୍ତିପ୍ରୟାସୀ ମାନସିକତାକୁ ପରିଚର୍ଯ୍ୟା କରିଛନ୍ତି ।

 

ଅମୃତ ବୁନ୍ଦାକ ହୁଏତ ମୋ ଭାଗ୍ୟରେ ନାହିଁ ।

ଏତିକି ଜାଣେ

ତମେ ଏମିତି ଏକ ସମୁଦ୍ର

ଯାହାକୁ ନିରବଧି କାଳ ମନ୍ଥଥିଲେ ବି

ହଳାହଳ ନିଗିଡ଼େ ନାହିଁ ।

(ପତ୍ନୀପ୍ରତି)

 

ପତ୍ନୀପ୍ରେମର ପରାକାଷ୍ଠା- ପ୍ରତ୍ୟାଶାଠି ଅଟକି ନଯିବାଟା ଏଠିକାର ସବୁଠାରୁ ବଡ଼ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ । ଏହା ଆବେଗର ପରିପୂର୍ତ୍ତି ପାଇଁ ସବୁ ସମ୍ଭାବନାର ଦ୍ଵାର ଫିଟାଉଛି ।

 

ଦି’ ଗଡ଼ କରି କାଟିଦିଅ : ଦିଓଟି ଯାକ ‘ମୁଁ’

ମାଟି ସମ୍ପତି ଆଳରେ ରାଜେନ୍ଦ୍ରଙ୍କ ଜୀବନାନୁଚିନ୍ତା ପୂନର୍ଜନ୍ମନାନୁଚିନ୍ତା ବଡ଼ ଅର୍ଥବହ ନା’ ଜୀବନାନୁଚିନ୍ତା- ପୂନର୍ଜନ୍ମନାଚିନ୍ତା ଆଳରେ ମାଟିସମ୍ପ୍ରୀତି ବଡ଼ ଅର୍ଥବହ-ଏହାର ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିବା ଅତ୍ୟନ୍ତ କାଠିକାର ପାଠ । ‘ଜୀବନପ୍ରତି’ କବିତାରେ କବି ମୋକ୍ଷଫୋକ୍ଷକୁ ଅପେକ୍ଷା ନରଖି ବାରମ୍ବାର ଜନ୍ମଦେବା ପାଇଁ ଉଲ୍ଲାସବେଦନାରେ ନାଚିବା କୁଦିବା ଛିଟିକିବା ପାଇଁ ବର ମାଗୁଛନ୍ତି । କିନ୍ତୁ ‘ଜିଆ’ କବିତାରେ ପୁନର୍ଜନ୍ମରେ ଜିଆ ହେବାଟାକୁ ହିଁ ଇଚ୍ଛା କରିଛନ୍ତି ।

 

ମୃତ୍ୟୁ ସେପରି

ତୋ ପାଇଁ ତାକୁ ମୋର ଜମା ଡର ନାହିଁ ।

ମତେ ଏଇ ବର ଦେରେ ଜୀବନ ।

ଥରକୁ ଥର ମୁଁ ଯେମିତି ତୋର

ଅଥଳ ଅଥୟ ଡଅଁର ଭିତରେ

ଅତି ଛୋଟ ଏକ ହୁଲିଡଙ୍ଗା ପରି

ଏମିତି ଉଲ୍ଲାସ ବେଦନାରେ

ନାଚୁଥିବି ଡେଉଁଥିବି, ଘୁରୁଥିବି, ଛିଟକୁ ଥିବି ।

ମୋକ୍ଷଫୋକ୍ଷ ମୋର ଲୋଡ଼ା ନାହିଁ ।

(ଜୀବନ ପ୍ରତି)

 

ଦି’ଗଡ଼ କରି କାଟଦିଅ ତାକୁ-

ତିଳେ ବି ନାଇଁ ପ୍ରତିବାଦ,

ଦିଓଟି ମୁଁ ତାର ଚାଲିରହିଛନ୍ତି ସେମିତି ।

ଯଦି ପୁନର୍ଜନ୍ମ ଦିଅ ପ୍ରଭୁ ।

ଆରଥରକୁ ମୁଁ

ମଣିଷ ନୁହେଁ, ଜିଆଟିଏ ହୁଅନ୍ତି ।

(ଜିଆ)

 

ଜୀବନକୁ କର୍ମପ୍ରେରଣାର ଦୀପ୍ତିରେ ଉଦ୍ଭାସିତ କରିବା ଦିଗରେ କବି ଯେତିକି ତତ୍ପର, ନିଜକୁ ନିଜ ଅର୍ଥରେ ଭୋଗ କରିବା ଦିଗରେ ତତୋଧିକ ମୋହାସକ୍ତ । ଜିଆ ନିଜକୁ ଭୋଗ କରେ, ବଳି ମାଗେନା ବୋଲି ସୂଚାଇ ଦେବା ଆଳରେ କବିଙ୍କ ଉଦ୍ଦାତ୍ତ ସ୍ପର୍ଦ୍ଧାର ସ୍ୱର ରହିଛି । ତାଛଡ଼ା, ଦି’ଗଡ଼ କରି କାଟିଦେବା ସତ୍ତ୍ଵେ ତିଳେହେଲେ ପ୍ରତିବାଦ ନକରିବା ଓ ଦିଓଟିଯାକ ମୁଁ ହୋଇ ପୂର୍ବବତ ଚାଲିରହିବା ପଛରେ ରହିଛି ଏକାକିତ୍ୱ ଅହଂ । ହେଲେ ଏକାକିତ୍ୱ ଅଂହ ଆକାଶମନସ୍କ ନୁହେଁ, ମାଟିମନସ୍କ । ମାଟିରେ ମାଟି ହୋଇଯିବା କିମ୍ବା ମାଟିରେ ଘୁଷୁରୁଥିବାର ଜିଆ ପରିଚର୍ଯ୍ୟାର ପରାଭବ ପୃଷ୍ଟ । ଜିଆ ସାମାନ୍ୟ ଜୀବ ନୁହେଁ, ଅନନ୍ତକାଳର ଏକ ପ୍ରତିରୂପ, ତା’ଠି ଉତ୍‌ଥାନ ପତନ ସମାବିଷ୍ଟ । ମାଟି ବିନା ତାର ସ୍ଥିତି ନାହିଁ ।

 

ପାଇବା ନୁହେଁ, ଦେବା

ରାଜେନ୍ଦ୍ରଙ୍କ ପ୍ରେମ ଅନନ୍ତପ୍ରେମ, ନୈସର୍ଗିକ ପ୍ରେମ । ମୁଁ ତମର ତଟମାତ୍ର, ସୁନ୍ଦର, ଜୀବନପ୍ରତି, କବିତାକୁ ଅନୁଶୀଳନ କଲେ ମନେହୁଏ କବି ସର୍ତ୍ତବିହୀନ ଭଲପାଇବା ପ୍ରତି ଅନୁରକ୍ତ-। କାହାଠୁ କେତେ ପ୍ରେମ ପାଇଲେ ତାହା ଯେତେବଡ଼ ନୁହେଁ, କାହାକୁ କେତେ ପ୍ରେମ ବାଣ୍ଟି ପାରିଲେ ତାକୁ ହିଁ ଗୁରୁତ୍ଵ ଦିଅନ୍ତି । ପ୍ରେମ ବ୍ୟାପାରରେ ରାଜେନ୍ଦ୍ରଙ୍କ ଯେଉଁ ବ୍ୟକ୍ତିଗତ ସ୍ୱର ଉଠେ ସେଇଠି ଭେଟ ହୋଇହୁଏ ସାର୍ବଜନୀନ ସ୍ଵରର । ଅତ୍ୟନ୍ତ ନିଷ୍ଠା ସହକାରେ ପ୍ରାଣ ଭରି କାହାକୁ ବି ସେ ଭଲପାଆନ୍ତି । ନାରୀପ୍ରେମରେ ଯେ ପରିତ୍ରାଣ ଅଛି ଏପରି ବିଶ୍ଵାସଠୁ ବହୁ ଉର୍ଦ୍ଧ୍ୱରେ ସେ । ତେବେ, ନାରୀପ୍ରେମରେ ନିଜକୁ ନିର୍ଲିପ୍ତ କରିବାରେ ସତ୍ୟ-ଶିବ-ସୁନ୍ଦରର ଅନ୍ୱେଷଣ କରିବାରେ ତାଙ୍କର ଦ୍ୟୋତନା ଯାହାତ ହୁଏ, ହୁଏ ଅସତ୍ୟ-ଅଶିବ-ଅସୁନ୍ଦର ଠି ବି ପ୍ରେମ ରହିଛି ମୁକ୍ତଗଳାରେ କହନ୍ତି ସେ ।

 

ଏଥିରେ କ’ଣ ନଅଛି !

‘ଝିଅ ପାଇଁ ଗୋଟିଏ କବିତା’ ଶୈଳକଳ୍ପର କେବଳ ଏକ ଉତ୍ତୀର୍ଣ୍ଣ କବିତା ନୁହେଁ, ଓଡ଼ିଆ ସାହିତ୍ୟର ଏକ ଅମୂଲ୍ୟରତ୍ନ । ଉତ୍ତର ସ୍ଵାଧୀନତା କାଳରେ ଲେଖାଯାଇଥିବା କବିତା ମଧ୍ୟରେ ‘ଝିଅ ପାଇଁ ଗୋଟିଏ କବିତାକୁ ଏକ ସର୍ବୋତ୍କୃଷ୍ଟ ସୃଷ୍ଟି ବିବେଚନା କରାଯାଇପାରେ । ଗୋଟିଏ ଧାଡ଼ିରେ କହିବାକୁ ଗଲେ ‘ଝିଅ ପାଇଁ ଗୋଟିଏ କବିତା’କୁ ବାଦ ଦେଇ ରାଜେନ୍ଦ୍ରଙ୍କୁ ଯେତେ ଆଲୋଚନା କଲେ ମଧ୍ୟ କଥାଟା ଅପୂର୍ଣ୍ଣ ରହିଯିବ । ସାହିତ୍ୟିକ ସମୀକ୍ଷକ ମହଲରେ ଏ କବିତା ଯେତିକି ଦୃଷ୍ଟି ଆକର୍ଷିତ ହୋଇଛି, ସାଧାରଣ ପାଠକେ ମଧ୍ୟ ସମପରିମାଣରେ ଗ୍ରହଣ କରିଛନ୍ତି । ସତୁରୀ ଦଶକ ପରବର୍ତ୍ତୀ ଓଡ଼ିଆ କବିତା ଭିତରୁ ଯେଉଁ କାଁ ଭାଁ କବିତା ଜନମାନସକୁ ଛୁଇଁଛି ତନ୍ମମଧ୍ୟରେ ‘ଝିଅ ପାଇଁ ଗୋଟିଏ କବିତା’ ଅନ୍ୟତମ ।

 

ଓଡ଼ିଆ ସାହିତ୍ୟରେ ଉପେନ୍ଦ୍ର ଭଞ୍ଜନ ଦୀନକୃଷ୍ଣ ଦାସ ଠୁ ଆରମ୍ଭ କରି ବର୍ତ୍ତମାନର ଯେତେ କବି ଝିଅକୁ ନେଇ କବିତା ରଚନା କରିଛନ୍ତି ରାଜେନ୍ଦ୍ରଙ୍କ ଝିଅ ପାଇଁ ଗୋଟିଏ କବିତା’ ସମସ୍ତଙ୍କଠୁ ଆଧୁନିକ, ସର୍ବକାଳୀନ ଏବଂ ପ୍ରଗତିଶୀଳ । କବିତାଟିର ବକ୍ତବ୍ୟବେଳେ କାବ୍ୟପୁରୁଷ ଜଣେ ଦାୟିତ୍ଵବାନ ବାପାର ଭୂମିକାରେ ଅବତୀର୍ଣ୍ଣ । ତେବେ, ନାରୀସଭା କବି ମନକୁ ପରିପ୍ଳୁତ କରି ରଖିଥିବାରୁ ନାରୀ ଅଭିବ୍ୟକ୍ତିର ବଖାଣବେଳେ କବି ଗୋଟାପଣେ ସାଂଖ୍ୟ ଯୋଗ-ତତ୍ତ୍ଵ ପ୍ରୟୋଗ କରିଦେଇଛନ୍ତି । ଫଳରେ, ନାରୀ ନାରୀ ଭିତରେ ରହିଯାଇଛି । କିନ୍ତୁ ନାରୀତ୍ୱର ପରିସୀମା ଛୋଟଛୋଟ ବନ୍ଧନୀରୁ ମୁକ୍ତି ପାଇଛି । ରାମାୟଣର ସୀତାଦେବୀଙ୍କ କଥାଆଳରେ ଏଇଠି ବ୍ୟବହାର ହୋଇଥିବା ସାମାଜିକ ବାସ୍ତବତାର ଆତ୍ମପରିଚୟ ପକ୍ଷଟି ନିଆରା । ମିଥ୍‌କୁ ମିଥ୍‌ରୁ ମୁକ୍ତି ଦେଇ ନିଜସ୍ଵ ମିଥ୍‌ ସୃଷ୍ଟି କରାଯାଇଛି । ଆଦର୍ଶବାଦ ନିକଟରେ ଅଟକି ରହିନାହାନ୍ତି କବି ।

 

ଶତକେ ଶରତ ଥିବୁ, ବୁଢ଼ୀ ହେବୁ ନାଇଁ ଝିଅ ।

ସମ୍ପାକଟା କରିବୁନି, ନିଜକୁ ନୁହେଁ କି ନିୟତିକି ନୁହେଁ,

କେତେ ଝୀନ କେତେ ସୂକ୍ଷ୍ମ ତୋର ଜୀବନ

ଉଭେଇ ଯିବ କବିତା, ଚହଲିଯିବ ମିଳେଇଯିବ ସ୍ଵପ୍ନ ।

ଦାରୁଣତମ ଦୁଃଖରେ ବି

ମାଟିକୁ ଫାଟିଯା ବୋଲି କେବେ କହିବୁନି, ମା

ପୋତି ହୋଇଯିବ ଆକାଶ ।

(ଝିଅ ପାଇଁ ଗୋଟିଏ କବିତା)

 

ପ୍ରଗତିଶୀଳ ଚେତନା ନେଇ କବିଙ୍କର ଏଥରେ ଅନ୍ତରଙ୍ଗ ଉଦ୍ଦାମତା ନାରୀ ଜାତି ପାଇଁ ଏକ ଆଶୀର୍ବାଦ । ଲଜ୍ଜା, ସହନଶୀଳତା ଆଦିକୁ ନାରୀର ଭୂଷଣ କହି କବି ତଥା ନୈତିକବାଦୀମାନେ ଯେଉଁ ସବୁ ଶୃଙ୍ଖଳା ଗଢ଼ିଛନ୍ତି ରାଜେନ୍ଦ୍ର ସେଇଠୁ ଏକାବେଳେ ଚାରିପାଦ ଆଗକୁ ବଢ଼ିଯାଇଛନ୍ତି । ସମୟ ସହିତ ତାଳ ଦେବା ଏବଂ ଅବସ୍ଥା ମୁକାବିଲା ପାଇଁ ଆହ୍ଵାନ ଜଣାଇଛନ୍ତି । ଝିଅକୁ ତରୁପରି ପଲ୍ଲବିବା, ଫୁଲ ମେଢ଼ ମେଲିଦେବା, ଫଳଭାର ଲଦିଦେବା, ପକ୍ଷୀବସା ଡାଳ ଡାଳ ନେନ୍ଥିଦେବା- କହିବା ବେଳେ ‘କଣ୍ଟାର ସମ୍ଭାର’ କଥା କହିଛନ୍ତି । ‘କଣ୍ଟାର ସମ୍ଭାର’ ଆତ୍ମସୁରକ୍ଷା ବା ନିରାପତ୍ତା ନିମିତ୍ତ ବ୍ୟବହୃତ । ଛୁଆଁ ପାଇବା ମାତ୍ରକେ ସିଧା ହୋଇ ଠିଆ ହେବା ଏବଂ ତରୁପରି ପଲ୍ଲବିବା ପାଇଁ ଦିଆଯାଇଥିବା ପରାମର୍ଶରେ ଆତ୍ମସ୍ଵାଭିମାନ, ସ୍ଵଭାଲମ୍ବିତା ଓ ପୂର୍ଣ୍ଣବିକଶିତ ଭାବର ସ୍ଵର ଉପବିଷ୍ଟ ।

 

ଲାଜକୁଳୀ ବୁଦା ପରି ମୁଦି ହୋଇ ସାଙ୍କୁଡ଼ି ଯାଇ ।

କୁନୀ ହୋଇ ରହିବୁ କାହିଁକି ?

ଛୁଆଁ ପାଇବା ମାତ୍ରକେ ଠିଆ ହେବୁ ସିଧା ହୋଇ, ତରୁ ପରି ପଲ୍ଲବିବୁ

ମେଲିଦେବୁ ଫୁଲମେଢ଼, ଫଳଭାର, ପକ୍ଷୀବସା ଡାଳଡାଳ

ପୁଣି କିଛି କଣ୍ଟାର ସମ୍ଭାର, ମେଲିଦେବୁ...

ଦେବୁ ଆଉ ଦେପଦ ବୋଲିବୁ ।

(ଝିଅ ପାଇଁ ଗୋଟିଏ କବିତା)

 

ପୀଡ଼ାକୁ ଧାରଣା କରିବା, ଦୁଃଖକୁ ଅତିକ୍ରମ କରିଯିବା, ଯୋଗ୍ୟତମ ଦେଖି ସମର୍ପିବା, ଉଲ୍ଲାସରେ ବି ଶିକାରରତ ପତଙ୍ଗଟିର ବ୍ୟଗ୍ରହଚଲ୍‌ ପରି ଅଧିକରୁ ଅଧିକ ଶିହିର ଉଠିବା, କାହାଣୀର ବୁଢ଼ୀ ଅସୁରୁଣୀ ଗୋଟିଏ ଗୋଡ଼କୁ ଚୂଲିରେ ପୂରାଇ ଜାଳି ଆରଟି ସେକିଲା ପରି ବଞ୍ଚିବା, କୋହଚାପି ସ୍ମିତ ଖେଳାଇବା, ସର୍ବୋପରି ମହୁମୁହାଣ-ଲହୁଲୁହାଣ ହେବା ପାଇଁ କବି ଝିଅକୁ ଯେଉଁ ପରାମର୍ଶମାନ ଦେଇଛନ୍ତି ସେଥିରେ ଅନନ୍ତ ବିଶ୍ଵାସ ଓ ଆତ୍ମପ୍ରତ୍ୟୟ ବୋଧ ରହିଛି । ଛଟ୍‌ପଟ୍‌ ପତଙ୍ଗଟି ଭିତରେ ନିଜକୁ ଥାପି, ଅନୁଭବ କରି ଯନ୍ତ୍ରଣାରେ ଯେତିକି ନୁହେଁ, ଉଲ୍ଲାସରେ ତତୋଧିକ ଶିହିର ଉଠିବାର ପରିକଳ୍ପନା ଏଠିକାର ସବୁଠାରୁ ବଡ଼ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ । ଉଲ୍ଲାସରେ ଅଧିକ ଶିହିରି ଉଠିବା ନୂଆପଣର ପରିଚାୟକ ଏବଂ ଏକାବେଳେ ଜାଗରୁକତାକୁ ନିର୍ଦ୍ଦେଶ କରୁଛି ।

 

ଅତିଶୟ ଦୁଃଖକୁ ସହ୍ୟ କରି ନପାରି ସତୀସୀତା ମାଟିକୁ ଫାଟିଯା ବୋଲି ସ୍ଥାନ ମାଗିନେବା ନେଇ ପ୍ରଚଳିତ ସମାଜରେ ଯେଉଁ ମିଥ୍‌ର ପ୍ରତିଷ୍ଠା ହୋଇଛି ‘ଝିଅ ପାଇଁ ଗୋଟିଏ କବିତା’ ଜରିଆରେ କବି ବିରାଟ ଚ୍ୟାଲେଞ୍ଜ କରି ସ୍ଵକୀୟ ମିଥ୍‌ ସୃଷ୍ଟି କରିଛନ୍ତି । ମୋଟ ଉପରେ କହିବାକୁ ଗଲେ ‘ଝିଅ ପାଇଁ ଗୋଟିଏ କବିତା’ ଏକ ସ୍ଵଂୟସମ୍ପୂର୍ଣ୍ଣ କବିତା । ଏଥିର ମାନ୍ତ୍ରିକ ଉଚ୍ଚାରଣ, ଉପନିଷଦୀୟ ଭାବଧାରା, ପ୍ରଗତିଶୀଳ ଚେତନା, ସ୍ଵପ୍ନିଳ ଚିଦାନନ୍ଦ, ମଧୁର ସ୍ପର୍ଦ୍ଧିତା ଭାବାବେଗ, ଜୀବନାନୁଚିନ୍ତା ସାଙ୍ଗକୁ ଗଠନ ରୀତିର ଅଭିନବତା, ଭାଷା ପ୍ରୟୋଗ ଏବଂ ଶବ୍ଦେଶ୍ଵର୍ଯ୍ୟର ମାଧୁରିମା ଏକ ଅମରକୃତିର ମାନ୍ୟତା ଦିଏ ।

 

ଚନ୍ଦ୍ରର କାଳିମା

‘ଶୈଳକଳ୍ପ’ରେ ଯେ ଅନ୍ଧାର ଦିଗ ନାହିଁ, ଏମିତି ନୁହେଁ । ଏଥିର କେଉଁଠି କେଉଁଠି ନବବ୍ରାହ୍ମଣ୍ୟବାଦ (ଜାତିଅର୍ଥରେ ନୁହେଁ)ର ସ୍ଵର ତୀବ୍ର ଥିବାବେଳେ ମିଛ ବାହାସ୍ଫୋଟିୟ ଉଚ୍ଚରଣ ରହିଛି । ସଂସ୍କୃତ ମହାକବି ଭର୍ତ୍ତୃହରିଙ୍କ କହିବା ଅନୁଯାୟୀ ରାଜେନ୍ଦ୍ରଙ୍କ ‘ଦମ୍ଭୋକ୍ତି’ କେତେସ୍ଥାନରେ ସପ୍ତମରିପୁ ପରି । ଆବେଗିକ ପଶାପାଲିରେ ଛନ୍ଦି ହେଇଛନ୍ତି କବି । ହେତୁବାଦୀ ଚେତନା କବିଙ୍କଠି ଜଡ଼େଇଥିବାରୁ କବିତାର ଭାଗ୍ୟ ସ୍ଵଭାବିକ ରୀତିରେ ନିର୍ଦ୍ଧାରିତ ହୋଇପାରେ ନାହିଁ । ରହସ୍ୟବାଦୀ ଅନୁଚିନ୍ତନରେ ଖିଆଲି ଭାବାବେଗ ଧସେଇ ପଶିଛି । ମୁଁକାର ପ୍ରତି କବି ଅଯଥାଟାରେ ଅଧିକ ଗୁରୁତ୍ୱ ଦେଇଥିବା ମନେହୁଏ ।

 

‘ଶୈଳକଳ୍ପ’ରେ ଯେଉଁ ଦୋଷଦୁର୍ବଳତା ରହିଛି ତାହା ଚନ୍ଦ୍ରର କାଳିମା ପରି । ଏହାଦ୍ଵାରା ‘ଶୈଳକଳ୍ପ’ର ମାନ୍ୟତା-ପ୍ରତିଷ୍ଠାରେ ସାମାନ୍ୟତମ ଫରକ୍‌ପକାଇ ପାରିବ ନାହିଁ । କାରଣ ‘ଶୈଳକଳ୍ପ’ର ଅବଗାହନ ପାଇଁ ପାଦଦେଶ ନୁହେଁ, ଶୀର୍ଷଦେଶ ବା ଶିଖରବିନ୍ଦୁ ହିଁ ତୀର୍ଥଘାଟ ।

 

 

‘ସମାଜ’

ଗୋପବନ୍ଧୁ ଭବନ, କଟକ- ୧

 

***

 

ମଧ୍ୟଯୁଗୀୟ କାବ୍ୟ ସାହିତ୍ୟରେ ଭକ୍ତି ଭାବନା

ଓ କବି ଭକ୍ତଚରଣ ଦାସ

ଡକ୍ଟର ପୂର୍ଣ୍ଣଚନ୍ଦ୍ର ପାଢ଼ୀ

 

ପ୍ରିୟ ପରମେଶ୍ୱରଙ୍କ ପ୍ରତି ନିରବଚ୍ଛିନ୍ନ ଭଲପାଇବାର ଦୃଢ଼ତାହିଁ ଭକ୍ତି । ‘‘ସା ପରାନୁରକ୍ତିଣୀଶ୍ଵରେ’’ - ଈଶ୍ୱରଙ୍କ ପରେ ଅନୁରକ୍ତି ହିଁ ଭକ୍ତି । (ଶାଣ୍ଡିଲ୍ୟ ଭକ୍ତି ସୂତ୍ର-୧/୧/୨)

 

‘‘ଇଷ୍ଟେ ସ୍ଵାରସିକୀ ରାଗଃ ପରମାବିଷ୍ଟତା ଭବେତ୍‌ ।

ତନ୍ମୟୀ ଯା ଭବେଭକ୍ତିଃ ସାତ୍ର ରାଗାତ୍ମିକୋଦିତା’’ ।

ଭକ୍ତି ରସାତ୍ମକ ସିନ୍ଧୁ ୧/୨/୭୧

 

ସୃଷ୍ଟିର ଆଦି କାଳରୁ ଅଦ୍ୟାବଧି ମାନବ ହୃଦୟରେ ପ୍ରିୟ ପରମଙ୍କ ପାଇଁ ପୋଷିତ ଚିର ରହସ୍ୟମୟୀ ବର୍ଣ୍ଣିଳ ବହ୍ନିମାନ୍‌ ଉଚ୍ଛ୍ୱାସ ଓ ଉଚ୍ଚାଟନର କ୍ରିୟା-ପ୍ରତିକ୍ରିୟା ପୂର୍ଣ୍ଣ ସମ୍ବେଦନଶୀଳତାରୁ ଭକ୍ତି ଭାବନା ନାମରେ ଅଭିହିତ ହୋଇ ଆସିଛି । ସୂର୍ଯ୍ୟଙ୍କ ଦର୍ଶନରେ ସୂର୍ଯ୍ୟମୁଖୀର ହାସ, ପରିହାସ ଓ ପରିକ୍ରମା, ମେଘମାୟାରେ ମୋହିତ ମୟୂରର ନୃତ୍ୟ, ସଂଧ୍ୟାର ନମ୍ରପଦପାତରେ ପୁଷ୍ପରାଗର ଅମୃତ ବିଚ୍ଛୁରଣ ବସନ୍ତ ଆଗମନରେ କୋକିଳର କୂଜନ, ଚନ୍ଦ୍ରର ଅଭିସାରରେ ଜଳଧିବକ୍ଷରେ ସ୍ଵୟଂସୃଜିତ ଉଚ୍ଛ୍ୱାସମୟୀ ପ୍ରଫୁଲ୍ଲତା- ଏଗୁଡ଼ିକ ପ୍ରକୃତି ଜଗତରେ ସ୍ଵୟଂକ୍ରିୟ ଭାବେ ଦେଖାଯାଏ । ଭକ୍ତିରସର ସୁଧାସ୍ଵାଦୀ ଉନ୍ମାଦନାରେ ଉଚ୍ଚାଟିତ ପ୍ରାଣ ହିଁ ଭକ୍ତ, ନିତ୍ୟ ନୈବେଦ୍ୟର ଆକର୍ଷଣରେ ଯାହାର ନୈମତ୍ତିକ ପ୍ରବୃତ୍ତି । ଭକ୍ତି, ପ୍ରାର୍ଥନା ଓ ଉପାସନା ସମାର୍ଥ ବୋଧକ ଶବ୍ଦ ଯେଉଁ ଗୁଡ଼ିକ ସାକାର ହୋଇଥାଏ ଭକ୍ତଙ୍କ ନିକଟରେ । ଈଶ୍ୱରଙ୍କ ନାମ ଶ୍ରବଣ ମାତ୍ରେ ଯାହାଙ୍କର ହୃଦୟର ଆନନ୍ଦ ସିନ୍ଧୁ ଆପଣାଛାଏଁ ପୁରିଉଠେ ପ୍ରେମ ପୁଲକରେ, ଅଶୁ, ସ୍ଵେଦ, କମ୍ପନ, ବେପଥୁ ଯାହାଙ୍କୁ କରିଦିଏ ଅଧୀର, ସବୁକିଛି ତାଙ୍କରି ପାଦରେ ଅଜାଡ଼ି ଦେଇ ସୁଦ୍ଧା କିଛି ଦେଇ ପାରିନି ବୋଲି ଅସ୍ଥିରତା ଯାହାଙ୍କୁ କରେ ଆନମନା, ଲୋକେ ତାଙ୍କ ସମ୍ପର୍କରେ ଆସିଲେ ତାଙ୍କୁ ଭକ୍ତର ଆଖ୍ୟା ଦେଇଥାନ୍ତି । ‘‘Love never reasons, but profusely, gives like a thoughtless prodigal its all and trembles then, lest it has done too little’ - H. more । ସନ୍ଥ କବୀର କହନ୍ତି-

 

ଭକ୍ତିକା ମାରଗ ଝୀନାରେ

ନହିଁ ଅଚାହ ନହିଁ ଚାହନା

ଚରନ ନ ଲୌ ଲୀନାରେ

ସାଧନକେ ରସଧାର ମେ

ରହେ ନିଶିଦିନ ଭୀନାରେ

ରାଗମେ ସ୍ରତ୍‌ ଐସେ ବସେ

ଜୈସେଜଲ୍‌ ମୀନାରେ ।

 

ଭକ୍ତିର ପଥ ଅତି ସୁକ୍ଷ୍ମ: ତା’ର ଚାହିଁବା ବି ନାହିଁ, ନଚାହିଁବା ବି ନାହିଁ । ତା’ର ଧ୍ୟାନ- ସେହି ଚରଣରେ । ସଂପୂର୍ଣ୍ଣ ଲୀନ ହେବା । ସାଧନାର ରସଧାରରେ ସେ ନିତିଦିନ ଅଭିଷିକ୍ତ । ଜଳ ଭିତରେ ଯେପରି ମୀନ- ସେହିପରି ସେ ବୁଡ଼ି ରହେ ପ୍ରେମ ରାଗରେ ।

 

ଭକ୍ତି କେବେ ନିଷ୍କ୍ରିୟ ନୁହେଁ । ଏକାନୁଭକ୍ତି, ତୀବ୍ରତା ଓ କ୍ରମାଗତରେ ହିଁ ଭକ୍ତିର ସୌନ୍ଦର୍ଯ୍ୟ ଓ ସାର୍ଥକତା । ଯୁଗେ ଯୁଗେ ଭକ୍ତ ହୃଦୟରେ ଅତୁଟ କର୍ମମୟ ଅନୁରାଗ-ତାକୁ କ୍ରିୟା ଯୋଗୀ କରି ତୋଳିଛି । ଯେଉଁ ହନୁମାନ ଶ୍ରୀରାମଙ୍କ ପାଇଁ, ସତ୍ୟପାଇଁ ଶ୍ରୀ ଲଙ୍କା ଦହନ କରିପାରନ୍ତି, ବିଶଲ୍ୟକରଣୀ ଚିହ୍ନି ନପାରି ଆକାଶମାର୍ଗରେ ଉଡ଼ାଣ କରି ନେଇ ଆସି ହାଜର କରାଇଦିଅନ୍ତି ଗନ୍ଧମାର୍ଦ୍ଦନ ପର୍ବତ, ସେ ମଧ୍ୟ ନୟନାଭିରାମ, ନବଦୁର୍ବାଦଳକାନ୍ତି ହୃଦୟ ସର୍ବସ୍ଵ ମର୍ଯ୍ୟାଦାପୁରୁଷ ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ରଙ୍କ ଦିବ୍ୟ ଜୀବନ କାହାଣୀକୁ ନେଇ ନାଟ୍ୟରୂପ ପ୍ରଦାନ ପୂର୍ବକ ‘ସହାନାଟକ’ ରଚନା କରି ଅମର କବିତ୍ୱର ସୂକ୍ଷ୍ମ ଅମୃତ ଝରଣା ସର୍ଜନା କରିପାରନ୍ତି । ଯୁଗେ ଯୁଗେ ଭକ୍ତ ପ୍ରତିଷ୍ଠା କରିଛି ତା’ର ପ୍ରେମମୟ ଇଷ୍ଟଦେବତାଙ୍କୁ ପ୍ରସ୍ତରକୁ ପୁଷ୍ପକରି ଶ୍ରୀ ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠା ମାଧ୍ୟମରେ କିମ୍ବା ରାମାୟଣ, ମହାଭାରତ ପରି ବିପୁଳ କାୟ କବିକର୍ମର ଚିରଞ୍ଜୀବୀ ରଚନା ମାଧ୍ୟମରେ । Poets affirm their sensible feelings on him as their poetry of palatable rhythms, lustre of serenade, abode of eternity and fountain of Joy.(Sri Sri Thakur Anunkul Chandra A divine profile - or. P.C. Parhi)

 

ପ୍ରାଚୀନ ଭକ୍ତି ଭାବନାର କୋଳକୁ ନବୀନତାର କୋମଳତା ନେଇ ଭାରତବର୍ଷରେ ଓହ୍ଲେଇ ଆସେ ମଧ୍ୟ ଯୁଗୀୟ ଭକ୍ତି ଚେତନାର କାବ୍ୟଧାରା । ଜାତିପ୍ରଥାର ଦୁର୍ଭେଦ୍ୟ ଦୁର୍ଗ ମଧ୍ୟରେ ଯେତେବେଳେ ବଂଦୀଥିଲା । ଭାରତୀୟ ଜୀବନ, ଈଶ୍ଵରଙ୍କ ଚଳନ୍ତୀ ପ୍ରତିମା ରାଜା ମହାରାଜା ଓ ବ୍ରାହ୍ମଣମାନଙ୍କ ମୁହଁରେ ଯେତେବେଳେ ସଂସ୍କୃତ ଭାଷାରେ ସଂହିତା ଓ ଦର୍ଶନ ଶାସ୍ତ୍ରସମୂହ କଦର୍ଥରେ ପ୍ରତିପାଦିତ ହେଉଥିଲା, ଯବନ ଶାସକମାନଙ୍କର ପୈଶାଚିକ ଉଲ୍ଲାସ ଓ ଅଟ୍ଟହାସରେ ବିବ୍ରତ ହୋଇ ରୋରୁଦ୍ୟମାନା ଥିଲେ ଜନନୀ ଭାରତବର୍ଷ ସେତେବେଳେ ଈଶ୍ୱରଙ୍କ କୃପାଦୃଷ୍ଟି ବଳରେ ଜନ୍ମନେଲେ ଭକ୍ତି ଆନ୍ଦୋଳନର ପ୍ରମୁଖ ଆଚାର୍ଯ୍ୟସମୂହ । ଦାକ୍ଷିଣାତ୍ୟରେ ପ୍ରଥମେ ଜନ୍ମଲାଭ କଲେ ମହାତ୍ମା ରାମାନୁଜ, ବ୍ରହ୍ମ ଏକ ଏବଂ ସର୍ବଶ୍ରେଷ୍ଠ । ଲକ୍ଷ୍ମୀ-ନାରାୟଣ ତାଙ୍କ ମୂର୍ତ୍ତରୂପ. । ସଦ୍‌ଗୁରୁଙ୍କ ଅନୁସରଣ ପୂର୍ବକ ଲକ୍ଷ୍ମୀ-ନାରାୟଣ ଉପାସନା କଲେ ଶୁଦ୍ରତଥା ସମାଜଚ୍ୟୁତ ଲୋକମାନେ ମଧ୍ୟ ଜନ୍ମ-ମୃତ୍ୟୁଚକ୍ର ଭେଦ କରିପାରିବେ - ଏହାଥିଲା ତାଙ୍କ ମତ 1 ବେଦାନ୍ତ - ସଂଗ୍ରହ ପୁସ୍ତକରେ ସେ ରଚନା କଲେ ବିଷ୍ଣୁଙ୍କ ମହିମା । ମହାତ୍ମା ‘ନିମ୍ବାର୍କ’ ଦାକ୍ଷିଣାତ୍ୟରେ ଜନ୍ମ ଗ୍ରହଣ କରି ବସବାସ କରୁଥିଲେ ମଥୁରାରେ । ଆତ୍ମା ଓ ପରମାତ୍ମାଙ୍କ ଏକତ୍ଵ ଓ ଅଭିନ୍ନତା ତଥା ଭକ୍ତିଧାରାର ଅନୁସରଣରେ ପରମାତ୍ମା ପ୍ରାପ୍ତି ସମ୍ଭବ ବୋଲି ସେ ସହଜ ବୋଧ ସୃଷ୍ଟି କଲେ । ରାଧାକୃଷ୍ଣ ଉପାସନା ପାଇଁ ସେ ଦେଲେ ଦିଗ୍‌ଦର୍ଶନ । ପ୍ରୟାଗଠାରେ ‘ରାମାନନ୍ଦ’ ଜନ୍ମଗ୍ରହଣ କରି ରାମାନୁଜଙ୍କ ପ୍ରିୟ-ଶିଷ୍ୟ ଭାବରେ ହିନ୍ଦୀ ଭାଷାରେ ପ୍ରସାର କଲେ ତାଙ୍କର ପବିତ୍ର ଭାବଧାରା । ବୈଷ୍ଣବଧର୍ମ ଉପରେ ପରମ ବିଶ୍ଵାସୀ ରାମାନନ୍ଦ ବିଷ୍ଣୁଙ୍କ ଅବତାର ଭାବେ ମର୍ଯ୍ୟାଦାପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କୁ ପ୍ରତିଷ୍ଠା କଲେ । ତେଲଗୁ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରି ବଲ୍ଲଭାଚାର୍ଯ୍ୟ ବୈଷ୍ଣବଧର୍ମ ପ୍ରଚାର କଲେ । ରାଧାକୃଷ୍ଣଙ୍କ ମହତ୍ତ୍ୱ ଓ ସାଧାରଣ ଜୀବନରେ ତାଙ୍କର ପ୍ରତିଷ୍ଠା ନିମନ୍ତେ ବଲ୍ଲଭାଚାର୍ଯ୍ୟଙ୍କ ଉପଦେଶ ଥଲା ଉଦ୍ଦିଷ୍ଟ । ସାଧାରଣ ସଂସାରୀମାନଙ୍କ ଜୀବନରେ ସହଜ ଈଶ୍ୱରାନୁଭୂତିର ପଥ ସେ ଦେଖାଇଥିଲେ । ସନ୍ଥକବୀରଙ୍କ ଆବିର୍ତ୍ତାବ ହୁଏ ବନାରସଠାରେ । ପାଳକପିତା ‘ନୀରୁ’ ଓ ମାତା ‘ନୀନା’ଙ୍କ କୋଳରେ ବଡ଼ ହୋଇ କବୀର ଏକେଶ୍ୱର ବାଦ ପ୍ରତିଷ୍ଠା କଲେ । ରାମ- ରହିମ୍‌ଙ୍କ ମଧ୍ୟରେ ଅଭେଦତ୍ଵ ପ୍ରତିଷ୍ଠା କରି ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ସ୍ନେହ, ସଦ୍ଭାବ ଓ ପାରସ୍ପରିକତା ପ୍ରତିଷ୍ଠା କଲେ । ସତ୍‌ନାମ, ସଦ୍‌ଗୁରୁ ଓ ସତ୍ସଙ୍ଗର ଗୁଣକୀର୍ତ୍ତନ କରି ଭାରତୀୟ ଭକ୍ତି ସ୍ରୋତକୁ ସେ ତ୍ୱରାନ୍ୱିତ କରିଥିଲେ । ଭକ୍ତି ଆନ୍ଦୋଳନର ପ୍ରମୁଖ ଆଚାର୍ଯ୍ୟ ଗୁରୁନାନକ ଆବିର୍ଭୂତ ହୁଅନ୍ତି ଲାହୋର ନିକଟବର୍ତ୍ତୀ ନାନ୍‌କାନ୍‌ଠାରେ । ଏହି ହୃଦୟ କୃଷିକ୍ଷେତ୍ର ସଦୃଶ । ସତ୍କାର୍ଯ୍ୟ ହେଉଛି ମଞ୍ଜ ସଦୃଶ । ଈଶ୍ୱରଙ୍କର କରୁଣା ବାରି ଓ ଆଲୋକରେ ମାଟି ଓଦାହେଲେ ଭଲଫଳ ମିଳିବ, ଏହା ନିଶ୍ଚୟ’’-ଏହାଥିଲା ନାନକଙ୍କ ବକ୍ତବ୍ୟ । ପବିତ୍ର ହୃଦୟ, ନିର୍ମଳ ଚରିତ୍ର ଓ ପ୍ରଫୁଲ୍ଲମାନସିକତା ଦ୍ଵାରା ଈଶ୍ଵରୋପଲବଧି ନିଶ୍ଚିତ ରୂପେ ହୋଇ ପାରିବ, ନାନକଙ୍କର ଅଭିମତ ଥିଲା । ଶ୍ରୀ ଶ୍ରୀ ଗୁରୁଗ୍ରନ୍ଥ ସାହେବ ତାଙ୍କର ପ୍ରଖ୍ୟାତ ଓ ଚିରପୂଜିତ ଗ୍ରନ୍ଥ । ସେ ଶିଖ୍‌ଧର୍ମର ପ୍ରତିଷ୍ଠାତା ଥିଲେ ।

 

ନବଦ୍ଵୀପରେ ଏକ କୁଳୀନ ବ୍ରାହ୍ମଣ ପରିବାରରେ ଆସନ୍ତି ନିମାଇଁ । ପିତାଥଲେ ଶ୍ରୀ ଜଗନ୍ନାଥ ମିଶ୍ର ଓ ମାତା ଥିଲେ ଶଚୀ ଦେବୀ । ତାଙ୍କର ପିତୃଦତ୍ତ ନାମ ଥଲା ବିଶ୍ଵମ୍ଭର । ଶ୍ରୀ ଚୈତନ୍ୟ ରୂପେ ନଦୀୟାର ପଥେ ପଥେ କୀର୍ତ୍ତନ ଲୀଳାର ଅପୂର୍ବ ମାଧୁରୀ ଓ ଲାବଣ୍ୟ ବିକିରଣରେ ସେ ଜଗତକୁ ପ୍ରଦାନ କରିଗଲେ ଚିନ୍ମୟ ଚେତନା । ସୋମନାଥ, ଦ୍ଵାରକା, ମଥୁରା, ବୃନ୍ଦାବନ, କାଶୀ, ବାରାଣାସୀ ଓ ପ୍ରୟାଗ ପରିକ୍ରମା କରି ଦୀର୍ଘ ୬ବର୍ଷ କ୍ରମାଗତଭାବେ କୃଷ୍ଣନାମ କୀର୍ତ୍ତନ ଓ ଭକ୍ତିରସର ପ୍ଲାବନ କରିଥିଲେ ସମଗ୍ର ଭାରତବର୍ଷରେ ସର୍ବଶେଷରେ ସେ ମହୋଦଧିକୂଳରେ ପୁରୀଧାମ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ପଦାର୍ପଣ କଲେ । ୧୫୧୦-୧୫୩୩ ଖ୍ରୀ. ପର୍ଯ୍ୟନ୍ତ ଏଠାରେ ଅବସ୍ଥାନ ପୂର୍ବକ ସଂକୀର୍ତ୍ତନର ତାଳେ ତାଳେ, ଧାତୁ ତାଳ, ଲୟ ଓ ରାଗ ରଞ୍ଜନାରେ ସେ ଉତ୍କଳୀୟ ତଥା ମହାଭାରତୀୟ ଚେତନାକୁ ଅଧିକ ସମୃଦ୍ଧ କରି ତୋଳିଥିଲେ । ବ୍ରାହ୍ମଣ୍ୟ ଉପାସନାର ପ୍ରତିଷ୍ଠା ପୂର୍ବକ ନାମ ଜପ ମାଧ୍ୟମରେ ଈଶ୍ଵର ପ୍ରାପ୍ତିର ସରଳପଥ ନିର୍ଦ୍ଦେଶ କଲେ । ତାଙ୍କ ପରେ ଭକ୍ତି ଶାସ୍ତ୍ରର ପ୍ରତିଷ୍ଠା କଲେ ବଂଗଳା ଭାଷାରେ ଗୋସ୍ଵାମୀ ସଂପ୍ରଦାୟ ।

 

ହିନ୍ଦୀ ଭାଷୀ ସାହିତ୍ୟରେ ସନ୍ଥ ତୁଳସୀ ଦାସ ରଚନା କଲେ ଅମର କାବ୍ୟ ରାମଚରିତ ମାନସ । ସୁରଦାସ ଅନ୍ଧଥାଇ ମଧ୍ୟ ରଚନା କଲେ ଭକ୍ତିକାବ୍ୟ ‘ସୁରସାଗର’ । Blind Bird of Agra (ଆଗ୍ରାର ଅନ୍ଧକବି) ଭାବେ ସୁରଦାସଙ୍କ ଚରିତ୍ର ଭୁବନ ବିଦିତ । ଏହି ସମୟରେ କୃଷ୍ଣଭକ୍ତିମୂଳକ ଶତାଧିକ ଗୀତିକା ରଚନାରେ ପାରଦର୍ଶିତା ପ୍ରକାଶ କରନ୍ତି ମୁସଲମାନ ଭକ୍ତ-ଅବଦୁର ରହିମ ଖାଁଆନ୍ନା । ଅନ୍ୟ ଜଣେ ମୁସଲମାନ ଭକ୍ତ ରାସ ଖାଁ (Ras Khan) ବୃନ୍ଦାବନର ଅରଣ୍ୟ ମଧ୍ୟରେ ବସବାସ କରି କୃଷ୍ଣଭକ୍ତିର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି ତଦୀୟ ‘ପ୍ରେମବାଟିକା’ ପୁସ୍ତକରେ । ସୁନ୍ଦର କବିରାଜଙ୍କ ‘ସୁନ୍ଦରଶିଙ୍ଗାର’, ସେନାପତିଙ୍କ କବିତା ରତ୍ନାକର’ ଏହି ସମୟର ସୃଷ୍ଟି । ଶିରୋମଣି ମିଶ୍ର, ବନାରସୀ ଦାସ, ଭୂଷଣ ଓ ମତିରାମଙ୍କ ଲେଖନୀରୁ ନିସୃତ ହୋଇ ପାରିଥିଲା । ଅଜସ୍ର କୃଷ୍ଣ କାବ୍ୟ ଏହି ସମୟରେ ।

 

ଏହି ସମୟରେ ହିନ୍ଦୀ ଓ ପାରସିକ ଭାଷା ମିଶ୍ରଣରେ ସୃଷ୍ଟି ହୁଏ ଅଭିନବ ଉର୍ଦ୍ଦୁଭାଷା । ଅନେକ ଯଶସ୍ଵୀ ପଣ୍ଡିତମାନଙ୍କର ହୃଦୟ ନିର୍ଯ୍ୟାସ ଭକ୍ତି ରସାତ୍ମକ କାବ୍ୟ ଏହି ଉର୍ଦ୍ଦୁଭାଷାରେ ରଚିତ ହୋଇପାରିଥିଲା । ବ୍ରଜବୋଲି ଭାଷାରେ ଶ୍ରୀକୃଷ୍ଣଙ୍କ ଅମୃତ ଲୀଳା ମହାତ୍ମ୍ୟ ଓ ଭକ୍ତି ରସଧାରା ସୃଷ୍ଟି କଲେ ଏହି ସମୟରେ ମହାତ୍ମା ଚଣ୍ଡୀ ଦାସ ।

 

ସମଗ୍ର ଭାରତବର୍ଷରେ ଯେତେବେଳେ ଅମୃତ ବର୍ଷୀ ଭକ୍ତି ସାହିତ୍ୟର ସୃଷ୍ଟି ଓ ମହାପ୍ଲାବନ ହୋଇଥିଲା ଠିକ୍‌ ସେତିକିବେଳେ ଉତ୍କଳର ଘରେ ଘରେ ଓ ଘଟେ ଘଟେ ଏହି ପବିତ୍ର ଭକ୍ତି ଆନ୍ଦୋଳଳ ପ୍ରତିଷ୍ଠା ଲାଭ କରିଥିଲେ । ଶ୍ରୀପୁରୁଷୋତ୍ତମ କ୍ଷେତ୍ରର କ୍ଷେତ୍ରପତି ଶ୍ରୀ ଜଗନ୍ନାଥଙ୍କ ମହିମ୍ନୋଜ୍ଵଳ ଖ୍ୟାତି ସମଗ୍ର ବିଶ୍ଵର ଜନତାଙ୍କୁ ଅନନ୍ତକାଳ ଧରି ଆବିଷ୍ଟ କରି ରଖିଅଛି । ଶ୍ରୀ ଜଗନ୍ନାଥ ହିଁ ଉତ୍କଳର ପ୍ରାଣ ସଂପଦ । ତାଙ୍କୁ ଆଶ୍ରୟ ଓ ଆଧାର କରି ପୂର୍ବୋକ୍ତ ଭକ୍ତି ଧର୍ମର ଅଭିକର୍ତ୍ତା ମହାନ ଆଚାର୍ଯ୍ୟଗଣ ପୁରୀକୁ ଆସିଛନ୍ତି । ଦାରୁ ଦେବତାଙ୍କଠାରେ ସେମାନେ । ଅବଲୋକନ କରିଛନ୍ତି ଚାରୁଲୀଳା । ଶ୍ରୀ ଜଗନ୍ନାଥ ଓ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ବିଷୟକ ପ୍ରଶସ୍ତ ଗାନରେ ସେମାନେ ହୋଇଛନ୍ତି ମୁଖର । ଏହି ସମୟରେ ଆବିର୍ଭାବ ଘଟିଛି ପଞ୍ଚସଖା ବା ପାଞ୍ଚସାଖା ବା ଉତ୍କଳୀୟ ପ୍ରାଣ- ପୁରୁଷଙ୍କ ପଞ୍ଚ ଆତ୍ମାମାନଙ୍କର । ଏହି ପାଞ୍ଚ ଜଣ କବି ସଂସ୍କାରକ ଘନିଷ୍ଠ ପାରସ୍ପରିକ ସାମାଜିକତା ଭିତରେ ଏହି ସମୟରେ ଦେଖା ଦେଇଥିବାରୁ ସେମାନଙ୍କୁ ପଞ୍ଚସଖା କୁହାଯାଏ । ସର୍ବଦାସ ବଳରାମ, ଜଗନ୍ନାଥ, ଅନନ୍ତ, ଯଶୋବନ୍ତ ଓ ଅଚ୍ୟୁତ - ଏହି ପାଞ୍ଚଟି ସାଙ୍ଗ, ଓଡ଼ିଆ ଭାଷାରେ ଏକ ବିପୁଳ ଧର୍ମୀୟ ସାହିତ୍ୟ ଛାଡ଼ି ଯାଇଛନ୍ତି । ଯାହା ଏବେବି ଲକ୍ଷ ଲକ୍ଷ ଓଡ଼ିଆଙ୍କ ଦ୍ଵାରା ପ୍ରତ୍ୟହ ପଠିତ ଓ ସମ୍ମାନିତ ହୁଏ । ଓଡ଼ିଆ ସାହିତ୍ୟର ଇତିହାସ, ୯ମ ଅଧ୍ୟାୟ, ମାୟାଧର ମାନସିଂ ପୂ.୧୧୩-୧୧୪ ଶ୍ରୀ ଚୈତନ୍ୟମହାପ୍ରଭୁଙ୍କର ମୋହନ ବ୍ୟକ୍ତିତ୍ୱର ପୁଣ୍ୟ ସାନ୍ନିଧ୍ୟରେ ଆସି ନିର୍ଗୁଣ ବ୍ରହ୍ମ ଉପାସନାର ଯେଉଁ ମୌଳିକ କାବ୍ୟାୟନ ପରିପାଟୀ ପ୍ରଦର୍ଶନ କରିଛନ୍ତି - ଏହି ମହାତ୍ମାମାନେ ଓଡ଼ିଆ ଜାତିର ଚିରନମସ୍ୟ ରୂପେ ଚିରଞ୍ଜୀବୀ ହୋଇପାରିଛନ୍ତି । ଶୁଦ୍ରମୁନି ସାରଳା ମାଟିର ମହାକବିରୂପେ ଯେଉଁ ବାଟ ଫିଟାଇଛନ୍ତି ମର୍ତ୍ତ୍ୟଲୋକରୁ ସ୍ଵର୍ଗ ଲୋକ ପର୍ଯ୍ୟନ୍ତ, ସେହି ପଥକୁ ଅଧିକ ସୁଦୃଢ଼ ଓ ସମଚଳ କରିପାରିଛନ୍ତି ଏହି ପଞ୍ଚପରମାତ୍ମା ପଞ୍ଚ ସଖା ଗୋଷ୍ଠୀ । ନିର୍ମଳ ଶୁଦ୍ଧ ବ୍ୟନ୍ତିଗତ ଚରିତ୍ର ସହିତ, ପବିତ୍ର ଶୃଙ୍ଖଳିତ ଦାମ୍ପତ୍ୟଜୀବନ, ସୁସ୍ଥସାମାଜିକ ଜୀବନର ଉଦ୍‌ଗାତାଭାବରେ ପଞ୍ଚ-ସାଧକମାନଙ୍କର ସାଧନା ଉତ୍କଳ ଭୂମିର ଜନସାଧାରଣଙ୍କ ପାଇଁ ଆଶୀର୍ବାଦ ହୋଇଉଠିଥିଲା । ପରବର୍ତ୍ତୀ ସମୟରେ ମହାଭାରତୀୟ ମହାସାଧକମାନଙ୍କର ଭକ୍ତିମୂଳକ ଯେଉଁ ଅବଦାନ ଥରିଲା, ଠିକ୍‌ ସେହି ସମୟରେ ଆମ ଓଡ଼ିଆ ଭାଷାରେ ରୀତି-ଯୁଗୀୟ କାବ୍ୟ-କୋଣାର୍କର ନିର୍ମାଣ ଆରମ୍ଭ ହୋଇଥଲା । ଦିବ୍ୟ-ଅଦିବ୍ୟ ଭାଷାର ମିଳନରେ ଜ୍ଞାନ ଓ ଭକ୍ତିରୂପକ ସିମେଣ୍ଟ ଯୁକ୍ତ ହୋଇ ଯେଉଁ କଙ୍କ୍ରିଟ୍‌ ସାହିତ୍ୟ ଓଡ଼ିଆ ଭାଷାରେ ସୃଷ୍ଟି ହୋଇପାରିଛି ତା’ର ଅଖଣ୍ଡତା ଓ ଔଜଲ୍ୟ ଚିରସ୍ଥାୟୀ ରହିବ ସୃଷ୍ଟିର ଶେଷ ଯାଏ ।

 

ଶ୍ରୀ ଜଗନ୍ନାଥଙ୍କୁ ଲକ୍ଷ୍ୟ କରି ଉଭୟବିଧ ଶ୍ରୀ ରାମଚନ୍ଦ୍ର ଓ ଶ୍ରୀ କୃଷ୍ଣଚନ୍ଦ୍ରଙ୍କ ମହୋତ୍ତମ ଜୀବନଧାରାରେ ଜ୍ୟୋସ୍ନାୟିତ ରୀତି ସାହିତ୍ୟ ଉଭୟ ରସ ଓ ରାସର ଦିବ୍ୟ ସଙ୍ଗମରେ ସମୃଦ୍ଧ ହୋଇପାରିଛି । ସଂସ୍କୃତ କବି ଶ୍ରୀ ଜୟଦେବଙ୍କ ଗୀତି-ଗୁମ୍ପଂନର ଶାଳିନ୍ୟତାକୁ, ଆଦର୍ଶକରି ‘ଚଉପଦୀ’ ଚଉତିଶା, ଢଗ, ଢମାଳୀ, ଢୁମା, ପୋଇ, ଚମ୍ପୂ ଆଦି କ୍ଷୁଦ୍ର ଓ ଖଣ୍ଡକାବ୍ୟ ସମୂହ ସୃଜିତ ହେବା ସହିତ ଗାନ ଓ ଗେୟ ଧର୍ମିତାକୁ ସମ୍ବଳ କରି ସୁବୃହତ୍‌ । ରାମକାବ୍ୟ ଓ କୃଷ୍ଣକାବ୍ୟ ତଥା କଳ୍ପନା-ବିଳାସ- ଉଦ୍ଦୀପକ ଆନନ୍ଦ ଉଦ୍‌ବୋଧନୀ କୃତବିଦ୍ୟ ସୃଷ୍ଟି ସମ୍ଭାର ସମ୍ଭବ ହୋଇଥଲା ଓଡ଼ିଆ ସାହିତ୍ୟରେ । ଭାରତ ଭୂମିରେ ଓଡ଼ିଶା ହେଉଛି ସେହି ପ୍ରାକୃତିକ ସୌଧ, ଯେଉଁଠି ତା’ର ଭବ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସମୂଳର ବିପଣନ ତଥା ଅଖଣ୍ଡଜ୍ଞାନ ସଂପଦ ଅନନ୍ତକାଳରୁ ସ୍ମୃତିମୟ ଆଲେଖ୍ୟନେଇ ଅବଗୁମ୍ପିଂତ ରହିଛି । ଏହାର ମାଟିତଳେ ରହିଛି ସମଗ୍ର ବିଶ୍ଵକୁ ଚଲେଇନେବା ପାଇଁ ଅସୁମାରୀ ଅକ୍ଷୟ ଧାତବ ସମ୍ବଳ, ମାଟି ଉପରେ ରହିଛି ଅରଣ୍ୟାନୀର ଅପୂର୍ବ ଶୋଭା-ଯାହା ବିପୁଳ କବିତ୍ଵର ପ୍ରାଣ-ପ୍ରବାହ ପାଇଁ ଅନନ୍ତ ପ୍ରଚୋଦନା । ପର୍ବତମାଳାର ତୁଙ୍ଗ ଶିଖର ଭୂମିରୁ ଝରି ଆସୁଛି ଅନନ୍ତ ଗିରିଝରଣା ଯାହା କବିତ୍ୱର ସ୍ନିଗ୍ଧ, ଉଜ୍ଜ୍ଵଳ, ରସାଳ ଓ ହୃଦୟ ସ୍ପର୍ଶୀ ଯତିପାତ କରାଏ-। ଭଞ୍ଜ ଭୂମିର ଶାଶ୍ଵତ-ସେବକ କବି ସମ୍ରାଟ୍‌ ଉପେନ୍ଦ୍ର ସାରସ୍ଵତ ଅନୁଭବର ଉଚ୍ଛ୍ୱାସକୁ ଲଳିତ ପଦର ମୁଗ୍ଧ ଶବ୍ଦାବଳୀ ସଂଯୋଗରେ ବ୍ୟକ୍ତ କଲେ-

 

ଅନୁଭବରୁ ପ୍ରଖ୍ୟାତ ମାନସ-ରଚନା

ଶୁଣ ସୁରସିକ ଜନେ ହୋଇତା ସୁମନା ।

ରସିକ ହାରାବଳୀ

ମୂର୍ତ୍ତିମନ୍ତ କରି ମୃଦୁଗୀତ ବିଚାରଇ,

ଏଣୁ କରି ଥିବ ଅଳଙ୍କାର ଯୁକ୍ତ ହୋଇ ।

ପଦ-ସରଳ ଧ୍ୱନିରେ ମାନସ ମୋହିବ

ଅର୍ଥଜନ ପ୍ରକରକୁ ଆନନ୍ଦ କରିବ ।

ଲାବଣ୍ୟବତୀ

 

ଅକ୍ଷୟ ଶବ୍ଦ ସମ୍ପଦର ଅଧିକାରୀ ଭାବେ ପରିଚିତ ଉପେନ୍ଦ୍ର ହୃଦୟରୁ ନିର୍ଗତ ହୋଇଛି ଭକ୍ତି ରସର ଯେଉଁ ପ୍ରାଣ ପ୍ରବାହ ତାହାକୁ ଅମନ୍ଦ-ମନ୍ଦାକିନୀର ଶୁଭ ଗଙ୍ଗୋତ୍ରୀ ଭାବରେ ଆଖ୍ୟାୟିତ କରାଯାଇପାରେ । ସମ୍ରାଟ ଭଞ୍ଜ-ଶ୍ରୀରାମ ଚନ୍ଦ୍ରଙ୍କ ଉପାସନାରେ ସିଦ୍ଧି ଅର୍ଜନ କରି ଅମର କବିତ୍ୱ ଆଶିଷ ପ୍ରାପ୍ତ ହୋଇଥିଲେ । ସେ କହନ୍ତି-ରାମ ତାରକ ପରସାଦେ- ମୋହର କବିପଣ ଉଦେ ସ୍ନିଗ୍ଧ ଭକ୍ତିର ନିର୍ଯ୍ୟାସ ଅନୁଭବୀ ଉପେନ୍ଦ୍ରଙ୍କର ବିନୟ । ସମନ୍ଵିତ ଏହା ହେଉଛି ସର୍ବଶ୍ରେଷ୍ଠ ସ୍ଵିକାରୋକ୍ତି । ବିରାଟ କୃତୀତ୍ୱ ସତ୍ତ୍ଵେ କବି ଉପେନ୍ଦ୍ର ଜଣେ ଅକୃତ୍ରିମ ଭାବରେ ବିନୀତ ପୁରୁଷ ଥିବାର ମଧ୍ୟ ଜଣାଯାଉଛି । ତାଙ୍କର ମହାକାବ୍ୟ ବୈଦେହୀଶ ବିଳାସର ଆଦ୍ୟରେ ସେ ଏ କ୍ଷେତ୍ରର ପୂର୍ବସୂରୀ ବାଲ୍ମୀକି, କୀଳିଦାସ ଓ ବଳରାମ ଦାସ ପ୍ରଭୃତିଙ୍କୁ ନମସ୍କୃତି ଜଣାଇଛନ୍ତି ଓ ସୂର୍ଯ୍ୟଚନ୍ଦ୍ର ତାରକାମାନଙ୍କ ଅବସ୍ଥିତି ସତ୍ତ୍ଵେ ଖଦ୍ୟୋତର ଆବିର୍ଭାବ ପରି ସେମାନଙ୍କ ସିଦ୍ଧି ଯଥାର୍ଥତା ଥାଇପାରେ ବୋଲି କହନ୍ତି । କବି ତାଙ୍କର ପ୍ରତି ଗ୍ରନ୍ଥର ପ୍ରତି ଛନ୍ଦର ଶେଷରେ ବିଶ୍ଵ ସ୍ରଷ୍ଟା ବା ଇଷ୍ଟ ଦେବତାଙ୍କୁ ପ୍ରାର୍ଥନା କରିଛନ୍ତି କାବ୍ୟର ସିଦ୍ଧିପାଇଁ (ଓଡ଼ିଆ ସାହିତ୍ୟର ଇତିହାସ-ମାନସିଂ ପୃ୧୪୯)-

 

ଅର୍ଜୁନ ଦାସ, ବନମାଳୀ ଦାସ, ନରସିଂହ ସେଣ, ବିଷ୍ଣୁ ଦାସ, ହରିହର ନରେନ୍ଦ୍ର ଶିଶୁ-ଶଙ୍କର ଦାସ, ଦେବଦୁର୍ଲ୍ଲଭ ଦାସ, କାର୍ତ୍ତିକ ଦାସ, ଦନାଇ ଦାସ, ଧନଞ୍ଜୟ ଭଞ୍ଜ/ଲୋକନାଥ ବିଦ୍ୟାଧର, ଭୂପତି ପଣ୍ଡିତ, ଭକ୍ତଚରଣ ଦାସ, ବିଶ୍ୱନାଥ ଖୁଣ୍ଟିଆ, ଦୀନକୃଷ୍ଣ ଦାସ, ସଦାନନ୍ଦ କବି ସୂର୍ଯ୍ୟ ବ୍ରହ୍ମା/ଅଭିମନ୍ୟୁ ସାମନ୍ତ ସିଂହାର, କବିସୂର୍ଯ୍ୟ ବଳଦେବ ରଥ, ଗୋପାଳକୃଷ୍ଣ ଓ ଯଦୁମଣି ମହାପାତ୍ରଙ୍କ ମହାନ୍‌ ଅନୁଦାନରେ ମଧ୍ୟଯୁଗୀୟ କାବ୍ୟ ପରମ୍ପରା ସମୃଦ୍ଧ ହୋଇଛି । ପ୍ରତ୍ୟେକ କବିଙ୍କର କାବ୍ୟ-କଲ୍ଲୋଳିନୀ ମଧ୍ୟରେ ଅବଗାହନ କଲାବେଳେ ନାରୀକେଳ ମଧ୍ୟସ୍ଥିତ ସ୍ଵଚ୍ଛନୀର ପରି ପ୍ରତ୍ୟେକଙ୍କ ହୃଦସ୍ଥିତ ଭକ୍ତିରସର ଅମୃତତ୍ତ୍ୱର ସଂଧାନ ମିଳେ । ପୂର୍ବରୁ କହିଛି, ଉତ୍କଳ-ଭୂ-ପ୍ରଦେଶରେ ଭକ୍ତ ଯେପରି ସୃଜନ କରିଛି ଚିରକାଳପାଇଁ ମହାକର୍ଷଣୀୟ ମନ୍ଦିରମାଳା ଏହି କବିମାନେ । ସେହିପରି ସୃଜନ କରିଛନ୍ତି ସେମାନଙ୍କର ଚିରସୁନ୍ଦର କାବ୍ୟକୀର୍ତ୍ତି । (classic poetry)

 

ମଧ୍ୟଯୁଗୀୟ ଓଡ଼ିଆ କାବ୍ୟସାହିତ୍ୟ ପାଠକରି ତତ୍କାଳୀନ କବି ମାନସର ସାଗର ମନ୍ଥନ କ୍ରମେ ପାଠକ ନିକଟରେ ଅନେକ ଅନେକ ଐଶ୍ଵର୍ଯ୍ୟ ମିଳିଥିବା ବେଳେ ଯୌନ-ରସ-ସମ୍ୱଳିତ ବିକୃତ ବିଷ ମଧ୍ୟ ମିଳିଥାଏ । ଅନେକ ସମୟରେ କାବ୍ୟ-ସାମଗ୍ରୀରେ ସରଳ-ହୃଦୟବତ୍ତା ମିଳିବା ଅପେକ୍ଷା ସହଜ ଉପଲଭ୍ୟ ହୋଇଥାଏ । ମାନସିକ ଜଟିଳତା ହୃଦୟର ଆବେଗ ଅପେକ୍ଷାମସ୍ତିଷ୍କର ବୌଦିକତା କବିତାକୁ ଦୂରେଇ ଦିଏ ପାଠକ ନିକଟରୁ । ଓଡ଼ିଆ ସାହିତ୍ୟର ଅନ୍ୟତମ ମୌଳିକ ସ୍ରଷ୍ଟା ଓ ଦିକ୍‌ପାଳ ସମାଲୋଚକି ସୁରେନ୍ଦ୍ର ମହାନ୍ତି କହନ୍ତି,’’ ଏହି କାଳର କାବ୍ୟ-ମୂର୍ତ୍ତି ବର୍ଣ୍ଣାଢ଼୍ୟ ଓ ଆଳଂକାରିକ । ଏହି କାଳର ଓଡ଼ିଆ କାବ୍ୟସାହିତ୍ୟ ସଂସ୍କୃତ କାବ୍ୟଶୈଳୀ ଦ୍ଵାରା ପ୍ରଣୀତ ଓ ପ୍ରଭାବିତ ହୋଇ ଆଳଙ୍କାରିକ ଉତ୍କର୍ଷର ଚୂଡ଼ାନ୍ତ ସ୍ପର୍ଶ କରିଥିଲା । ବସ୍ତୁତଃ ଅନ୍ୟ ପ୍ରାନ୍ତୀୟ ଭାଷା ସାହିତ୍ୟରେ ଏ କୃତିତ୍ୱ ଓ ସଫଳତା ବିରଳ ବୋଲି ପ୍ରତିବାଦର କ୍ଷୀଣ ଆଶଂକା ନରଖି କୁହାଯାଇପାରିବ । (ଓଡ଼ିଆ ସାହିତ୍ୟର କ୍ରମବିକାଶ ପ୍ରଥମ ପ୍ରକାଶ-ପୃ୯୮)

 

ସମଗ୍ର ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ ଓ ପରମ୍ପରା ମଧ୍ୟରୁ ଭକ୍ତକବି ଭକ୍ତଚରଣ ଏକ ବିରଳ ବିଲକ୍ଷଣ ଭାବେ ପରିଚିତ । ଆଲୋଚନା ବିଜୟ ଚନ୍ଦ୍ର ମଜୁମଦାର ଭକ୍ତ ଚରଣଙ୍କ ମୌଳିକତା ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି । (୧) ।

 

ଭକ୍ତ ଚରଣଙ୍କ ମନବୋଧ ଚଉତିଶା ଓଡ଼ିଆ ସାହିତ୍ୟରେ ଏକ ଯୁଗାନ୍ତକାରୀ ଓ ଅମ୍ଲାନ ରଚନା । ଇନ୍ଦ୍ରିୟ ସର୍ବସ୍ଵ ମଣିଷର ଭ୍ରାନ୍ତି ଦୁର କରି ସଂଯତ ଶୃଙ୍ଖଳିତ ଜୀବନ ଚର୍ଯ୍ୟା ପାଇଁ ଶତ ଶତ ବର୍ଷ ଧରି ଏହା ଯୋଗାଇ ଆସିଛି ଦିବ୍ୟ ପ୍ରେରଣା । ଚିରପୁରାତନ ଏହି କାବ୍ୟ ବିଭାନ୍ଵନେତାର ସୁଧା ପରିବେଷଣ କରିଆସିଛି ଓଡ଼ିଶାର ଜନ-ଜୀବନରେ ମନବୋଧ ଚଉତିଶା ସହିତ କବି ଭକ୍ତ ଚରଣ ମଧ୍ୟ ରଚନା କରିଛନ୍ତି କଳା କଳେବର ଚଉତିଶା । ଏଥରେ ଭଜନ ବା ସାଧନର ନିର୍ଦ୍ଦେଶ ନାହିଁ, ରହିଛି ଉପଲବ୍ଧର ତୀବ୍ରତା ।

 

‘‘ହେଲେ ହେବୁ ପଛେ କୁଳଟା ହାର କରିବୁ ଗଳେ,

ହସୁଥିବୁ ତାଙ୍କ ସଙ୍ଗରେ ବସୁଥିବୁଗୋକୋଳେ ।

ଛାତି ଲଜ୍ଜା ଭୟ ତା’ରୂପ ଦରପଣେ ମାଜିବା,

ଛାର କହେ ଭକ୍ତ ଦାସ ତାଧ୍ୟାୟେ ରଜନୀ ଦିବା ।’’

 

ଭକ୍ତଚରଣଙ୍କ ଅନନ୍ୟ ସାଧାରଣ କବିତ୍ୱର ସ୍ଵାକ୍ଷର ବହନ କରି ଏହି କ୍ଷୁଦ୍ର ଚଉତିଶାଟି ଓଡ଼ିଆ ସାହିତ୍ୟର ଏକ ଅକ୍ଷୟ ସଂପଦ ହୋଇପାରିଛି । ଗୋପଦାଣ୍ଡରେ ମଥୁରା ଯାତ୍ରା ବେଳେ, ଗୋପୀମାନଙ୍କର ମୁଗ୍ଧ ଦୃଷ୍ଟିରେ ଶ୍ରୀକୃଷ୍ଣଙ୍କ ରୂପ ବର୍ଣ୍ଣନା ଏହି ଚଉତିଶାର ବିଷୟ ବସ୍ତୁ । ଅନଳଙ୍କାରିକ, ଅନାୟାସଲବ୍ଧ, ସ୍ୱତଃ ପ୍ରସ୍ଫୁଟିତ କବିତ୍ୱ ପୁଣି ଲୋକପ୍ରଚଳିତ ଓଡ଼ିଆ ଶବ୍ଦର ଶୋଭନ-ସଙ୍ଗତି କିପରି ଅପୂର୍ବ ସୁଷମା ମଣ୍ଡିତ ହୋଇପାରେ ଏହି ଟଉତିଶାଟି ତାର ଅମ୍ଳାନ ସ୍ଵାକ୍ଷର ବହନ କରିଅଛି ।

 

ଭକ୍ତ ଚରଣଙ୍କ ନିରାଭରଣ ସୌନ୍ଦର୍ଯ୍ୟ ରସ ପୁଷ୍ଟି, ପ୍ରସାଦଗୁଣ ଓ କାବ୍ୟ କାନ୍ତି ଦୃଷ୍ଟିରୁ ଶ୍ରେଷ୍ଠ ଆଳଙ୍କାରିକ କାବ୍ୟମାନଙ୍କଠାରୁ କୌଣସି ଗୁଣରେ କମ୍‌ ନୁହେଁ । ସେହି ଦୃଷ୍ଟିରୁ ଉତ୍ତର ମଧ୍ୟ ଯୁଗୀୟ ଓଡ଼ିଆ କାବ୍ୟର ଅଭିବ୍ୟକ୍ତିରେ ଭକ୍ତ ଚରଣ ଏକ ବିଶିଷ୍ଟ ସ୍ଥାନ ଦାବୀ କରନ୍ତି । କେବଳ କାବ୍ୟ ଶୈଳୀ ଦୃଷ୍ଟିରୁ ନୁହେଁ, ପ୍ରେମଭକ୍ତି-ତତ୍ତ୍ଵର ବ୍ୟାଖ୍ୟାନ ଦୃଷ୍ଟିରୁ ମଧ୍ୟ ମଥୁରା ମଙ୍ଗଳ ଏକ ସୌଦ୍ଧାନ୍ତିକ ବୈଷ୍ଣବ ଗ୍ରନ୍ଥ ।

 

ମଥୁରା ମଙ୍ଗଳ କାବ୍ୟର ସ୍ରଷ୍ଟା ଭକ୍ତ ଚରଣଙ୍କ ଆଦିନାମ ବୈରାଗୀ ଚରଣ ପଟ୍ଟନାୟକ । ସେ ମାଧ୍ୱାଚାର୍ଯ୍ୟ ସଂପ୍ରଦାୟ ବିଶିଷ୍ଟ ବୈଷ୍ଣବ ସନ୍ନ୍ୟାସୀ ଥିଲେ । ସେ ଜୀବନର ଦ୍ୱିତୀୟ ପ୍ରହରରେ ଅର୍ଥାତ୍‌ ପଚାଶ ବର୍ଷ ବୟସ ପରବର୍ତ୍ତୀ କାଳରେ ଏହି ମଥୁରାମଙ୍ଗଳ କାବ୍ୟ ରଚନା କରିଥଲେ । ସଂସାର ବିଷୟକ ଅଭିଜ୍ଞତାରେ ପରିପୂର୍ଣ୍ଣ ଥାଇ ସଂଶିତ କାବ୍ୟ ରଚନା କରିଥଲେ । ପଣ୍ଡିତ ବିନାୟକ ମିଶ୍ର ଅଭିମତ ପ୍ରଦାନ କରନ୍ତି - ‘‘ବୃଦ୍ଧ ବୟସରେ ଯେଉଁ ବୈରାଗୀ- ଜନ୍ମେ ତାହା ଯଥାର୍ଥ ବୈରାଗୀ ଅଟେ । ଏଣୁ କବି ବୈରାଗ୍ୟର ପ୍ରଗାଢ଼ ଗୋପୀ ଭକ୍ତ କୃଷ୍ଣଙ୍କ ପାଦକମଳ ତଳେ ଅର୍ପଣ କରିଛନ୍ତି’’ । (ଓଡ଼ିଆ ସାହିତ୍ୟର ଇତିହାସ ପୃ.୧୨୪) ଭକ୍ତ ଚରଣ ଆଲୋଚ୍ୟ ଗ୍ରନ୍ଥର ପ୍ରଥମ ଛାନ୍ଦରେ ନିଜର କାବ୍ୟାଭି ମୁଖ୍ୟ ପ୍ରଦାନ କରିଛନ୍ତି ।

 

‘‘ଏଣୁ ବିଚାର କରଇ ମନରେ । କିମ୍ପା ମରୁଛି ଏ ଭବ ବନରେ ।

ଧନ ଜନ ଜୀବନ ଚିର ନୁହେଁ । ପାପ ଅନଳ ପିଣ୍ଡ-କାଷ୍ଠ ଦହେ ।

କାମ କାମିନୀ ମଦରେ ମତାଇ

ମୋହ ମୋହିତ କଲା ଦିବା ନିଶି । ମର୍ମେ ଘୋଟିରହିଲା ପାପରାଶି ।

ଚଳି ନୁହଁଇ ଯାତନାରେ ପଡ଼ି । ଦିନୁଁଦିନ ଆୟୁଷ ଗଲା ଛିଡ଼ି ।

 

ଏବଂବିଧ ଆଲୋଚନା ଛଳରେ ଜୀବନର ଅବତାରଣା ଓ ଅସାରତା ବ୍ୟକ୍ତ କରିଛନ୍ତି । ସେ ନିଜେ ଜଣେ ଭକ୍ତର ଜୀବନ ଧାରଣ କରିଥିବା ହେତୁ ସେ ସ୍ଵାଭାବିକ ଭକ୍ତି- ଆଦର୍ଶ ମୂଳକ ଉଜ୍ଵଳ ବାସନାରେ ବିମୋହିତ ହୋଇ ଆଲୋଚ୍ୟ କାବ୍ୟ ସୃଷ୍ଟି କରିଛନ୍ତି । ଯଥାର୍ଥରେ ଆର୍ତ୍ତବଲ୍ଲଭ ମହାନ୍ତି କହନ୍ତି –

 

ଗୋପିଙ୍କୁ ଭଜିଲା ଭକ୍ତ ପ୍ରେମ ଭକ୍ତି ପାଇ

ବିନା ପ୍ରେମ ଭକ୍ତିରେ ପ୍ରାପତ ମୋତେ କାହିଁ-

 

(ଦେବ ଦୁର୍ଲ୍ଲଭ ଦାସ) । ଏହି ଗୋପୀ ଭକ୍ତିର ରସ ଆସ୍ଵାଦନା କରିବା ଅର୍ଥରେ କବି ନିଜେ ଗୋପୀଭାବରେ

ଅନୁପ୍ରାଣିତ ହୋଇ ବିରହୀ ବୃନ୍ଦାବନ ଚନ୍ଦ୍ରଙ୍କର ଗୋପୀମାନଙ୍କ ପ୍ରତି ନିଷ୍ଠୁର ଭାବ ଦର୍ଶାଇବା ବିଷୟମାନ ବର୍ଣ୍ଣନା କରି ସ୍ଵଭକ୍ତିର ପରାକାଷ୍ଠା ଦର୍ଶାଇ ଅଛନ୍ତି । (ମଥୁରା ମଙ୍ଗଳ ମୁଖବଂଧ- ପୃ୪୨-୪୩ ଦ୍ରଷ୍ଟବ୍ୟ)

 

ମଥୁରା ମଙ୍ଗଳ କାବ୍ୟରେ ରାଜକର୍ମଚାରୀ ଅକ୍ରୁରଙ୍କ ନିଷ୍କପଟ ହୃଦୟର ସଫଳ ଚିତ୍ରଣ ସହିତ ଅତୁଳନୀୟ ଭକ୍ତି ସମନ୍ଵିତ କଳ୍ପନାର ଅତି-ବାସ୍ତବ ରୂପ ଚିତ୍ର ପ୍ରଦାନ କବିଙ୍କ ଭାବ-ସତ୍ତାର ଯଥାର୍ଥ ପରିଚୟ ପ୍ରଦାନ କରେ ।

 

ଆନନ୍ଦ ହୋଇ ରଥରୁ ଡ଼େଇଁ

      ଶିରେ ନିଉଡ଼େ ବାଲି

ହାକୃଷ୍ଣ ବୋଲି ନପାରେ ଚାଲି

      ନୟନ ଅଶ୍ରୁ ଗଳି ।

କହି ହୁଡ଼ଇ ଉଠି ପଡ଼ଇ

      ଗଡ଼ଇ ପାଦ ପରେ

ଶୂନ୍ୟକୁ କୋଳ କରି ଆକୁଳ

      କମ୍ପଇ ପ୍ରେମ ଭରେ

ଚକ୍ଷୁ ବୁଜଇ ମନେ ହେଜଇ

      ଗୋବିନ୍ଦ ଲୀଳାମାନ

ଉଚ୍ଚେ ଗର୍ଜ୍ଜଇ ବାତୁଳ ହୋଇ

      କ୍ଷଣକେ ଅଚେତନା

 

ଯେତେବେଳେ କୃଷ୍ଣ ବଳରାମଙ୍କର ମଥୁରା ଯାତ୍ରା ସ୍ଥିର ହୋଇସାରିଛି ସେତେବେଳେ ଯଶୋଦାଙ୍କର ହୃଦୟବିଦାରକ ଅନୁଚିନ୍ତା ଓ ବାତ୍ସଲ୍ୟ ମମତାର କରୁଣରୋଦନ ଏବଂ ଶିଶୁ-କୃଷ୍ଣଙ୍କ ଶୈଶବ ଲୀଳାର ବାସ୍ତବ ଚିତ୍ରଣ ସମ୍ଭବ ହୋଇଛି । କବି ପୁରୁଷଙ୍କ ଅମର ଲେଖନୀରେ ଶ୍ରୀ କୃଷ୍ଣଙ୍କ ଶୈଶବରେ ଛାଇକୁ ଅନାଇ ଡରିବା, ଉଚ୍ଚ ପାବଛିକୁ ଉଠି ନପାରିବା, ନିର୍ଜନ ରାତ୍ରୀରେ ସୁପ୍ତ ଅବସ୍ଥାରେ ଚେଇଁ ଚମକି ଉଠିବା, ପ୍ରଭାତ କାଳରେ କ୍ଷୁଧାତୁର ହୋଇ ଦୈନନ୍ଦିନ କାର୍ଯ୍ୟରେ ମାତାଙ୍କୁ ହଇରାଣ କରିବା ସର୍ବୋପରି ନିଶା-କାଳରେ ନନ୍ଦଙ୍କ କୋଳରେ ଥାଇ ଜହ୍ନମାମୁଁ ମାଗିବା ପରି ଅତି- ବାସ୍ତବ ଘଟଣାର ସ୍ଵାଭାବିକ ଉପସ୍ଥାପନା ଶୈଳୀ ଅତି ହୃଦୟ ସ୍ପର୍ଶୀ ହୋଇଅଛି ।
 

ସର୍ବଶେଷରେ ଉଦ୍ଧବଙ୍କ ଭକ୍ତି ଯୋଗ ଶିକ୍ଷା ବିଷୟଟି ଉପସ୍ଥାପିତ ହୋଇଛି । ଅନୁରାଗ ସମ୍ପନ୍ନ ହୋଇ ପ୍ରିୟ ପରମଙ୍କୁ ନିଜ ଇନ୍ଦ୍ରିୟ ତୃପ୍ତିରେ ବିନିଯୋଗ ନକରି ତାଙ୍କରି ଇପ୍‌ସିତ ଆଗ୍ରହକୁ ମଥାରେ ପରମ ଆଶିଷ ରୂପେ ବହନ କରି ତାଙ୍କ ଚଲାପଥ କୁସୁମିତ ହେବ ଏହି ଆକାଂକ୍ଷାରେ ପୁଣି ଦେଖାହେବ ପ୍ରତୀକ୍ଷା ହିଁ ଗୋପୀଭକ୍ତିର ଚରମ ପରାକାଷ୍ଠା । ଉଦ୍ଧବ ଗୋପୀଜନ-ଦର୍ଶନ ପରେ ନିଜର ଜ୍ଞାନ ମିଶ୍ରା ଭକ୍ତିକୁ ସୁଦ୍ଧା ଭକ୍ତିରେ ରୂପାନ୍ତରିତ କରିବା ସଂକଳ୍ପରେ ଅନୁଜ୍ଞା ପୋଷଣ କରିଛନ୍ତି ।

 

କରୁଥିବି ତାଙ୍କ କର୍ମ            ସାଧୁଥିବି ତାଙ୍କ ଧର୍ମ

କାନ୍ଦୁଥିବି ତାଙ୍କରି ପରାୟେ ।

ହେଉଥିବି ତାଙ୍କ ବେଶ      କରୁଥିବି ବ୍ରଜେ ବାସ

କରୁଥିବି ତବରୂପଧ୍ୟାୟୀ ହେ ଦୀନବଂଧୁ

କୃଷ୍ଣ ବୋଲି ଗାଉଥବି ମୁଖେ

ଥିବି ସେ ଗୋପୀଙ୍କ ପାଖେପାଖେ ହେ ।

 

ଏଠାରେ ସ୍ମରଣରେ ଆସନ୍ତି ବିବେକାନନ୍ଦ । ସେ ତାଙ୍କର ‘ଭକ୍ତି ଯୋଗ’ ପ୍ରବଂଧରେ କହନ୍ତି- ‘‘ଭକ୍ତ ରାଜ ପ୍ରହହ୍ଲାଦ କିନ୍ତୁ ଭକ୍ତିର ଯେଉଁ ସଂଜ୍ଞା ପ୍ରଦାନ କରିଛନ୍ତି, ତାହା ହିଁ ସର୍ବାପେକ୍ଷା ସମୀଚୀନ ବୋଲି ବୋଧ ହୁଏ । ଅଜ୍ଞଲୋକମାନଙ୍କଠାରେ ଇନ୍ଦ୍ରିୟ ବିଷୟକ ଯେଉଁପରି ମହାନ ଆଗ୍ରହ ଦେଖିବାକୁ ମିଳେ, ତୁମକୁ ସ୍ମରଣ କରିବା ସମୟରେ ତୁମ ପ୍ରତି ସେହି ପରି ତୀବ୍ର ଆସକ୍ତି ଯେପରି ମୋ ହୃଦୟରୁ ଅପସାରିତ ନହୁଏ । ଦେବୀ ଭାଗବତ ମଧ୍ୟ କହନ୍ତି ଭକ୍ତି ସଂପର୍କରେ ।

 

‘‘ଚେତସୋ ବର୍ତ୍ତନଞ୍ଚେବ ତୈଳଧାରା ସମଂସଦା’’

(ଦେବୀ ଭାଗବତ - ୭/୬୭/୧୧)

 

ଯେପରି ତୈଳ ଗୋଟାଏ ପାତ୍ରରୁ ଅନ୍ୟ ପାତ୍ରକୁ ଢାଳିବା ସମୟରେ ଅବିଚ୍ଛିନ୍ନ ଧାରାରେ ପତିତ ହୁଏ ତଦ୍ରୁପ ମନ ଯେତେବେଳେ ଅବିଛିନ୍ନ ଭାବେ ପ୍ରିୟପରମଙ୍କୁ ସ୍ମରଣ କରିଥାଏ ତାହାକୁ ଭକ୍ତି କୁହାଯାଏ ।

 

 

ପୁନଶ୍ଚ,

‘‘ଅନନ୍ୟ ମମତା ବିଷ୍ଣୌ ମମତା ପ୍ରେମ ସଙ୍ଗୀତ

ଭକ୍ତିରିତ୍ୟୁଚ୍ୟତେ ଭୀଷ୍ମ ପ୍ରହ୍ଲାଦୋଦ୍ଧବ

ଭକ୍ତିରିତ୍ୟୁତ୍ୟତେ ଭୀଷ୍ମ ପ୍ରହ୍ଲାଦୋଦ୍ଧବ ନାରଦୈଃ’’

-ହରି ଭକ୍ତ ବିଳାସ - ୧୧/୩୫/୨

 

ଅନ୍ୟାନ୍ୟ ବିଷୟରେ ମମତାହୀନ ହୋଇ ଶ୍ରୀ ବିଷ୍ଣୁଙ୍କଠାରେ ପ୍ରେମ ସମନ୍ଵିତ ମମତା ଅର୍ପଣକୁ ଭୀଷ୍ମ, ପ୍ରହ୍ଲାଦ, ଉଦ୍ଧବ ଓ ନାରଦ ଭକ୍ତି ନାମରେ ଅଭିହିତ କରନ୍ତି ।

 

ଭକ୍ତି ମଣିଷ ଭିତରେ ପ୍ରାଣ ସଂଚାର ଓ ଶକ୍ତି ସଂଚାର କରିଥାଏ । ଭକ୍ତ କବିଙ୍କ ଦୁର୍ଲ୍ଲଭ କବି ଶକ୍ତି ଭିତରେ ବିପୁଳା ଭକ୍ତିର ନିଦର୍ଶନ ମିଳିଥାଏ । ଗୋପୀ- ବିଳାପ ବର୍ଣ୍ଣନା ମାଧ୍ୟମରେ ଅଫୁରନ୍ତ କବି-ଶକ୍ତିର ନିରୁପମ ସମ୍ଭାର ପ୍ରକାଶିତ ହୁଏ ।

 

ଏକ ବୋଲିବେ କାଲିଠାରୁ କୁମୁଦ ମରିବେ

      କୁମୁଦ ରମଣଯେଣୁ କୁମୁଦକୁ ଯିବେ ।

ଅନ୍ଧକାରକୁ ବାଢ଼ିବ

      ସତେକି ଚନ୍ଦ୍ରମା ଚନ୍ଦ୍ରମଣି କି ଛାଡ଼ିବ ।

(ମଥୁରା ମଙ୍ଗଳ ୪ର୍ଥ ଛାନ୍ଦ ୭ମ ପଦ)

 

ମଥୁରା ମଙ୍ଗଳ କାବ୍ୟରେ ଜ୍ଞାନ-ମିଶ୍ରା- ଭକ୍ତି ଅପେକ୍ଷା ଭକ୍ତି- ମିଶ୍ରା-ଜ୍ଞାନକୁ ଗୁରୁତ୍ୱ ପ୍ରଦାନ କରାଯାଇଛି । ଯଥାର୍ଥରେ ସମାଲୋଚକ ସୁରେନ୍ଦ୍ର ମହାନ୍ତି କହନ୍ତି ‘‘ଭକ୍ତ ଚରଣ ପ୍ରଥମେ ଥିଲେ କବି, ତାପରେ ବୈଷ୍ଣବ । ତାଙ୍କଠାରେ ଭାକ୍ତିକତା ଥଲା କିନ୍ତୁ ତାତ୍ତ୍ୱିକତା ନଥିଲା । କବିତ୍ଵ କିନ୍ତୁ ତାତ୍ତ୍ୱିକତାକୁ ଅତିକ୍ରମ କରିଥିଲା ।’’ (ଓଡ଼ିଆ ସାହିତ୍ୟର କ୍ରମ ବିକାଶ - ସୁରେନ୍ଦ୍ର ମହାନ୍ତି ପୃ ୧୩୮)’’ ଏହା ସାଥିକି କବିଙ୍କର ଛନ୍ଦ ଓ ଶବ୍ଦ ପ୍ରୟୋଗର ନିପୁଣତା ମିଶିଯିବାର ଶୁଷ୍କ ପାରମାର୍ଥିକତ୍ତ୍ୱେ ସବୁ ତାଙ୍କ ଲେଖନୀୟ ପ୍ରଣୟ ବର୍ଣ୍ଣନା କରି ସୁଖକର ହୋଇ ଉଠିଛନ୍ତି’’ । (ଓଡ଼ିଆ ସାହିତ୍ୟର ଇତିହାସ ମାନସିଂ- ପୃ-୧୫୮)

 

ସର୍ବଶେଷରେ କୁହାଯାଇପାରେ, ମଥୁରା ମଙ୍ଗଳ କାବ୍ୟର ପଠନ ମନନ ଫଳରେ ପାଠକ ପ୍ରଣୀଧାନ ପୂର୍ବକ ସିଦ୍ଧାନ୍ତରେ ଉପନୀତ ହୁଏ -

 

ଈଶ୍ୱରଙ୍କଠାରେ ରତିର ଆବେଗରେ ଅନୁରକ୍ତି ଭରା ମୋହମୟ ଆରତୀ ଅର୍ପଣର ଅନ୍ୟନାମ ଭକ୍ତି । ଅନୁରାଗର ଉତ୍ତାପରେ ଅଭିବ୍ୟଞ୍ଜତ ଅଭୀପ୍ସାର କର୍ମମୟ ପ୍ରତିଫଳନ ହିଁ ପ୍ରାର୍ଥନା । ଅସ୍ତିତ୍ଵର ଆକୃତିରେ ଆହ୍ଲାଦିନୀ ଆରାଧନାର ସାମୀପ୍ୟ ହିଁ ଉପାସନା ।

 

“He and Dinakrushna form a link in the matter of literary form and style, between the old and the new, by new । mean here the artificial style which characterise the writings of Upendra Bhanja and his successors’’- Typical selections from oriya literture - VOI.II (Preface)

- Bidya Chandra Mazumdar

 

 

ଅଧ୍ୟକ୍ଷ, ଶ୍ରୀନିବାସ କଲେଜ,

ମଙ୍ଗଳପୁର, ସୋର,

ବାଲେଶ୍ଵର - ୭୫୬୦୪୫

 

***